ପବିତ୍ର ଶାମ୍ବ ଦଶମୀ: ଛୁଆଙ୍କ ମଙ୍ଗଳ ମନାସି ସୂର୍ଯ୍ୟ ପୂଜା କରନ୍ତି ମହିଳା
ପବିତ୍ର ଶାମ୍ବ ଦଶମୀ । ପୌଷମାସ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ ଏହି ପର୍ବ । ଶାମ୍ବ ଦଶମୀରେ ବିଶେଷ କରି ସୂର୍ଯ୍ୟଙ୍କୁ ପୂଜା କରାଯାଇଥାଏ । ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ । ଏହି ସମୟ ମଧ୍ୟରେ ପାଳିତ ହେଉଥିବା ପବପର୍ବାଣିରେ ଏଥିପାଇଁ ଗାଉଁଲୀ ଢଗ ରହିଛି ଯଥା-“”ଅଇଲା ଚିତୋଉ […] The post ପବିତ୍ର ଶାମ୍ବ ଦଶମୀ: ଛୁଆଙ୍କ ମଙ୍ଗଳ ମନାସି ସୂର୍ଯ୍ୟ ପୂଜା କରନ୍ତି ମହିଳା appeared first on KNews Odisha.

ପବିତ୍ର ଶାମ୍ବ ଦଶମୀ । ପୌଷମାସ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ ଏହି ପର୍ବ । ଶାମ୍ବ ଦଶମୀରେ ବିଶେଷ କରି ସୂର୍ଯ୍ୟଙ୍କୁ ପୂଜା କରାଯାଇଥାଏ । ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ । ଏହି ସମୟ ମଧ୍ୟରେ ପାଳିତ ହେଉଥିବା ପବପର୍ବାଣିରେ ଏଥିପାଇଁ ଗାଉଁଲୀ ଢଗ ରହିଛି ଯଥା-“”ଅଇଲା ଚିତୋଉ ନାନୀ/ ବାରଓଷା ପର୍ବ ସଙ୍ଗରେ ଘେନି, ଶମ୍ବର ଦଶମୀ ଅଲଣାଦାଉ/ ସବୁ ଓଷା ବାର ଏଇଠି ଥାଉ ।”
ରୀତି ନୀତି ପରମ୍ପରା ସହ ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ସୂର୍ଯ୍ୟଙ୍କୁ ଅର୍ପଣ କରାଯାଏ । ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା କରି ଘରର ମହିଳାମାନେ ଏହି ପୂଜା କରିଥାନ୍ତି । ଏହି ପର୍ବର ମୁଖ୍ୟ ହେଉଛି ଘାଣ୍ଟ ତରକାରୀ ବା ଘଡାଘଡା ତିଅଣ । ପ୍ରଥମେ ବଡି ଭୋରୁ ସୂର୍ଯ୍ୟଙ୍କୁ ପ୍ରଥମ ଧୂପ ଅର୍ପଣ କରାଯାଇଥାଏ । ଏହାପରେ ବିଭିନ୍ନ ପ୍ରକାରର ପିଠା(ଅଟ୍ଟକାଳି, ଗଇଁଠା, କାକରା, ମଣ୍ଡା, ଛଣା ପିଠା) ଫଳମୂଳ, ସାକର, ଘଣ୍ଟା ତରକାରୀ, ଗଜା ମାଲପୁଆ, ରସଗୋଲା, ଖେଚୁଡି ସହ ପିଠା ପଣା ଆଦି ତିଆରି ହୋଇଥାଏ । ଧୂପ ଦୀପରେ ମଧ୍ୟାହ୍ନ ସୂର୍ଯ୍ୟ ତେଜିଆନ ଭାସ୍କରଙ୍କୁ ପୂଜା କରିଥାନ୍ତି । ଛୁଆଙ୍କ ମଙ୍ଗଳ ମନାସି ମାଆମାନେ ଯାହା ଯାଚିଥାନ୍ତି ସେହିସବୁ ତିଆରି କରି ପୂଜା କରାଯାଇଥାଏ । ଶେଷରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଧୂପ, ଦୀପ, ନୈବେଦ୍ୟ ଦେଇ ପୂଜା କରାଯାଇଥାଏ ।
