ପାର୍ବଣରେ ମାତିଲେ ସାଇବର ଅପରାଧୀ : କଟକ-ଭୁବନେଶ୍ବରରୁ ଉଡ଼ାଇନେଲେ ୧୦ କୋଟି

ଭୁବନେଶ୍ୱର : ରାଜ୍ୟରୁ ଯେତିକି ସାଇବର ଠକେଇ ହେଉଛି, ତା’ର ସିଂହଭାଗ ଦ୍ୱୈତନଗରୀବାସୀ ଠକେଇର ଶିକାର ହେଉଛନ୍ତି। ସାଇବର ଅପରାଧୀମାନେ ଦ୍ୱୈତନଗରୀକୁ ଟାର୍ଗେଟ୍‌ କରି କୋଟି କୋଟି ଟଙ୍କା ଚଳୁ କରୁଛନ୍ତି। ବିଶେଷକରି ପାର୍ବଣ ଋତୁରେ ଦ୍ୱୈତନଗରୀରୁ ଅଦୃଶ୍ୟ ଅପରାଧୀମାନେ ଟଙ୍କା ଲୁଟି ଅସ୍ତବ୍ୟସ୍ତ କରି ଦେଇଛନ୍ତି। କାହାକୁ ଟ୍ରେଡିଂ ତ ଆଉ କାହାକୁ ଚାକିରି, ପୁଣି କାହାକୁ ଡିଜିଟାଲ ଆରେଷ୍ଟ କରି କୋଟି କୋଟି ନେଇଯାଇଛନ୍ତି। ଗତ ଅକ୍ଟୋବର ମାସରେ ଦ୍ୱୈତନଗରୀରୁ ୯ କୋଟି ୯୩ ଲକ୍ଷ […]

ପାର୍ବଣରେ ମାତିଲେ ସାଇବର ଅପରାଧୀ : କଟକ-ଭୁବନେଶ୍ବରରୁ ଉଡ଼ାଇନେଲେ ୧୦ କୋଟି
cyber fraud increased in state

ଭୁବନେଶ୍ୱର : ରାଜ୍ୟରୁ ଯେତିକି ସାଇବର ଠକେଇ ହେଉଛି, ତା’ର ସିଂହଭାଗ ଦ୍ୱୈତନଗରୀବାସୀ ଠକେଇର ଶିକାର ହେଉଛନ୍ତି। ସାଇବର ଅପରାଧୀମାନେ ଦ୍ୱୈତନଗରୀକୁ ଟାର୍ଗେଟ୍‌ କରି କୋଟି କୋଟି ଟଙ୍କା ଚଳୁ କରୁଛନ୍ତି। ବିଶେଷକରି ପାର୍ବଣ ଋତୁରେ ଦ୍ୱୈତନଗରୀରୁ ଅଦୃଶ୍ୟ ଅପରାଧୀମାନେ ଟଙ୍କା ଲୁଟି ଅସ୍ତବ୍ୟସ୍ତ କରି ଦେଇଛନ୍ତି। କାହାକୁ ଟ୍ରେଡିଂ ତ ଆଉ କାହାକୁ ଚାକିରି, ପୁଣି କାହାକୁ ଡିଜିଟାଲ ଆରେଷ୍ଟ କରି କୋଟି କୋଟି ନେଇଯାଇଛନ୍ତି। ଗତ ଅକ୍ଟୋବର ମାସରେ ଦ୍ୱୈତନଗରୀରୁ ୯ କୋଟି ୯୩ ଲକ୍ଷ ୫ହଜାର ୮୬୨ ଟଙ୍କା ଉଡ଼ାଇ ନେଇଛନ୍ତି ସାଇବର ଅପରାଧୀ। ସେଥିରୁ ଦେଢ଼କୋଟି ଟଙ୍କା ଅଭିଯୋଗକାରୀଙ୍କୁ ଫେରସ୍ତ କରାଯାଇଥିବାବେଳେ ୧ କୋଟି ୮୫ ଲକ୍ଷ ଟଙ୍କା ବ୍ଲକ୍‌ କରାଯାଇ ପାରିଛି। ଏହି ମାମଲାଗୁଡ଼ିକରେ ଜଡ଼ିତ ରହିଥିବା ୧୨ଜଣ ସାଇବର ଅପରାଧୀଙ୍କୁ ଗିରଫ କରାଯାଇଛି।

