ପ୍ରୋଟିନ୍‌ ଗବେଷଣାରେ ନୂତନ ଦିଗନ୍ତ

ପ୍ରୋଟିନ୍‌ଗୁଡ଼ିକ ହେଲେ ବିଶାଳ ଏବଂ ଜଟିଳ ଅଣୁ, ଯାହାକି ପ୍ରାୟ ସମସ୍ତ ଜୈବିକ କ୍ରିୟା ପ୍ରକ୍ରିୟା ଲାଗି ଅତ୍ୟାବଶ୍ୟକ। ଏହା ହର୍‌ମୋନ୍‌, ଏଞ୍ଜାଇମ୍‌, ପ୍ରତିପିଣ୍ଡ, ଶରୀରର ବିଭିନ୍ନ ତନ୍ତୁ ଗଠନକାରୀ ଉପାଦାନ ଆଦି ରୂପେ କାର୍ଯ୍ୟ କରି ସାମଗ୍ରିକ ଭାବେ ଜୀବନର ମୂଳଭିତ୍ତି ହୋଇଥିବା ରାସାୟନିକ ପ୍ରକ୍ରିୟାଗୁଡ଼ିକୁ ନିୟନ୍ତ୍ରଣ ଓ ପରିଚାଳନା କରନ୍ତି। ମାତ୍ର ୨୦ଟି ଆମିନୋ ଅମ୍ଳରୁ ଗଠିତ ହଜାର ହଜାର ସଂଖ୍ୟକ ପ୍ରୋଟିନ୍‌ କ୍ରିୟାକଳାପ ସେଗୁଡ଼ିକର ସଂରଚନା ଉପରେ ନିର୍ଭର କରେ। ତେଣୁ ତାହାର […] The post ପ୍ରୋଟିନ୍‌ ଗବେଷଣାରେ ନୂତନ ଦିଗନ୍ତ appeared first on Dharitri Odia News.

ପ୍ରୋଟିନ୍‌ ଗବେଷଣାରେ ନୂତନ ଦିଗନ୍ତ

ପ୍ରୋଟିନ୍‌ଗୁଡ଼ିକ ହେଲେ ବିଶାଳ ଏବଂ ଜଟିଳ ଅଣୁ, ଯାହାକି ପ୍ରାୟ ସମସ୍ତ ଜୈବିକ କ୍ରିୟା ପ୍ରକ୍ରିୟା ଲାଗି ଅତ୍ୟାବଶ୍ୟକ। ଏହା ହର୍‌ମୋନ୍‌, ଏଞ୍ଜାଇମ୍‌, ପ୍ରତିପିଣ୍ଡ, ଶରୀରର ବିଭିନ୍ନ ତନ୍ତୁ ଗଠନକାରୀ ଉପାଦାନ ଆଦି ରୂପେ କାର୍ଯ୍ୟ କରି ସାମଗ୍ରିକ ଭାବେ ଜୀବନର ମୂଳଭିତ୍ତି ହୋଇଥିବା ରାସାୟନିକ ପ୍ରକ୍ରିୟାଗୁଡ଼ିକୁ ନିୟନ୍ତ୍ରଣ ଓ ପରିଚାଳନା କରନ୍ତି। ମାତ୍ର ୨୦ଟି ଆମିନୋ ଅମ୍ଳରୁ ଗଠିତ ହଜାର ହଜାର ସଂଖ୍ୟକ ପ୍ରୋଟିନ୍‌ କ୍ରିୟାକଳାପ ସେଗୁଡ଼ିକର ସଂରଚନା ଉପରେ ନିର୍ଭର କରେ। ତେଣୁ ତାହାର ଅଧ୍ୟୟନ ଅତି ଗୁରୁତ୍ୱପୂର୍ଣ୍ଣ। ଦୀର୍ଘବର୍ଷ ଧରି ବୈଜ୍ଞାନିକମାନେ ଏହା କରି ଆସୁଛନ୍ତି। ପ୍ରୋଟିନ୍‌ ବିକାଶ କ୍ଷେତ୍ରରେ ନୂତନ ଦିଗ୍‌ଦର୍ଶନ ଲାଗି ଇଂଲଣ୍ଡର ଗୁଗୁଲ୍‌ ଡିପ୍‌ ମାଇଣ୍ଡର ଡେମିସ୍‌ ହାସାବିସ୍‌ ଓ ଜନ୍‌ ଜୁମ୍ପର ଏବଂ ଓ୍ବାଶିଂଟନ୍‌ ବିଶ୍ୱବିଦ୍ୟାଳୟର ଡାଭିଡ୍‌ ବେକର୍‌ ଚଳିତ ବର୍ଷ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସେମାନେ ତାଙ୍କ ଗବେଷଣା ମାଧ୍ୟମରେ କୃତ୍ରିମ ମେଧା ସମେତ ଅନ୍ୟାନ୍ୟ ଅତ୍ୟାଧୁନିକ ବୈଷୟିକ କୌଶଳ ବ୍ୟବହାର କରି ପ୍ରୋଟିନ୍‌ମାନ ଉଦ୍ଭାବନ କରିବାରେ ସଫଳ ହୋଇପାରିଛନ୍ତି। ଏହାଫଳରେ ପ୍ରୋଟିନ୍‌ ଗବେଷଣାରେ ସୃଷ୍ଟି ହୋଇଛି ଏକ ନୂତନ ଦିଗନ୍ତ। ନୋବେଲ ପୁରସ୍କାର କମିଟିର ଘୋଷଣା ଅନୁସାରେ ଏହି ପୁରସ୍କାର ରାଶିର ଅର୍ଦ୍ଧେକ ରାଶି ହାସାବିସ୍‌ ଏବଂ ଜୁମ୍ପର ଏବଂ ଅପର ଅର୍ଦ୍ଧେକ ରାଶି ବେକର୍‌ ପ୍ରାପ୍ତ ହେବେ।
ପୁରସ୍କାର ବିଜୟୀ ଗବେଷଣା : ହାସାବିସ୍‌ ଏବଂ ଜୁମ୍ପର ଗୁଗୁଲ ଡିପ୍‌ ମାଇଣ୍ଡର କୃତ୍ରିମ ମେଧା ବିଜ୍ଞାନାଗାରରେ କାର୍ଯ୍ୟକରି ‘ଆଲ୍‌ଫା ଫୋଲ୍‌ଡ’ ନାମକ ପ୍ରଯୁକ୍ତିବିଦ୍ୟାର ବିକାଶ ଘଟାଇଛନ୍ତି। ଏହାର ପ୍ରୟୋଗ ହେତୁ ଖୁବ୍‌ କମ୍‌ ସମୟ ମଧ୍ୟରେ ଏବଂ ନିର୍ଭରଯୋଗ୍ୟ ଭାବେ ପ୍ରୋଟିନ୍‌ର ଭୌତିକ ସଂରଚନା ନିର୍ଦ୍ଧାରଣ ହୋଇପାରୁଛି। ଜୀବବିଜ୍ଞାନୀମାନେ ଏହାକୁ ବ୍ୟବହାର କରି ବହୁସଂଖ୍ୟକ ଏଞ୍ଜାଇମ, ହର୍‌ମୋନ୍‌ ଆଦି ଜୈବ ଅଣୁ ଆବିଷ୍କାର କରୁଛନ୍ତି, ଯାହାକି ଜୀବବିଜ୍ଞାନ ଓ ଗବେଷଣା ତଥା ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହୋଇପାରୁଛି।
ଅନ୍ୟପକ୍ଷରେ ବେକର୍‌ ପ୍ରୋଟିନ୍‌ର ସଂରଚନା ସମ୍ପର୍କରେ ଆଗତ ସୂଚନା ଦେବା ପାଇଁ ‘ରୋସେଟା’ ନାମକ ଏକ ସଫ୍ଟଓ୍ବେର ବିକାଶ ଘଟାଇଛନ୍ତି। ଏ ସଫଳତାରୁ ତାଙ୍କ ମନକୁ ଆସିଥିଲା ଏକ ନୂତନ ଚିନ୍ତାଧାରା। ସେ ଏବଂ ତାଙ୍କ ସହଯୋଗୀମାନେ ଏହାକୁ ବିପରୀତ ଦିଗରେ ବ୍ୟବହାର କରି ପରୀକ୍ଷାଟିଏ କରିବାକୁ ଲାଗିଲେ। ସେମାନେ ପ୍ରୋଟିନ୍‌ ସଂରଚନା ନିର୍ଦ୍ଧାରଣ ଲାଗି ‘ରୋସେଟା’ ମଧ୍ୟକୁ ଆମିନୋ ଅମ୍ଳଗୁଡ଼ିକର କ୍ରମ ପ୍ରବେଶ ନ କରାଇ ତହିଁରେ ପ୍ରବେଶ କରାଇଲେ ସେମାନଙ୍କ ଚାହିଁବା ମୁତାବକ ଏକ ପ୍ରୋଟିନ୍‌ର ସଂରଚନା ସମ୍ପର୍କରେ ନିର୍ଦ୍ଦେଶ ଏବଂ ଆମିନୋ ଅମ୍ଳ ଫଳରେ ସେଥିରୁ ସମ୍ପୂର୍ଣ୍ଣ ନୂତନ ପ୍ରୋଟିନ୍‌ମାନ ସୃଷ୍ଟି ହେଲା। ଅତଏବ ତାହାକୁ ଅନୁସରଣ କରି ଏବେ ବିଜ୍ଞାନାଗାରମାନଙ୍କରେ ବିଭିନ୍ନ ଜୈବିକ କ୍ରିୟା ସମ୍ପାଦନକ୍ଷମ ନୂତନ ପ୍ରୋଟିନ୍‌ମାନ ପ୍ରସ୍ତୁତ କରିବା ସମ୍ଭବ ହେଉଛି। ଏଗୁଡ଼ିକରେ ରହିଛି ଔଷଧ ଓ ଟିକା ପ୍ରସ୍ତୁତିଠାରୁ ବିବିଧ ଜୈବ ରସାୟନ ଗବେଷଣା କ୍ଷେତ୍ରରେ ପ୍ରୟୋଗ।
