ପ୍ରଶ୍ନପତ୍ର ଭାଇରାଲକୁ କାହିଁକି ଅଟକା ଯାଇପାରୁନାହିଁ: ଗଣିତରେ କପି କରି ୫୧ ଧରାପଡ଼ିଲେ
କଟକ,୨୬ା୨(କାର୍ତ୍ତିକ ସାହୁ) ମାଟ୍ରିକ ପରୀକ୍ଷାର ଗଣିତ ବିଷୟ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କେନ୍ଦୁଝର ଜିଲାର ଏକ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ସୋମବାର ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଗଣିତ ପ୍ରଶ୍ନପତ୍ରର ସି ଏବଂ ଡି ସେଟ୍ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ନିର୍ଦ୍ଦିଷ୍ଟ ଭାବେ ଦାବି କରାଯାଇଥିଲା। ପରୀକ୍ଷାର୍ଥୀମାନେ ପରୀକ୍ଷା ହଲ୍ରୁ ବାହାରିବା ପରେ ଏଭଳି ଚର୍ଚ୍ଚା ଶୁଣି ବିବ୍ରତ ହୋଇପଡ଼ିଥିଲେ। ଚଳିତ ଥର ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗରେ […] The post ପ୍ରଶ୍ନପତ୍ର ଭାଇରାଲକୁ କାହିଁକି ଅଟକା ଯାଇପାରୁନାହିଁ: ଗଣିତରେ କପି କରି ୫୧ ଧରାପଡ଼ିଲେ appeared first on Dharitri Odia News.
କଟକ,୨୬ା୨(କାର୍ତ୍ତିକ ସାହୁ) ମାଟ୍ରିକ ପରୀକ୍ଷାର ଗଣିତ ବିଷୟ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କେନ୍ଦୁଝର ଜିଲାର ଏକ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ସୋମବାର ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଗଣିତ ପ୍ରଶ୍ନପତ୍ରର ସି ଏବଂ ଡି ସେଟ୍ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ନିର୍ଦ୍ଦିଷ୍ଟ ଭାବେ ଦାବି କରାଯାଇଥିଲା। ପରୀକ୍ଷାର୍ଥୀମାନେ ପରୀକ୍ଷା ହଲ୍ରୁ ବାହାରିବା ପରେ ଏଭଳି ଚର୍ଚ୍ଚା ଶୁଣି ବିବ୍ରତ ହୋଇପଡ଼ିଥିଲେ। ଚଳିତ ଥର ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିଯୁକ୍ତ ସିସି କ୍ୟାମେରା ଦ୍ୱାରା ପରୀକ୍ଷା ପରିଚାଳନା ନିୟନ୍ତ୍ରଣ କରାଯାଉଛି। ତଥାପି ପ୍ରଶ୍ନପତ୍ର ଭାଇରାଲକୁ କାହିଁକି ଅଟକା ଯାଇପାରୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତେବେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଗଣିତ ବିଷୟରେ କୌଣସି ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଓ ଉପସଭାପତି ଡ. ନୀହାର ରଞ୍ଜନ ମହାନ୍ତି କହିଛନ୍ତି।
ପ୍ରକାଶ ଯେ, ଚଳିତ ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଭାଷା ଇଂଲିଶ ପ୍ରଶ୍ନପତ୍ର କେନ୍ଦୁଝର ଜିଲାର ଏକ ପରୀକ୍ଷା କେନ୍ଦ୍ରରୁ ସୋସିଆଲ ମିଡିଆରେ ଗତ ୨୩ ତାରିଖରେ ଭାଇରାଲ ହୋଇଥିଲା। ଏହାକୁ ନେଇ ସେତେବେଳେ ନାନା ଚର୍ଚ୍ଚା ହୋଇଥିଲା। ସେଇ ଚର୍ଚ୍ଚା ନ ଥମୁଣୁ ପୁଣି ସୋମବାର ଗଣିତ ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପରୀକ୍ଷାର୍ଥୀମାନେ ହଲ ବାହାରକୁ ଆସିବା ପରେ ସେମାନଙ୍କ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ସହ ମେଳ ଖାଉଥିବା ଦାବି କରାଯାଇଥିଲା। ଏହାକୁ ନେଇ ପରୀକ୍ଷାର୍ଥୀ ଏବଂ ଅଭିଭାବକଙ୍କ ମଧ୍ୟରେ ଆଶଙ୍କା, ଅସନ୍ତୋଷ ପ୍ରକାଶ ପାଇଥିଲା। ବର୍ଷତମାମ ପାଠ ପଢ଼ି ପିଲାମାନେ ଭଲ ନମ୍ବର ପାଇବା ପାଇଁ କଠିନ ପରିଶ୍ରମ କରୁଥିବା ବେଳେ ପରୀକ୍ଷା ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ପ୍ରଶ୍ନପତ୍ର ପାଇ ତଦନୁସାରେ ଅନେକ ଛାତ୍ରୀଛାତ୍ର ପ୍ରସ୍ତୁତ ହୋଇ ପରୀକ୍ଷାରେ ଲେଖି ଭଲ ନମ୍ବର ପାଇବେ। ମାଟ୍ରିକ ପରୀକ୍ଷା ପରିଚାଳନାଗତ ତ୍ରୁଟି ଯୋଗୁ ଏଭଳି ଚରମ ଅବ୍ୟବସ୍ଥା ସୃଷ୍ଟି ହୋଇଥିବା ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ବାରମ୍ବାର ଏଭଳି ଭାଇରାଲ ହେବା ଦ୍ୱାରା ମେଧାବୀ ଛାତ୍ରୀଛାତ୍ରମାନେ ମାନସିକ ଆଘାତ ପାଇବା ସହ ଚାପର ବଶବର୍ତ୍ତୀ ହେଉଥିବା ଅଭିଭାବକମାନେ କହିଛନ୍ତି। ତେବେ ଏହାକୁ ବୋର୍ଡ ପକ୍ଷରୁ ଖଣ୍ଡନ କରାଯାଇ ପରୀକ୍ଷା ପୂର୍ବାହ୍ନ ୧୧.୪୫ରେ ସରିବା ପରେ ତାହା ସୋସିଆଲ ମିଡିଆରେ ଉପଲବ୍ଧ ହୋଇଛି ବୋଲି କୁହାଯାଇଛି। ପରୀକ୍ଷା ଚାଲିଥିବା ସମୟରେ ପ୍ରଶ୍ନପତ୍ର ଭାଇରାଲ ନେଇ ବୋର୍ଡ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ପରୀକ୍ଷା ସମୟ ମଧ୍ୟରେ ଏଭଳି ଅଭିଯୋଗ ଆସିଥିଲେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା ବୋଲି ବୋର୍ଡ ଉପସଭାପତି ଡ. ମହାନ୍ତି କହିଛନ୍ତି।
ଅପରପକ୍ଷରେ ଗଣିତ ବିଷୟରେ ଅସାଧୁ ଉପାୟ ଅବଲମ୍ବନ କରି ୫୧ ଜଣ ପରୀକ୍ଷାର୍ଥୀ ସ୍କ୍ବାଡ୍ ହାତରେ ଧରାପଡ଼ିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଅନୁଷ୍ଠିତ ପ୍ରଥମ ଭାଷା ମାତୃଭାଷା ପରୀକ୍ଷାରେ ମୋଟ ୧୦ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ ହୋଇଥିଲେ। ଦ୍ୱିତୀୟ ଭାଷା ଇଂଲିଶ ବିଷୟରେ ୪୨ ଜଣ ପରୀକ୍ଷାର୍ଥୀ ମାଲପ୍ରାକ୍ଟିସ୍ ହୋଇଥିଲେ। ପରୀକ୍ଷା ପରିଚାଳନାକୁ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ୪୨ଟି ସ୍ପେଶାଲ ସ୍କ୍ବାଡ୍, ୭୨ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ଓ ଜିଲା ପ୍ରଶାସନ ସ୍ତରରେ ୧ଟି ଲେଖାଏ ସ୍ବତନ୍ତ୍ର ସ୍କ୍ବାଡ୍ ବ୍ୟବସ୍ଥା ହୋଇଛି। ସିସିଟିଭି ଜରିଆରେ ଆର୍ଟିଫିସିଆଲ ସର୍ଭିଲେନ୍ସ (ଏଆଇ) ଉପଯୋଗରେ ପରୀକ୍ଷା ପରିଚାଳନାକୁ ବୋର୍ଡ ମୁଖ୍ୟାଳୟରୁ ନିୟନ୍ତ୍ରଣ କରାଯାଉଛି। ମାଟ୍ରିକ ପରୀକ୍ଷା ସୂଚୀ ଅନୁଯାୟୀ, ଫେବୃୟାରୀ ୨୮ରେ ତୃତୀୟ ଭାଷା, ମାର୍ଚ୍ଚ ୨ରେ ସାଧାରଣ ବିଜ୍ଞାନ ଏବଂ ମାର୍ଚ୍ଚ ୪ରେ ସାମାଜିକ ବିଜ୍ଞାନ ବିଷୟ ପରୀକ୍ଷା ହେବ।
The post ପ୍ରଶ୍ନପତ୍ର ଭାଇରାଲକୁ କାହିଁକି ଅଟକା ଯାଇପାରୁନାହିଁ: ଗଣିତରେ କପି କରି ୫୧ ଧରାପଡ଼ିଲେ appeared first on Dharitri Odia News.