ପନ୍ନୁଙ୍କ ଧମକ ପରେ ରାଜଧାନୀରେ ହଇଚଇ, ଡିସିପି କହିଲେ- ଆମେ ଆଲର୍ଟ ଅଛୁ
ରାଜଧାନୀ ଭୁବନେଶ୍ୱର ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ବଳୟରେ ଥିବା ବେଳେ ଯେକୌଣସି ପ୍ରକାର ଚ୍ୟାଲେଞ୍ଜକୁ ସାମନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର।
ଭୁବନେଶ୍ୱରରେ ଏବେ DGP ସମ୍ମିଳନୀ ଚାଲିଥିବା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରିଛି ଖଲିସ୍ତାନୀ ଆତଙ୍କୀ ପନ୍ନୁ । ଏହାକୁ ନେଇ ସମଗ୍ର ରାଜଧାନୀରେ ଚାଞ୍ଚଲ୍ୟ ଖେଳି ଯାଇଛି। ତେବେ ରାଜଧାନୀ ଭୁବନେଶ୍ୱର ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ବଳୟରେ ଥିବା ବେଳେ ଯେକୌଣସି ପ୍ରକାର ଚ୍ୟାଲେଞ୍ଜକୁ ସାମନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର।
ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକପୂର୍ଣ୍ଣ ଇ-ମେଲ୍ ପଠାଇଥିବା ନେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ ଆଜି ସକାଳେ ପୁଲିସ୍କୁ ସୂଚନା ଦେଇଛନ୍ତି। ଏହାପରେ ଆରମ୍ଭ ହୋଇ ଯାଇଛି ଖୋଳତାଡ଼ । କିଏ ଏହି ମେଲ୍ ପଠାଇଛି, ପ୍ରକୃତରେ ପନ୍ନୁ ହିଁ ମେଲ୍ ପଠାଇଛି ନା ତା’ ପାଇଁ ଓଡ଼ିଶାରେ କିଏ କାମ କରୁଛି ତାହାର ତଦନ୍ତ କରୁଛି ପୁଲିସ୍।
ଏନେଇ ଡିସିପି କହିଛନ୍ତି, ସୁରକ୍ଷା ସମ୍ପର୍କୀତ ଯେକୌଣସି ସୂଚନା ପାଉଛୁ ଆମେ ତାହାକୁ ଗୁରୁତର ସହ ନେଉଛୁ। ଟିକିନିଖି କରି ସବୁ ତଥ୍ୟକୁ ଯାଞ୍ଚ କରାଯାଉଛି। ଆମେ ସମ୍ପୂର୍ଣ୍ଣ ଆଲର୍ଟ ଅଛୁ ।
ଗତକାଲିଠୁ ଲୋକସେବା ଭବନରେ ଆରମ୍ଭ ହୋଇଛି ଡିଜିପି ସମ୍ମିଳନୀ। ଡିଜିପି ସମ୍ମିଳନୀ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, NSA ଅଜିତ ଡୋଭାଲ ବି ଭୁବନେଶ୍ୱରରେ ଅଛନ୍ତି। ତେଣୁ ସମଗ୍ର ଦେଶର ବହୁ ହାଇ ପ୍ରୋଫାଇଲ୍ ନେତାଙ୍କ ସମେତ ବରିଷ୍ଠ ପୁଲିସ୍ ଅଧିକାରୀ ବି ଓଡ଼ିଶାରେ ଅଛନ୍ତି।
ଏପରି ସ୍ଥଳେ ସେମାନଙ୍କ ସୁରକ୍ଷା ନିମନ୍ତେ ସମଗ୍ର ରାଜଧାନୀକୁ ସୁରକ୍ଷା ଛାଉଣୀରେ ପରିଣତ କରାଯାଇଛି। ଲୋକସେବା ଭବନଠୁ ଆରମ୍ଭ କରି ଡିଜିପିମାନେ ରହୁଥିବା ଅତିଥି ଭବନ ତଥା ପ୍ରଧାନମନ୍ତ୍ରୀ ରହୁଥିବା ରାଜଭବନ ଚାରିପଟେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।
ଆସନ୍ତାକାଲି ଡିଜିପି ସମ୍ମିଳନୀ ସମାପନ ହେବା ସହ ବରିଷ୍ଠ ଅଧିକାରୀ ଓ ନେତାଙ୍କ ଘରବାହୁଡ଼ା ହେବ । ଏପରି ସ୍ଥଳେ ପନ୍ନୁ ଆସନ୍ତକାଲି ଭୁବନେଶ୍ୱର ବିମାନ ବନ୍ଦରରୁ ଉଡ଼ାଣ ନ ଭରିବାକୁ ଇ-ମେଲ୍ ଅଡିଓ ମେସେଜ କରି ଚେତାବନୀ ଦେଇଛି । ତେଣୁ ଏୟାରପୋର୍ଟରେ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିଦିଆଯାଇଛି।
ଡିସିପି କହିଛନ୍ତି, ଏୟାରପୋର୍ଟର ମୁଖ୍ୟ ସୁରକ୍ଷା ଦାୟିତ୍ୱ ସିଆଇଏସ୍ଏଫ ଉପରେ ନ୍ୟସ୍ତ ଅଛି। ଏହାପରେ ବି ଓଡ଼ିଶା ପୁଲିସ୍ ତରଫରୁ ସେଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆମର ହେଲପ୍ ଡେସ୍କ ରହିଛି, କଣ୍ଟ୍ରୋଲ୍ ରୁମ୍ ରହିଛି। ବରିଷ୍ଠ ଅଧିକାରୀ ତାହାର ତଦାରଖ କରୁଛନ୍ତି। ଯେକୌଣସି ସିକ୍ୟୁରିଟି ଚ୍ୟାଲେଞ୍ଜକୁ ସାମନା କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଶାନ୍ତିଶୃଙ୍ଖଳାର ସହ ସମସ୍ତ କାମ ସରୁ ବୋଲି ଆମେ ଚାହୁଁଛୁ। ଏଥିନିମନ୍ତେ ସମସ୍ତେ ମିଳିତ ଭାବେ କାମ କରୁଛୁ।