କିମ୍ବଦନ୍ତୀ ଅନୁଯାୟୀ କଥିତ ଅଛି, ଏକଦା କୃଷ୍ଣପୁତ୍ର ଶାମ୍ବ ନିଜର ଚପଳତା ହେତୁ ଅଭିଶାପ ପାଇ କୁଷ୍ଠରୋଗରେ ପୀଡ଼ିତ ହୋଇଥିଲେ। ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ଦକ୍ଷିଣ ସମୁଦ୍ର ତଟରେ ଥିବା ମୈତ୍ରେୟ ବନକୁ ଆସି ସୂର୍ଯ୍ୟଙ୍କୁ ଉପାସନା କରିବା ଫଳରେ, ସେ ସେହି ରୋଗରୁ ମୁକ୍ତ ହୋଇଥିଲେ। ପୌଷ ଶୁକ୍ଳ ଦଶମୀ ତିଥିରେ ସୂର୍ଯ୍ୟଦେବ ଶାମ୍ବଙ୍କୁ ଆଦିତ୍ୟ ନାରାୟଣଙ୍କର ଏକ କନକ ପ୍ରତିମା ପ୍ରଦାନ କରି, ଅର୍କକ୍ଷେତ୍ରରେ ତାହାର ପ୍ରତିଷ୍ଠା କରିବାକୁ ଉପଦେଶ ଦେଇଥିଲେ। ସେହି ସ୍ମୃତିରେ ଆଜି ମଧ୍ୟ ଅର୍କକ୍ଷେତ୍ରରେ ସୂର୍ଯ୍ୟଙ୍କର ରଥଯାତ୍ରା ଅନୁଷ୍ଠିତ ହୁଏ ଏବଂ ଗୃହୀମାନେ ନିଜ ନିଜ ଗୃହରେ ଭକ୍ତି ସହକାରେ ସୂର୍ଯ୍ୟଦେବଙ୍କର ଉପାସନା କରିଥାନ୍ତି। ଏହି ପୂଜାର ବିଧି ଯେପରି ମନମୋହକ ସେହିପରି ଆନନ୍ଦଦାୟକ।
ଅନ୍ୟପଟେ ଶାମ୍ବ ଦଶମୀ ଅବସରରେ ଅର୍କକ୍ଷେତ୍ର କୋଣାର୍କରେ ପ୍ରତିବର୍ଷ ସୂର୍ଯ୍ୟ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ । ସୂର୍ଯ୍ୟ ଉପାସକମାନେ ପ୍ରାତଃରୁ ଚନ୍ଦ୍ରଭାଗାଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପ ଦାନ ଦେବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହି ତିଥିରେ କୋଣାର୍କ ଅବଧୂତ ମଠ ଠାରୁ ସୂର୍ଯ୍ୟ ରଥ ବାହାରି ଚନ୍ଦ୍ରଭାଗା ନିକଟକୁ ନିଆଯାଇଥାଏ । ସେଠାରେ ୨୭ଦିନ ରଖାଯାଇ ୨୭ ଗ୍ରହ ନକ୍ଷତ୍ର ପୂଜା ଅର୍ଚ୍ଚନା କରାଯିବା ପରେ ମାଘ ସପ୍ତମୀ ତିଥିରେ ସୂର୍ଯ୍ୟ ମହାପ୍ରଭୁଙ୍କୁ ଅଣାଯାଇଥାଏ । ଏହି ସୂର୍ଯ୍ୟ ରଥକୁ ଟାଣିବା ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଜମିଥାଏ ।
The post ପବିତ୍ର ଶାମ୍ବ ଦଶମୀ: ଛୁଆଙ୍କ ମଙ୍ଗଳ ମନାସି ସୂର୍ଯ୍ୟ ପୂଜା କରନ୍ତି ମହିଳା appeared first on KNews Odisha.