ପ୍ରାର୍ଥୀ କିଏ ଆମେ ଜାଣିନୁ
ଭୁବନେଶ୍ୱର,୧୫ା୫(ଅନିଲ ଦାସ):କେଉଁ ଦଳର କିଏ ଏମ୍ପି ଓ ବିଧାୟକ ପ୍ରାର୍ଥୀ ଆମେ ତାଙ୍କ ନଁା ଜାଣିନୁ। ଚିହ୍ନ ଦେଖି ଭୋଟ ଦେଉଛୁ। ଏଥର ବି ଦେବୁ। ଆମକୁ ଯିଏ ଚାଉଳ, ଭତ୍ତା ଦେଉଛି, ଆମେ ତାଙ୍କୁ ଭୋଟ ଦେଉଛୁ। ଏଥର ବି ସେୟା କରିବୁ। ବସ୍ତି ଅଞ୍ଚଳରେ ରହୁଥିବା କେତେକ ମତଦାତାଙ୍କଠାରୁ ଏଭଳି ଉତ୍ତର ଶୁଣିବା ପରେ ନିର୍ବାଚନରେ କେବଳ ଚିହ୍ନକୁ ନେଇ ଲଢ଼େଇ ଜୋରଦାର ହେଉଥିବା ସୂଚନା ମିଳୁଛି। ରାଜଧାନୀ ଭୁବନେଶ୍ୱରରେ ଲୋକ ସଭା ଓ […] The post ପ୍ରାର୍ଥୀ କିଏ ଆମେ ଜାଣିନୁ appeared first on Dharitri Odia News.
ଭୁବନେଶ୍ୱର,୧୫ା୫(ଅନିଲ ଦାସ):କେଉଁ ଦଳର କିଏ ଏମ୍ପି ଓ ବିଧାୟକ ପ୍ରାର୍ଥୀ ଆମେ ତାଙ୍କ ନଁା ଜାଣିନୁ। ଚିହ୍ନ ଦେଖି ଭୋଟ ଦେଉଛୁ। ଏଥର ବି ଦେବୁ। ଆମକୁ ଯିଏ ଚାଉଳ, ଭତ୍ତା ଦେଉଛି, ଆମେ ତାଙ୍କୁ ଭୋଟ ଦେଉଛୁ। ଏଥର ବି ସେୟା କରିବୁ। ବସ୍ତି ଅଞ୍ଚଳରେ ରହୁଥିବା କେତେକ ମତଦାତାଙ୍କଠାରୁ ଏଭଳି ଉତ୍ତର ଶୁଣିବା ପରେ ନିର୍ବାଚନରେ କେବଳ ଚିହ୍ନକୁ ନେଇ ଲଢ଼େଇ ଜୋରଦାର ହେଉଥିବା ସୂଚନା ମିଳୁଛି।
ରାଜଧାନୀ ଭୁବନେଶ୍ୱରରେ ଲୋକ ସଭା ଓ ବିଧାନସଭା ଆସନ ନିର୍ବାଚନ ପାଇଁ ପ୍ରଚାର ସରଗରମ ରହିଛି। ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସକୁ ବାଦ୍ ଦେଲେ ବାମପନ୍ଥୀ, ସ୍ବାଧୀନ ପ୍ରାର୍ଥୀ ମଧ୍ୟ ମଇଦାନରେ ଅଛନ୍ତି। ଖରାକୁ ଦେଖି ପ୍ରାର୍ଥୀମାନେ ନିଜ ସମର୍ଥକଙ୍କୁ ଧରି ସକାଳ ୭ଟାରୁ ପ୍ରଚାରକୁ ବାହାରି ଯାଉଛନ୍ତି। ପୂର୍ବାହ୍ନ ୧୧ଟା ସୁଦ୍ଧା ଫେରି ଆସୁଛନ୍ତି। ପୁଣି ଖରା ନରମିବା ପରେ ଅପରାହ୍ନ ୪ଟାରୁ ରାତି ୧୦ ଯାଏ ଦୁଆର ଦୁଆର ବୁଲି ପ୍ରଚାର ସହ ରୋଡ୍ ଶୋ’ କରି ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ ଚଳାଇଛନ୍ତି। ଘର ଘର ବୁଲିଲେ ମଧ୍ୟ ରାଜନୀତିକୁ ନେଇ ଲୋକଙ୍କ ମନରେ ସେଭଳି ଉତ୍ସାହ ଦେଖିବାକୁ ମିଳୁନାହିଁ।
ଏ ସମ୍ପର୍କରେ ଧରିତ୍ରୀ ପକ୍ଷରୁ ଭୁବନେଶ୍ୱର-ଉତ୍ତର ନିର୍ବାଚନମଣ୍ଡଳୀର କେତେକ ସ୍ଥାନରୁ ଭୋଟରଙ୍କଠାରୁ ନିର୍ବାଚନକୁ ନେଇ ମତାମତ ସଂଗ୍ରହ କରାଯାଇଛି। ତେବେ କୌତୂହଳର ବିଷୟ ଅଧିକାଂଶ ଭୋଟର ନିର୍ବାଚନ ଲଢୁଥିବା ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ନାମ ଜାଣି ନ ଥିବା କହିଛନ୍ତି। ସେମାନେ କେବଳ ଶଙ୍ଖ ଚିହ୍ନ ଓ ପଦ୍ମ ଚିହ୍ନକୁ ନେଇ ମତ ରଖୁଛନ୍ତି। ଭୋଟ ଦେବାକୁ ପ୍ରସ୍ତୁତ ହେଉଥିବା ମତଦାତା ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି