ପିସି କାରବାରରୁ ଅଭାବୀ ବିକ୍ରି
ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାର ଜନସଂଖ୍ୟାରୁ ପ୍ରାୟ ୮୦ପ୍ରତିଶତ କୃଷକ ଏବଂ ଅଧିକାଂଶ ଧାନଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଜିଲାରେ ଧାନ କିଣାବିକା ସମସ୍ୟା ସାଧାରଣରେ ପରିଣତ ହୋଇଛି। ଉଭୟ ରବି ଏବଂ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାର ଚାଷୀମାନେ ନାନା ସମସ୍ୟାରେ ଛନ୍ଦି ହୋଇଥାନ୍ତି ଏବଂ ନିଜର ହକ୍ ହାସଲ ପାଇଁ ସେମାନଙ୍କୁ ରାଜରାସ୍ତାକୁ ମଧ୍ୟ ଓହ୍ଲାଇବାକୁ ପଡ଼ିଥାଏ। ଅନେକ ଚାଷୀଙ୍କୁ ନିଜ କଷ୍ଟୋପାର୍ଜିତ ଧାନ ବିକ୍ରି କରିବାରେ ହଟହଟା ହେବାକୁ ପଡ଼ିଥାଏ। ଏହାସତ୍ତ୍ବେ […] The post ପିସି କାରବାରରୁ ଅଭାବୀ ବିକ୍ରି appeared first on Dharitri Odia News.
ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାର ଜନସଂଖ୍ୟାରୁ ପ୍ରାୟ ୮୦ପ୍ରତିଶତ କୃଷକ ଏବଂ ଅଧିକାଂଶ ଧାନଚାଷ ଉପରେ ନିର୍ଭର କରନ୍ତି। କିନ୍ତୁ ଜିଲାରେ ଧାନ କିଣାବିକା ସମସ୍ୟା ସାଧାରଣରେ ପରିଣତ ହୋଇଛି। ଉଭୟ ରବି ଏବଂ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାର ଚାଷୀମାନେ ନାନା ସମସ୍ୟାରେ ଛନ୍ଦି ହୋଇଥାନ୍ତି ଏବଂ ନିଜର ହକ୍ ହାସଲ ପାଇଁ ସେମାନଙ୍କୁ ରାଜରାସ୍ତାକୁ ମଧ୍ୟ ଓହ୍ଲାଇବାକୁ ପଡ଼ିଥାଏ। ଅନେକ ଚାଷୀଙ୍କୁ ନିଜ କଷ୍ଟୋପାର୍ଜିତ ଧାନ ବିକ୍ରି କରିବାରେ ହଟହଟା ହେବାକୁ ପଡ଼ିଥାଏ। ଏହାସତ୍ତ୍ବେ ସେମାନଙ୍କୁ ବିକ୍ରିଧାନର ଉଚିତ୍ ମୂଲ୍ୟ ମିଳି ନ ଥାଏ ଏବଂ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ପଡ଼େ ବୋଲି ଚାଷୀମାନେ ଅଭିଯୋଗ କରନ୍ତି। ତେବେ ପି.