ପୂରା ଉଆଁସ ଶାଢ଼ିରେ ଓଡ଼ିଆ ପରମ୍ପରାର ଝଲକ: ଚର୍ଚ୍ଚାରେ ଟିକାୟତ ମେହେର

ଅମରପାଲି,୩ା୯(ପୀତାମ୍ବର ସାହୁ):ଶାଢ଼ିରେ ବାନ୍ଧକଳା କାମ କରି ଓଡ଼ିଆ ପରମ୍ପରାର ଝଲକ ଦେଖାଇଛନ୍ତି ବାନ୍ଧଶିଳ୍ପୀ। ପଶ୍ଚିମ ଓଡ଼ିଶାର ପାରମ୍ପରିକ ପର୍ବ ପୂରା ଉଆଁସକୁ ଶାଢ଼ିରେ ସ୍ଥାନିତକରି ଏବେ ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ୍‌ ଚମ୍ପାମାଳ ପଞ୍ଚାୟତ ହନୁମାନପାଲି ଗ୍ରାମର ବାନ୍ଧଶିଳ୍ପୀ ଟିକାୟତ ମେହେର(୩୮)। ଏଭଳି ଶାଢ଼ି ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି ସୁବର୍ଣ୍ଣପୁର ଜିଲାର ବୁଣାକାର ଓ ବାନ୍ଧଶିଳ୍ପୀ। କେତେବେଳେ ଏଠାକାର ହାତବୁଣା ଶାଢ଼ି ବଲିଉଡ୍‌ ସେଲିବ୍ରିଟିଙ୍କ ପ୍ରଥମ ପସନ୍ଦ ପାଲଟିଥିବାବେଳେ ରାଜନେତା ଓ ସେଲିବ୍ରିଟିମାନେ […] The post ପୂରା ଉଆଁସ ଶାଢ଼ିରେ ଓଡ଼ିଆ ପରମ୍ପରାର ଝଲକ: ଚର୍ଚ୍ଚାରେ ଟିକାୟତ ମେହେର appeared first on Dharitri Odia News.

ପୂରା ଉଆଁସ ଶାଢ଼ିରେ ଓଡ଼ିଆ ପରମ୍ପରାର ଝଲକ: ଚର୍ଚ୍ଚାରେ ଟିକାୟତ ମେହେର

ଅମରପାଲି,୩ା୯(ପୀତାମ୍ବର ସାହୁ):ଶାଢ଼ିରେ ବାନ୍ଧକଳା କାମ କରି ଓଡ଼ିଆ ପରମ୍ପରାର ଝଲକ ଦେଖାଇଛନ୍ତି ବାନ୍ଧଶିଳ୍ପୀ। ପଶ୍ଚିମ ଓଡ଼ିଶାର ପାରମ୍ପରିକ ପର୍ବ ପୂରା ଉଆଁସକୁ ଶାଢ଼ିରେ ସ୍ଥାନିତକରି ଏବେ ଚର୍ଚ୍ଚାରେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ୍‌ ଚମ୍ପାମାଳ ପଞ୍ଚାୟତ ହନୁମାନପାଲି ଗ୍ରାମର ବାନ୍ଧଶିଳ୍ପୀ ଟିକାୟତ ମେହେର(୩୮)। ଏଭଳି ଶାଢ଼ି ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାନ୍ତି ସୁବର୍ଣ୍ଣପୁର ଜିଲାର ବୁଣାକାର ଓ ବାନ୍ଧଶିଳ୍ପୀ। କେତେବେଳେ ଏଠାକାର ହାତବୁଣା ଶାଢ଼ି ବଲିଉଡ୍‌ ସେଲିବ୍ରିଟିଙ୍କ ପ୍ରଥମ ପସନ୍ଦ ପାଲଟିଥିବାବେଳେ ରାଜନେତା ଓ ସେଲିବ୍ରିଟିମାନେ ମଧ୍ୟ ପରିଧାନ କରିଥାନ୍ତି। ତେବେ ସୁବର୍ଣ୍ଣପୁରର ବାନ୍ଧଶିଳ୍ପୀଙ୍କ ହାତରେ ରହିଛି ଯାଦୁ। ନିଆରା ଡିଜାଇନ କରି ବିଶ୍ୱ ଦରବାରରେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ।

