ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫାମେଳା ଆରମ୍ଭ: ୨୦ ହଜାର ଦର୍ଶକଙ୍କ ସମାଗମ

ବାଲିଚନ୍ଦ୍ରପୁର : ସନ୍ଥସାଧକ ମହାପୁରୁଷ ଅରକ୍ଷିତ ଦାସଙ୍କ ମହାପ୍ରୟାଣ ଦିବସ ତଥା ମାଘକୃଷ୍ଣ ଷଟତିଳା ଏକାଦଶୀ ତିଥି ଅବସରରେ ମଙ୍ଗଳବାର ଆରମ୍ଭ ହୋଇଛି ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫାମେଳା। ଅବିଭକ୍ତ କଟକ ଜିଲାର ପ୍ରମୁଖ ମେଳା ଭାବେ ପରିଚିତ ଏହି ମେଳାର ପ୍ରଥମ ଦିନରେ ୨୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମଙ୍ଗଳବାର ପ୍ରାତଃରୁ ମହାପୁରୁଷଙ୍କ ପବିତ୍ର ସମାଧି ମନ୍ଦିରରେ ମଠର ମହନ୍ତ ଡଃ ନାମନନ୍ଦ ଦାସ ସମସ୍ତ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହ […]

ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫାମେଳା ଆରମ୍ଭ: ୨୦ ହଜାର ଦର୍ଶକଙ୍କ ସମାଗମ

ବାଲିଚନ୍ଦ୍ରପୁର : ସନ୍ଥସାଧକ ମହାପୁରୁଷ ଅରକ୍ଷିତ ଦାସଙ୍କ ମହାପ୍ରୟାଣ ଦିବସ ତଥା ମାଘକୃଷ୍ଣ ଷଟତିଳା ଏକାଦଶୀ ତିଥି ଅବସରରେ ମଙ୍ଗଳବାର ଆରମ୍ଭ ହୋଇଛି ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫାମେଳା। ଅବିଭକ୍ତ କଟକ ଜିଲାର ପ୍ରମୁଖ ମେଳା ଭାବେ ପରିଚିତ ଏହି ମେଳାର ପ୍ରଥମ ଦିନରେ ୨୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ମଙ୍ଗଳବାର ପ୍ରାତଃରୁ ମହାପୁରୁଷଙ୍କ ପବିତ୍ର ସମାଧି ମନ୍ଦିରରେ ମଠର ମହନ୍ତ ଡଃ ନାମନନ୍ଦ ଦାସ ସମସ୍ତ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହ ମହାପୁରୁଷଙ୍କ ପ୍ରିୟ ଭୋଗ ପୋଡ଼ପିଠା ଲାଗି କରିଥିଲେ। ପରେ ସହସ୍ରାଧିକ ଶ୍ରଦ୍ଧାଳୁ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିର ଦର୍ଶନ କରିବା ସହ ଭୋଗ ଲଗାଇ କୃପା ଭିକ୍ଷା କରିଥିଲେ। ମାଘକୃଷ୍ଣ ଏକାଦଶୀ ତିଥିରେ ମହାପୁରୁଷଙ୍କ ସମାଧି ମନ୍ଦିର ଦର୍ଶନ ଶ୍ରୀକ୍ଷେତ୍ର ଦର୍ଶନର ଫଳ ସହ ସମାନ ବୋଲି ଶ୍ରଦ୍ଧାଳୁଙ୍କ ମନରେ ବିଶ୍ୱାସ ରହିଛି। ସେଥିପାଇଁ ବହୁ ମାନସିକଧାରୀ ମଙ୍ଗଳବାର ମହାପୁରୁଷଙ୍କ ସମାଧି ମନ୍ଦିର ଦର୍ଶନ କରିଥିଲେ। ମେଳା ଉପଲକ୍ଷେ ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁସନ୍ଥ ଆସି ମେଳାରେ ପହଞ୍ଚିଛନ୍ତି।

ମେଳା ପଡ଼ିଆରେ ଖୋଲାଯାଇଥିବା ହସ୍ତଶିଳ୍ପ ପ୍ରଦର୍ଶନୀ ଓ ପଲ୍ଲୀଶ୍ରୀ ମେଳା ଷ୍ଟଲ୍‌କୁ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଉଦଘାଟନ କରିଥିଲେ। ମେଳା ପଡ଼ିଆରେ ଚଳିତ ବର୍ଷ ହଜାରରୁ ଅଧିକ ଷ୍ଟଲ୍ ଖୋଲାଯାଇଛି। ମେଳାର ପ୍ରଥମ ଦିନରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ଜିଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ଯତୀନ୍ଦ୍ର ପ୍ରସାଦ ନାୟକ, ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମୀନତି ସେନାପତି, ଆତ୍ମା ଅଧ୍ୟକ୍ଷ ବିପିନ ବିହାରୀ ଜେନା, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ମେଳା ପରିଦର୍ଶନ କରିବା ସହ ମହାପୁରୁଷଙ୍କ ସମାଧି ମନ୍ଦିର ଦର୍ଶନ କରି ଆଶିଷ ଲାଭ କରିଥିଲେ।

ପ୍ରତିବର୍ଷ ପରି ମେଳାର ପ୍ରଥମ ଦିନରେ ଓଳାଶୁଣୀ ଗୁମ୍ଫା ଉନ୍ନୟନ ପରିଷଦ ପକ୍ଷରୁ ପୀଠର ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଶୃଙ୍ଖଳା ରକ୍ଷା ନିମନ୍ତେ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଯାଜପୁର ରୋଡ୍‌ ଏସଡିପିଓ, ୪ ଜଣ ଇନ୍ସପେକ୍ଟର, ୧୦ ଜଣ ଏସଆଇ, ୧୯ ଜଣ ଏଏସଆଇଙ୍କ ସମେତ ୯ ପ୍ଲାଟୁନ ପୁଲିସ ବଳ ନିଯୋଜିତ ହୋଇଥିବା ନେଇ ବାଲିଚନ୍ଦ୍ରପୁର ଥାନାଧିକାରୀ ପ୍ରମୋଦିନୀ ସାହୁ ସୂଚନା ଦେଇଛନ୍ତି।