ପ୍ରୋଗ୍ରେସ ରିପୋର୍ଟ
ଭାରତୀୟ ସଂଘୀୟ ବ୍ୟବସ୍ଥାରେ ପ୍ରତି ୫ ବର୍ଷରେ ଲୋକ ସଭା, ବିଧାନସଭା, ପଞ୍ଚାୟତ ଓ ପୌର ଆଦି ନିର୍ବାଚନ ହେବାର ବ୍ୟବସ୍ଥା ରହିଛି। ସ୍ବାଧୀନତା ପରେ ସେଗୁଡ଼ିକ ଏକ ସଙ୍ଗେ ହେଉଥିଲା। ବିଭିନ୍ନ ରାଜନୈତିକ କାରଣ ହେତୁ ସେହି ବ୍ୟବସ୍ଥା ୨ ଦଶନ୍ଧି ପରେ ଅର୍ଥାତ୍ ୧୯୬୭ରୁ ଭାଙ୍ଗିବାକୁ ଆରମ୍ଭ କଲା। କାରଣ ଭାବେ ଦେଖିବାକୁ ଗଲେ କେତୋଟି ନିର୍ବାଚନ ପରେ କୌଣସି ଗୋଟିଏ ଦଳ ଗୃହରେ ସଂଖ୍ୟାଗରିଷ୍ଠତା ହାସଲ କରି ନ ପାରିବା ହେତୁ ମିଳିତ […] The post ପ୍ରୋଗ୍ରେସ ରିପୋର୍ଟ appeared first on Dharitri Odia News.
ଭାରତୀୟ ସଂଘୀୟ ବ୍ୟବସ୍ଥାରେ ପ୍ରତି ୫ ବର୍ଷରେ ଲୋକ ସଭା, ବିଧାନସଭା, ପଞ୍ଚାୟତ ଓ ପୌର ଆଦି ନିର୍ବାଚନ ହେବାର ବ୍ୟବସ୍ଥା ରହିଛି। ସ୍ବାଧୀନତା ପରେ ସେଗୁଡ଼ିକ ଏକ ସଙ୍ଗେ ହେଉଥିଲା। ବିଭିନ୍ନ ରାଜନୈତିକ କାରଣ ହେତୁ ସେହି ବ୍ୟବସ୍ଥା ୨ ଦଶନ୍ଧି ପରେ ଅର୍ଥାତ୍ ୧୯୬୭ରୁ ଭାଙ୍ଗିବାକୁ ଆରମ୍ଭ କଲା। କାରଣ ଭାବେ ଦେଖିବାକୁ ଗଲେ କେତୋଟି ନିର୍ବାଚନ ପରେ କୌଣସି ଗୋଟିଏ ଦଳ ଗୃହରେ ସଂଖ୍ୟାଗରିଷ୍ଠତା ହାସଲ କରି ନ ପାରିବା ହେତୁ ମିଳିତ ସରକାର ଗଢ଼ି ଉଠିଲା; ଯେଉଁଗୁଡ଼ିକର ଆୟୁଷ ଅଳ୍ପ କିଛି ମାସ କିମ୍ବା ବର୍ଷେ ଦୁଇ ବର୍ଷ ରହିଲା। ଏହିଭଳି ଘଟଣା ଧୀରେ ଧୀରେ ଆରମ୍ଭର ଏହି ଉଦ୍ଦେଶ୍ୟକୁ ଧ୍ୱଂସ କରିଦେଇପାରିଲା। ସେଥିପାଇଁ ଯେତେବେଳେ କୌଣସି ଦିଗରୁ ଏକସଙ୍ଗେ ନିର୍ବାଚନ ଡାକରା ଦିଆଯାଉଛି, ସେତେବେଳେ ଆମକୁ ମନେରଖିବାକୁ ହେବ ଯେ, ଭାରତୀୟ ରାଜନୀତିରେ ପୁନର୍ବାର ଅସ୍ଥିରତା ସୃଷ୍ଟିହେବାର ସବୁ ଲକ୍ଷଣ ବଞ୍ଚି ରହିଛି। ଏହା ସତ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକସଙ୍ଗେ ନିର୍ବାଚନ କରାଇବାକୁ ଡକରା ତାଙ୍କ ପ୍ରଥମ ପାଳିରୁ ଆଜି