ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତି; ମେଡିକାଲ କଲେଜରେ ୭୫ ହଜାର ସିଟ୍ ବଢିବ

୭୮ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏହି ପ୍ରତିଶୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତି; ମେଡିକାଲ କଲେଜରେ ୭୫ ହଜାର ସିଟ୍ ବଢିବ

ଦେଶର ବିଭିନ୍ନ ମେଡିକାଲ କଲେଜରେ ୭୫ ହଜାର ଆସନ ସୃଷ୍ଟି ହେବ। ଆଗାମୀ ୫ ବର୍ଷ ମଧ୍ୟରେ ମେଡିକାଲ ଆଶାୟୀଙ୍କ ପାଇଁ ଏହି ସୁଯୋଗ ସୃଷ୍ଟି କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ୭୮ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏହି ପ୍ରତିଶୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେ କହିଛନ୍ତି ଯେ, ଗତ ଦଶନ୍ଧି ମଧ୍ୟରେ ତାଙ୍କ ସରକାର ଡାକ୍ତରୀ ପାଠ ପଢା ପାଇଁ ପାଖାପଖି ଏକ ଲକ୍ଷ ଆସନ ସୃଷ୍ଟି କରିଛନ୍ତି। ସେବା ବୃତ୍ତି କ୍ଷେତ୍ରରେ ପିଲାମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଆଉ ୭୫,୦୦୦ ସିଟ୍ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହା ଦ୍ୱାରା ଲକ୍ଷ ଲକ୍ଷ ମେଡିକାଲ ଆଶାୟୀଙ୍କ ଚାପ କମିଯିବ। ସେହିପରି ଆଗକୁ ମେଡିକାଲ ପଢିବା ପାଇଁ ବିଦେଶକୁ ମଧ୍ୟ ଯିବାକୁ ପଡିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ବିଗତ ଏକ ଦଶନ୍ଧି ମଧ୍ୟରେ ଆମେ ମେଡିକାଲ ସିଟକୁ ପାଖାପାଖି ଏକ ଲକ୍ଷକୁ ବୃଦ୍ଧି କରିଛୁ। ତଥାପି ଏବେ ମଧ୍ୟ ପ୍ରାୟ ୨୫,୦୦୦ ଯୁବକ ଯୁବତୀ ଡାକ୍ତରୀ ଶିକ୍ଷା ପାଇଁ ବିଦେଶ ଯାଉଛନ୍ତି। ତେଣୁ ଆମେ ସ୍ଥିର କରିଛୁ ଯେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୭୫,୦୦୦ ନୂତନ ସିଟ୍ ସୃଷ୍ଟି କରିବୁ।" 

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରେ ଦେଶର ମେଡିକାଲ କଲେଜ ସଂଖ୍ୟା ୮୮% ବୃଦ୍ଧି ପାଇଛି। ୨୦୧୪ ପୂର୍ବରୁ ଏହା ୩୮୭ ଥିଲା, ବର୍ତ୍ତମାନ ୭୩୧କୁ ବୃଦ୍ଧି ପାଇଛି।