ଭୁବନେଶ୍ୱର ସାଇବର ଥାନାରେ ୪୭୬ଟି ସାଇବର ଠକେଇ ଅଭିଯୋଗ ହୋଇଛି। ସେଥିରୁ ୟୁପିଆଇ ଜନିତ ୧୮୭ଟି, କ୍ରେଡିଟ୍‌/ଡେବିଟ୍‌ କାର୍ଡ ଠକେଇ ୫୪ଟି ଓ ସାମାଜିକ ଗଣମାଧ୍ୟମ ୧୦୬ଟି ଠକେଇ ଓ ଅନ୍ୟାନ୍ୟ ୧୨୯ଟି ଠକେଇ ହୋଇଛି। ସେଥିରୁ ୩୨ଟି ମାମଲା ଓ ୪୫୨ଟି ଜିଡି ମାମଲା ଭୁବନେଶ୍ୱର ସାଇବର ଥାନାରେ ପଞ୍ଜିକୃତ ହୋଇଛି। ଗୋଟିଏ ମାସରେ ୭ କୋଟି ୬ ଲକ୍ଷ ୩୩ ହଜାର ୫୯୯ ଟଙ୍କା ଠକେଇ ହୋଇଛି। ଏହି ମାମଲାରେ ୭ଜଣଙ୍କୁ ଗିରଫ କରାଯାଇଥିବାବେଳେ ୨ଜଣଙ୍କୁ ନୋଟିସ୍‌ ଦେଇ ଛଡ଼ାଯାଇଛି। ସେହିପରି ଠେଇକ ଟଙ୍କାରୁ ୪୦ ଲକ୍ଷ ୭୩ ହଜାର ୧୧୩ ଟଙ୍କା ଅଭିଯୋଗକାରୀଙ୍କୁ ଫେରସ୍ତ କରାଯାଇଥିବାବେଳେ ୧ କୋଟି ୭୫ ଲକ୍ଷ ୨ହଜାର ୫୩୨ ଟଙ୍କାକୁ ବ୍ଲକ୍‌ କରାଯାଇଛି।

ଅନୁରୂପ ଭାବେ କଟକ ସାଇବର୍‌ ଥାନାରେ ୩୦୪ଟି ଅଭିଯୋଗ ହୋଇଛି। ସେଥିରେ ୭୫ଟି ୟୁପିଆଇ ଠକେଇ, ୩୩ଟି କ୍ରେଡିଟ୍‌/ଡେବିଟ୍‌ କାର୍ଡ ଠକେଇ, ୫୫ଟି ସାମାଜିକ ଗଣମାଧ୍ୟମ ଠକେଇ ଓ ୧୪୧ଟି ଅନ୍ୟାନ୍ୟ ଠକେଇ ହୋଇଛି। ସେଥିରୁ ଗୋଟିଏ ମାସରେ ୨ କୋଟି ୮୬ ଲକ୍ଷ ୭୨ହଜାର ୨୬୩ ଟଙ୍କା ଠକେଇ ହୋଇଛି। ଠକେଇ ଟଙ୍କାରୁ ୯୦ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କୁ ଫେରସ୍ତ କରାଯାଇଥିବାବେଳେ ୮ ଲକ୍ଷ ୫୫ହଜାର ୯୨୦ ଟଙ୍କା ବ୍ଲକ୍‌ ହୋଇପାରିଛି। କଟକ ସାଇବର ଥାନାରେ ୫ଟି ମାମଲା ରୁଜୁ କରାଯାଇ ୫ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ସାଇବର ସଚେତନତାକୁ ଗୁରୁତ୍ୱ ଦିଆଯାଉଛି। ସାଇବର ଠକେଇର ଶିକାର ହେଲେ କଟକ ଓ ଭୁବନେଶ୍ୱର ଲାଗି ଅଲଗା ଅଲଗା ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି। ଭୁବନେଶ୍ୱର ପାଇଁ ହେଲ୍ପଲାଇନ୍‌ ନମ୍ବର-୭୪୪୦୦୦୬୭୦୯ ଏବଂ କଟକ ପାଇଁ ହେଲ୍ପଲାଇନ୍‌ ନମ୍ବର-୮୨୮୦୪୦୫୬୯୫ ଜାରି କରିଛି କମିସନରେଟ୍‌ ପୁଲିସ।