ପର୍ଯ୍ୟନ୍ତ ଦେଇ ଆସୁଛନ୍ତି। ଏବେ ପୁନର୍ବାର ସେହି ଦାବି ଉଠିବା ପଛରେ ଅନେକ କାରଣ ଥାଇପାରେ। ସ୍ବୀକାର କରିବାକୁ ହେବ ଯେ, ୨୦୧୯ରେ ଜମ୍ମୁକଶ୍ମୀରରୁ ଧାରା ୩୭୦କୁ ଅକାମୀ କରିବା ଏବଂ ୨୨ ଜାନୁଆରୀରେ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା କରିବା ପରେ ଭାଜପା ଓ ତାହା ପଛରେ ଥିବା ବିଭିନ୍ନ ହିନ୍ଦୁତ୍ୱବାଦୀ ସଂଗଠନଗୁଡ଼ିକର ମୁଖ୍ୟ ଇଚ୍ଛା ଏକ ପ୍ରକାର ପୂରଣ ହୋଇଗଲାଣି। ଅବଶ୍ୟ ଏକକ ନାଗରିକ ସଂହିତା( ୟୁନିଫର୍ମ ସିଭିଲ କୋଡ୍) ବାକି ଥିବା ସତ୍ତ୍ୱେ ତାହାର ରାଜନୈତିକ ଓଜନ ମନ୍ଦିିର କିମ୍ବା ଧାରା ୩୭୦ ଭଳିଆ ହୋଇପାରିବ ନାହିଁ। ସେଥିପାଇଁ ହୁଏତ ମନ୍ଦିରର ଉଷ୍ମତା ଥିବାବେଳେ ସବୁ ନିର୍ବାଚନ କରାଇନେବାର ଇଚ୍ଛା ପ୍ରକାଶ ପାଉଥାଇପାରେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ରରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ଅଗଷ୍ଟ ୨୦୧୮ରେ ଲ’କମିଶନ ସବୁ ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନକୁ ଏକାବେଳେ କରିବା ସକାଶେ ଏକ ଡ୍ରାଫ୍ଟ ରିପୋର୍ଟ ବା ଚିଠା ପ୍ରସ୍ତାବ ପ୍ରକାଶ କରି ସମ୍ବିଧାନରେ ଆବଶ୍ୟକ ସଂଶୋଧନ କରିବାକୁ ମତ ରଖିଥିଲା। ପରେ କେନ୍ଦ୍ର ସରକାର ୨ ସେପ୍ଟେମ୍ବର ୨୦୨୩ରେ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିବା ସହ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଥିଲେ। ବର୍ତ୍ତମାନ ସ୍ଥିତିରେ ଏହି କମିଟିକୁ ନାଗରିକଙ୍କଠାରୁ ୨୧,୦୦୦ ପ୍ରସ୍ତାବ ମିଳିବା ସହ ଏଥିରେ ୮୧% ଏକ ସଙ୍ଗେ ନିର୍ବାଚନ କରିବା ସପକ୍ଷରେ ମତ ଦେଇଛନ୍ତି ବୋଲି ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି। ଅବଶ୍ୟ ଏହି ପ୍ରତିଶତ ପରିମାଣର