ବୋଉ ପାଇଁ ଶାଢ଼ି କିଣିପାରିଲିନି

କେତେ ନିରାଶାର କଳାଅନ୍ଧାର ଅତିକ୍ରମ କଲେ ସୁନା ଖରାରେ ଝଲସି ଉଠେ ଅଗଣା। ସମସ୍ତେ ଖରାରେ ସେକି ହେଲାବେଳେ ମୁଁ କିନ୍ତୁ ବାରମ୍ବାର ଗତ ଅନ୍ଧାରରେ ହଜେଇ ଦେଇଥିବା ସେହି ତାରାଙ୍କ ଆଖି ତରାଟିବାକୁ ଝୁରି ହେଉଥାଏ। ହେଲେ ଫେରେନା ଅତୀତ। ଝରି ଯାଏ ସ୍ବପ୍ନ। କେତେ କଥା କେତେ ବ୍ୟଥା ଗୁମୁରି କାନ୍ଦୁଥାଏ ହୃଦୟର ଗମ୍ଭୀରାରେ। ଆହା ଆଉ କ’ଣ ସେ ସୁଯୋଗ ମିଳିବ! ଝରିଯାଏ ଆଶାର କଢ଼ି ଦୁଇଟୋପା ଲୁହ ହୋଇ। କେତେ ଆଦର […] The post ବୋଉ ପାଇଁ ଶାଢ଼ି କିଣିପାରିଲିନି appeared first on Dharitri Odia News.

