ସ୍ୱତନ୍ତ୍ର ଉତ୍କଳର ନିର୍ମାତା କୃଷ୍ଣଚନ୍ଦ୍ର ଗଜପତି
ଗଜପତି ଗୌରଚନ୍ଦ୍ର ଗଜପତି ଓ ରାଣୀ ରାଧାମଣି ଦେବୀଙ୍କ ଦ୍ୱିତୀୟ ପୁତ୍ର ରୂପେ ୧୮୯୨ ମସିହା ଏପ୍ରିଲ୍ ୨୬ ତାରିଖରେ ଜନ୍ମିତ ଉତ୍କଳ ମାଟିର ଅଗ୍ରଗଣ୍ୟ ବରପୁତ୍ର, ମହାମାନବ ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ସମସାମୟିକ ସମୟ ଥିଲା ଓଡ଼ିଶା ଇତିହାସର ଏକ ପରୀକ୍ଷଣର ସମୟ। ପ୍ରଶାସନିକ ବ୍ୟବସ୍ଥା ଦୃଷ୍ଟିକୋଣରୁ ଓଡ଼ିଶାକୁ ଇଂରେଜମାନେ ଖଣ୍ଡବିଖଣ୍ଡିତ କରିଦେଇଥିଲେ। ତତ୍କାଳୀନ ତିନୋଟି ପାଶ୍ଚାତ୍ୟ ଶିକ୍ଷାକେନ୍ଦ୍ର ମାନ୍ଦ୍ରାଜ, କଲିକତା ଓ ବମ୍ବେଠାରେ ପ୍ରତିଷ୍ଠିତ ହୋଇ […]

ଗଜପତି ଗୌରଚନ୍ଦ୍ର ଗଜପତି ଓ ରାଣୀ ରାଧାମଣି ଦେବୀଙ୍କ ଦ୍ୱିତୀୟ ପୁତ୍ର ରୂପେ ୧୮୯୨ ମସିହା ଏପ୍ରିଲ୍ ୨୬ ତାରିଖରେ ଜନ୍ମିତ ଉତ୍କଳ ମାଟିର ଅଗ୍ରଗଣ୍ୟ ବରପୁତ୍ର, ମହାମାନବ ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ସମସାମୟିକ ସମୟ ଥିଲା ଓଡ଼ିଶା ଇତିହାସର ଏକ ପରୀକ୍ଷଣର ସମୟ। ପ୍ରଶାସନିକ ବ୍ୟବସ୍ଥା ଦୃଷ୍ଟିକୋଣରୁ ଓଡ଼ିଶାକୁ ଇଂରେଜମାନେ ଖଣ୍ଡବିଖଣ୍ଡିତ କରିଦେଇଥିଲେ। ତତ୍କାଳୀନ ତିନୋଟି ପାଶ୍ଚାତ୍ୟ ଶିକ୍ଷାକେନ୍ଦ୍ର ମାନ୍ଦ୍ରାଜ, କଲିକତା ଓ ବମ୍ବେଠାରେ ପ୍ରତିଷ୍ଠିତ ହୋଇ ଇଂରାଜୀ ଭାଷା ମାଧ୍ୟମରେ ପାଶ୍ଚାତ୍ୟ ସଂସ୍କୃତିର ପ୍ରଚାର ଓ ପ୍ରସାର କରିଥିଲେ। ପ୍ରଶାସନର ସହଯୋଗରେ ବଙ୍ଗାଳୀ ଓ ତେଲୁଗୁମାନେ ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଆପଣେଇ ନେଇଥିଲେ। ବଙ୍ଗାଳୀ ଓ ତେଲୁଗୁମାନେ ଓଡ଼ିଆ ଭାଷାର ବିଲୋପ ପାଇଁ ଯେଉଁ ଚକ୍ରାନ୍ତ ଆରମ୍ଭ କରିଥିଲେ ତାହାର ପ୍ରତିକ୍ରିୟା ସ୍ୱରୂପ ଓଡ଼ିଆମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଓଡ଼ିଆ ଜାତୀୟତା ବୋଧ। ଆତ୍ମରକ୍ଷାର ସ୍ୱରୂପ ଓଡ଼ିଆମାନଙ୍କ ମନରେ ସୃଷ୍ଟି କରିଥିବା ଜାତୀୟତା ଭାବ, ଓଡ଼ିଆଙ୍କ ଜୀବନକୁ ପ୍ରଭାବିତ କରିଥିଲା ଏବଂ ପରିଣତି ସ୍ୱରୂପ ଓଡ଼ିଶାରେ ଜନ୍ମ ନେଇଥିଲା ଅନେକ ଅନୁଷ୍ଠାନ। ଉତ୍କଳ ସମ୍ମିଳନୀ ତନ୍ମଧ୍ୟରୁ ଅନ୍ୟତମ।
କୃଷ୍ଣଚନ୍ଦ୍ର ଗଜପତି ପାରଳାଖେମୁଣ୍ଡିଠାରେ ଉତ୍କଳ ସମ୍ମିଳନୀର ଦଶମ ବାର୍ଷିକ ଅଧିବେଶନ ଆୟୋଜନ କରିଥିଲେ। ଉତ୍କଳ ସମ୍ମିଳନୀର ପ୍ରଥମ ନଅଟି ଅଧିବେଶନ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକ ଶାସନାଧୀନ କରିବା ନିମନ୍ତେ ଦାବି କରିଆସୁଥିବା ବେଳେ ଦଶମ ଅଧିବେଶନରେ ପ୍ରଥମଥର ନିମନ୍ତେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଦାବି ଉପସ୍ଥାପିତ କରାଯାଇଥିଲା। ଡିସେମ୍ବର ୨୮, ୧୯୧୪ ମସିହାରେ ଆୟୋଜିତ ଏହି ସମାରୋହର ସମସ୍ତ ବ୍ୟୟଭାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବହନ କରିଥିଲେ। ତାଙ୍କର ଆହ୍ୱାନରେ ମଧୁସୂଦନ, ଫକୀରମୋହନ, ଉତ୍କଳମଣି ଗୋପବନ୍ଧୁ, ବିଶ୍ୱନାଥ କର, ଗୋଦାବରୀଶ ମିଶ୍ର, ଜଗବନ୍ଧୁ ସିଂହଙ୍କ ପରି ଅନେକ ପ୍ରତିଭାବାନ ପୁରୁଷ ଏହି ଉତ୍ସବରେ ଯୋଗଦାନ କରିଥିଲେ। ଦଶମ ଅଧିବେଶନରେ ସ୍ୱତନ୍ତ୍ର ପ୍ରଦେଶର ଦାବି ପ୍ରଚାରିତ ହୋଇସାରିବା ପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ସମର୍ଥନ ପ୍ରଦାନ କରାଯାଇଥିଲା। ଏହାର ପ୍ରଭାବରେ ମଣ୍ଟେଗୁ ଚେସସ ଫୋର୍ଡ କମିଟି ଅନ୍ୟାନ୍ୟ ସ୍ୱତନ୍ତ୍ର ପ୍ରଦେଶର ଦାବିକୁ ଅଗ୍ରାହ୍ୟ କରିଦେଇଥିଲେ ମଧ୍ୟ ଓଡ଼ିଶାକୁ ସମର୍ଥନ ଜଣାଇଥିଲେ। ୧୯୧୪ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପରବର୍ତ୍ତୀ ସମୟରେ କୃଷ୍ଣଚନ୍ଦ୍ର ଗଜପତିଙ୍କ ଉଦ୍ୟମରେ ସଫଳତା ପ୍ରାପ୍ତି ହୋଇଥିଲା ଏବଂ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଓଡ଼ିଶାର ୬ଟି ଜିଲ୍ଲାକୁ ନେଇ ସ୍ୱତନ୍ତ୍ର ପ୍ରଦେଶ ଗଠିତ ହୋଇଥିଲା।
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ ସ୍ୱରୂପ ମାନ୍ଦ୍ରାଜ ଯୁଦ୍ଧପାଣ୍ଠିକୁ ଏକଲକ୍ଷ ଟଙ୍କା, ଇମ୍ପେରିଆଲ୍ ପାଣ୍ଠିକୁ ପଚାଶ ହଜାର ଟଙ୍କା ଓ ଅନ୍ୟାନ୍ୟ ଯୁଦ୍ଧ ସମୟରେ ୧ ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ କରିଥିଲେ। ପ୍ରାବନ୍ଧିକ ସଚ୍ଚିଦାନନ୍ଦ ମିଶ୍ରଙ୍କ ତଥ୍ୟ ଅନୁସାରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ କୃଷ୍ଣଚନ୍ଦ୍ର ସେନାବାହିନୀର ଅବୈତନିକ କମିସନ ପଦ ସହିତ ଅବୈତନିକ ସେକେଣ୍ଡ ଲେଫ୍ଟନାଣ୍ଟ ଓ ପରେ କ୍ୟାପଟେନ୍ ପଦଲାଭ କରିଥିଲେ। ସେ ମଧ୍ୟ ଜଣେ ଅବୈତନିକ ସୈନ୍ୟ ସଂଗ୍ରାହକ ଅଫିସର ହୋଇ ନିଜ ରାଜ୍ୟର ବହୁସଂଖ୍ୟକ ଲୋକଙ୍କୁ ସୈନ୍ୟ ବାହିନୀରେ ଭର୍ତ୍ତି କରାଇଥିଲେ। ସେ ଜାତୀୟ ପ୍ରତିରକ୍ଷା ସମିତିର ସଭ୍ୟ ଭାବରେ ଏକଲକ୍ଷ ଟଙ୍କା ଦାନ କରିଥିଲେ। ତତ୍ସହିତ ତତ୍କାଳୀନ ସମୟରେ ଏକ ଲଢ଼ୁଆ ବିମାନ କିଣିବା ପାଇଁ ସେନାବାହିନୀକୁ ପାଞ୍ଚହଜାର ପାଉଣ୍ଡ ଦାନ କରିଥିଲେ। ଏହି ଅବଦାନ ନିମନ୍ତେ ୧୯୪୬ରେ ଇଂରେଜ ସରକାର ତାଙ୍କୁ କେସିଆଇ(ନାଇଟ୍ କମାଣ୍ଡର ଅଫ୍ ଦ ଅର୍ଡର ଅଫ୍ ଦ ଇଣ୍ଡିଆନ୍ ଏମ୍ପାୟାର) ଉପାଧି ପ୍ରଦାନ କରିଥିଲେ।
ସାହିତ୍ୟ ଓ ସଂସ୍କୃତିର ବିକାଶ ନିମନ୍ତେ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଅବିସ୍ମରଣୀୟ। ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମାଙ୍କ ‘ଶବ୍ଦତତ୍ତ୍ୱବୋଧ ଅଭିଧାନ’ ଯେତେବେଳେ ଅର୍ଥ ଅଭାବରୁ ପ୍ରକାଶ ହୋଇପାରୁ ନ ଥିଲା, ସେତେବେଳେ ମହାରାଜା କୃଷ୍ଣଚନ୍ଦ୍ର ମୁଦ୍ରଣ ନିମନ୍ତେ ତିନିହଜାର ଟଙ୍କା ଦାନ କରିଥିଲେ। ଏତଦ୍ବ୍ୟତୀତ ଜଗବନ୍ଧୁ ସିଂହଙ୍କ ରଚିତ ‘ପ୍ରାଚୀନ ଉତ୍କଳ’ର ପ୍ରକାଶନ ନିମନ୍ତେ ମଧ୍ୟ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ। ଏତଦ୍ବ୍ୟତୀତ ଗଜପତି ପ୍ରେସ ମାଧ୍ୟମରେ ପାରଳାର ସାହିତ୍ୟ ପ୍ରତିଭାମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରୁଥିଲେ। ମହାରାଜାଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟାରେ ପାରଳା ରଙ୍ଗମଞ୍ଚରେ ଅନେକ ନାଟକ ମଞ୍ଚସ୍ଥ ହୋଇପାରିଥିଲା।