ସତ୍ୟାସତ୍ୟ ଜାଣିବା ଅସମ୍ଭବ। ତତ୍ସହିତ କୋବିନ୍ଦଙ୍କ ନେତୃତ୍ୱାଧୀନ ଏହି କମିଟି କେଉଁ ସବୁ ପ୍ରକାର ନାଗରିକଙ୍କଠାରୁ ମତ ସଂଗ୍ରହ କରିଥିଲେ ତାହା ସ୍ପଷ୍ଟ କରାଯାଇନାହିଁ। ୪୬ଟି ରାଜନୈତିକ ଦଳଠାରୁ ପ୍ରସ୍ତାବ ମଗାଯାଇଥିବାବେଳେ ଏଯାବତ୍ ୧୭ଟି ଦଳ ସେମାନଙ୍କ ମତାମତ ଜଣାଇଛନ୍ତି। ଅଧିକାଂଶ ଦଳ କାହିଁକି ନିଜର ମତ ଦେବାକୁ ଅନିଚ୍ଛୁକ ତାହା ଅନୁମେୟ। ଗୁରୁତ୍ୱପୂର୍ଣ୍ଣ ହେଉଛି ସରକାର ପ୍ରଥମରୁ ଏକସଙ୍ଗେ ନିର୍ବାଚନ ସପକ୍ଷରେ ଯୁକ୍ତି କରୁଛନ୍ତି ଯେ,ଏଥିରେ ସରକାରୀ ଅର୍ଥ ବ୍ୟୟ କମ୍ ହେବ ଓ ସୁରୁଖୁରୁରେ ବିକାଶମୂଳକ କାର୍ଯ୍ୟ ହୋଇପାରିବ । କିନ୍ତୁ ଏକ ସଙ୍ଗେ ନିର୍ବାଚନ ହେଲେ ଖର୍ଚ୍ଚ କମିବ ନାହିଁ ବୋଲି ନିର୍ବାଚନ କମିିଶନ କହି ସାରିଛନ୍ତି। ଏହାବାଦ୍ ଚଳିତ ମାସ ୨୦ରେ ଏକକାଳୀନ ନିର୍ବାଚନରେ ନୂଆ ଇଭିଏମ୍ କିଣିବା ଲାଗି ପ୍ରତି ୧୫ ବର୍ଷରେ ୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନିର୍ବାଚନ କମିଶନ ସରକାରଙ୍କୁ ଅବଗତ କରିଦେଇଛନ୍ତି। ତେବେ ନିର୍ବାଚନ ବାସ୍ତବତାକୁ ଲକ୍ଷ୍ୟ କଲେ ଦେଖାଯାଏ ଗୋଟିଏ ରାଜ୍ୟରେ ନିର୍ବାଚନ କରିବା ଲାଗି ପ୍ରାୟ ଦେଢ଼ ମାସ ସମୟ ଲାଗି ଯାଉଛି। ସେହି ଭଳି ଏକ ସଙ୍ଗେ ସବୁ ରାଜ୍ୟ ସହ କେନ୍ଦ୍ରର ନିର୍ବାଚନ ସୁରୁଖୁରୁରେ କରିବା କେତେ ଦିନ ଲାଗିକ ତାହା କହିବା କଷ୍ଟକର। ଏହା ବ୍ୟତୀତ ନିର୍ବାଚନରେ ସେହି ରାଜ୍ୟର ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ଲଗାଯାଇଥାଏ, କିନ୍ତୁ ସୁରକ୍ଷା ବ୍ୟବସ୍ଥା ପାଇଁ ବିଭିନ୍ନ ରାଜ୍ୟରେ ଥିବା ପାରାମିଲିଟାରୀ ଫୋର୍ସକୁ ଆଣି ମୁତୟନ କରିବାକୁ ହୁଏ। ଇଭିଏମ୍ ଜଗିବାଠାରୁ ଆରମ୍ଭ କରି ଅନ୍ୟ ବ୍ୟବସ୍ଥାରେ ବି ଏମାନଙ୍କ ଉପସ୍ଥିତି ଲୋଡ଼ା। ତେବେ ଏକ ସଙ୍ଗେ ନିର୍ବାଚନ କରିବାରେ ଏସବୁ କିଭଳି ସଞ୍ଚାଳନ କରାଯାଇପାରିବ ଏବଂ ଖର୍ଚ୍ଚ କିଭଳି ଭାବେ ହ୍ରାସ ପାଇବ ତାହା କେହି ବୁଝାଇପାରିବେ ନାହିଁ।
