ପାନୀୟ ଜଳ କଷଣ

ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବଦଳୁଛି ଋତୁଚକ୍ର। ଜାନୁଆରୀ ଶେଷ ନ ହେଉଣୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ ଅତିକ୍ରମ କଲାଣି। ତେଣୁ ସମ୍ଭାବ୍ୟ ଆଗୁଆ ଗ୍ରୀଷ୍ମ ପ୍ରବାହ ରାଜ୍ୟରେ ଗୁରୁତର ପାନୀୟ ଜଳ ସଙ୍କଟର ସଂକେତ ଦେଲାଣି। ଏଭଳି ପ୍ରତିକୂଳ ପରିସ୍ଥିତିରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ଚିନ୍ତନୀୟ। ଆଜିର ଏହି ଉଲ୍ଲେଖ ପୃଷ୍ଠଭାଗରେ ଅଛି ଦୂଷିତ ପାଣି ପିଇ କେବଳ ଉପାନ୍ତ ଅଞ୍ଚଳ କାହିଁକି ରାଜ୍ୟର ଉପକୂଳ ଜିଲ୍ଲାରେ ମଧ୍ୟ ଝାଡ଼ାବାନ୍ତି ରୋଗ ବ୍ୟାପିବା […]

ପାନୀୟ ଜଳ କଷଣ
sakala editorial

ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବଦଳୁଛି ଋତୁଚକ୍ର। ଜାନୁଆରୀ ଶେଷ ନ ହେଉଣୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ ଅତିକ୍ରମ କଲାଣି। ତେଣୁ ସମ୍ଭାବ୍ୟ ଆଗୁଆ ଗ୍ରୀଷ୍ମ ପ୍ରବାହ ରାଜ୍ୟରେ ଗୁରୁତର ପାନୀୟ ଜଳ ସଙ୍କଟର ସଂକେତ ଦେଲାଣି। ଏଭଳି ପ୍ରତିକୂଳ ପରିସ୍ଥିତିରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ଚିନ୍ତନୀୟ। ଆଜିର ଏହି ଉଲ୍ଲେଖ ପୃଷ୍ଠଭାଗରେ ଅଛି ଦୂଷିତ ପାଣି ପିଇ କେବଳ ଉପାନ୍ତ ଅଞ୍ଚଳ କାହିଁକି ରାଜ୍ୟର ଉପକୂଳ ଜିଲ୍ଲାରେ ମଧ୍ୟ ଝାଡ଼ାବାନ୍ତି ରୋଗ ବ୍ୟାପିବା ଆରମ୍ଭ କରିଛି। ୨୦୪୭ରେ ଆମେ ବିକଶିତ ଭାରତର ସ୍ୱପ୍ନ ଦେଖୁଥିବାବେଳେ ସ୍ୱାଧୀନତାର ୭୮ ବର୍ଷରେ ମଧ୍ୟ ନାଗରିକଙ୍କ ସର୍ବନିମ୍ନ ଆବଶ୍ୟକତା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସମ୍ଭବପର ହୋଇନାହିଁ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ୨୦୨୪ ସୁଦ୍ଧା ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପରାହତ ହୋଇଛି। ଏହି ମିଆଦ ୨୦୨୬କୁ ବୃଦ୍ଧି କରାଯାଇଛି। ଜଳ ହିଁ ଜୀବନ ଏବଂ ଯେଉଁ ସୁସ୍ଥ ଓ ନିରାମୟ ଜୀବନର ଏହି ସର୍ବନିମ୍ନ ଆବଶ୍ୟକତା କାହିଁକି ଓ କେଉଁ ପରିସ୍ଥିତିରେ ସରକାରଙ୍କ ଅଗ୍ରାଧିକାରରୁ ବଞ୍ଚିତ ହୋଇଛି? ଏଭଳି ଏକ ପ୍ରଶ୍ନ ବଞ୍ଚିତ ବର୍ଗଙ୍କୁ ନିଶ୍ଚୟ ବ୍ୟତିବ୍ୟସ୍ତ କରୁଥିବ।

