ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ହକିରେ କାଂସ୍ୟ ପଦକ ପାଇଁ ଆଜି ମୁହାଁମୁହିଁ ହେବେ ଭାରତ ଓ ସ୍ପେନ୍
ପ୍ୟାରିସ: ସେମିଫାଇନାଲରେ ଜର୍ମାନୀଠାରୁ ୩-୨ ଗୋଲରେ ହୃଦୟ ବିଦାରକ ପରାଜୟ ପରେ ଭାରତୀୟ ପୁରୁଷ ହକି ଦଳ ଏବେ କାଂସ୍ୟ ପଦକ ଉପରେ ଫୋକସ୍ କରିଛି। ଗତ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ସମାନ ଘଟଣାକ୍ରମେ ଭାରତ ସେମିଫାଇନାଲରେ ପରାସ୍ତ ହେବାପରେ ୩ୟ/୪ର୍ଥ ସ୍ଥାନ ପାଇଁ ଅନୁଷ୍ଠିତ ଲଢେ଼ଇରେ ବାଜିମାତ୍ କରି କାଂସ୍ୟ ପଦକ ହାସଲ କରିଥିଲା। ଏଥର ମଧ୍ୟ ହରମନପ୍ରୀତ୍ ସିଂହଙ୍କ ଦଳ ସେହି ଟୋକିଓ ସଫଳତାକୁ ପ୍ୟାରିସ ଅଲିମ୍ପିକ୍ସରେ ଦୋହରାଇବା ଲକ୍ଷ୍ୟରେ ଗୁରୁବାର ଗ୍ରାଉଣ୍ଡକୁ ଓହ୍ଲାଇବ। […]

ପ୍ୟାରିସ: ସେମିଫାଇନାଲରେ ଜର୍ମାନୀଠାରୁ ୩-୨ ଗୋଲରେ ହୃଦୟ ବିଦାରକ ପରାଜୟ ପରେ ଭାରତୀୟ ପୁରୁଷ ହକି ଦଳ ଏବେ କାଂସ୍ୟ ପଦକ ଉପରେ ଫୋକସ୍ କରିଛି। ଗତ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ସମାନ ଘଟଣାକ୍ରମେ ଭାରତ ସେମିଫାଇନାଲରେ ପରାସ୍ତ ହେବାପରେ ୩ୟ/୪ର୍ଥ ସ୍ଥାନ ପାଇଁ ଅନୁଷ୍ଠିତ ଲଢେ଼ଇରେ ବାଜିମାତ୍ କରି କାଂସ୍ୟ ପଦକ ହାସଲ କରିଥିଲା। ଏଥର ମଧ୍ୟ ହରମନପ୍ରୀତ୍ ସିଂହଙ୍କ ଦଳ ସେହି ଟୋକିଓ ସଫଳତାକୁ ପ୍ୟାରିସ ଅଲିମ୍ପିକ୍ସରେ ଦୋହରାଇବା ଲକ୍ଷ୍ୟରେ ଗୁରୁବାର ଗ୍ରାଉଣ୍ଡକୁ ଓହ୍ଲାଇବ। ଗୁରୁବାର ସନ୍ଧ୍ୟା ୫ଟା ୩୦ରେ କାଂସ୍ୟ ପଦକ ଲାଗି ଭାରତ ଅନ୍ୟତମ ସେମିଫାଇନାଲ ପରାଜିତ ଦଳ ସ୍ପେନ ହକି ଦଳକୁ ଭେଟିବ। ଏଥିରେ ବିଜୟୀ ହେଲେ ଭାରତ କ୍ରୀଡ଼ାର ମହାକୁମ୍ଭ ଅଲିମ୍ପିକ୍ସରେ କ୍ରମାଗତ ୨ୟ କାଂସ୍ୟ ପଦକ ଜିତିବାର ସୌଭାଗ୍ୟ ଲାଭ କରିବ।
ଚଳିତ ଅଲିମ୍ପିକ୍ସର ପୁରୁଷ ହକିର ପ୍ରଥମ ପ୍ରଥମ ସେମିଫାଇନାଲରେ ନେଦରଲାଣ୍ଡ୍ସ ୪-୦ ଗୋଲରେ ସ୍ପେନକୁ ଏବଂ ୨ୟ ସେମିରେ ଜର୍ମାନୀ ୩-୨ ଗୋଲରେ ଭାରତକୁ ହରାଇ ଫାଇନାଲକୁ ଉଠିଛନ୍ତି। ଏବେ ଏହି ଦୁଇ ପରାଜିତ ଦଳ ମଧ୍ୟରେ କାଂସ୍ୟ ପଦକ ଲଢେ଼ଇ ହେବ। ‘ଅଲିମ୍ପିକ୍ସର ଫାଇନାଲରେ ଖେଳିବାର ସ୍ୱପ୍ନ ସାକାର ହୋଇ ନ ଥିବାରୁ ଆମେ ଅତ୍ୟନ୍ତ ନିରାଶ ହୋଇଛୁ। ଆମ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରିଛି ଏବଂ ଯେଉଁଭଳି ଆମେ ଖେଳିଛୁ ସେଥିଲାଗି ଗର୍ବିତ’ ବୋଲି ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ୍ ୩ୟ/୪ର୍ଥ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚ୍ ପୂର୍ବରୁ କହିଛନ୍ତି। ‘ଅନ୍ତିମ ସେକେଣ୍ଡ ପର୍ଯ୍ୟନ୍ତ ଆମେ ଲଢେ଼ଇ ଜାରି ରଖିଥିଲୁ। ଏହି ପରାଜୟ ଭୁଲିଯିବା ଆମ ଲାଗି ସହଜ ହେବ ନାହିଁ। ପଦକର ରଙ୍ଗ ଏଥର ପରିବର୍ତ୍ତନ କରିବା ଆମ ସମସ୍ତଙ୍କ ଲକ୍ଷ୍ୟ ରହିଥିଲା। ଆମେ ମଧ୍ୟ ଏହାର ଖୁବ୍ ନିକଟତର ହୋଇଥିଲୁ। ଏବେ ଆମକୁ କାଂସ୍ୟ ପଦକ ମ୍ୟାଚ୍ ଉପରେ ଫୋକସ୍ କରିବାକୁ ପଡ଼ିବ। ଆମ ନିକଟରେ ଏକ ସୁଯୋଗ ରହିଛି ଯେ, ଆମେ କ୍ରମାଗତ ଅଲିମ୍ପିକ୍ସ ପଦକ ଜିତିପାରିବୁ’ ବୋଲି ଅଧିନାୟକ ଏହି ଅବସରରେ ପ୍ରକାଶ କରିଛନ୍ତି। ସ୍ପେନ ହକି ଦଳ ସହ ଶେଷ ୫ଟି ଲଢେ଼ଇରେ ଭାରତର ପ୍ରଦର୍ଶନ ଉନ୍ନତ ରହିଛି। ସ୍ପେନ ବିପକ୍ଷ ଶେଷ ୫ ମୁକାବିଲାରୁ ଭାରତ ୪ଟି ଜିତିଥିବାବେଳେ ଗୋଟିଏ ମ୍ୟାଚ୍ ହାରିଛି। ତେଣୁ ଏହି ମୁକାବିଲାରେ ଭାରତର ପଲା ଭାରି ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।