ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ ସେଣ୍ଟରରେ ପହଞ୍ଚିଲେ ଶୁଭାଂଶୁ
ଡକିଂ ପୂର୍ବରୁ ଶୁଭାଂଶୁ ଓ ଅନ୍ୟ ୩ ବୈଜ୍ଞାନିକଙ୍କୁ ଧରି ମହାକାଶକୁ ଯାଇଥିବା ସ୍ପେଶଏକ୍ସର ଡ୍ରାଗନ ସ୍ପେଶକ୍ରାଫ୍ଟ ପ୍ରଥମେ କିଛି ସମୟ ଅନ୍ତର୍ଜାତୀୟ ସ୍ପେଶ ସେଣ୍ଟର ଉପରେ ଉଡ଼ାଣ ଭରିଥିଲା।
ଦୀର୍ଘ ୨୮ ଘଣ୍ଟା ତଳେ ଫ୍ଲରିଡାରେ ଥିବା ନାସାର କେନେଡର ସ୍ପେଶ ସେଣ୍ଟରରୁ ଉଡ଼ାଣ ଭରିଥିବା ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ସଫଳତାର ସହ ଇତିହାସ ସୃଷ୍ଟି କରିଛନ୍ତି। ସେ ଭାରତର ପ୍ରଥମ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ସ୍ପେଶ ସେଣ୍ଟରରେ ପହଞ୍ଚିଛନ୍ତି। ଆକ୍ସିଅମ ୪ ମିଶନ ସଫଳତାର ସହ ଅନ୍ତର୍ଜାତୀୟ ସ୍ପେଶ ସେଣ୍ଟରରେ ଡକିଂ ଶେଷ କରିଛି। ପ୍ରାୟ ଅଢ଼େଇ ଘଣ୍ଟା ଧରି ଡକିଂ ପ୍ରକ୍ରିୟା ଚାଲିଥିଲା।
ଡକିଂ ପୂର୍ବରୁ ଶୁଭାଂଶୁ ଓ ଅନ୍ୟ ୩ ବୈଜ୍ଞାନିକଙ୍କୁ ଧରି ମହାକାଶକୁ ଯାଇଥିବା ସ୍ପେଶଏକ୍ସର ଡ୍ରାଗନ ସ୍ପେଶକ୍ରାଫ୍ଟ ପ୍ରଥମେ କିଛି ସମୟ ଅନ୍ତର୍ଜାତୀୟ ସ୍ପେଶ ସେଣ୍ଟର ଉପରେ ଉଡ଼ାଣ ଭରିଥିଲା। ଏହାପରେ ଡକିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମେ ସଫ୍ଟ ଡକିଂ ହୋଇଥିଲା। ଡକିଂ ଶେଷ ହେବା ପରେ ହାଚ ଖୋଲିଥିଲା ଓ ଏହାପରେ ଶୁଭାଂଶୁଙ୍କ ସମେତ ଅନ୍ୟ ୩ ବୈଜ୍ଞାନିକ ଅନ୍ତର୍ଜାତୀୟ ସ୍ପେଶ ସେଣ୍ଟରରେ ପାଦ ରଖିଥିଲେ। ସ୍ପେଶ ଷ୍ଟେସନ ତରଫରୁ ଡ୍ରାଗନର ହାର୍ଡ କ୍ୟାପଚର ମଧ୍ୟ ଶେଷ ହୋଇଥିଲା। ଶେଷରେ ମହାକାଶଚାରୀମାନେ ସ୍ପେଶ ସୁଟ ଖୋଲି ଷ୍ଟେସନ ମଧ୍ୟକୁ ପ୍ରବେଶ କରିଥିଲେ।
ସ୍ପେଶଏକ୍ସର ଡ୍ରାଗନ ସ୍ପେଶକ୍ରାଫ୍ଟର ଡକିଂକୁ ପୂରା ବିଶ୍ୱ ଦେଖିଛି। ଏହାକୁ ଶୁଭାଂଶୁଙ୍କ ବାପା ମା’ ମଧ୍ୟ ଦେଖି ବେଶ ଭାବବିହ୍ୱଳ ହୋଇଛନ୍ତି। ଏହା ଭାରତ ପାଇଁ ଗୋଟିଏ ଐତିହାସିକ ସଫଳତା। ୧୯୮୪ରେ ସ୍କ୍ୱାର୍ଡନ ଲିଡର ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରିଥିଲେ। ଏବେ ଶୁଭାଂଶୁ ଦ୍ୱିତୀୟ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରିଥିବା ବେଳେ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ପହଞ୍ଚିଛନ୍ତି।