ସ୍ୱାଧୀନତାର ୭୫ ବର୍ଷରେ ସରକାର ଅମୃତକାଳ ଘୋଷଣା କରି ଯେଉଁ ମହତାକାଂକ୍ଷର ଯୋଜନା ଆରମ୍ଭ କରିଥିଲେ, ତାହା ଦୁଇବର୍ଷ ଅତିକ୍ରମ ନ କରୁଣୁ କେନ୍ଦ୍ର କ୍ୟାବିନେଟ୍‌‌ ଅର୍ଥମଞ୍ଜୁର କରିବାରେ ପଛଘୁଞ୍ଚା ଦେବାରୁ ସବୁ ଯେମିତି ଅଧାପନ୍ତରିଆ ପଡ଼ିରହିଛି। ସହରାଞ୍ଚଳରେ ‘ଅମୃତ ମିଶନ’ ଓ ଗ୍ରାମାଞ୍ଚଳରେ ‘ଜଳ ଜୀବନ ମିଶନ’ରେ କେନ୍ଦ୍ର ସରକାରଙ୍କ ଅନୁଦାନ ଓ ରାଜ୍ୟ ସରକାରଙ୍କ ଅଂଶଧନ ବିନିଯୋଗ ହେଉଥିଲେ ହେଁ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସ୍ୱତନ୍ତ୍ର ଆଗ୍ରହ ଓ ନିଷ୍ଠା ରହିବା ସ୍ୱାଭାବିକ। ତତ୍‌‌କାଳୀନ ବିଜେଡି ସରକାର ପ୍ରତ୍ୟେକ ଗ୍ରାମକୁ ପାଇପଜଳ ଯୋଗାଣର କାର୍ଯ୍ୟାରମ୍ଭ କରିଥିଲେ। ରାଜ୍ୟ ବଜେଟରେ ଏଥିସକାଶେ ଆବଶ୍ୟକ ଅର୍ଥ ବରାଦ କରିବା ସହ କେନ୍ଦ୍ର ସରକାର ୬୨୦୦ କୋଟି ଟଙ୍କା ଅନୁଦାନ ଯୋଗାଇବାକୁ ପ୍ରସ୍ତାବ ପଠାଇଥିଲେ। ୨୦୨୨-୨୩ ଆର୍ଥିକ ବର୍ଷରେ କେନ୍ଦ୍ର ଅନୁଦାନ ଆକାରରେ ୩୩୨୩ କୋଟି ଟଙ୍କା ରାଜ୍ୟକୁ ଯୋଗାଇଥିଲେ ମଧ୍ୟ ପରବର୍ତ୍ତୀ କିସ୍ତି ପ୍ରତି ଉଦାସୀନତା ପ୍ରଦର୍ଶନ କଲେ। ଅନୁଦାନ ଯୋଗାଣରେ ବିଳମ୍ବ ଓ ଟାଳଟୁଳ ନୀତି ଯୋଗୁଁଁ ଯୋଜନା ୨୦୨୪ରେ ଶେଷ ହେବା ପରିବର୍ତ୍ତେ ୨୦୨୬କୁ ଘୁଞ୍ଚାଇ ଦିଆଗଲା। ରାଜ୍ୟ ସରକାରଙ୍କ ଅପାରଗତା ଅପେକ୍ଷା କେନ୍ଦ୍ରର ଅସହଯୋଗିତାକୁ ଦାୟୀ କଲେ କିଛି ଭୁଲ୍‌‌ ହେବ ନାହିଁ। ଗ୍ରାମାଞ୍ଚଳକୁ ଜଳଯୋଗାଣ ଲକ୍ଷ୍ୟ ସାକାର କରିବା ସକାଶେ ରାଜ୍ୟ ସରକାରଙ୍କ କାର୍ଯ୍ୟନ୍ୱୟନ ଧାରାକୁ କେନ୍ଦ୍ରର ଉଚ୍ଚ ପ୍ରଶଂସା ଏଠାରେ ପ୍ରଣିଧାନଯୋଗ୍ୟ। ହଠାତ୍‌‌ ଏ କ୍ଷେତ୍ରରେ କେନ୍ଦ୍ରର ଶିଥିଳତା ପ୍ରଦର୍ଶନ ପଛରେ କାରଣ ଯାଉଥାଉନା କାହିଁକି ରାଜ୍ୟର ଗ୍ରାମାଞ୍ଚଳରେ ପାନୀୟଜଳ ପହଞ୍ଚିପାରିଲା ନାହିଁ ଏବଂ ଲୋକଙ୍କ ଦୁର୍ଦ୍ଦଶା ଯେମିତିକୁ ସେମିତି ରହିଛି। ଅଧିକାଂଶ ପ୍ରକଳ୍ପ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଓ ଠିକାଦାରଙ୍କୁ ବକେୟା ଅର୍ଥ ମିଳିନାହିଁ। ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଥିବା ଏହି କାର୍ଯ୍ୟ କେବେ ଶେଷ ହେବ, ତାହାର କୌଣସି ସଠିକତା ନାହିଁ।

