ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଡକାୟତି ଘଟଣାରେ ୨ ଗିରଫ, ୫୦ରୁ ଉର୍ଦ୍ଧ ଡକାୟତି ମାମଲାରେ ସଂପୃକ୍ତ

ପିପିଲି :ପୁରୀ ପୁଲିସର ନିଦ ହଜାଇ ଦେଇଥିବା ଏକ ୪ଜଣିଆ ଡକାୟତ ଗୋଷ୍ଠୀର ୨ଜଣ ସଦସ୍ୟଙ୍କୁ ପିପିଲି ପୁଲିସ ଗିରଫ କରିବାରେ ସଫଳ ହୋଇଛି। ବିଭିନ୍ନ ଘରୋଇ ଋଣ ପ୍ରଦାନକାରୀ ସଂସ୍ଥାର କର୍ମଚାରୀମାନଙ୍କୁ ଏହି ଗୋଷ୍ଠୀ ଟାର୍ଗେଟ କରୁଥିବା ବେଳେ ଗତ ୧ବର୍ଷ ମଧ୍ୟରେ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଏହି ଗୋଷ୍ଠୀ ୧୮ଟି ଡକାୟତି କରିଛନ୍ତି। ପୁରୀ ଜିଲା ସମେତ କଟକ, ବାରଙ୍ଗ, ଜଗତପୁର, ନିଆଳି, ଲାଲବାଗ, ନୟାଗଡ ଆଦି ଅଞ୍ଚଳରେ ଘଟିଥିବା ୫୦ରୁ ଉର୍ଦ୍ଧ […]

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଡକାୟତି ଘଟଣାରେ ୨ ଗିରଫ, ୫୦ରୁ ଉର୍ଦ୍ଧ ଡକାୟତି ମାମଲାରେ ସଂପୃକ୍ତ

ପିପିଲି :ପୁରୀ ପୁଲିସର ନିଦ ହଜାଇ ଦେଇଥିବା ଏକ ୪ଜଣିଆ ଡକାୟତ ଗୋଷ୍ଠୀର ୨ଜଣ ସଦସ୍ୟଙ୍କୁ ପିପିଲି ପୁଲିସ ଗିରଫ କରିବାରେ ସଫଳ ହୋଇଛି। ବିଭିନ୍ନ ଘରୋଇ ଋଣ ପ୍ରଦାନକାରୀ ସଂସ୍ଥାର କର୍ମଚାରୀମାନଙ୍କୁ ଏହି ଗୋଷ୍ଠୀ ଟାର୍ଗେଟ କରୁଥିବା ବେଳେ ଗତ ୧ବର୍ଷ ମଧ୍ୟରେ ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଏହି ଗୋଷ୍ଠୀ ୧୮ଟି ଡକାୟତି କରିଛନ୍ତି। ପୁରୀ ଜିଲା ସମେତ କଟକ, ବାରଙ୍ଗ, ଜଗତପୁର, ନିଆଳି, ଲାଲବାଗ, ନୟାଗଡ ଆଦି ଅଞ୍ଚଳରେ ଘଟିଥିବା ୫୦ରୁ ଉର୍ଦ୍ଧ ଡକାୟତି ମାମଲାରେ ଏହି ଗୋଷ୍ଠୀ ସଂପୃକ୍ତ ଥିବା ସଂପର୍କରେ ପୁରୀର ଅତିରିକ୍ତ ଏସ୍‌‌ପି ବିଷ୍ଣୁପ୍ରସାଦ ପତି ଗୁରୁବାର ସଂନ୍ଧ୍ୟାରେ ପିପିଲି ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଗତ ୧ ତାରିଖ ମଧ୍ୟାହ୍ନ ୨ଟା ୧୦ ମିନିଟ୍‌‌ ସମୟରେ ବନ୍ଧନ ବ୍ୟାଙ୍କ ବଳଙ୍ଗା ଶାଖାର କର୍ମଚାରୀ ଶାଶ୍ୱତ ବିନାୟକ ବେହେରା ବିଭିନ୍ନ ଗ୍ରାମରେ ଥିବା ମହିଳା ଏସ୍‌‌ଏଚ୍‌‌ଜି ଗୃପ୍‌‌ ଠାରୁ ଋଣ କିସ୍ତି ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ପିପିଲି ଥାନା ଅନ୍ତର୍ଗତ ନୂଆଶାସନ ଗ୍ରାମ ନିକଟରେ ୨ଜଣ ଦୁର୍ବୁତ୍ତ ଏକ ବାଇକ୍‌‌ରେ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ୭୧ ହଜାର ୧୮୦ ଟଙ୍କା, ଟାବଲେଟ୍‌‌ ଓ ମୋବାଇଲ୍‌‌ ଚାର୍ଜର ଭର୍ତ୍ତି ବ୍ୟାଗ୍‌‌ ଲୁଟି ନେଇ ଫେରାର ହୋଇଯାଇଥିଲେ। ଏନେଇ ଶ୍ରୀବେହେରା ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ଗତ ୧ବର୍ଷ ମଧ୍ୟରେ ପୁରୀ ଜିଲାର ନିମାପଡା ଥାନା, ସତ୍ୟବାଦୀ ଥାନା, ଡେଲାଙ୍ଗ ଥାନା, ବଳଙ୍ଗା ଥାନା ଓ ଅସ୍ତରଙ୍ଗ ଥାନା ଅଞ୍ଚଳରେ ସମାନ ଢଙ୍ଗରେ ୧୭ଟି ଡକାୟତି ଘଟଣା ଘଟିଥିଲା।

ବିଭିନ୍ନ ଘରୋଇ ଫାଇନାନ୍ସ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭିତ କରି ଟଙ୍କା, ମୋବାଇଲ୍‌‌ ଟାବଲେଟ୍‌‌ ଆଦି ବାରମ୍ବାର ଲୁଟ୍‌‌ ହେଉଥିଲା। ଡକାୟତ ମାନଙ୍କୁ ଧରିବା ପାଇଁ ପୁରୀ ଏସ୍‌‌ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଏସ୍‌‌ଡିପିଓ ବିରଞ୍ôଚ ନାରାୟଣ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପିପିଲି ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ, ସତ୍ୟବାଦୀ ଆଇଆଇସି ଉମେଶ କୁମାର ସାହୁ, ଏସ୍‌‌ଆଇ ମମତା ବିଶ୍ୱାଳ, ଏସ୍‌‌ଆଇ ଡି.ଆର୍‌‌ ସାହୁଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌‌ ଗଠନ କରାଯାଇଥିଲା। ବିଭିନ୍ନ ଦିଗରୁ ତଦନ୍ତ କରିବା ପରେ ଏହି ଘଟଣାରେ ସଂପୃକ୍ତ ଥିବା ଏକ ୪ଜଣିଆ ଡକାୟତ ଗୋଷ୍ଠୀର ୨ଜଣ ସଦସ୍ୟଙ୍କୁ ପୁଲିସ ଧରିବାରେ ସଫଳ ହୋଇଥିଲା।

ଗିରଫ ଦୁଇ ଅଭିଯୁକ୍ତ ହେଲେ ନିମାପଡା ଥାନା ସାତପୁରୀ ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧି ଟିକିନା ଓରଫ ଚତୁର୍ଭୁଜ ବାରିକ ଓ ଅସ୍ତରଙ୍ଗ ଥାନା ଆଳସାହି ଅଞ୍ଚଳର ଆଶିଷ ବେହେରା। ପୁଲିସ ସେମାନଙ୍କ ଠାରୁ ଡକାୟତରେ ବ୍ୟବହୃତ ୨ଟି ବାଇକ୍‌‌ ସମେତ ନଗଦ ୧ଲକ୍ଷ ୫୫ହଜାର ଟଙ୍କା ଜବତ କରିଛି। ଏହି ଗୋଷ୍ଠୀର ଫେରାର୍‌‌ ଥିବା ଅନ୍ୟ ଦୁଇ ସଦସ୍ୟଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ଟିକିନା ନାମରେ ଅଦ୍ୟାବଧି ଜିଲାର ବିଭିନ୍ନ ଥାନାରେ ୨୮ଟି ମାମଲା ରହିଥିବା ସଂପର୍କରେ ଅତିରିକ୍ତ ଏସ୍‌‌ପି ବିଷ୍ଣୁପ୍ରସାଦ ପତି ସୂଚନା ଦେଇଛନ୍ତି।

ବିଭିନ୍ନ ଋଣ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କୁ ଏହି ଗୋଷ୍ଠୀ ପିଛା କରି ମାରଣାସ୍ତ୍ର ଦେଖାଇ ଭୟଭିତ କରିବା ସହ ଟଙ୍କା ବ୍ୟାଗ୍‌‌ ଲୁଟି ନେଉଥିବା ସଂପର୍କରେ ଅତିରିକ୍ତ ଏସ୍‌‌ପି ସୂଚନା ଦେଇଥିଲେ। ଗତ ବର୍ଷକ ମଧ୍ୟରେ ପୁରୀ ଜିଲାରେ ଏହି ଭଳି ୧୮ଟି ମାମଲାରେ ଏହି ଗୋଷ୍ଠୀ ସଂପୃକ୍ତ ଥିବା ବେଳେ ବିଭିନ୍ନ ଜିଲାର ୫୦ରୁ ଉର୍ଦ୍ଧ ମାମଲାରେ ଏହି ଗୋଷ୍ଠୀ ସଂପୃକ୍ତ ଥିବା ସୂଚନା ମିଳିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ଏସ୍‌‌ଡିପିଓ ବିରଞ୍ôଚ ନାରାୟଣ ପତି, ପିପିଲି ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ, ସତ୍ୟବାଦୀ ଆଇଆଇସି ଉମେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।