ପଦ୍ମ ଧରିପାରନ୍ତି ଆକାଶ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ କୋରେଇ, ବରୀ ଓ ବଡ଼ଚଣା ଆସନ ନିମନ୍ତେ ବିଜେଡି ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କାହାକୁ ମିଳିବ ଟିକେଟ ଏବଂ କିଏ ବାଦ୍‌ ପଡ଼ିବେ ସେନେଇ ନେତା ଓ ସେମାନଙ୍କ ସମର୍ଥକମାନେ ଚିନ୍ତାରେ ରହିଛନ୍ତି। ତେବେ ଯାଜପୁର ବିଧାନସଭା ଆସନରେ ଚର୍ଚ୍ଚାରେ ନ ଥିବା ଜଣେ ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ଏହାକୁ […] The post ପଦ୍ମ ଧରିପାରନ୍ତି ଆକାଶ appeared first on Dharitri Odia News.

ପଦ୍ମ ଧରିପାରନ୍ତି ଆକାଶ

ଯାଜପୁର,୩୦ା୩(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ କୋରେଇ, ବରୀ ଓ ବଡ଼ଚଣା ଆସନ ନିମନ୍ତେ ବିଜେଡି ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କାହାକୁ ମିଳିବ ଟିକେଟ ଏବଂ କିଏ ବାଦ୍‌ ପଡ଼ିବେ ସେନେଇ ନେତା ଓ ସେମାନଙ୍କ ସମର୍ଥକମାନେ ଚିନ୍ତାରେ ରହିଛନ୍ତି। ତେବେ ଯାଜପୁର ବିଧାନସଭା ଆସନରେ ଚର୍ଚ୍ଚାରେ ନ ଥିବା ଜଣେ ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରିଥିବାରୁ ଏହାକୁ ଅନେକେ ଡମି ପ୍ରାର୍ଥୀ (ଯାହାଙ୍କୁ ପରବର୍ତ୍ତୀ ସମୟରେ ଇସ୍ତଫା ଦେବାକୁ କୁହାଯାଇ ଜଣେ ଟାଣୁଆ ନେତାଙ୍କ ପାଇଁ ସୁଯୋଗ ସୃଷ୍ଟି କରାଯାଇପାରେ) ବୋଲି ଆଲୋଚନା କରୁଛନ୍ତି। ସେଭଳି ଡମି ପ୍ରାର୍ଥୀଙ୍କୁ କୋରେଇ ଆସନ ପାଇଁ ମଧ୍ୟ ବିଜେଡି ଟିକେଟ୍‌ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଏହିକ୍ରମରେ କୋରେଇରେ ଟିକେଟ ଦୌଡ଼ରେ ଥିବା ବିଧାୟକ ଅଶୋକ ବଳ ଏବଂ ପୂର୍ବତନ ବିଧାୟକ ତଥା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ ବଳି ପଡ଼ିପାରନ୍ତି। ଏଥିଯୋଗୁ ଆକାଶ ବିଜେଡି ଛାଡ଼ି ପଦ୍ମ ଧରିପାରନ୍ତି ଏବଂ ଭାଜପା ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଭଳି ହେଲେ ଏଥର କୋରେଇରେ ଜୋର୍‌ଦାର ଲଢ଼େଇ ହେବା ସମ୍ଭାବନା ରହିଛି।
ଆକାଶଙ୍କ ସ୍ଥାନରେ ଜଣେ ସାଧାରଣ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଉଥିବା ଚର୍ଚ୍ଚା ଶୁଣି ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆକାଶଙ୍କୁ ସ୍ବାଧୀନ ଭାବେ ଲଢ଼ିବା କିମ୍ବା ଭାଜପାରେ ମିଶି ଟିକେଟ ଆଣିବାକୁ ସେମାନେ ଚାପ ସୃଷ୍ଟି କରୁଥିବା ଆଲୋଚନା ହେଉଛି। ଏଭଳି ସ୍ଥିତିରେ କୋରେଇ ରାଜନୀତି ରୋଚକ ମୋଡ଼ ନେଉଛି। କିନ୍ତୁ ବିଧାୟକ ବଳ ପ୍ରାୟ ନିରବ ରହିଥିବା ମନେହେଉଛି। ଏଥିରୁ କୋରେଇ ବିଜେଡିରେ ବିଦ୍ରୋହ କିମ୍ବା ଦଳ ଭାଗ ଭାଗ ହେବା ସମ୍ଭାବନା ରହିଛି।
୨୦୧୪ ସାଧାରଣ ନିର୍ବାଚନରେ ଅଭିନେତାରୁ ବିଜେଡି ନେତା ସାଜି ଆକାଶ ପ୍ରଥମ ଥର କୋରେଇ ଆସନରୁ ବିଜୟୀ ହୋଇଥିଲେ। ହେଲେ ୨୦୧୯ରେ ଆକାଶଙ୍କୁ ଟିକେଟ ମିଳି ନ ଥିଲା। ତେଣୁ ତାଙ୍କୁ ମୋ କଲେଜର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇ ସନ୍ତୁଷ୍ଟ କରାଯାଇଥିଲା। ସେତେବେଳେ ପୂର୍ବତନ ଭାଜପା ନେତା ଅଶୋକ ବଳ ବିଜେଡି ଟିକେଟ୍‌ରେ ବିଜୟୀ ହୋଇଥିଲେ। ତେବେ କୋରେଇକୁ ବିଜେଡି ପରୀକ୍ଷାର ପ୍ରୟୋଗଶାଳା ଭାବେ ଗ୍ରହଣ କରି ଗତ ଦୁଇ ଦଶନ୍ଧି ଧରି ପ୍ରାର୍ଥୀ ବଦଳ କରିଆସୁଛି। ତେଣୁ କୋରେଇ ପାଇଁ ପୁଣି ଏକ ନୂଆ ଚେହେରା ବିଜେଡି ଦେଇପାରେ ବୋଲି କୁହାଯାଉଛି। ଏଭଳିସ୍ଥଳେ ଆଶାୟୀ ପ୍ରାର୍ଥୀ ଭାବେ ଆକାଶ ଭାଜପାକୁ ଯିବାକୁ ମନସ୍ଥ କରିଥିବା ଆଲୋଚନା ହେଉଛି। ହେଲେ ଭାଜପା ଯୁବନେତା ଆଲେକଜାଣ୍ଡାର ଦାସ ଏବଂ ଗତଥର ପ୍ରାର୍ଥୀ ହୋଇଥିବା ବିଶ୍ୱଜିତ୍‌ ନାୟକ ଉଭୟ ଗାଁକୁ ଗାଁ ବୁଲି ପ୍ରଚାର ଜୋରସୋରରେ ଚଳାଇଛନ୍ତି। ତେଣୁ କାହାକୁ ଟିକେଟ ଦିଆଯିବ ତାହା ଭାଜପା ପାଇଁ ବୁମେରାଂ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ବିଜେଡି ଏବଂ ଭାଜପାର ଏଭଳି ସ୍ଥିତିର ଫାଇଦା ନେବାକୁ କଂଗ୍ରେସ ନେତ୍ରୀ ବନ୍ଦିତା ପରିଡ଼ା ପ୍ରସ୍ତୁତ ରହିଥିବା ମନେହେଉଛି।

The post ପଦ୍ମ ଧରିପାରନ୍ତି ଆକାଶ appeared first on Dharitri Odia News.