ସତ, ହେଲେ ଯେଉଁ ପ୍ରାର୍ଥୀମାନଙ୍କୁ ସେମାନେ ଭୋଟ ଦେବାକୁ ଯାଉଛନ୍ତି ସେମାନଙ୍କର କାମ କ’ଣ ଓ ନିର୍ବାଚିତ ହେବା ପରେ କ’ଣ କରିବେ ସେ ସମ୍ପର୍କରେ ମଧ୍ୟ ସଚେତନ ନାହାନ୍ତି। ଅଧିକାଂଶ ମତଦାତା କହିଛନ୍ତି, ଯିଏ ଆମର ଭଲ କରିବ ଆମେ ତାକୁ ଭୋଟ ଦେବୁ। ତେବେ ଯେଉଁ ବିଧାୟକ କିମ୍ବା ଏମ୍ପି ଆଗରୁ ଥିଲେ ସେମାନେ କ’ଣ କରିଛନ୍ତି। ଏହାର ଉତ୍ତରରେ ମିଳୁଛି କିଏ କ’ଣ କରିଥିବେ ଆମେ ଜାଣିନୁ। ଯାହାକୁ ହେଲେ ଭୋଟ ଦେବାକୁ ହେବ ବୋଲି ଏମାନେ କହିଛନ୍ତି।
ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚକେଇସିହାଣି କେନାଲ କଡ଼ ବସ୍ତିରେ ରହୁଥିବା ବାସନ୍ତୀ ସାହୁ କହିଛନ୍ତି, ଗତ ୨୦ ବର୍ଷ ହେବ ଆମେ ଏଠି ରହୁଛୁ। ଭୋଟ ଦେଉଛୁ। ଆମେ ପଚାରିଥିଲୁ ଏଠାରେ କେଉଁ ଏମ୍ପି ଓ ବିଧାୟକ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସେ କହିଥିଲେ ମୁଁ କହିପାରିବି ନାହଁି। ନବୀନ ପଟ୍ଟନାୟକଙ୍କୁ ଆମେ ଭୋଟ ଦେବୁ। ସେ ଆମକୁ ଚାଉଳ ଦେଉଛନ୍ତି। ଏମ୍ପି, ବିଧାୟକ ଯିଏ ଥିଲେ ଆପଣଙ୍କ ପାଇଁ କ’ଣ କାମ କରିଛନ୍ତି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଆମେ ତାଙ୍କୁ ଚିହ୍ନିନୁ। କିନ୍ତୁ ଚିହ୍ନକୁ ଦେଖି ଭୋଟ ଦେବୁ।
ସେହିପରି ନୟାଗଡ଼ର ଚୈତନ୍ୟ ନାୟକ କହିଛନ୍ତି, ମୁଁ ଏଠାରେ ୪୦ ବର୍ଷ ହେବ ରହୁଛି। କେତେଥର ଭୋଟ ଦେଲିଣି। ଭୋଟ ବେଳେ ନେତାମାନେ ଆସୁଛନ୍ତି। ତା’ପରେ ଦେଖାନାହିଁ। କିଏ କ’ଣ କାମ କରୁଛନ୍ତି ଆମେ ଜାଣିନୁ। ଭୋଟ ତ ଦେବାକୁ ହେବ। ଆମେ କେବଳ ନବୀନ ପଟ୍ଟନାୟକ ଓ ମୋଦିଙ୍କୁ ଚିହ୍ନିଛୁ। କିଏ ଏମ୍ପି, କିଏ ବିଧାୟକ ଆମେ ଜାଣିନୁ। ଚିହ୍ନ ଦେଖି ଭୋଟ ଦେଉଛୁ।
ଭିଏସ୍ଏସ୍ ନଗର ବାସିନ୍ଦା ତଥା ଶିକ୍ଷାବିତ୍ ରାମଚନ୍ଦ୍ର ସ୍ବାଇଁ କହିଛନ୍ତି, ଭୋଟ ଦେବା ଆମର ସାମ୍ବିଧାନିକ ଅଧିକାର। ଲୋକମାନଙ୍କ ପାଇଁ କାମ କରୁଥିବା ପ୍ରାର୍ଥୀଙ୍କୁ ବାଛିବା ଦରକାର। ମୁଁ ଜଣେ ସଚେତନ ନାଗରିକ ହିସାବରେ ଭୋଟ ଦେଇ ଆସୁଛି। ବିଜେଡି, କଂଗ୍ରେସ ଓ ଭାଜପା ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ମୁଖ୍ୟତଃ ବିଜେଡି ଓ ଭାଜପା ପ୍ରାର୍ଥୀଙ୍କୁୁ ଲୋକ ବାଛିବେ। ଆଜିକାଲି ଆଉ ଲୋକମାନେ ପ୍ରାର୍ଥୀ ଦେଖୁନାହାନ୍ତି। ଦଳ ଓ ଚିହ୍ନ ଦେଖି ଭୋଟ ଦେଉଛନ୍ତି। ତେବେ ରାଜ୍ୟ ଓ କେନ୍ଦ୍ରରେ ଯେଉଁମାନେ ଶାସନ କରୁଛନ୍ତି ସେମାନେ ପୁଣି କ୍ଷମତାକୁ ଫେରି ପାରନ୍ତି ବୋଲି ସେ କହିଛନ୍ତି।
The post ପ୍ରାର୍ଥୀ କିଏ ଆମେ ଜାଣିନୁ appeared first on Dharitri Odia News.