ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ମାଲେସିଆରୁ ଫେରୁଛି ଓଡ଼ିଆ ଯୁବକଙ୍କ ମୃତଦେହ 

ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କଳଖନ୍ଦା ଗାଁର ଜଗବନ୍ଧୁ ସାହୁଙ୍କ ପୁଅ ଜ୍ୟୋତିରଞ୍ଜନ ମାଲେସିଆରେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ।

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ମାଲେସିଆରୁ ଫେରୁଛି ଓଡ଼ିଆ ଯୁବକଙ୍କ ମୃତଦେହ 

ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ଯୋଗୁ ମାଲେସିଆରୁ ଫେରିବ ଓଡ଼ିଆ ଯୁବକ ଜ୍ୟୋତିରଞ୍ଜନ ସାହୁଙ୍କ ମୃତଦେହ। ଗୁରୁବାର (୨୨ ତାରିଖ) କୋଲକାତା ବିମାନ ବନ୍ଦରରେ ପହଞ୍ଚିବ ତାଙ୍କ ମୃତଦେହ। ଜ୍ୟୋତିରଞ୍ଜନଙ୍କ ମୃତଦେହକୁ ଭାରତ ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡା ମାଲେସିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଥିଲେ।

ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କଳଖନ୍ଦା ଗାଁର ଜଗବନ୍ଧୁ ସାହୁଙ୍କ ପୁଅ ଜ୍ୟୋତିରଞ୍ଜନ ମାଲେସିଆରେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ। ଫେବ୍ରୁଆରୀ ୧୬ ତାରିଖରେ କୌଣସି କାରଣରୁ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଜ୍ୟୋତିରଞ୍ଜନଙ୍କ ସହର୍କମୀ ଏ କଥା ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ।

ଏହା ପରେ ଜ୍ୟୋତିରଞ୍ଜନଙ୍କ ପିତା ମରଶରୀରକୁ ସେଠାରୁ ଆଣିବା ପାଇଁ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ତାଙ୍କ ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି  ଜ୍ୟୋତିରଞ୍ଜନଙ୍କ ମରଶରୀରକୁ ଭାରତ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ।

ଦୂତାବାସ ପକ୍ଷରୁ ଶ୍ରୀ ପଣ୍ଡାଙ୍କୁ ମିଳିଥିବା ପତ୍ର ଅନୁଯାୟୀ ଜ୍ୟୋତିରଞ୍ଜନଙ୍କ ମରଶରୀର  ଫେବ୍ରୁଆରୀ ୨୨ ତାରିଖରେ କୋଲକାତା ବିମାନ ବନ୍ଦରରେ ପହଞ୍ଚିବ। ସେଠାରୁ ମୃତଦେହକୁ ତାଙ୍କ ଗ୍ରାମକୁ ନିଆଯିବ ବୋଲି ଜଣାପଡ଼ିଛି।