ପଶ୍ଚିମ ଓଡ଼ିଶାରେ ଭାଦ୍ରବ ମାସ ଅମାବାସ୍ୟାରେ ପାଳିତ ହେଉଥିବା ସପ୍ତପୁରି ଅମାବାସ୍ୟାକୁ ପୂରା ଉଆଁସ ଭାବେ ପାଳନ କରାଯାଉଥିବାବେଳେ ଏହି ପରମ୍ପରାର ଝଲକ ଦେଖିବାକୁ ମିଳିଛି ହାତବୁଣା ପାଟ ଶାଢ଼ିରେ। ଟିକାୟତ ମେହେରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ଡିଜାଇନକୁ ତାଙ୍କ ଗୁରୁ ବାନ୍ଧଶିଳ୍ପୀ ପ୍ରଫୁଲ୍ଲ ମେହେର ପ୍ରସ୍ତୁତ କରିଛନ୍ତି। ଟିକାୟତ ଆଗରୁ ମଧ୍ୟ ପ୍ରଣାମ ଶାଢ଼ି ପ୍ରସ୍ତୁତକରି ରାଜ୍ୟସ୍ତରରେ ପୁରସ୍କୃତ ହୋଇଛନ୍ତି। ଏବେ ପୂରା ଉଆଁସ ଶାଢ଼ି ପ୍ରସ୍ତୁତ କରି ସେ ପୁଣି ଚର୍ଚ୍ଚାରେ ଅଛନ୍ତି। ଏହି ଶାଢ଼ିରେ ଛୋଟ ଛୁଆଁଙ୍କ ଦ୍ବାରା ଖେଳାଯାଉଥିବା କୁଣ୍ଢି, କାଞ୍ଚିରୁ ଆରମ୍ଭକରି ପ୍ରସିଦ୍ଧ ଲଙ୍କାପୋଡ଼ିର ଝଲକ ଦେଖିବାକୁ ମିଳିଛି। ଉକ୍ତ ଶାଢ଼ି ତିଆରିରେ ଟିକାୟତଙ୍କୁ ପୂରା ପରିବାର ସହଯୋଗ କରିଛନ୍ତି।
ଏହି ଶାଢ଼ି ପାଟସୂତାରେ ତିଆରି ହୋଇଥିବା ବେଳେ ଏହାକୁ ପ୍ରସ୍ତୁତ କରିବାକୁ ପ୍ରାୟ ଦେଢ଼ ମାସ ସମୟ ଲାଗିଥିଲା। ଏହା ୩୦ହଜାର ଟଙ୍କାରେ ବିକ୍ରିହେବ ବୋଲି କହିଛନ୍ତି ଟିକାୟତ। ଟିକାୟତଙ୍କୁ ଏହି ଶାଢ଼ି ବୁଣିବା ପାଇଁ ତାଙ୍କ ସ୍ତ୍ରୀ ନଳିନୀ ମେହେର ଉତ୍ସାହିତ କରିଥିବା ବେଳେ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଲୋକାଭିମୁଖୀ କରିବା ଲକ୍ଷ୍ୟ ନେଇ ଏହି ଶାଢ଼ି କରିଥିବା ସେ ପ୍ରକାଶ କରିଛନ୍ତି।
ସୁବର୍ଣ୍ଣପୁର ଜିଲାର ହସ୍ତତନ୍ତ କାରିଗରଙ୍କ ହାତବୁଣା ଲୁଗା ଏବେ ସାରା ବିଶ୍ୱରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବାବେଳେ ପୁଣି ଚର୍ଚ୍ଚାରେ ବୁଣାକାର। ନିଜ ପରମ୍ପରାକୁ ଶାଢ଼ିରେ ସ୍ଥାନ ଦେଇ ବିଭିନ୍ନ ମହଲରୁ ସେ ଏବେ ପ୍ରଶଂସା ସାଉଁଟିଛନ୍ତି।

The post ପୂରା ଉଆଁସ ଶାଢ଼ିରେ ଓଡ଼ିଆ ପରମ୍ପରାର ଝଲକ: ଚର୍ଚ୍ଚାରେ ଟିକାୟତ ମେହେର appeared first on Dharitri Odia News.