ସି କାରବାର(କମିଶନୀ କାରବାର) ହିଁ ଧାନର ଅଭାବୀ ବିକ୍ରିର ମୂଳ କାରଣ ଏବଂ ସେହି କମିଶନୀ ଟଙ୍କା ଧାନବିକ୍ରି ଦାୟିତ୍ୱରେ ରହିଥିବା କେତେଜଣ ଅସାଧୁ କର୍ମଚାରୀଙ୍କଠାରୁ ଆରମ୍ଭ କରି ଅଞ୍ଚଳର ତଥାକଥିତ ନେତା, ଜନ ପ୍ରତିନିଧିଙ୍କ ପକେଟ୍କୁ ଯାଇଥାଏ ବୋଲି ଚାଷୀନେତାମାନେ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ବର୍ତ୍ତମାନ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଥିବାବେଳେ ଅନ୍ୟପଟେ ସାଧାରଣ ନିର୍ବାଚନ। ଏଭଳିସ୍ଥଳେ ଅନ୍ୟବର୍ଷ ତୁଳନାରେ ଏବେ ଧାନବିକ୍ରି ସମସ୍ୟା ଏକ ମୁଖ୍ୟ ପ୍ରସଙ୍ଗ ହୋଇଥିବାବେଳେ ଧାନବିକ୍ରିରେ ପି.ସି କାରବାରକୁ ନେଇ ଅଧିକ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା କିଛି ପ୍ରାର୍ଥୀଙ୍କୁ ସମାଲୋଚିତ ହେବାକୁ ମଧ୍ୟ ପଡ଼ୁଛି ବୋଲି ସାଧାରଣରେ ଆଲୋଚିତ ହେଉଛି। ଧାନ କିଣାବିକାରେ କିଭଳି ପି.ସି କାରବାର ହୁଏ, ସେ ସମ୍ପର୍କରେ ଆମେ କିଛି ଚାଷୀନେତାଙ୍କୁ ପଚାରିଥିଲୁ । ଚାଷୀନେତା ସୁରେଶ ନେକାଣ୍ଟି କହିଥିଲେ, ଫଲ୍ସ ଏଣ୍ଟ୍ରି(ମଣ୍ଡିକୁ ଧାନ ଆସିବା ବଦଳରେ ବିଭାଗୀୟ କର୍ମଚାରୀଙ୍କ ସ୍ଲିପ ଯୋଗୁ ସିଧାସଳଖ ମିଲକୁ ଧାନ ଯିବା)ରେ ଅଧିକ କମିଶନୀ କାରବାର ଚାଲିଥାଏ। ବେପାରୀ ତଥା ମିଲର୍ସଙ୍କ ଏଜେଣ୍ଟମାନେ ଏଥିରେ ମଧ୍ୟସ୍ଥ କରିଥାନ୍ତି ଏବଂ ଧାନ କୁଇଣ୍ଟାଲ ପ୍ରତି ୧୫ଟଙ୍କା ଚାଷୀଙ୍କୁ କ୍ଷତି ସହିବାକୁ ପଡ଼େ। ସେହିପରି ମିଲ୍ରେ କଟନିଛଟନି ହେଲେ ଏହା ୪୦ରୁ ୫୦ଟଙ୍କାକୁ ବୃଦ୍ଧି ପାଇଥାଏ ବୋଲି ସେ କହିଥିଲେ।
ସେହିପରି ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନର ସମ୍ପାଦକ ହର ବଣିଆଁ କହିଛନ୍ତି, କାଗଜପତ୍ରରେ ଧାନ କିଣାବିକା ସୁରୁଖୁରୁରେ ଚାଲିଛି। ହେଲେ ବାସ୍ତବତା ଓଲଟା। ବର୍ତ୍ତମାନ ଧାନବିକ୍ରି ବ୍ୟବସ୍ଥାକୁ ଏତେ ଜଟିଳ ଏବଂ କେନ୍ଦ୍ରୀକରଣ କରାଯାଇଛି ଯେ, ଚାଷୀ ମଣ୍ଡିକୁ ଯିବା ପାଇଁ ଇଚ୍ଛା କରୁ ନାହିଁ। ସେହିପରି ମଣ୍ଡିକୁ ଚାଷୀମାନେ କିଭଳି ଧାନ ଆଣିବେ ନାହିଁ, ସେଥିପାଇଁ ନାନା ଆଳ, କୌଶଳ କରାଯାଉଛି। ଯେଉଁମାନେ ମଣ୍ଡିକୁ ଧାନ ଆଣୁଛନ୍ତି, ସେମାନଙ୍କୁ ହଇରାଣ ହରକତ କରାଯାଉଛି। କଟନିଛଟନି ନାଁରେ କୁଇଣ୍ଟାଲ ପ୍ରତି ୨ରୁ ୪କି.