ସେହିଭଳି ସହରାଞ୍ଚଳରେ ଜଳ ଯୋଗାଣ, ପରିମଳ ବ୍ୟବସ୍ଥାରେ ସୁଧାର, ଜଳବାୟୁ ପୁନରୁଦ୍ଧାର, ଉନ୍ନତ ପରିବହନ ବ୍ୟବସ୍ଥା ଓ ପାର୍କ ସୁବିଧା ପ୍ରତି ଧ୍ୟାନ ଦେଇ ‘ଅମୃତ ମିଶନ’ ଆରମ୍ଭ ହୋଇଥିଲା। ‘ଅମୃତ-୧’ ପରେ ଆରମ୍ଭ ହୋଇଥିବା ‘ଅମୃତ-୨’ କାର୍ଯ୍ୟକ୍ରମ ୨୦୨୫-୨୬ ସୁଦ୍ଧା ଶେଷ ହେବ। ୨୦୨୩ ମାର୍ଚ୍ଚ ସୁଦ୍ଧା ତତ୍‌‌କାଳୀନ ରାଜ୍ୟ ସରକାର ୧୧୪ ପୌରାଞ୍ଚଳକୁ ପାଇପ ଜଳ ଯୋଗାଣରେ ଶତକଡ଼ା ଶହେଗୁଣ ସଫଳତା ହାସଲ କରିଥିଲେ। ଏପରିକି କଟକ ଓ ସମ୍ବଲପୁରରେ ଦୈନିକ ୧୩୩ ନିୟୁତ ଲିଟର ବର୍ଜ୍ୟଜଳ ବିଶୋଧନାଗାର ପ୍ରତିଷ୍ଠା କରାଯାଇଛି। ଏ କ୍ଷେତ୍ରରେ ସରକାର ଧାର୍ଯ୍ୟ ଲକ୍ଷ୍ୟ ହାସଲର ନିକଟବର୍ତ୍ତୀ ହୋଇଥିଲେ ମଧ୍ୟ ପରବର୍ତ୍ତୀ ପଦକ୍ଷେପରେ ଶିଥିଳତା ଯୋଗୁଁଁ ସହରତଳି ଅଞ୍ଚଳ ପାଇପ ପାଣି ପାଇବାରୁ ବଞ୍ଚିତ ହୋଇଛି। ଉଭୟ ସରକାର ଓ ପ୍ରଶାସନର ନିରବତାରୁ ସହରତଳି ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି। ଉଭୟ ଯୋଜନା କେନ୍ଦ୍ରୀୟ ଅନୁଦାନ ରାଶି କ୍ୟାବିନେଟ୍‌‌ ମଞ୍ଜୁରୀ ଅଭାବରୁ ଅକଟ ରହିଛି। ଏଭଳି ଏକ ଅଗ୍ରାଧିକାର କ୍ଷେତ୍ର ପ୍ରତି ଡବଲ ଇଞ୍ଜିନର ନିଷ୍କ୍ରିୟତା ଓ ଅସହଯୋଗିତା ଆଦୌ ସ୍ପୃହଣୀୟ ନୁହେଁ।
ଆଗକୁ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଭୟ ସରକାର ଓ ରାଜ୍ୟବାସୀ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ରାଜ୍ୟର ଭୂତଳ ଜଳସ୍ତର କ୍ରମାଗତ ହ୍ରାସ ପାଉଥିବା ବେଳେ ଜଳ ଯୋଗାଣ ବ୍ୟବସ୍ଥା କଠୋର ପରିସ୍ଥିତିର ସାମ୍ନା କରିବାକୁ ଯାଉଛି।

