ପୁଲିସ୍‌ ସହ ଧସ୍ତାଧସ୍ତି ବେଳେ ଯୁବ ଚାଷୀଙ୍କ ମୃତ୍ୟୁ, ଅନେକ ଆହତ

ଫେବୃଆରୀ ୧୩ରୁ ଚାଷୀମାନେ ଦିଲ୍ଲୀ ଚଲୋ ଶୋଭାଯାତ୍ରା ଆରମ୍ଭ କରିଥିବା ବେଳେ ସଂଘର୍ଷରେ ଆଜି ପ୍ରଥମଥର ପାଇଁ ଜଣଙ୍କ ମୃତ୍ୟୁ ହୋଇଛି।

ପୁଲିସ୍‌ ସହ ଧସ୍ତାଧସ୍ତି ବେଳେ ଯୁବ ଚାଷୀଙ୍କ ମୃତ୍ୟୁ, ଅନେକ ଆହତ

ନିଜର ହକ୍‌ ପାଇଁ ଦିଲ୍ଲୀ ଚଲୋ ଶୋଭାଯାତ୍ରା କରୁଥିବା ଚାଷୀ ଓ ସେମାନଙ୍କୁ ଅଟାଇବା ପାଇଁ ମୁତୟନ ହୋଇଥିବା ପୁଲିସ୍‌ ମଧ୍ୟରେ ଆଜି ପ୍ରବଳ ସଂଘର୍ଷ ଦେଖିବାକୁ ମିଳିଛି। ଚାଷୀ ଓ ପୁଲିସ୍‌ ମଧ୍ୟରେ ପଞ୍ଜାବ-ହରିଆଣାର ସୀମାନ୍ତ ଶମ୍ଭୁ ଓ ଖାନାଉରୀ ଠାରେ ପ୍ରବଳ ଧସ୍ତାଧସ୍ତି ହୋଇଛି। 

ଖାନାଉରୀ ଠାରେ ହୋଇଥିବା ସଂଘର୍ଷରେ ଜଣେ ୨୧ ବର୍ଷୀୟ ଚାଷୀଙ୍କ ମୃତ୍ୟୁ ଘଟିଛି। ସେହିପରି ଅନେକ ଆହତ ହୋଇଛନ୍ତି। ଚାଷୀଙ୍କ ଦିଲ୍ଲୀ ଚଲୋ ଶୋଭାଯାତ୍ରାକୁ ପଣ୍ଡ କରିବା ପାଇଁ ପୁଲିସ୍‌ ପକ୍ଷରୁ ଆଜି ଲୁହ ବୁହା ଗ୍ୟାସ ଓ ପାଣି ମାଡ଼ କରାଯାଇଥିଲା।

ତଥାପି ଚାଷୀମାନେ ଆଗକୁ ବଢ଼ିବାରୁ ପୁଲିସ୍‌ ସହ ସେମାନଙ୍କର ସଂଘର୍ଷ ହୋଇଥିଲା। ଏହି ସଂଘର୍ଷ ବେଳେ ପୁଲିସ୍‌ ଆକ୍ରମଣରେ ଯୁବ ଚାଷୀଙ୍କ ମୃତ୍ୟୁ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଫେବୃଆରୀ ୧୩ରୁ ଚାଷୀମାନେ ଦିଲ୍ଲୀ ଚଲୋ ଶୋଭାଯାତ୍ରା ଆରମ୍ଭ କରିଥିବା ବେଳେ ସଂଘର୍ଷରେ ଆଜି ପ୍ରଥମଥର ପାଇଁ ଜଣଙ୍କ ମୃତ୍ୟୁ ହୋଇଛି।

ମୃତ ଚାଷୀ ଜଣଙ୍କ ହେଲେ ଶୁଭକରନ ସିଂହ। ତାଙ୍କ ଘର ପଞ୍ଜାବର ଭଠିଣ୍ଡା ଜିଲ୍ଲା ବାଲୋକେ ଗାଁରେ। ସେ ଅନ୍ୟ ଚାଷୀମାନଙ୍କ ସହ ଦିଲ୍ଲୀ ଚଲୋ ଆନ୍ଦୋଳନରେ ସାମିଲ ହୋଇଥିଲେ ବୋଲି ଚାଷୀ ନେତା ବଲଦେବ ସିଂହ ସିର୍ସା କହିଛନ୍ତି।

ପଟିଆଲା ସ୍ଥିତ ରଜିନ୍ଦର ହସ୍ପିଟାଲର ମେଡିକାଲ ସୁପରିନଟେଣ୍ଡେଣ୍ଟ ଏସ୍‌ ରେଖି କହିଛନ୍ତି, ଆହତ ଅବସ୍ଥାରେ ୩ ଜଣଙ୍କୁ ହସ୍ପିଟାଲ ଅଣା ଯାଇଥିଲା। ଡାକ୍ତରମାନେ ଦେଖିଲା ବେଳକୁ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା। ଏବେ ଆଉ ୨ ଜଣଙ୍କର ଚିକିତ୍ସା ଚାଲିଛି।