Docking confirmed! pic.twitter.com/EK8Acky3V1— SpaceX (@SpaceX) June 26, 2025
ଶୁକ୍ରବାର ଭାରତୀୟ ସମୟ ଦିନ ୧୨ଟା ୧ରେ ଲଞ୍ଚ ହୋଇଥିଲା ଆକ୍ସିଅମ୍-୪ ମିଶନ। କେନେଡୀ ସ୍ପେଶ୍ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ ୩୯A ରୁ ଉତକ୍ଷେପଣ ହୋଇଥିଲା ‘ସ୍ପେଶ୍ ଏକ୍ସ୍'ର ଶକ୍ତିଶାଳୀ ଫାଲକନ୍-୯ ରକେଟ୍। ଡ୍ରାଗନ୍ ସ୍ପେଶ କ୍ୟାପସୁଲରେ ସ୍ପେଶ ଷ୍ଟେସନକୁ ଯାଇଛନ୍ତି ୪ ମହାକାଶଚାରୀ। ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଆକ୍ସିଅମ-୪ର ମିଶନ ପାଇଲଟ୍ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାଇଛନ୍ତି।
ଏହି ମିଶନରେ ଭାରତ, ଆମେରିକା, ପୋଲାଣ୍ଡ୍ ଓ ହଙ୍ଗେରୀର ୪ ମହାକାଶଚାରୀ ସାମିଲ ହୋଇଛନ୍ତି । ୪ ଦଶନ୍ଧି ମଧ୍ୟରେ ଏହା ଭାରତ, ପୋଲାଣ୍ଡ୍ ଓ ହଙ୍ଗେରୀର ପ୍ରଥମ ମହାକାଶ ଅଭିଯାନ। ଶୁଭାଂଶୁଙ୍କ ବ୍ୟତୀତ ଆମେରିକାର ପେଗି ହ୍ୱିଟସନ୍, ହଙ୍ଗେରୀର ଟିବୋର୍ କାପୁ ଓ ପୋଲାଣ୍ଡର ସ୍ଲାବୋଜ୍ ଉଜନାସ୍କି ୱିସନାସ୍କି ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇଛନ୍ତି।
ଡ୍ରାଗନ ସ୍ପେଶକ୍ରାଫ୍ଟ ପୃଥିବୀ ଠାରୁ ୪୧୮ କିମି ଉପରେ ଉଡ଼ାଣ କରିଥିଲା ଓ ଘଣ୍ଟାକୁ ୧୭ ହଜାର କିମି ବେଗରେ ଗତି କରିଥିଲା। ଏଥିପାଇଁ ପୂର୍ବରୁ ହିଁ ମହାକାଶଚାରୀଙ୍କ ମେଡିକାଲ ଚେକ ଅପ କରାଯାଇଥିଲା। ମହାକାଶରେ ପହଞ୍ଚିବା ପରେ ଶୁଭାଂଶୁ ନମସ୍କାର କରି ସମସ୍ତ ଭାରତୀୟଙ୍କୁ କୃତଜ୍ଞତା ଜଣାଇଥିଲେ। ସେ ନିଜର ସହ ତ୍ରିରଙ୍ଗା ନେଇ ଯାଇଥିବାରୁ ପୂରା ଭାରତ ତାଙ୍କ ସହ ରହିଥିବା ସେ ଅନୁଭବ କରୁଥିବା ମହାକାଶରୁ ବାର୍ତ୍ତା ମଧ୍ୟ ଦେଇଥିଲେ।