ପ୍ରେମିକାକୁ ବିଦେଶ ପଠାଇଦେବାରୁ ତାଙ୍କ ବାପାଙ୍କୁ ଗୁଳି କରିଦେଲେ ପ୍ରେମିକ

ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ଏହାକୁ ଭାଙ୍ଗିବା ପାଇଁ ବଲବିନ୍ଦରଙ୍କ ପ୍ରେମିକାଙ୍କୁ ତାଙ୍କ ବାପା ଆମେରିକା ପଠାଇ ଦେଇଥିଲେ। ଏହା ଜାଣିବା ପରେ ରାଗି ଯାଇଥିଲା ବଲବିନ୍ଦର।

ପ୍ରେମିକାକୁ ବିଦେଶ ପଠାଇଦେବାରୁ ତାଙ୍କ ବାପାଙ୍କୁ ଗୁଳି କରିଦେଲେ ପ୍ରେମିକ

ପ୍ରେମ ସମ୍ପର୍କ ଭାଙ୍ଗିବା ପାଇଁ ଝିଅକୁ ବିଦେଶ ପଠାଇଦେଲା ବାପା। ବାସ୍‌ ଏତିକିରେ ରାଗିଗଲା ପ୍ରେମିକ। ଗାର୍ଲଫ୍ରେଣ୍ଡକୁ ବିଦେଶ ପଠାଇ ଦେବାରୁ ରାଗି ଯାଇ ତାଙ୍କ ବାପାଙ୍କ ଉପରକୁ କଲା ଗୁଳିମାଡ଼। ଏଭଳି କିଛି ଘଟଣା ଘଟିଛି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ।

ଏଠାକାର ଜଣେ ଯୁବକ ଗାର୍ଲଫ୍ରେଣ୍ଡର ବାପାଙ୍କ ଗୁଳିମାଡ଼ କରିଛି। ଏହି ମାମଲାରେ ପୁଲିସ ଜଣେ ୨୫ ବର୍ଷୀୟ ବଲବିନ୍ଦର ସିଂହଙ୍କୁ ଗିରଫ କରିଛି। ସୂଚନା ମୁତାବକ, ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ଏହାକୁ ଭାଙ୍ଗିବା ପାଇଁ ବଲବିନ୍ଦରଙ୍କ ପ୍ରେମିକାଙ୍କୁ ତାଙ୍କ ବାପା ଆମେରିକା ପଠାଇ ଦେଇଥିଲେ। ଏହା ଜାଣିବା ପରେ ରାଗି ଯାଇଥିଲା ବଲବିନ୍ଦର।

ରବିବାର ପ୍ରେମିକାର ବାପାଙ୍କୁ ଭେଟିବା ପାଇଁ ବଲବିନ୍ଦର ସେ ରହୁଥିବା ଆପାର୍ଟମେଣ୍ଟକୁ ଯାଇଥିଲା। ତେବେ ଗାର୍ଲଫ୍ରେଣ୍ଡର ବାପା ଓ ବଲବିନ୍ଦର ଭିତରେ ଏହାକୁ ନେଇ ବେଶ୍‌ ଯୁକ୍ତିତର୍କ ହୋଇଥିଲା। ପରେ ରାଗିଯାଇ ବଲବିନ୍ଦର ପ୍ରେମିକାର ବାପାଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଲେ ୫୭ ବର୍ଷିୟ ରେବନ୍ତ ଆନନ୍ଦ। ତାଙ୍କ ଆଖିରେ ଆଘାତ ଲାଗିଛି। କେବଳ ସେତିକି ନୁହେଁ ଗୁଳିମାଡ଼ ଯୋଗୁ ତାଙ୍କ କାର୍‌ର କାଚ ମଧ୍ୟ ଭାଙ୍ଗି ଯାଇଛି।

ସେପଟେ ଏହି ପୂରା ମାମଲା ସିସିଟିଭିରେ କଏଦ ହୋଇଛି। ଫୁଟେଜରେ ବଲବିନ୍ଦର ହାତରେ ଏୟାର ଗନ୍‌ ଧରି ବିଲଡିଂ ପରିସରରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଗୁଳିମାଡ଼ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। କିନ୍ତୁ ବିଏନଏସର ଧାରା ୧୦୯ (ହତ୍ୟା ଉଦ୍ୟମ) ଅନୁଯାୟୀ ମାମଲା ରୁଜୁ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି।

ବଲବିନ୍ଦର ପ୍ରେମ ନାଁରେ ତାଙ୍କ ଝିଅକୁ ହଇରାଣ କରୁଥିଲା। ଏହାକୁ ନେଇ ନିକଟରେ ତାଙ୍କ ପାଟି ତୁଣ୍ଡ ମଧ୍ୟ ହୋଇଥିବା ରେବନ୍ତ ଆନନ୍ଦ ନିଜ ଅଭିଯୋଗରେ କହିଛନ୍ତି। ପୁଲିସ ମାମଲାର ତଦନ୍ତ ଜାରି ରଖିଛି।