ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ; କହିଲେ- ନବୀନଙ୍କୁ ହଟାଇବା

୨୦୨୦ ମସିହା ନଭେମ୍ବର ୨୦ ତାରିଖରେ ଜନ ବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିଲା।

ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ; କହିଲେ- ନବୀନଙ୍କୁ ହଟାଇବା

ସବୁ ଚର୍ଚ୍ଚାର ଅନ୍ତ ଘଟିଛି । ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ଆଜି ବିଜେପିରେ ମିଶିଛନ୍ତି। ପ୍ରଦୀପ ଓ ତାଙ୍କର କିଛି ସମର୍ଥକ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଦୀପ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା। ଆଜି ସେହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପଡ଼ିଛି। 

୨୦୨୦ ମସିହା ନଭେମ୍ବର ୨୦ ତାରିଖରେ ଜନ ବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିଲା। ପ୍ରଦୀପଙ୍କୁ ବିଜେଡିରୁ ବହିଷ୍କୃତ  କରାଯାଇଥିବା ନେଇ ଦଳ ପକ୍ଷରୁ ପ୍ରେସ୍ ରିଲିଜ୍‌ ଜାରି କରାଯାଇଥିଲା। 

ଆଜି ବିଜେପିରେ ଯୋଗଦେବା ପରେ ବିଜେଡି ଉପରେ ବର୍ଷିଛନ୍ତି ପ୍ରଦୀପ। ସେ କହିଛନ୍ତି - ଓଡ଼ିଶାରେ ପରିବର୍ତ୍ତନର ସମୟ ଆସିଛି। ସୁଦୃଢ଼ ଓଡ଼ିଶା, ସୁଦୃଢ଼ ଭାରତ ଗଠନର କରିବାର ସମୟ ଆସିଛି। ଅନ୍ଧ ମୂକ ବଧିର, ଗର୍ବୀ, ଅହଙ୍କାରୀ ସରକାର ହଟାଇବା ଆବଶ୍ୟକ। ଏକଛତ୍ରବାଦୀ ସରକାର ହଟାଇ, ଲୋକତନ୍ତ୍ର ସରକାର ଆଣିବା ଦରକାର। ନବୀନଙ୍କୁ ହଟାଇ ଓଡ଼ିଆଙ୍କୁ ଗୁରୁତ୍ୱ ଦେବା ଆବଶ୍ୟକ ରହିଛି। 

ଓଡ଼ିଶାବାସୀ ସବୁଦଳକୁ ସୁଯୋଗ ଦେଇଛନ୍ତି। ସେହିପରି ଭାବରେ ବିଜେପିକୁ ଥରଟିଏ ସୁଯୋଗ ଦିଅନ୍ତୁ। ନୂଆ ସରକାର ଆଣନ୍ତୁ। ଆଜି ଏକ ପବିତ୍ର ଦିନ। ମୁଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆଜି ବିଜେପିରେ ଯୋଗଦେଇଛି  ବୋଲି ପ୍ରଦୀପ କହିଛନ୍ତି। 

କିପରି ଥିଲା ପ୍ରଦୀପଙ୍କର ଶଙ୍ଖରୁ ପଦ୍ମକୁ ଯାତ୍ରା: ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖାସ୍, ବହୁତ ଘନିଷ୍ଠ ଓ ଅନୁଗତ ଥିଲେ ପ୍ରଦୀପ ପାଣିଗ୍ରାହୀ। ଏପରିକି ଯେଉଁ କେତେ ଜଣେ ଅନାୟାସରେ ନବୀନ ନିବାସରେ ପ୍ରବେଶ କରିପାରୁଥିଲେ କିମ୍ବା ଫୋନରେ ସିଧା ନବୀନଙ୍କ ସହିତ କଥା ହୋଇପାରୁଥିଲେ, ସେମାନଙ୍କ ଭିତରୁ ଜଣେ ଥିଲେ ପ୍ରଦୀପ ପାଣିଗ୍ରାହୀ। ଦକ୍ଷିଣ ଓଡ଼ିଶା ବିଶେଷ କରି ଗଂଜାମ ରାଜନୀତିରେ ତାଙ୍କର ଅଖଣ୍ଡ ପ୍ରଭାବ ଥିଲା। ଛାତ୍ର ରାଜନୀତିରୁ ସେ ଆସିଥିଲେ। ହିଂଜିଳିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ମଧ୍ୟ ଥିଲେ।

୨୦୦୯ରୁ ଲଗାତର ୩ ଥର ଗୋପାଳରପୁର ବିଧାୟକ ହୋଇ ଆସୁଥିଲେ। ୨୦୧୪ରେ ନବୀନ ସରକାରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ। ୨୦୧୭ ଯାଏ ବିଭିନ୍ନ ବିଭାଗ ସମ୍ଭାଳିଥିଲେ। କିନ୍ତୁ କରୋନା ପରେ ପରେ ୨୦୧୯-୨୦ ପରେ ଦେଖା ଦେଇଥିଲା ଫାଟ। ପ୍ରଥମେ ତାଙ୍କ ଭାବୀ ସମୁଦି ଆଇଏଫଏସ୍ ଅଭୟ ପାଠକଙ୍କ ଘରେ ଭିଜିଲାନସ ରେଡ୍ ହେଲା। ଏପରିକି ଅଭୟ ଓ ତାଙ୍କ ପୁଅ ଆକାଶଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା। ଟାଟାରେ ଚାକିରି କରାଇ ଦେବାକୁ କହି ଆକାଶ ଟଙ୍କା ନେଇଥିବା କୁହାଯାଇଥିଲା। ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଏଥିରେ ସଂପୃକ୍ତଥିବାର ଅଭିଯୋଗ କରି ତାଙ୍କ ଉପରେ ମଧ୍ୟ ଭିଜିଲାନ୍ସ ରେଡ୍ ହୋଇଥିଲା। ୨୦୨୦ ଡିସେମ୍ବର ୩ ତାରିଖରେ କ୍ରାଇମବ୍ରାଞ୍ଚ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା। ଜେଲ୍ ଯାଇଥିଲେ ପ୍ରଦୀପ। ଭିଜିଲାନସ ରେଡ୍ ପରେ ନବୀନ ପଟ୍ଟନାୟକ ସରକାରର ଓ ପାଣ୍ଡିଆନଙ୍କ ଅନେକ ଗୁମର ଖୋଲି ଥିଲେ ପ୍ରଦୀପ। ୨୦୨୦ରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ୨୦୨୧ ଜୁନରେ ଜାମିନରେ ଆସିଥିଲେ ପ୍ରଦୀପ ପାଣିଗ୍ରାହୀ। ଏହା ପରେ ସେ କଣ କରିବେ, ତାକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। ଶେଷରେ ଠିକ୍ ୨୪ ନିର୍ବାଚନ ଆଗରୁ ପଦ୍ମ ଧରିଛନ୍ତି ପ୍ରଦୀପ ପାଣିଗ୍ରାହୀ।