ପଶ୍ଚିମଓଡ଼ିଶାକୁ ବାରମ୍ବାର ଧୋକା ଦେଇଛନ୍ତି ନବୀନ : ବିରୋଧୀ
କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ପଶ୍ଚିମଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା ହେବାପରେ ବିରୋଧୀ ଦଳ କଡ଼ା ସମାଲୋଚନା କରିଛନ୍ତି । ନବୀନ ଆତ୍ମବିଶ୍ୱାସ ହରାଇସାରିଛନ୍ତି । ପଶ୍ଚିମଓଡ଼ିଶାବାସୀଙ୍କୁ ବାରମ୍ବାର ଧୋକା ଦେଇ ଏବେ ପୁଣିଥରେ ଧୋକା ଦେବାକୁ ପ୍ରୟାସ କରୁଛନ୍ତି । ଲୋକେ ତାଙ୍କୁ ଉଚିତ୍ ଜବାବ ଦେବେ ବୋଲି ଉଭୟ ବିଜେପି ଓ କଂଗ୍ରେସ କହିଛି।
କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ପଶ୍ଚିମଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି । କଣ୍ଟାବାଞ୍ଜି ଜିତିଲା ପରେ ସେ ଏହି ଆସନ ଛାଡ଼ିଦେବେ ବୋଲି ଜଣାପଡ଼ୁଛି । ପୂର୍ବରୁ ବିଜେପୁରକୁ ଜିତି ସେହି ଆସନକୁ ଛାଡ଼ିଦେଇଥିଲେ । ତେଣୁ ଲୋକେ ଏଥର ତାଙ୍କୁ ସ୍ଥାନୀୟ ଲୋକେ ଉଚିତ୍ ଜବାବ ଦେବେ।
ସେହିପରି ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାବାସୀଙ୍କୁ ବାରମ୍ବାର ଧୋକା ଦେଇଛନ୍ତି । ହାଇକୋର୍ଟ ସ୍ପେଶିଆଲ ବେଂଚ ପ୍ରତିଷ୍ଠାଠାରୁ ଆରମ୍ଭ କରି ନୂତନ ଜିଲ୍ଲା ଘୋଷଣା, କଟନୀ ଛଟନୀ ଓ ଧାନର ଅଭାବୀ ବିକ୍ରୀ, ଧାନ କ୍ୱଂଟାଲ ପ୍ରତି ୧୦୦ଟଙ୍କା ବୋନସର ପ୍ରତିଶ୍ରୁତି ଦେଇ ପାଳନ ନକରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଆବଂଟନ ନହେବା ,ବରଗଡ଼ଠାରେ ସିମେଂଟ ଓ ଚିନି କାରଖାନା ବନ୍ଦ ହେବା ଆଦି ପ୍ରସଙ୍ଗ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି ସଂପୂର୍ଣ୍ଣ ଦାୟୀ । ଏପରିକି ବିଜେପୁରରୁ ବିଧାୟକ ଭାବେ ମଧ୍ୟ ନିର୍ବାଚିତ କରାଇ ବିଧାନସଭାକୁ ପଠାଇଥିଲେ । ନିର୍ବାଚନ ଜିତିବା ପରେ ସେହି ଆସନକୁ ଛାଡ଼ିଦେଇଥିଲେ । ନବୀନ ବାବୁଙ୍କ ଭେଳିକି ଓ ଚକ୍ରାନ୍ତକୁ ଓଡିଶାବାସୀ ହୃଦୟଙ୍ଗମ କରିସାରିଲେଣି । ଓଡ଼ିଶାବାସୀ ସବୁ ଦେଖୁଛନ୍ତି ଏବଂ ସଠିକ ସମୟରେ ଉଚିତ୍ ଜବାବ୍ ଦେବେ ବୋଲି ସେ କହିଛନ୍ତି ।
ଏକାଧିକ ସ୍ଥାନରୁ ପ୍ରାର୍ଥୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାଧୀନତା ରହିଛି । ହିଂଜିଳିବାସୀଙ୍କୁ ମଧ୍ୟ ପ୍ରତାରଣା କରିଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁ ବାସ୍ତବରେ ଆତ୍ମବିଶ୍ୱାସ ହରାଇଛନ୍ତି । ଗୋଟିଏ ଆସନରୁ ଲଢ଼ି ନିଜ ଲୋକପ୍ରିୟତାକୁ ସ୍ପଷ୍ଟ କରୁନାହାନ୍ତି କାହିଁକି ? ନିଜ ଲୋକପ୍ରିୟତା ହ୍ରାସ ପାଉଥିବାର ଦେଖି ମୁଖ୍ୟମନ୍ତ୍ରୀ ନବୀନ ବାବୁ ଅନ୍ୟ ସ୍ଥାନର ଆଶ୍ରୟ ନେଇଛନ୍ତି । ବିଜେପୁର ସମେତ ବାଲେଶ୍ୱର, ପିପିଲି, ଧାମନଗର, ପଦ୍ମପୁର ଉପନିର୍ବାଚନରେ ‘ମୁଁ ଦାୟିତ୍ୱ’ ନେଉଛି କହି ପରବର୍ତୀ ସମୟରେ କେବଳ ଧୋକା ଦେଇଛନ୍ତି । “ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର” ଗଠନ ହେବା ସୁନିଶ୍ଚିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।