ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର ଯୁବକ ହାତରେ ଯଦି ଅଚାନକ ପଇସାର ବିଡ଼ାଟେ ଧରେଇ ଦିଆଯାଏ, ସିଏ ହୁଏତ ଖୁସିରେ ପାଗଳ ହୋଇଯିବ। ମୋ ଅବସ୍ଥା ବି ଠିକ୍‌ ସେୟା ହୋଇଥିଲା। ଯେତେବେଳେ ମୋ ଗୁରୁ ସାକେତ ସାର୍‌ ମୋ ହାତକୁ ବଢ଼େଇ ଦେଲେ ନୂଆ ୧୦୦ ଟଙ୍କିଆ ବିଡ଼ା ଦୁଇଟି; ତାହା ଥିଲା ମୋ […] The post ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ appeared first on Dharitri Odia News.

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର ଯୁବକ ହାତରେ ଯଦି ଅଚାନକ ପଇସାର ବିଡ଼ାଟେ ଧରେଇ ଦିଆଯାଏ, ସିଏ ହୁଏତ ଖୁସିରେ ପାଗଳ ହୋଇଯିବ। ମୋ ଅବସ୍ଥା ବି ଠିକ୍‌ ସେୟା ହୋଇଥିଲା। ଯେତେବେଳେ ମୋ ଗୁରୁ ସାକେତ ସାର୍‌ ମୋ ହାତକୁ ବଢ଼େଇ ଦେଲେ ନୂଆ ୧୦୦ ଟଙ୍କିଆ ବିଡ଼ା ଦୁଇଟି; ତାହା ଥିଲା ମୋ ଜୀବନର ପ୍ରଥମ ରୋଜଗାର ୨୦ ହଜାର ଟଙ୍କା। ଆପଣ କହିପାରନ୍ତି ମୋ ଛାତ୍ରଜୀବନର ପ୍ରଥମ ଦରମା। କୃଷି ଅର୍ଥନୀତିରେ ସ୍ନାତକୋତ୍ତର ଛାତ୍ର ଭାବେ ମୁଁ ସେତେବେଳେ ପଢୁଥାଏ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ। ପାଠ ସିନା ଅର୍ଥନୀତି କିନ୍ତୁ ହାତରେ ଅର୍ଥ ରହୁ ନ ଥାଏ। ସେତେବେଳକୁ ମୁଁ ପ୍ରାୟ ୮ ବର୍ଷ ହଷ୍ଟେଲରେ ରହିସାରିଥାଏ। କେବେ ଭୁବନେଶ୍ୱରର ଭଡ଼ାଘରେ ତ କେବେ ଚିପିଲିମା କୃଷି ମହାବିଦ୍ୟାଳୟରେ। ବାପା/କକା ନିୟମିତ ଭାବେ ପଇସା ପଠାନ୍ତି। ପଢ଼ାଖର୍ଚ୍ଚ ବାଦ୍‌ ଆଉ ଅଳ୍ପ କିଛି ବଳକାରେ ମାସଯାକ ଚଳିଯିବା କଥା। ଆଉ ମଉଜମସ୍ତି କଥା ଭାବିବା ମନା। ନିଶା ଘାରିଥାଏ ପାଠ ପଢ଼ିବି, ଅଧ୍ୟାପକ ହେବି, ପିଲାଙ୍କୁ ପଢ଼େଇବି, ପୁଣି ନିଜେ ଆହୁରି ପଢ଼ିବି। ଏମିତି ଗୋଟେ ଝୁଙ୍କ୍‌ରେ ପଢ଼ା ଚାଲିଥାଏ। ରୋଜଗାରର ଚିନ୍ତା ସେ ଝୁଙ୍କ୍‌ରେ ଧୀରେ ଧୀରେ କୁହୁଳିବାରେ ଲାଗିଥାଏ। ଏଣେ ବୟସ ବଢ଼ିଚାଲିଥାଏ। ପାଠପଢ଼ା ମୋଟାମୋଟି ସରିଆସୁଥାଏ। ସ୍ନାତକୋତ୍ତର ଦ୍ୱିତୀୟ ବର୍ଷର ମଧ୍ୟଭାଗରେ ମୋ ଗାଇଡ୍‌ (ସାକେତ ସାର; ଯିଏ ଏବେ ଅରୁଣାଚଳ ପ୍ରଦେଶର ରାଜୀବ ଗାନ୍ଧୀ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ କୁଳପତି)ଙ୍କ ପାଖକୁ ଏକ ଅନ୍ତର୍ଜାତୀୟ ସଂସ୍ଥାର ପ୍ରକଳ୍ପଟିଏ ଗବେଷଣା ପାଇଁ ଆସିଲା। ସେ ମୋତେ ସେଥିରେ ସାମିଲ କରିନେଲେ ଏବଂ ପାରିଶ୍ରମିକ କିଛି ମିଳିବ ବୋଲି କହିଥିଲେ। ପ୍ରାୟ ୨ ମାସ ପରେ ସେ ପ୍ରକଳ୍ପ ସରିଆସିଲା ବେଳକୁ ସାର୍‌ ମୋ ହାତକୁ ୨୦ ହଜାର ଟଙ୍କା ବଢ଼େଇ ଦେଲେ; ଯାହା ଥିଲା ମୋ ଦୁଇମାସ ପରିଶ୍ରମର ମୂଲ୍ୟ, ଆଉ ମୋର ପ୍ରଥମ ରୋଜଗାର। ସେଥିରୁ କିଛି ଗଲା କାଶୀ ବିଶ୍ୱନାଥଙ୍କ ହୁଣ୍ଡିକୁ, ଆଉ କିଛି ସେଠାକାର ପୂଜକଙ୍କ ପକେଟକୁ। ନିଜ ସାଙ୍ଗମାନଙ୍କୁ ଭୋଜିଟିଏ ଦେଇସାରି ବାପାଙ୍କ ପାଇଁ ଗୋଟେ ଶାର୍ଟ, ବୋଉ ଲାଗି ଶାଢ଼ିଟିଏ କିଣିସାରିଲା ପରେ ବି ପକେଟରେ ଥାଏ ଆହୁରି କେଇଖଣ୍ଡ ୧୦୦ ଟଙ୍କିଆ ନୋଟ୍‌। ସେ ସବୁ ସାଇତା ହୋଇ ରହିଲା ଆମ ଗାଁ ଠାକୁର ଦାମୋଦର ଜୀଉଙ୍କ ପାଇଁ। ମୋଟାମୋଟି ସ୍ବପ୍ନର ପାହାଡ଼ ଉପରକୁ ଚଢ଼ିବା ପାଇଁ ସେଇ ପ୍ରଥମ ରୋଜଗାର ଯଥେଷ୍ଟ ନ ଥିଲେ ବି ପ୍ରଥମ ପାହାଚ ନିଶ୍ଚୟ ଚଢ଼େଇ ସାରିଥିଲା; ଯାହା ଏକ ରୋମାଞ୍ଚକର ଶିହରଣରେ ଭରିଦେଇଥିଲା ସେଇ ମୁହୂର୍ତ୍ତକୁ। ପାଠପଢ଼ା ସରିବା ପରେ ଚାକିର ଖୋଜିଛି, ଅଳ୍ପ ଦରମାରେ ଚାକିରିକରି ମାସକରେ ଛାଡିଛି। ପୁଣି ଲୋକସେବା ଆୟୋଗର ପରୀକ୍ଷା ଦେଇ ଚାକିରି କରିଛି। ସବୁଠି ମାସ ଶେଷରେ ଦରମା ପାଇଛି ସତ କିନ୍ତୁ ପାଠପଢ଼ା ସମୟରେ ପାଇଥିବା ପ୍ରଥମ ଦରମା ସହ କେହି ବି ତୁଳନୀୟ ନୁହେଁ। ଏମିତିରେ ବି ପିଲାଦିନେ ଘରକୁ କେହି କୁଣିଆ ଆସୁଥିଲେ ହାତରେ ଗୁଞ୍ଜି ଦେଉଥିଲେ ୧୦/୨୦ ଟଙ୍କା, କିନ୍ତୁ ସେସବୁ କ’ଣ ପ୍ରଥମ ରୋଜଗାର କି? ନିଜେ ପରିଶ୍ରମ କରି, ଖରାତରାରେ ୨ ମାସ କାଳ ବୁଲି ବୁଲି, ଉତ୍ତର ପ୍ରଦେଶରେ ଗାଁ ଦାଣ୍ଡରେ ଯେଉଁ ଝାଳ ବୁହାଇଥିଲି, ତାହାରି ଫଳସ୍ବରୂପ ମୋ ହାତକୁ ଆସିଥିଲା ମୋର ପ୍ରଥମ ରୋଜଗାର ହୋଇ। ସେଥିପାଇଁ ତାହା ସ୍ବତନ୍ତ୍ର ଆଉ ମନତଳେ ସବୁଦିନ ପାଇଁ ସାଇତା ହୋଇ ରହିଲାଭଳି ଅଧ୍ୟାୟଟିଏ, ଯାହାକୁ ମୁଁ ଆଜିଯାଏ ଭୁଲିନି କି ଭୁଲିପାରିବିନି ମରିବାଯାଏ।

The post ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ appeared first on Dharitri Odia News.