ଗୋଟିଏ ପକ୍ଷରେ ପରିବର୍ତ୍ତିତ ପରିସ୍ଥିତିକୁ ଚାହିଁ ନିୟମିତ ବ୍ୟବଧାନରେ ସଂଯୋଗ କରାଯାଇଥିବା ପାଇପଲାଇନ କେତେଦୂର କାର୍ଯ୍ୟକ୍ଷମ, ତାହାର ଯାଞ୍ଚ ମାଧ୍ୟମରେ କାର୍ଯ୍ୟକ୍ଷମତା ବୃଦ୍ଧି କରାଯିବା ଜରୁରୀ। ଶେଷ ପର୍ଯ୍ୟାୟରେ ଅଟକି ଯାଉଥିବା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରି ଲୋକଙ୍କୁ ପାଇପ ପାଣି ଉପଳବ୍ଧତା ପ୍ରତି ନୈତିକ ଦାୟିତ୍ୱ କ୍ଷମତାସୀନ ସରକାର ବହନ କରିବା ଉଚିତ। ପରିବର୍ତ୍ତିତ ପାଣିପାଗରେ ଫେବୃଆରୀରୁ ଆରମ୍ଭ ହେଉଥିବା ଖରାଦିନ ଅନ୍ତତଃ ରାଜ୍ୟରେ ଜଳାଭାବ ଭଳି ପରିସ୍ଥିତି ସୃଷ୍ଟି ନକରୁ। ଦୂରଦୃଷ୍ଟି ରଖି ସରକାର ଏବେଠାରୁ କାର୍ଯ୍ୟାରମ୍ଭ ନ କଲେ ଆଗକୁ ଯେଉଁ ପରିସ୍ଥିତି ଉପୁଯିବ, ତାହାକୁ ସମ୍ଭାଳିବା ଏତେ ସହଜ ହେବନି। ଆମର ଏଠାରେ କହିବାର କଥା ଯେ ବହୁମତ ପାଇ କ୍ଷମତାକୁ ଆସିଥିବା ଦଳ ତୃଣମୂଳ ସ୍ତରରେ ଉପୁଜିଥିବା ନକାରାତ୍ମକ ସ୍ଥିତିରୁ ନିଜକୁ ଦାୟିତ୍ୱମୁକ୍ତ କରିପାରିବନି।

ରାଜ୍ୟରେ କ୍ଷମତାସୀନ ନୂଆ ସରକାର ଏଥିମଧ୍ୟରେ ସାତମାସ ଅତିକ୍ରମ କରିଛନ୍ତି। ଧାନର ସହାୟକ ମୂଲ୍ୟ ବୃଦ୍ଧି ଓ ସୁଭଦ୍ରା ଯୋଜନା ବ୍ୟତୀତ ଅନ୍ୟ ଦିଗ ପ୍ରତି ଦୃଷ୍ଟି ଦେବାରେ ବିଫଳ ହୋଇଛନ୍ତି। ସରକାର ଚାଷୀ ଓ ମିଲରଙ୍କୁ ନେଇ ବିବାଦ ବଢ଼଼ୁଥିବାରୁ ଧାନ କିଣା ପଛେଇ ଯାଇଛି। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମାସିକ ପ୍ରାୟ ୮ଶହ ଟଙ୍କା ଦେଇ ବାହୁସ୍ଫୋଟ ମାରୁଥିବା ସରକାର ପଡ଼ୋଶୀ ରାଜ୍ୟର ବର୍ଦ୍ଧିତ ସହାୟକ ରାଶି ପ୍ରଦାନ ତୁଳନାରେ କେତେ ପଛରେ ତାହାର ତୁଳନାତ୍ମକ ବିଚାର ଆରମ୍ଭ କଲେଣି ରାଜ୍ୟବାସୀ। ଉତ୍ସବ ଓ ସମ୍ମିଳନୀ ଆୟୋଜନ ଓ ତାହାର ସଫଳତାରେ ବ୍ୟସ୍ତ ସରକାର ଓ ପ୍ରଶାସନ ପ୍ରଚାର ତଥା ପ୍ରସାର ମାଧ୍ୟମରେ ସାଉଁଟୁଥିବା ପ୍ରଶଂସା ଦୀର୍ଘସ୍ଥାୟୀ ସୁଶାସନର ପରିଚାୟକ ନୁହେଁ। ବ୍ୟବସ୍ଥାରେ ଏଥିପାଇଁ ସୃଷ୍ଟି ହୋଇଥିବା ଅନିୟମିତତା ରାଜ୍ୟର ବିକାଶ ପ୍ରକ୍ରିୟାରେ ଗତିରୋଧ କରିଛି। ଆଶା କରିବା ଅନ୍ତତଃ ପରିବର୍ତ୍ତନ ପ୍ରୟାସୀଙ୍କ ସ୍ୱପ୍ନ ଭାଙ୍ଗି ନ ଯାଉ।