ପୁରୁଣା ବନାମ ନୂଆ: ରାଜ୍ୟ ବିଜେପି ଦି’ ଫାଳ

ଭୁବନେଶ୍ୱର: ଟିକଟ ଘୋଷଣା ପରେ ଭୟଙ୍କର ସ୍ଥିତି ଦେଇ ଗତି କରୁଛି ରାଜ୍ୟ ବିଜେପି ସଙ୍ଗଠନ। ‘ନୂଆ ବିଜେପି’ ଓ ‘ପୁରୁଣା ବିଜେପି’ ମଧ୍ୟରେ ଦଳ ଦୁଇ ଭାଗରେ ବିଭାଜିତ ହୋଇ ଯାଇଛି । ଟିକଟ ପ୍ରଦାନରେ ପୁରୁଣା ନେତାଙ୍କୁ ଉପେକ୍ଷା କରି ଜନବିରୋଧୀ ଆମଦାନୀ ନେତାମାନଙ୍କୁ ଦଳର ରାଜ୍ୟ ନେତୃତ୍ୱ ଅଗ୍ରାଧିକାର ପ୍ରଦାନକୁ ନେଇ ରାଜ୍ୟ ବିଜେପି ସଙ୍ଗଠନରେ ସୃଷ୍ଟି ହୋଇଥିବା ଅସନ୍ତୋଷର ଘୂର୍ଣ୍ଣିଝଡ଼ ଏବେ ବିଦ୍ରୋହ ବାତ୍ୟାରେ ପରିଣତ ହେବାକୁ ବସିଛି। ଖୋର୍ଦ୍ଧା, ଯାଜପୁର, […]

ପୁରୁଣା  ବନାମ ନୂଆ: ରାଜ୍ୟ ବିଜେପି ଦି’ ଫାଳ
Old vs New The State BJPs Divide

ଭୁବନେଶ୍ୱର: ଟିକଟ ଘୋଷଣା ପରେ ଭୟଙ୍କର ସ୍ଥିତି ଦେଇ ଗତି କରୁଛି ରାଜ୍ୟ ବିଜେପି ସଙ୍ଗଠନ। ‘ନୂଆ ବିଜେପି’ ଓ ‘ପୁରୁଣା ବିଜେପି’ ମଧ୍ୟରେ ଦଳ ଦୁଇ ଭାଗରେ ବିଭାଜିତ ହୋଇ ଯାଇଛି । ଟିକଟ ପ୍ରଦାନରେ ପୁରୁଣା ନେତାଙ୍କୁ ଉପେକ୍ଷା କରି ଜନବିରୋଧୀ ଆମଦାନୀ ନେତାମାନଙ୍କୁ ଦଳର ରାଜ୍ୟ ନେତୃତ୍ୱ ଅଗ୍ରାଧିକାର ପ୍ରଦାନକୁ ନେଇ ରାଜ୍ୟ ବିଜେପି ସଙ୍ଗଠନରେ ସୃଷ୍ଟି ହୋଇଥିବା ଅସନ୍ତୋଷର ଘୂର୍ଣ୍ଣିଝଡ଼ ଏବେ ବିଦ୍ରୋହ ବାତ୍ୟାରେ ପରିଣତ ହେବାକୁ ବସିଛି। ଖୋର୍ଦ୍ଧା, ଯାଜପୁର, ବଲାଙ୍ଗୀର, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ କଟକ, ବାଲେଶ୍ୱର ଓ ମାଲକାନଗିରି ଜିଲ୍ଲାକୁ ସଂକ୍ରମଣ କରିଛି। ଅସନ୍ତୋଷ ଏବେ ହିଂସାତ୍ମକ ରୂପ ନେଇଛି। ଓଡ଼ିଶା ବିଜେପିର ଟାଣୁଆ ନେତା କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ସମ୍ବଲପୁର ଓ କଟକରେ ଦଳୀୟ କର୍ମୀଙ୍କ ମଧ୍ୟରେ ହିଂସାତ୍ମକ କାଣ୍ଡ କାରଖାନା ସ୍ଥିତିକୁ ଗମ୍ଭୀର କରିଛି। ରାଜଧାନୀରେ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିିଦିନ ବିଭିନ୍ନ ଅଞ୍ଚଳର ନେତା ଓ କର୍ମୀମାନେ ହଙ୍ଗାମା କରୁଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ରବିବାର ବଡ଼ମ୍ବା, ଜଳେଶ୍ୱରରେ ଘୋଷିତ ଓ ଚିତ୍ରକୋଣ୍ଡା ଅଞ୍ଚଳରେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ବିରୋଧରେ ସୃଷ୍ଟି ହୋଇଛି ବିଦ୍ରୋହ।

