ପୁଣି ବିଗିଡ଼ିଲା ସ୍ଥିତି: ଇସ୍ରାଏଲ ଉପରେ ୯୦ରୁ ଅଧିକ ରକେଟ ମାଡ଼ କଲା ହେଜବୁଲ୍ଲା

ଲେବାନନରେ ସକ୍ରିୟ ଥିବା ହେଜବୁଲ୍ଲା ପକ୍ଷରୁ ଆଜି ଇସ୍ରାଏଲ ଉପରେ ହଠାତ୍‌ ୯୦ରୁ ଅଧିକ ରକେଟ ମାଡ଼ କରାଯାଇଛି।

ପୁଣି ବିଗିଡ଼ିଲା ସ୍ଥିତି: ଇସ୍ରାଏଲ ଉପରେ ୯୦ରୁ ଅଧିକ ରକେଟ ମାଡ଼ କଲା ହେଜବୁଲ୍ଲା

ପୁଣିଥରେ ଅଶାନ୍ତ ହୋଇଉଠିଛି ମଧ୍ୟପ୍ରାଚ୍ୟ। ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ ସମର୍ଥିତ ସଂଗଠନ ହେଜବୁଲ୍ଲା। ଲେବାନନରେ ସକ୍ରିୟ ଥିବା ହେଜବୁଲ୍ଲା ପକ୍ଷରୁ ଆଜି ଇସ୍ରାଏଲ ଉପରେ ହଠାତ୍‌ ୯୦ରୁ ଅଧିକ ରକେଟ ମାଡ଼ କରାଯାଇଛି। ଇସ୍ରାଏଲର ହୈଫାକୁ ଟାର୍ଗେଟ କରି ହୋଇଥିବା ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ଘଟିଛି।

ଆକ୍ରମଣରେ ଅନେକ ଆହତ ହୋଇଥିବା ବେଳେ ଏକାଧିକ ଗାଡ଼ି ଓ ଘର କ୍ଷତିଗ୍ରସ୍ତ ହୋଇଛି। କିଛି ଗାଡ଼ିରେ ନିଆଁ ଲାଗି ଯାଇଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଲେବାନନର ସୀମାରୁ ହେଜବୁଲ୍ଲା ଏକାକାଳୀନ ୯୦ରୁ ଅଧିକ ରକେଟ ମାଡ଼ କରିବାରୁ ଇସ୍ରାଏଲ ବିଭିନ୍ନ ସ୍ଥାନରେ ସାଇରନ ବାଜିବା ଆରମ୍ଭ ହୋଇଥିଲା। ସାଇରନ ବାଜୁଥିବା ବେଳେ ଲୋକମାନେ ବଙ୍କରରେ ଭିତରେ ପଶିବା ଆରମ୍ଭ କରିଥିଲେ।

ଅନେକ ରକେଟକୁ ଇସ୍ରାଏଲ ସେନା ଏୟାର ଡିଫେନ୍ସ ସିଷ୍ଟମ ମାଧ୍ୟମରେ ଧ୍ୱଂସ କରିଦେଇଛି ସତ। କିନ୍ତୁ କିଛି ରକେଟ ଆବାସିକ ଅଞ୍ଚଳ ଓ ଇସ୍ରାଏଲ ସେନା କ୍ୟାମ୍ପରେ ମାଡ଼ ହୋଇଥିବା ଖବର ମିଳିଛି। ତେଣୁ ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି।

ପ୍ରାଥମିକ ସୂଚନା ଅନୁସାରେ, ହେଜବୁଲ୍ଲାର ରକେଟ ମାଡ଼ରେ ଜଣେ ଶିଶୁଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ପକ୍ଷରୁ ଏଯାଏ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।

ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହେଜବୁଲ୍ଲା ମୁଖ୍ୟ ଭାବେ କାମ କରୁଥିବା ହାସନ ନସ୍ରଲ୍ଲା ସେପ୍ଟେମ୍ବର ୨୭ରେ ପ୍ରାଣ ହରାଇଥିଲେ। ତାଙ୍କ ସ୍ଥାନ ନୈମ କ୍ୱାସୀମ ସଂଗଠନର ନୂଆ ମୁଖ୍ୟ ହୋଇଥିଲେ। ନସ୍ରଲ୍ଲାଙ୍କ ମୃତ୍ୟୁ ପରେ ହେଜବୁଲ୍ଲା ସାମନ୍ୟ ଥଣ୍ଡା ପଡ଼ି ଯାଇଥିଲା। ହେଲେ ଆଜି ପୁଣି ସଂଗଠନ ପକ୍ଷରୁ ଇସ୍ରାଏଲକୁ ଟାର୍ଗେଟ କରାଯାଇଛି।