ଗ୍ରାଠାରୁ ଆରମ୍ଭ କରି କେତେକସ୍ଥଳେ ୧୦ରୁ ୧୫କି.ଗ୍ରା ଧାନ ମଧ୍ୟ କାଟି ଦିଆଯାଉଛି ଏବଂ ବାକିଧାନର ବିକ୍ରିମୂଲ୍ୟ ଚାଷୀଙ୍କୁ ଦିଆଯାଉଛ। ଫଲ୍ସ ଏଣ୍ଟ୍ରିରେ ସ୍ଲିପ ମାଧ୍ୟମରେ ଧାନ ଉଠାଯାଇ ଚାଷୀଙ୍କଠାରୁ କୁଇଣ୍ଟାଲ ପ୍ରତି ୨୦ରୁ ୪୫ଟଙ୍କା ପର୍ଯ୍ୟନ୍ତ ନିଆଯାଉଛି । ବେପାରୀଙ୍କଠାରୁ ଆରମ୍ଭ କରି କିଛି ବିଭାଗୀୟ କର୍ମଚାରୀ, ଅଧିକାରୀ, ନେତା, ମନ୍ତ୍ରୀଙ୍କ ମଧ୍ୟରେ ସେହି କମିଶନୀ ଟଙ୍କା ଭାଗବଣ୍ଟା କରାଯାଉଛି ଏବଂ ମିଲର୍ସ ମଧ୍ୟ ସେଭଳି ଫଲ୍ସ ଏଣ୍ଟ୍ରିର ଫାଇଦା ଉଠାଉଛି ବୋଲି ବଣିଆଁ ଅଭିଯୋଗ କରିଛନ୍ତି । ତେବେ ଏହା ବିରୋଧରେ ଚାଷୀ ସଙ୍ଗଠନଗୁଡ଼ିକ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମାତ୍ର କିଛି ସୁଫଳ ମିଳି ନାହିଁ। ଅନ୍ୟପଟେ ସେଥିରେ ସରକାରୀ କଳର ନୀରବତା ଏବଂ ଧାନ ବିକ୍ରିରେ ଦିନକୁ ଦିନ ନୂଆ କଟକଣା ଯୋଗୁ ଚାଷୀ ଆହୁରି ସମସ୍ୟାରେ ଛନ୍ଦି ହୋଇ ପଡ଼ୁଛି ବୋଲି ବଣିଆଁ କହିଛନ୍ତି ।
ଜିଲା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ରାଜ୍ୟରେ ଧାନ ସଂଗ୍ରହ ପାଇଁ ସରକାରଙ୍କ ସ୍ବଚ୍ଛ ପାରଦର୍ଶିତା, ଉତ୍ତରଦାୟୀ ନୀତି ନାହିଁ । ଦଲାଲ, ମିଲର୍ସ, ରାଜନେତା ଏବଂ ଅଫିସରଙ୍କ ପାଇଁ ଧାନ ସଂଗ୍ରହ ରୋଜଗାରର ପନ୍ଥା ପାଲଟିଛି। ଟୋକନ କଟକଣା, ସାଟେଲାଇଟରେ ଜମି କାଟିବା, ଟୋକନରେ ଅନିୟମିତତା, ମଣ୍ଡିରେ ଧାନର ଗୁଣମାନ ପରୀକ୍ଷା ନ କରି ରାଇସ୍ ମିଲରେ କରାଯିବା ପି.ସି କାରବାର ପାଇଁ ହିଁ ଉଦ୍ଦିଷ୍ଟ ବୋଲି ମହାପାତ୍ର କହିଛନ୍ତି।
The post ପିସି କାରବାରରୁ ଅଭାବୀ ବିକ୍ରି appeared first on Dharitri Odia News.