ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୫ ଟଙ୍କା ଲାଭ ନେଇଛନ୍ତି କମ୍ପାନୀ, ହନ୍ତସନ୍ତ ଜନତା
ନୂଆଦିଲ୍ଲୀ : ଅନ୍ତର୍ଜାତୀୟସ୍ତରରେ ଅଶୋଧିତ ତୈଳ ମୂଲ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଶୁକ୍ରବାର ଏହା ବ୍ୟାରେଲ ପିଛା ୭୧.୩୧ ଡଲାରରେ ପହଞ୍ଚି ଯାଇଛି। ମାର୍ଚ୍ଚରୁ ଏ ପର୍ଯ୍ୟନ୍ତ ଅଶୋଧିତ ତୈଳ ମୂଲ୍ୟ ୧୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଲାଣି। ତୈଳ କମ୍ପାନୀଗୁଡ଼ିକ ଏବଂ ସରକାର ଏହାର ଲାଭ ନେଉଛନ୍ତି। ମାତ୍ର ଜନତା ଜଳକା ପରି ଚାହିଁ ରହିଛନ୍ତି। ତୈଳ ମୂଲ୍ୟ ହ୍ରାସ ହେବାର କୌଣସି ଲାଭ ସାଧାରଣ ଜନତାଙ୍କୁ ମିଳିପାରୁ ନାହିଁ। ଦୀର୍ଘ ଦିନ […]

ନୂଆଦିଲ୍ଲୀ : ଅନ୍ତର୍ଜାତୀୟସ୍ତରରେ ଅଶୋଧିତ ତୈଳ ମୂଲ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଶୁକ୍ରବାର ଏହା ବ୍ୟାରେଲ ପିଛା ୭୧.୩୧ ଡଲାରରେ ପହଞ୍ଚି ଯାଇଛି। ମାର୍ଚ୍ଚରୁ ଏ ପର୍ଯ୍ୟନ୍ତ ଅଶୋଧିତ ତୈଳ ମୂଲ୍ୟ ୧୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଲାଣି। ତୈଳ କମ୍ପାନୀଗୁଡ଼ିକ ଏବଂ ସରକାର ଏହାର ଲାଭ ନେଉଛନ୍ତି। ମାତ୍ର ଜନତା ଜଳକା ପରି ଚାହିଁ ରହିଛନ୍ତି। ତୈଳ ମୂଲ୍ୟ ହ୍ରାସ ହେବାର କୌଣସି ଲାଭ ସାଧାରଣ ଜନତାଙ୍କୁ ମିଳିପାରୁ ନାହିଁ। ଦୀର୍ଘ ଦିନ ହେଲା ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ, ଡିଜେଲ ମୂଲ୍ୟ ସ୍ଥିର ରଖିଥିବାବେଳେ ଉଚ୍ଚ ଦର ଯୋଗୁଁ ଜନତା ହନ୍ତସନ୍ତ ହେଉଛନ୍ତି। ମାତ୍ର କମ୍ପାନୀଗୁଡିକ ଲାଭବାନ ହେବାରେ ଲାଗିଛନ୍ତି। ତୈଳ ମୂଲ୍ୟ ଉଚ୍ଚ ରହିଥିବାରୁ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଚାଲିଛି। ଜନତାଙ୍କ ଉପରେ ମହଙ୍ଗା ବୋଝ ବଢ଼ିବାରେ ଲାଗିଛି। ଏହା ସତ୍ତ୍ବେ ସରକାର କୌଣସି ଆଶ୍ବସ୍ତି ପ୍ରଦାନ କରୁନାହାନ୍ତି। ଦରଦାମ ବୃଦ୍ଧି ଯନ୍ତ୍ରଣାରେ ଜନତା ଜର୍ଜରିତ ହେଉଥିବାବେଳେ କମ୍ପାନୀ ଏବଂ ସରକାରଙ୍କ ଲାଭ କ୍ରମାଗତ ଭାବେ ବଢ଼ି ଚାଲିଛି।
