ପିପିଲିର ସୁନୀତାଙ୍କୁ ମିଳିଲା ନୂଆ ଜୀବନ, ଏସ୍ସିବିରେ ସଫଳ ହେଲା ୧୦ମ କାଡାଭରିକ କିଡନୀ ପ୍ରତିରୋପଣ
କଟକ : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳ ଅଧ୍ୟାୟ ଯୋଡ଼ି ଚାଲିଛି କଟକର ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ପୁଣି ଥରେ ଏଠାରେ କାଡାଭରିକ କିଡନୀ ପ୍ରତିରୋପଣ ସଫଳତାର ସହ ଶେଷ ହୋଇଛି। ପିପିଲିର ସୁନୀତା ମହାପାତ୍ରଙ୍କ ଶରୀରରେ ଗୋଟିଏ କିଡନୀ ପ୍ରତିରୋପିତ ହୋଇଛି। ତେବେ ଏଥି ସହିତ କଟକ ବଡ ମେଡିକାଲରେ କାଡାଭରିକ କିଡନୀ ପ୍ରତିରୋପଣ ସଂଖ୍ୟା ୧୦ ଛୁଇଁଛି। ଏସ୍ସିବି ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ସମୀର ସ୍ୱାଇଁଙ୍କ ନେତୃତ୍ୱରେ […]

କଟକ : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳ ଅଧ୍ୟାୟ ଯୋଡ଼ି ଚାଲିଛି କଟକର ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ପୁଣି ଥରେ ଏଠାରେ କାଡାଭରିକ କିଡନୀ ପ୍ରତିରୋପଣ ସଫଳତାର ସହ ଶେଷ ହୋଇଛି। ପିପିଲିର ସୁନୀତା ମହାପାତ୍ରଙ୍କ ଶରୀରରେ ଗୋଟିଏ କିଡନୀ ପ୍ରତିରୋପିତ ହୋଇଛି। ତେବେ ଏଥି ସହିତ କଟକ ବଡ ମେଡିକାଲରେ କାଡାଭରିକ କିଡନୀ ପ୍ରତିରୋପଣ ସଂଖ୍ୟା ୧୦ ଛୁଇଁଛି।
ଏସ୍ସିବି ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ସମୀର ସ୍ୱାଇଁଙ୍କ ନେତୃତ୍ୱରେ ଡାକ୍ତର ସଞ୍ଜୟ ଚୌଧୁରୀ, ଡାକ୍ତର ପ୍ରୀତମ ପଟ୍ଟନାୟକ, ନେଫ୍ରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟ, ଡାକ୍ତର ରାକେଶ ରାଉତରାୟ, ଡାକ୍ତର ଉଦୟ ବେହେରା ଏବଂ ଡାକ୍ତର ରଞ୍ଜିତା ଏହି ପ୍ରତିରୋପଣ କରିଥିଲେ।
ମିଳିଥିବା ସୂଚନା ମୁତାବକ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୟାକୋଟ ଗାଁର ୧୭ବର୍ଷୀୟ ଓମ୍ ଶିବୁ ବ୍ରେନଟ୍ୟୁମରରେ ପୀଡ଼ିତ ହୋଇ ଏସ୍ସିବି ନ୍ୟୁରୋସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ। ଶିବୁଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ସଙ୍କଟାପନ୍ନ ହୋଇ ପଡ଼ିଥିଲା। ଗୁରୁବାର ବିଳମ୍ବିତ ରାତିରେ ଶିବୁଙ୍କୁ ଡାକ୍ତରମାନେ ବ୍ରେନ ଡେଡ୍ ଘୋଷିତ କରିଥିଲେ। ଏହା ପରେ ତାଙ୍କର ପରିବାର ଲୋକଙ୍କ ସହମତି କ୍ରମେ ଅଙ୍ଗଦାନ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଷ୍ଟେଟ୍ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ(ସୋଟୋ) ସହ ମେଡିକାଲ କର୍ତ୍ତୃପକ୍ଷ ଆଲୋଚନା କରିବା ପରେ ଏସ୍ସିବି ମେଡ଼ିକାଲର ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ ହୋଇଥିଲା। ଶିବୁଙ୍କ ଶରୀରରୁ ଦୁଇଟି ଯାକ କିଡନୀ ସଫଳତାର ସହ କଢ଼ା ଯାଇଥିଲା। ଶୁକ୍ରବାର ରାତିରେ ପିପିଲିର ସୁନୀତା ମହାପାତ୍ରଙ୍କ ଶରୀରରେ ଗୋଟିଏ କିଡନୀ ପ୍ରତିରୋପଣ କରାଯାଇଥିଲା। ଅନ୍ୟ ଏକ କିଡନୀଟି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ପଠାଯାଇଥିବା ନେଇ ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ସ୍ୱାଇଁ ସୂଚନା ଦେଇଛନ୍ତି। ୨୧ବର୍ଷୀୟ ସୁନୀତା କିଛି ବର୍ଷ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଏସ୍ସିବିରେ ଚିକିତ୍ସିତ ହେଉଥିଲେ। କିଡନୀ ପ୍ରତିରୋପଣ ପରେ ତାଙ୍କୁ ଏକ ନୂଆ ଜୀବନ ମିଳିଛି।