ପ୍ରଥମ ଦରମା ବୋଉକୁ ଦେଇଥିଲି

ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡ଼ି ଗ୍ରାମପଞ୍ଚାୟତର ନୂଆପଡ଼ା ଗାଁର ଏକ ପାଇକ ପରିବାରରେ ମୋ ଜନ୍ମ। ମୁଁ  ଘରର ପ୍ରଥମ ସନ୍ତାନ। ଗାଁଟି ନିପଟ ମଫସଲ। ବାବା ଆମ ଅଞ୍ଚଳର ଜଣେ ଛାତ୍ରବତ୍ସଳ ଶିକ୍ଷକ ଆଉ ବୋଉ ମୋର ଜଣେ ସ୍ନେହୀ ଓ ଧର୍ମପରାୟଣା ମହିଳା। ବାବାବୋଉଙ୍କ ବିବାହର ଅନେକ ବର୍ଷ ପରେ ମୋର ଜନ୍ମ। ହେଲେ କନ୍ୟା ସନ୍ତାନଟିଏ ହୋଇଥିବାରୁ ଘରର କିଛି ନିକଟ ତଥା ଦୂର ସମ୍ପର୍କୀୟଙ୍କ ମଧ୍ୟରେ ନୈରାଶ୍ୟ ତଥା ଦୁଃଖର […] The post ପ୍ରଥମ ଦରମା ବୋଉକୁ ଦେଇଥିଲି appeared first on Dharitri Odia News.