ରିପୋର୍ଟ ଅନୁଯାୟୀ ମାର୍ଚ୍ଚରୁ ଏ ପର୍ଯ୍ୟନ୍ତ ତୈଳ କମ୍ପାନୀଙ୍କ ଲିଟର ପିଛା ଲାଭ ୧୫ ଟଙ୍କାକୁ ବୃଦ୍ଧି ପାଇଛି। ପେଟ୍ରୋଲ ଲିଟରକୁ ୧୫ ଟଙ୍କା ପାଉଥିବାବେଳେ ଡିଜେଲରେ ୧୨ ଟଙ୍କା ଲାଭ ହେଉଛି। ଏହି ଅବଧି ମଧ୍ୟରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୪ ଡଲାରରୁ ହ୍ରାସ ପାଇ ୭୨ ଡଲାର ତଳେ ରହିଛି। ମୂଲ୍ୟ ହ୍ରାସ ଯୋଗୁଁ ସରକାର ଚଳିତ ଆର୍ଥିକ ବର୍ଷରେ ୬୦ ହଜାର କୋଟି ଟଙ୍କା ସଞ୍ଚୟ କରିପାରନ୍ତି। ଏହି ଆଧାରରେ ଲୋକଙ୍କୁ ପ୍ରତି ଲିଟର ପିଛା ଲାଭ ମିଳିବା କଥା। ମାତ୍ର ଗ୍ରାହକଙ୍କୁ କୌଣସି ଆଶ୍ବସ୍ତି ମିଳୁନାହିଁ। ଦୀର୍ଘଦିନ ହେଲା ଇନ୍ଧନ ମୂଲ୍ୟରେ କୌଣସି ହ୍ରାସ ହୋଇନାହିଁ। ତୈଳ କମ୍ପାନୀଗୁଡ଼ିକ ଚାହିଁଲେ ଜନତାଙ୍କୁ ଏହାର ଲାଭ ମିଳିପାରିବ। ଇନଭେଷ୍ଟମେଣ୍ଟ ଇନଫର୍ମେସନ ଆଣ୍ଡ କ୍ରେଡିଟ ରେଟିଂ ଏଜେନ୍ସି (ଇକ୍ରା) ରିପୋର୍ଟ ଅନୁଯାୟୀ ମାର୍ଚ୍ଚରୁ ଏ ପର୍ଯ୍ୟନ୍ତ ଅଶୋଧିତ ତୈଳ ମୂଲ୍ୟ ୧୨% ହ୍ରାସ ପାଇଲାଣି। ଆଉ କିଛି ରିପୋର୍ଟରେ କୁହାଯାଇଛି ଯେ ସାଉଦି ଆରବ ଅଶୋଧିତ ତୈଳ ମୂଲ୍ୟ ଉତ୍ପାଦନ ବଢ଼ାଇ ବ୍ୟାରେଲ ପିଛା ମୂଲ୍ୟ ୧୦୦ ଡଲାରରୁ ହ୍ରାସ କରିବାକୁ ପ୍ରସ୍ତୁତ ଅଛି। ତେଣୁ ଆଗାମୀ ଦିନରେ ଆହୁରି ମୂଲ୍ୟ ହ୍ରାସ ହେବାର ସମ୍ଭାବନା ରହିଛି। ଏପରି ସ୍ଥିତିରେ ଘରୋଇ କମ୍ପାନୀଙ୍କ ଲାଭ ମଧ୍ୟ ଅଧିକ ବୃଦ୍ଧି ପାଇପାରେ।
ବ୍ୟାରେଲ ପିଛା ଅଶୋଧିତ ତୈଳରେ ଏକ ଡଲାର ହ୍ରାସ ହେଲେ ଭାରତର ଆମଦାନୀ ବିଲ୍ ଉପରେ ପ୍ରାୟ ୧୩ ହଜାର କୋଟି ଟଙ୍କା ସଞ୍ଚୟ ହେବ। ୨୦୨୪ର ଆର୍ଥିକ ସର୍ବେକ୍ଷଣ ଅନୁଯାୟୀ ଚଳିତ ବର୍ଷ ତୈଳ ମୂଲ୍ୟ ବ୍ୟାରେଲ ପିଛା ୮୪ ଡଲାର ରହିବ ବୋଲି ଅନୁମାନ କରାଯାଇଛି। ମାତ୍ର ଏବେ ଏହା ୭୦ରୁ ୭୫ ଡଲାର ମଧ୍ୟରେ ରହିଛି। ଯଦି ଆଗକୁ ମୂଲ୍ୟ ସ୍ଥିର ରୁହେ ତେବେ ଭାରତର ହଜାର ହଜାର କୋଟି ଟଙ୍କା ସଞ୍ଚୟ ହେବ। ଏହା ଦ୍ବାରା ଦରଦାମ ହ୍ରାସ ପାଇପାରେ। ଅଧିକ ନିବେଶ ମଧ୍ୟ ହେବ। ତିନୋଟି ପ୍ରମୁଖ ତୈଳ କମ୍ପାନୀ ଭାରତ ପେଟ୍ରୋଲିୟମ (ବିପି), ହିନ୍ଦୁସ୍ଥାନ ପେଟ୍ରୋଲିୟମ (ଏଚ୍ପି) ଏବଂ ଇଣ୍ଡିଆନ ଅଏଲ୍ (ଆଇଓ) ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ୮୧ ହଜାର କୋଟି ଟଙ୍କା ଲାଭ କରିଥିଲେ। ଏଥିରେ ଆଇଓର ୩୯, ୬୧୯ କୋଟି, ବିପିର ୨୬, ୬୭୩ କୋଟି ଏବଂ ଏଚ୍ପିର ୧୪, ୯୬୪ କୋଟି ଟଙ୍କା ଲାଭ ହୋଇଥିଲା।