୧୧୨ ବିଧାନସଭା ଆସନ ପାଇଁ ଗତ ୨ ତାରିଖରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ବିଜେପି। ଗତ ୧୨ ଦିନ ମଧ୍ୟରେ ପ୍ରାୟ ୭୫ରୁ ଊଦ୍ଧ୍ୱର୍ ଆସନରେ ଘୋଷିତ ପ୍ରାର୍ଥୀ ଦଳୀୟ କର୍ମୀଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି । କେବଳ ଘୋଷିତ ପ୍ରାର୍ଥୀ ନୁହନ୍ତି, ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମକୁ ନେଇ ମଧ୍ୟ ଦଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଡ଼ମ୍ବରୁ ସୀସାଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ୱକୁ ଦଳର ନେତା ଓ କର୍ମୀମାନେ ବିରୋଧ କରିଛନ୍ତି। ରବିବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ମାଲକାନଗିରି ବିଜେପି ନେତାମାନେ ହଙ୍ଗାମା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୋଟିଏ ଟଙ୍କା ଦେଇ ବିଜେପି ଟିକଟ ନେବେ ବୋଲି ଡ଼ମ୍ବରୁ ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ ସହ ତାଙ୍କୁ ପ୍ରାର୍ଥୀ କରାଗଲେ ବିଜେପିର ସତ୍ତା ସ୍ଥାନୀୟ ଅଞ୍ଚଳରୁ ଲୋପ କରିଦେବାକୁ ମଧ୍ୟ ଅସନ୍ତୁଷ୍ଟ କର୍ମୀ ଧମକ ଦେଇଛନ୍ତି।