ବୋଉ ପାଇଁ ଶାଢ଼ି କିଣିପାରିଲିନି

କେତେ ନିରାଶାର କଳାଅନ୍ଧାର ଅତିକ୍ରମ କଲେ ସୁନା ଖରାରେ ଝଲସି ଉଠେ ଅଗଣା। ସମସ୍ତେ ଖରାରେ ସେକି ହେଲାବେଳେ ମୁଁ କିନ୍ତୁ ବାରମ୍ବାର ଗତ ଅନ୍ଧାରରେ ହଜେଇ ଦେଇଥିବା ସେହି ତାରାଙ୍କ ଆଖି ତରାଟିବାକୁ ଝୁରି ହେଉଥାଏ। ହେଲେ ଫେରେନା ଅତୀତ। ଝରି ଯାଏ ସ୍ବପ୍ନ। କେତେ କଥା କେତେ ବ୍ୟଥା ଗୁମୁରି କାନ୍ଦୁଥାଏ ହୃଦୟର ଗମ୍ଭୀରାରେ। ଆହା ଆଉ କ’ଣ ସେ ସୁଯୋଗ ମିଳିବ! ଝରିଯାଏ ଆଶାର କଢ଼ି ଦୁଇଟୋପା ଲୁହ ହୋଇ। କେତେ ଆଦର ଯତ୍ନରେ ସାତ ପୁଅର ଗେଲ୍ଲାପଣ ଦେଇ ବଢ଼େଇ ଥିଲେ ଛୁଆବାପା ମୋର! ମୁଁ ତାଙ୍କର ଝିଅ ନ ଥିଲି ହେଲେ ତାଙ୍କ ସ୍ନେହ ଶ୍ରଦ୍ଧା ଛଡ଼ା କିଛି ବି ମନେ ପଡେନା। ସେ ଥିଲେ ମୋର ଛୁଆବାପା। ସେ ହିଁ ପରିଚିତ କରାଇ ଥିଲେ ଝର୍କା ଖୋଲି ବାହାରର ଆଲୋକ ସହିତ, କେତେ ବର୍ଣ୍ଣିଳ ଏ ପୃଥିବୀ। କେମିତି ଭରିବାକୁ ହୁଏ ଉଡାଣ, କେମିତି ଖଞ୍ଜିବାକୁ ହେବ ଡେଣା, କେମିତି ମାପି ହୁଏନା ଆକାଶର ଉଚ୍ଚତା। ମୁଁ କଥା ଦେଇଥିଲି ମୁଁ ସାହାରା ହେବି ହେଲେ ନିଷ୍ଠୁର ସମୟ ସବୁକିଛି ଛଡ଼ାଇ ନେଲା। ମୋ କଥା କଥାରେ ରହିଗଲା। ଅଧା ବାଟରେ ଅଫେରା ପଥର ପଥିକ ସାଜିଲେ ସେ। ମୁଁ ଆଗକୁ ବଢିଲି, ଶିକ୍ଷକତା କଲି କିନ୍ତୁ ହାଏ ନାହାନ୍ତି ଛୁଆବାପା। ଭାବିଥିଲି ପ୍ରଥମ ମାସର ଦରମା ତାଙ୍କ ହାତକୁ ଟେକିଦେବି।
ପ୍ରଥମ ମାସର ଦରମା ପାଇଲା ପରେ ପ୍ରଥମେ ଠାକୁରଙ୍କୁ ଅର୍ପଣ କରିଥିଲି। ମୋ ବାପାଙ୍କୁ କିଛି ଦେଇଥିଲି। ମୋ ପୁଅଝିଅଙ୍କ ପାଇଁ କିଛି ବହି କିଣିଥିଲି। ଭାବିଥିଲି ମୋର ସହଯାତ୍ରୀ ମୋ ପଥ ପ୍ରଦର୍ଶକ, ମୋ ସ୍ବାମୀଙ୍କ ପାଇଁ କ’ଣ ଗୋଟେ କିଣିବି ବୋଲି। ହେଲେ କ’ଣ କିଣିବ କିଣିବି ହୋଇ କିଣି ପାରି ନ ଥିଲି ଯେହେତୁ ସେ ଦିଲ୍ଲୀରେ ରହୁଥିଲେ। ଇଚ୍ଛା ଥିଲା ବୋଉ ପାଇଁ ସମ୍ବଲପୁରୀ ଶାଢ଼ିଟିଏ ମୋର ପ୍ରଥମ ମାସର ଦରମାରେ କିଣି ଦେବି। ଖୁବ୍‌ ପରିଶ୍ରମ କରିଛି ମୋତେ ପାଠ ପଢ଼ାଇବାରେ। ଏପଟେ ତା’ର ଇଚ୍ଛା, ହସ ଖୁସିକୁ ଜଳଉଥାଏ ଅଳିଆ ଜାଳ କରି, ଆର ପଟେ ମୋ ଆଡେ ନଜର ନହକଉ ଥାଏ ତା’ର ନହକିଆ ଆଶା ପରି ବେତକୁ। ଘୋଷଉଥାଏ ଜୀବନର ପଣିକିଆ ଖୁସିର ମିଶାଣ ଆଉ ଦୁଃଖର ଫେଡାଣ। ହେଲେ ମୁଁ କେବେ ଫେଡି ପାରିଲିନି ତା’ର ଦୁଃଖ କି ମିଶାଇ ପାରିଲି ନାହିଁ କିଛି ହସ ତା’ ଆଖିର ଲୁହରେ। ଭାବିଥିଲି ପ୍ରଥମ ଦରମା ପାଇଲେ ବୋଉକୁ ଖୁସି କରେଇଦେବି। ଯେଉଁ ଦିନ ପ୍ରଥମ ଦରମା ପାଇଲି ସେଦିନ ସକାଳୁ ବାପା ବୋଉ ପଠାଇଥିବା ଶାଢ଼ି ନେଇ ଆସିଥିଲେ। ମାମୁଙ୍କ ବାହାଘର ଉତ୍ସବରୁ ଆଣିଥିଲା। ନ ପିନ୍ଧି ସାଇତିଥିଲା। ଏବେ ବି ପଠାଇଛି କାହିଁକି ନା ମୁଁ ନୂଆନୂଆ ସ୍କୁଲ ଯାଉଛି ନିହାତି ଅଧିକ ଖଣ୍ଡେ ଦି ଖଣ୍ଡ ଶାଢ଼ି ଆବଶ୍ୟକ ପଡିବ ବୋଲି। ମୁଁ କିନ୍ତୁ ମୋ ପ୍ରଥମ ଦରମାରେ କିଣି ଦେଇ ପାରିଲିନି ମୋ ବୋଉ ପାଇଁ ଶାଢ଼ିଟେ। ପ୍ରଥମ ମାସର ଦରମାକୁ ନେଇ ଯେଉଁ ସ୍ବପ୍ନ ତାହା ଏବେ ଧୂଳି ଧୂସରିତ। ଝାଡ଼ିଝୁଡ଼ି ଝଲସି ଉଠୁଛି ଅତୀତ। ଇଚ୍ଛା ଅସୁମାରି ହେଲେ ଭସାଇ ନେଇଛି ସମୟ ଭଉଁରି। ପରବର୍ତ୍ତୀ ସମୟରେ ଚାକିରି ସହ ଗପ, କବିତା ଲେଖାରେ ଅଧିକ ମନୋନିବେଶ କରିଛି। ମୋର ଦଶାବତାର ନାମରେ ଏକ ଗଳ୍ପ ସଂକଳନ ଓ ଘାସଫୁଲ, ନିଷବ୍ଦ ଋତୁ, ଦେହ ଦିହୁଡ଼ି, କୃଷ୍ଣର ନଦୀ ତୀରେ ନାମରେ କବିତା ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି। ଏବେ ଏହି ଲେଖାଲେଖିରୁ ହିଁ ଖୁସି ସାଉଁଟିବାକୁ ଚେଷ୍ଟା କରୁଛି।

The post ବୋଉ ପାଇଁ ଶାଢ଼ି କିଣିପାରିଲିନି appeared first on Dharitri Odia News.