ପୁରସ୍କୃତଙ୍କ ସଂକ୍ଷିପ୍ତ ଜୀବନୀ : ହାସାବିସ୍‌ ୧୯୭୬ ମସିହାରେ ଲଣ୍ଡନଠାରେ ଜନ୍ମଗ୍ରହଣ କରିଥିଲେ। ବାଲ୍ୟକାଳରୁ ସେ ଚେସ୍‌ ଖେଳରେ ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିପାରିଥିଲେ। ସେ ୟୁନିଭର୍ସିଟି ଅଫ୍‌ ଲଣ୍ଡନରୁ ୨୦୦୯ ମସିହାରେ ପିଏଚ୍‌.ଡି. ଡିଗ୍ରୀ ହାସଲ କରିବା ପରେ ୨୦୧୦ ମସିହାରେ କିଛି ସହଯୋଗୀଙ୍କ ସହିତ ମିଶି ‘ଡିପ୍‌ ମାଇଣ୍ଡ’ ନାମକ କୃତ୍ରିମ ମେଧା ଅନୁଷ୍ଠାନ ପ୍ରତିଷ୍ଠା କଲେ। ପରେ ଏହାକୁ କ୍ରୟ କଲା ଗୁଗୁଲ୍‌। ଆମେରିକାର ଲିଟଲ୍‌ରକ୍‌ଠାରେ ୧୯୮୫ ମସିହାରେ ଜନ୍ମଲାଭ କରିଥିବା ଏବଂ ୨୦୧୭ରେ ଚିକାଗୋ ବିଶ୍ୱବିଦ୍ୟାଳୟାରୁ ପିଏଚ୍‌.ଡି. ଡିଗ୍ରୀ ହାସଲ କରିଥିବା ଜୁମ୍ପର ସେହିବର୍ଷ ତାଙ୍କ ସହଯୋଗୀ ଭାବେ ଯୋଗଦେଲେ। ସେଠାରେ ସେମାନେ ‘ଆଲ୍‌ଫା ଫୋଲ୍‌ଡ’ (Alfa Fold)ର ବିକାଶ ଘଟାଇଥିଲେ।
ଅନ୍ୟପକ୍ଷରେ ବେକର୍‌ ୧୯୬୨ ମସିହାରେ ଜନ୍ମ ହୋଇଥିଲେ ଆମେରିକାର ଓ୍ବାଶିଂଟନ୍‌ର ସିଟ୍ଟଲଠାରେ। ସେ ୧୯୮୯ ମସିହାରେ ବର୍କଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରୁ ପିଏଚ୍‌.ଡି. ଡିଗ୍ରୀ ପ୍ରାପ୍ତ ହୋଇଥିଲେ। ଏହାପରେ ସେ ନୂଆ ପ୍ରୋଟିନ୍‌ ଅଣୁ ଡିଜାଇନ୍‌ କରିବା ଏବଂ ତାହାର ତ୍ରିସ୍ତରୀୟ ସଂରଚନା ସମ୍ପର୍କରେ ପୂର୍ବ ସୂଚନା ଦେବା ସମ୍ପର୍କରେ ଗବେଷଣା ଚଳାଇଥିଲେ। ଫଳରେ ‘ରୋସେଟା’ର ବିକାଶ ଲାଗି ସଫଳତା ମିଳିଲା। ସେ ଏବେ ଓ୍ବାଶିଂଟନ୍‌ ବିଶ୍ୱବିଦ୍ୟାଳୟର ବାଇଓକେମିଷ୍ଟ୍ରି ପ୍ରଫେସର ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ରୋଟିନ୍‌ ଡିଜାଇନ୍‌ର ମୁଖ୍ୟ ରୂପେ କାର୍ଯ୍ୟରତ।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷାନିବାସ, ୧୨୪/୨୪୪୫
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦

The post ପ୍ରୋଟିନ୍‌ ଗବେଷଣାରେ ନୂତନ ଦିଗନ୍ତ appeared first on Dharitri Odia News.