ଭାରତୀୟ ସଂଘୀୟ ବ୍ୟବସ୍ଥା ପ୍ରତି ପ୍ରତିବଦ୍ଧ ବହୁ ନାଗରିକ ଓ ରାଜନୈତିକ ବିଶେଷଜ୍ଞ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ନିର୍ବାଚନରେ ପ୍ରଚାର ପ୍ରସଙ୍ଗ ଓ ଗଣତାନ୍ତ୍ରିକ ପସନ୍ଦ ଭିନ୍ନ ହୋଇଥିବାରୁ ଅଲଗା ନିର୍ବାଚନ ସପକ୍ଷରେ ମତ ରଖନ୍ତି। ଏହା ସ୍ବାଗତଯୋଗ୍ୟ। କାରଣ ନିର୍ବାଚନ ପ୍ରଚାରରେ ଦେଶ ଓ ରାଜ୍ୟ ସ୍ତରରେ ପ୍ରସଙ୍ଗ ଭିନ୍ନ ରହିଥାଏ। ସେହି ଆଧାରରେ ପ୍ରାର୍ଥୀମାନେ ଭୋଟ ଭିକ୍ଷାକରିବା ଦରକାର। ଯେତେବେଳେ ଭିନ୍ନ ଭିନ୍ନ ସମୟରେ ଛେକ ଛେକରେ ନିର୍ବାଚନ ହେଉଛି ସେତେବେଳେ ଶାସନ କରୁଥିବା ଦଳଗୁଡ଼ିକର ‘ପ୍ରୋଗ୍ରେସ ରିପୋର୍ଟ’ ଜନ ସାଧାରଣ ଲେଖୁଛନ୍ତି। ଭଲ କାମ କରିଥିଲେ ସମର୍ଥନ ମିଳୁଛି ଏବଂ ନାପସନ୍ଦ ହେଲେ ପରାଜୟ ମଧ୍ୟ ଘଟୁଛି। ଅବଶ୍ୟ ଇଭିଏମ୍ରେ ଯଦି କୌଣସି ଯାନ୍ତ୍ରିକ ବା ଇଲେକ୍ଟ୍ରୋନିକ କାରସାଦି କରାଯାଇପାରୁଛି, ତେବେ ତାହା ମୁଖ୍ୟତଃ ସରକାରୀ କର୍ମଚାରୀଙ୍କ ସାହାଯ୍ୟରେ କ୍ଷମତାସୀନ ଦଳ କରିପାରିବ। ଏଥିସହିତ ଯେହେତୁ ଇଲେକ୍ଶନ କମିଶନ ଏବେ କେନ୍ଦ୍ର ସରକାରଙ୍କ ହାତମୁଠାକୁ ଚାଲିଗଲାଣି, ସେଥିପାଇଁ ଏହି ଭୋଟ ଯନ୍ତ୍ରରେ ଅନିୟମିତତା କରିବା କେବଳ ଗୋଟିଏ ଦଳ ପାଇଁ ସମ୍ଭବପର ବୋଲି ସ୍ପଷ୍ଟ ବୁଝାପଡ଼ୁଛି।
ଶେଷରେ କୁହାଯାଇପାରିବ ଯେ, ୨୦୨୪ରେ ଏକ ସଙ୍ଗେ ନିର୍ବାଚନ କରାଇବା ଆଉ ସମ୍ଭବ ହେବ ନାହିଁ। ଅନେକ ସାମ୍ବିଧାନିକ ସଂଶୋଧନ ଆଣିବା ପରେ ହୁଏତ ତାହା ସମ୍ଭବପର ହୋଇପାରେ। ସେଥିପାଇଁ ଦେଖିବାକୁ ଅପେକ୍ଷା କରିବା ଭବିଷ୍ୟତରେ କେଉଁଭଳି ମୋଡ଼ ନେଉଛି ଏହି ଦାବି।
The post ପ୍ରୋଗ୍ରେସ ରିପୋର୍ଟ appeared first on Dharitri Odia News.