ଜଳେଶ୍ୱର ଅଞ୍ଚଳରେ ମଧ୍ୟ ଉପୁଜିଛି ସମାନ ପରିସ୍ଥିତି। ଏଠାରେ ବିଜେପି ବ୍ରଜ ପ୍ରଧାନଙ୍କୁ ପ୍ରାର୍ଥୀ କରିବା ପରେ ପୁରୁଣା କର୍ମୀ ଓ ସଙ୍ଗଠକମାନେ ସଂଗଠିତ ହୋଇଛନ୍ତି। କୌଣସି ପରିସ୍ଥିତିରେ ବ୍ରଜଙ୍କୁ କର୍ମୀମାନେ ଗ୍ରହଣ କରିପାରିବେ ନାହିଁ ବୋଲି ଉଲ୍ଲେଖ କରି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ଓ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କୁ ଘେରାଉ କରିଛନ୍ତି। ଦଳରେ ଅନେକ ପୁରୁଖା ନେତା ଥିବା ସତ୍ତେ୍ୱ ଦି’ ଦିନ ତଳେ ମିଶିଥିବା ବ୍ରଜଙ୍କୁ ଟିକଟ ମିଳିବା ଘଟଣାକୁ ଦଳର ନେତାମାନେ ଗ୍ରହଣ କରିପାରୁ ନାହାନ୍ତି। ଯଦି ତାଙ୍କୁ ପରିବର୍ତ୍ତନ କରା ନ ଯାଏ ତେବେ ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କୁ ମଧ୍ୟ ଅଞ୍ଚଳରେ ପୂରାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ବଡ଼ମ୍ବାରେ ବିଜେପି ପ୍ରାର୍ଥୀ ପ୍ରଚଣ୍ଡ ବିରୋଧର ସମ୍ମୁଖୀନ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ତଥା ନବାଗତ ସମ୍ବିତ୍‌ ତ୍ରିପାଠୀଙ୍କ ପ୍ରାର୍ଥିତ୍ୱ ଦଳ ପାଇଁ କଣ୍ଟା ହୋଇଛି । ଏପରିକି ଦୁଇଦିନ ତଳେ ସମ୍ବିତଙ୍କୁ ନେଇ ପ୍ରଚାରରେ ବାହାରିଥିବା ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କୁ ମଧ୍ୟ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଟିକଟ ନ ପାଇ ବିଜୟ ଦଳବେହେରା ଅତ୍ୟନ୍ତ କ୍ଷୁବ୍ଧ ଓ ତାଙ୍କ ଅନୁଗତମାନେ ଅସନ୍ତୋଷର ନିଆଁରେ ଜଳୁଛନ୍ତି। ଏହା ଏପରି ଉଗ୍ରରୂପ ଧାରଣ କରିଛି ଯେ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରିଙ୍କୁ ମଧ୍ୟ ଲଗାତାର ହଟହଟା ହେବାକୁ ପଡ଼ୁଛି। ଏପରିକି କର୍ମୀମାନେ ‘ଗୋ-ବ୍ୟାକ୍‌ ଭର୍ତ୍ତୃହରି’ ସ୍ଲୋଗାନ ଦେଇ ସିଧାସଳଖ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିରୋଧ କରିଛନ୍ତି। ଗତ ନିର୍ବାଚନରେ ୧୮ ହଜାର ଭୋଟରେ ପରାଜିତ ବିଜୟଙ୍କୁ ପ୍ରାର୍ଥୀ ନ କରି ସମ୍ବିତଙ୍କୁ ପ୍ରାର୍ଥୀ କରାଯିବା ପଛରେ କି ରହସ୍ୟ ରହିଛି ଓ କେଉଁ ପ୍ରକାର ‘ଡିଲ୍‌’ ହୋଇଛି ବୋଲି କର୍ମୀ ଓ କର୍ମକର୍ତ୍ତାମାନେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି ।

କେବଳ ଏହି ଅଞ୍ଚଳ ନୁହେଁ, ବଲାଙ୍ଗିରରେ ବିଜେପିର ବିଦ୍ରୋହୀ ‘ଅଭିଶାପ’ ସମାବେଶ କରିଛନ୍ତି। କାମାକ୍ଷାନଗରରେ ଶତ୍ରୁଘ୍ନ ଜେନାଙ୍କ ବିରୋଧରେ ଅସନ୍ତୋଷ ଗୁମୁରୁଛି । ସୋର ନିର୍ବାଚନମଣ୍ଡଳୀରେ ରାଜୁ ଦାସ, ଧର୍ମଶାଳାରେ ଜୟଦେବରେ ଅରବିନ୍ଦ ଢ଼ାଲି ବି ବିରୋଧର ସମ୍ମୁଖୀନ ହୋଇଛନ୍ତି । ଘୋଷିତ ହୋଇ ନ ଥିବା ୩୫ ଆସନରେ ପ୍ରାର୍ଥୀଙ୍କ ମନୋନୟନ ବିଜେପି ପାଇଁ ସବୁଠୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ବରୀ, ଜଗତସିଂହପୁର, ଚିତ୍ରକୋଣ୍ଡା, ଖୋର୍ଦ୍ଧା, କଟକ ଆଦି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ପରେ ବିଜେପିରେ ବିଦ୍ରୋହ ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି।