ପୋଲିଂ ବୁଥରେ ଭୋଟରଙ୍କୁ ଚାପୁଡ଼ା ମାରିଲେ ବିଧାୟକ, ପାଲଟା ମାଡ଼ ବି ଖାଇଲେ

ଲୋକମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଶିବକୁମାର ବିଧାୟକ ହୋଇଥିବାରୁ ଆଗକୁ ବଢ଼ି ଆଗୁଆ ପୋଲିଂ ବୁଥରେ ପଶିବାକୁ ଚେଷ୍ଟା କରିଥିଲେ।

ପୋଲିଂ ବୁଥରେ ଭୋଟରଙ୍କୁ ଚାପୁଡ଼ା ମାରିଲେ ବିଧାୟକ, ପାଲଟା ମାଡ଼ ବି ଖାଇଲେ

ଭିଆଇପି ସଂସ୍କୃତିର ଆଉ ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ଆଗୁଆ ଭୋଟ ଦେବାକୁ ଉଦ୍ୟମ କରି ବିରୋଧର ସମ୍ମୁଖୀନ ହୋଇଛନ୍ତି ଆନ୍ଧ୍ର ପ୍ରଦେଶର ଜଣେ ବିଧାୟକ। ବିରୋଧ କରିବାରୁ ବିଧାୟକ ଜଣଙ୍କ ସର୍ବସମ୍ମୁଖରେ ଜଣେ ଭୋଟରଙ୍କୁ ଶକ୍ତ ଚାପୁଡ଼ା ମାରିଛନ୍ତି।

ଭୋଟର ଜଣଙ୍କ ଏହାର ଜବାବ ଦେଇ ବିଧାୟକଙ୍କୁ ମଧ୍ୟ ଗୋଟିଏ ଚାପୁଡ଼ା ମାରିଛନ୍ତି। ଗୁଣ୍ଟୁର ଜିଲ୍ଲାରେ ଥିବା ଗୋଟିଏ ପୋଲିଂ ବୁଥରେ ଆଜି ଏପରି ଘଟଣା ଘଟିଛି। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଆନ୍ଧ୍ର ପ୍ରଦେଶର ସମସ୍ତ ବିଧାନସଭା ଓ ଲୋକସଭା ଆସନ ପାଇଁ ଆଜି ମତଦାନ ହେଉଛି। ଭୋଟ ଦେବାକୁ ସକାଳୁ ଲୋକମାନେ ବିଭିନ୍ନ ବୁଥରେ ଲମ୍ବା ଧାଡ଼ି କରି ଛିଡ଼ା ହୋଇଛନ୍ତି। ଏହିକ୍ରମରେ ଗୁଣ୍ଟୁରର ଗୋଟିଏ ପୋଲିଂ ବୁଥରେ କ୍ଷମତାସୀନ ୱାଇଏସ୍‌ଆର କଂଗ୍ରେସର ତେନାଲି ବଧାୟକ ଶିବକୁମାର ଭୋଟ ଦେବାକୁ ଆସିଥିଲେ।

ଲୋକମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ଶିବକୁମାର ବିଧାୟକ ହୋଇଥିବାରୁ ଆଗକୁ ବଢ଼ି ଆଗୁଆ ପୋଲିଂ ବୁଥରେ ପଶିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସାମ୍ନାରେ ଛିଡ଼ା ହୋଇଥିବା ଜଣେ ଭୋଟର ଏହାକୁ ବିରୋଧ କରିଥିଲେ। ଏଥିରେ ରାଗି ଯାଇ ଶିବକୁମାର ଉକ୍ତ ଭୋଟରଙ୍କ ପାଖକୁ ଆସିଥିଲେ ଓ ତାଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ।

ଭୋଟର ଜଣଙ୍କ ମଧ୍ୟ ପାଲଟା ଜବାବରେ ବିଧାୟକଙ୍କୁ ଚାପୁଡ଼ା କସି ଦେଇଥିଲେ। ଏହା ଦେଖି ବିଧାୟକଙ୍କ ସମର୍ଥକମାନେ ଉକ୍ତ ଭୋଟରଙ୍କୁ ବିଧା ନାଦି ପକାଇଥିଲେ। ବୁଥରେ ସେହି ସମୟରେ ଅନେକ ଲୋକ ଥିଲେ ମଧ୍ୟ କେହି ବି ବିଧାୟକଙ୍କ ସମର୍ଥକମାନଙ୍କୁ ଅଟକାଇ ନଥିଲେ। ସାମ୍ନାକୁ ଆସିଥିବା ୧୦ ସେକେଣ୍ଡର ଭିଡିଓରେ କୌଣସି ପ୍ରକାରର ସୁରକ୍ଷାକର୍ମୀଙ୍କୁ ଦେଖିବାକୁ ମିଳି ନାହିଁ।

ଭିଡିଓ ସାମ୍ନାକୁ ଆସିବା ପରେ ଅନେକ ଲୋକ ବିଧାୟକଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେହିପରି ବିରୋଧୀ ଟିଡିପି ଏହାକୁ ବିରୋଧ କରିଛି। ୱାଇଏସ୍‌ଆର କଂଗ୍ରେସ ପରାସ୍ତ ହେବାକୁ ଯାଉଥିବାରୁ ଏଭଳି କାଣ୍ଡ ଘଟାଇଥିବା ଦଳ କହିଛି।