ପ୍ରଥମ ଦରମା ବୋଉକୁ ଦେଇଥିଲି
ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡ଼ି ଗ୍ରାମପଞ୍ଚାୟତର ନୂଆପଡ଼ା ଗାଁର ଏକ ପାଇକ ପରିବାରରେ ମୋ ଜନ୍ମ। ମୁଁ  ଘରର ପ୍ରଥମ ସନ୍ତାନ। ଗାଁଟି ନିପଟ ମଫସଲ। ବାବା ଆମ ଅଞ୍ଚଳର ଜଣେ ଛାତ୍ରବତ୍ସଳ ଶିକ୍ଷକ ଆଉ ବୋଉ ମୋର ଜଣେ ସ୍ନେହୀ ଓ ଧର୍ମପରାୟଣା ମହିଳା। ବାବାବୋଉଙ୍କ ବିବାହର ଅନେକ ବର୍ଷ ପରେ ମୋର ଜନ୍ମ। ହେଲେ କନ୍ୟା ସନ୍ତାନଟିଏ ହୋଇଥିବାରୁ ଘରର କିଛି ନିକଟ ତଥା ଦୂର ସମ୍ପର୍କୀୟଙ୍କ ମଧ୍ୟରେ ନୈରାଶ୍ୟ ତଥା ଦୁଃଖର ମାହୋଲଟିଏ ଥିଲା। କିନ୍ତୁ ବାବାବୋଉଙ୍କର ଦମ୍ଭୋକ୍ତି ଥିଲା ଆମ ଝିଅ ପୁଅମାନଙ୍କଠାରୁ ବି ବହୁତ ଆଗକୁ ଯିବ; ଯାହାକି ମୋ ପାଇଁ ସର୍ବଦା ପ୍ରେରଣାର ଉତ୍ସ ସଦୃଶ ଥିଲା। ଗାଁରେ ବାଲ୍ୟଶିକ୍ଷା ସମାପ୍ତ ପରେ ପୁରୀ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟରେ ଯୁକ୍ତ ୨, କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟରୁ ପ୍ରାଣୀ ବିଜ୍ଞାନରେ ସ୍ନାତକ ଏବଂ ଭଞ୍ଜବିହାରରୁ ସଫଳତାର ସହ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହେବା ପରେ ୨୦୧୬ ମସିହାରେ ମୁଁ ସଚିବାଳୟରେ ସହକାରୀ ଉପବିଭାଗ ଅଧିକାରୀ(ଏଏସ୍‌ଓ) ଭାବେ ଗୃହ ଓ ନଗର ଉନ୍ନୟନ ବିଭାଗରେ ଯୋଗଦେଲି। ପ୍ରଥମ ମାସର ଦରମା ଯେଉଁଦିନ ମିଳିଲା ସିଧା ଯାଇ ବୋଉ ହାତରେ ଧରେଇଦେଲି। କାରଣ କ୍ୟାରିୟରରେ ମୁଁ କେମିତି ଆଗକୁ ଯାଏ, ସେ ନେଇ ବାବାବୋଉ ଉଭୟ ମୋତେ ପ୍ରେରଣା ଦେଉଥିଲେ ବି, ଛାଇ ଭଳି ମୋ ପଛେ ପଛେ ବୋଉ ଲାଗି ରହୁଥିଲା। ତେଣୁ ହାତରେ ତା’ର ଦରମା ଟଙ୍କା ଧରେଇ ଦେଇ ତା’ ମୁହଁରୁ ଟିକେ ଆତ୍ମସନ୍ତୋଷର ହସ ଦେଖିବାକୁ ମୁଁ ଏମିତି କରିଥିଲି। ସତକୁ ସତ ସେଦିନ ବୋଉ ବହୁତ ଖୁସି ହୋଇଥିଲା। ଆଉ ମୋରି ଟଙ୍କାରେ ଭୋଗ କିଣି ଆଣି ଠାକୁର ପୂଜା କରିବା ସହ ଗାଁରେ ଛୋଟ ଭୋଜିର ବି ଆୟୋଜନ କରିଥିଲା। ଏମିତି ଭାବେ ପ୍ରଥମ ରୋଜଗାର ଟଙ୍କା ଖର୍ଚ୍ଚ ହୋଇଥିଲା।
ପରେ ୨୦୨୦ରେ ଓଡ଼ିଶା ସିଭିଲ ସର୍ଭିସେସ୍‌ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶା ଅର୍ଥ ସେବାରେ ମୁଁ ଯୋଗ ଦେଲି। ଆଉ ବର୍ତ୍ତମାନ ସହକାରୀ ଆୟୁକ୍ତ, ବାଣିଜ୍ୟ କର, ଦ୍ରବ୍ୟ ଓ ସେବା କର ଭାବରେ ପୁରୀଠାରେ ଅବସ୍ଥାପିତ।  ଗୋଟିଏ ନିପଟ ମଫସଲ ଗାଁ; ଯେଉଁଠି ଆଧୁନିକ ସୁବିଧା ସୁଯୋଗ ସାତ ସପନ, ସେଠାରୁ ଆସି ପ୍ରଥମେ ଏଏସ୍‌ଓ ଏବଂ ପରେ ଜଣେ ଓଏଫ୍‌ଏସ୍‌ ଅଫିସର୍‌ ହେବା ପର୍ଯ୍ୟନ୍ତ ମୋର ଜୀବନ ଯାତ୍ରା କିଛି କମ୍‌ ସଂଘର୍ଷପୂର୍ଣ୍ଣ ନ ଥିଲା। ଏଠି ପହଞ୍ଚତ୍ବା ପାଇଁ ମୋର ବାବାବୋଉ, ଗୁରୁଜନ, ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଶୁଭେଚ୍ଛୁମାନଙ୍କ ଅନେକ ଅବଦାନ ରହିଛି। କେବଳ ମୁଁ କାହିଁକି, ନିଜର ସୁଖ ସ୍ବାଚ୍ଛନ୍ଦ୍ୟକୁ ଅଗ୍ରାଧିକାର ନ ଦେଇ ସର୍ବଦା ଆମମାନଙ୍କ ଶିକ୍ଷାଦୀକ୍ଷା ଉପରେ ଗୁରୁତ୍ୱ ଦେଉଥିବା ଆମ ବାବାବୋଉଙ୍କ ଆର୍ଶୀବାଦରୁ ମୋ ସାନଭାଇ ବି ଏବେ ଜଣେ ଅଧିକ୍ଷଣ ଯନ୍ତ୍ରୀ ଭାବେ ବୌଦ୍ଧଠାରେ ଅବସ୍ଥାପିତ ହୋଇଥିବାବେଳେ ଭଉଣୀ ମଧ୍ୟ ଜଣେ ଶିକ୍ଷୟିତ୍ରୀ ହୋଇପାରିଛି। ତେଣୁ ମନ ମଧ୍ୟରେ ଏକ ଅଭିଳାଷ ରହିଛି ଯେ, ସମାଜଠାରୁ ପାଇଥିବା ଏହି ଅକୁଣ୍ଠ ସହଯୋଗର ପ୍ରତିବଦଳରେ ଗୁଣ୍ଡୁଚି ମୂଷାଟେ ହୋଇ ସମାଜ ପାଇଁ କିଛି କରିବି। ଆଉ ଏହି କାର୍ଯ୍ୟକୁ ସଫଳତାର ରୂପ ଦେବା ପାଇଁ ପ୍ରଭୁ ଜଗନ୍ନାଥ ମୋତେ ସହାୟ ହୁଅନ୍ତୁ ବୋଲି କାମନା କରୁଛି।

The post ପ୍ରଥମ ଦରମା ବୋଉକୁ ଦେଇଥିଲି appeared first on Dharitri Odia News.