ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ
ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇଛି। ଖରା ଦିନରେ ଗରିବ ଲୋକଙ୍କ ଉପାର୍ଜନ କମି ଯାଇଥାଏ। ବଲାଙ୍ଗୀର ଭଳି ଅଣଜଳସେଚିତ ଜିଲାରେ ଏହି ସମୟରେ ସାଧାରଣତଃ ମଜୁରି ମିଳିବା କଷ୍ଟକର ବ୍ୟାପାର। ଏହି କାରଣରୁ ଅଣ କୃଷି ଋତୁରେ ଏଠାରୁ ଶ୍ରମିକ କାମଧନ୍ଦା ଅନ୍ବେଷଣରେ ବାହାରକୁ ଯିବା ଏକ ବଡ ସମସ୍ୟା ହୋଇରହିଛି। […] The post ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ appeared first on Dharitri Odia News.
ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇଛି। ଖରା ଦିନରେ ଗରିବ ଲୋକଙ୍କ ଉପାର୍ଜନ କମି ଯାଇଥାଏ। ବଲାଙ୍ଗୀର ଭଳି ଅଣଜଳସେଚିତ ଜିଲାରେ ଏହି ସମୟରେ ସାଧାରଣତଃ ମଜୁରି ମିଳିବା କଷ୍ଟକର ବ୍ୟାପାର। ଏହି କାରଣରୁ ଅଣ କୃଷି ଋତୁରେ ଏଠାରୁ ଶ୍ରମିକ କାମଧନ୍ଦା ଅନ୍ବେଷଣରେ ବାହାରକୁ ଯିବା ଏକ ବଡ ସମସ୍ୟା ହୋଇରହିଛି। ଲୋକେ ଅର୍ଥ ସଙ୍କଟ ଦେଇ ଗତି କରୁଥିବା ବେଳେ ଆଳୁ, ପିଆଜ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ଲୋକଙ୍କ ଚିନ୍ତା ଦ୍ୱିଗୁଣିତ କରିଛି। ଏବେ ବଜାରରେ ଆଳୁ କେଜି ପ୍ରତି ୪୦କୁ ଟପିଲାଣି। ପିଆଜ ୨୫ ଟପିଲାଣି। ଆଳୁ ଓ ପିଆଜ ଦରବୃଦ୍ଧି ଯୋଗୁ ଲୋକେ ଅଡୁଆରେ ପଡିଛନ୍ତି। ଖରାଦିନରେ ପଖାଳ ସହ ପିଆଜ ଓ ଆଳୁ ଭରତା ଏକ ସାଧାରଣ ଖାଦ୍ୟ। କିନ୍ତୁ ପଖାଳ ଉପରେ ଆଳୁ ପିଆଜ ଦରବୃଦ୍ଧି ଭାରି ପଡିଲାଣି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି। ଦରବୃଦ୍ଧି ଯୋଗୁ ଲୋକେ ବାଧ୍ୟ ହୋଇ ଅଳ୍ପ ପରିଣାମର ଆଳୁ ଓ ପିଆଜ କିଣୁଥିବା କହିଛନ୍ତି। ଏଥିସହ ପନିପରିବା ଦରବୃଦ୍ଧି ଯୋଗୁ ଲୋକେ ଘୋର ଅସନ୍ତୋଷ ପ୍ରକାଶ କରୁଛନ୍ତି। ଫୁଲକୋବି ଏବେ କେଜି ପ୍ରତି ୫୦ ଟଙ୍କା, ବନ୍ଧାକୋବି ୪୦ ଟଙ୍କା, ପଣସ କେଜି ୮୦ ଟଙ୍କା, ପୋଟଳ ୮୦ ଟଙ୍କା, ଝୁଡଙ୍ଗ ୬୦ ଟଙ୍କା, କୁନ୍ଦୁରି ୬୦, ପାତଳଘଣ୍ଟା ୫୦ ଟଙ୍କା, ବାଇଗଣ ୬୦ ଟଙ୍କା, କାକୁଡି କେଜି ୪୦ ଟଙ୍କା ରହିଛି। ଲୋକେ ବଜାରକୁ ଯାଇ ଚଢ଼ା ଦର ଦେଖି ଅଳ୍ପ ପରିମାଣର ପନିପରିବା ଆଣୁଛନ୍ତି। ଅନ୍ୟପକ୍ଷରେ ଚଢ଼ାଦର ଏବଂ ଟାଣଖରା ବେପାରକୁ ମାନ୍ଦା କରୁଥିବାରୁ ବେପାରୀ ମଧ୍ୟ ଚିନ୍ତାରେ ପଡିଛନ୍ତି। ପ୍ରଚଣ୍ଡ ଖରା ଯୋଗୁ ସକାଳ ସାଢ଼େ ୯ଟା ପରେ ଡେଲିମାର୍କେଟ ଏବଂ ସାପ୍ତାହିକ ବଜାର ଏକପ୍ରକାର ଜନଶୂନ୍ୟ ହୋଇପଡୁଛି। ଫଳରେ ବେପାରୀମାନେ ଠିକ୍ ସମୟରେ ପନିପରିବା ବିକ୍ରି କରି ପାରୁନାହାନ୍ତି। ଅନେକ ବେପାରୀଙ୍କ ପନିପରିବା ଖରାରେ ପଚି ନଷ୍ଟ ହୋଇଯାଉଛି। ଶୀତଳ ଭଣ୍ଡାର ନ ଥିବାରୁ ବେପାରୀମାନେ ଅସୁବିଧାରେ ପଡିଛନ୍ତି। ଏବେ ନିର୍ବାଚନୀ ପ୍ରଚାରରେ ନେତା, କର୍ମୀ ଓ ସମର୍ଥକ ମାତିଛନ୍ତି। ବିଶେଷ କରି ତିନି ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଓ ବରିଷ୍ଠ ନେତାମାନେ ଭୋଟରଙ୍କୁ ବିଭିନ୍ନ ମନଲୋଭା ସ୍କିମ୍, ପ୍ରତିଶ୍ରୁତି ଏବଂ ଗ୍ୟାରେଣ୍ଟି କଥା କହୁଛନ୍ତି। ତେବେ ଦରବୃଦ୍ଧି ସମସ୍ୟା ଏବେ ସାଧାରଣ ଜନତାଙ୍କୁ ଅତିଷ୍ଠ କରି ପକାଇଛି।
The post ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ appeared first on Dharitri Odia News.