ଓଡ଼ିଶାରେ ଶିକ୍ଷାର ବିକାଶ ନିମନ୍ତେ ତାହାଙ୍କ ଅବଦାନ ଅତୁଳନୀୟ। ନିଜ ରାଜ୍ୟ ପାରଳାଖେମୁଣ୍ଡି ସହରରେ ପିତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ରାଜାସ କଲେଜ’କୁ ଗ୍ରେଡ୍ ୱାନ୍ କଲେଜକୁ ଉନ୍ନୀତ କରିବା, ସଂସ୍କୃତ ଶିକ୍ଷାର ପ୍ରଚାର ଓ ପ୍ରସାର ନିମନ୍ତେ ସଂସ୍କୃତ କଲେଜ ସ୍ଥାପନ, ନାରୀ ଶିକ୍ଷାର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ବାଳିକା ବିଦ୍ୟାଳୟର ପ୍ରତିଷ୍ଠା ରାଜ୍ୟରେ ଶିକ୍ଷାର ଅଗ୍ରଗତି ନିମନ୍ତେ ଗୋଟିଏ ଗୋଟିଏ ମାଇଲଖୁଣ୍ଟ। ଚାରିଗୋଟି ମହାବିଦ୍ୟାଳୟ- କଟକରେ ରେଭେନ୍ସା କଲେଜ, ପାରଳାଖେମୁଣ୍ଡିରେ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି କଲେଜି, ବ୍ରହ୍ମପୁରରେ ଖଲ୍ଲିକୋଟ କଲେଜ, କଟକରେ ରାଧାନାଥ ଟ୍ରେନିଂ କଲେଜ ଏବଂ ଅନେକ ଉଚ୍ଚ ବିଦ୍ୟାଳୟକୁ ନେଇ ୧୯୪୩ ମସିହାରେ ପ୍ରତିଷ୍ଠା କରିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟ। ୧୯୪୩ କଟକଠାରେ ମେଡିକାଲ କଲେଜ ପ୍ରତିଷ୍ଠା, ୧୯୪୪ରେ ଖ୍ରୀଷ୍ଟ କଲେଜର ପ୍ରତିଷ୍ଠା କ୍ଷେତ୍ରରେ ମହାରାଜାଙ୍କ ଆର୍ଥିକ ପ୍ରୋତ୍ସାହନ ଆଲୋଚନାକୁ ଅଧିକ ଗୁରୁତ୍ୱ ପ୍ରଦାନ କରେ। ଛାତ୍ରଙ୍କ ବିକାଶ ନିମନ୍ତେ ରାଜନଅରରେ ଥିବା ସମସ୍ତ ପୁସ୍ତକକୁ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟର ପାଠାଗାରକୁ ଦାନ କରିଥିଲେ। ୧୯୧୩ ମସିହାରେ ମହାରାଜାଙ୍କ ଅନୁଦାନରେ ପ୍ରତିଷ୍ଠିତ ଛାତ୍ରାବାସ ଅନେକ ଗରିବ ଛାତ୍ରଙ୍କ ଉଜ୍ୱଳ ଭବିଷ୍ୟତ ଗଠନରେ ସହାୟକ ହୋଇଥିଲା।
ସାମଗ୍ରିକ ଭାବେ ଓଡ଼ିଶା ଗଠନରେ ପାରଳା ମହାରାଜା ତଥା ସ୍ୱତନ୍ତ୍ର ଉତ୍କଳର ପ୍ରଥମ ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଅନନ୍ୟ। କିନ୍ତୁ ସମସ୍ତ ଅବଦାନକୁ ସଂକଳିତ କରି ଏକ ପୂର୍ଣ୍ଣାଙ୍ଗ ଜୀବନୀଟିଏ ସଂକଳିତ କରିବା ନିମନ୍ତେ ଓଡ଼ିଶା ତଥାପି ଅପେକ୍ଷା ରଖିଛି। ଡ. ଅଜୟ କୁମାର ତ୍ରିପାଠୀ
(ଅଧ୍ୟକ୍ଷ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ)
ଛତ୍ରପୁର(ଗଞ୍ଜାମ), ମୋ: ୯୪୩୮୩୨୩୨୪୪