ଫୁଲୁଛି ସୁବର୍ଣ୍ଣରେଖା: ପୁଣି ବଡ଼ବନ୍ୟା ଆଶଙ୍କା 

ଭୋଗରାଇ,୨୬l୯(ପ୍ରଦୀପ ଦାସ): ଲଘୁଚାପ ଜନିତ ଲଗାଣ ବର୍ଷାରେ ୩ଦିନ ଧରି ଅବିଶ୍ରାନ୍ତ ବର୍ଷା ଲାଗି ରହିବାରୁ ବାଲେଶ୍ୱର ଜିଲାର ସବୁଠି ଜଳାର୍ଣ୍ଣବ ସହିତ ଜନଜୀବନ ଦୁର୍ବିଷହ ହୋଇପଡିଛି। ତୁହାକୁ ତୁହା ବର୍ଷା ଲାଗିରହିବାରୁ ସହର, ଗ୍ରାମ, ବଜାର, ହାଟ, ସ୍କୁଲ, କଲେଜ ବର୍ଷା ପାଣିରେ ବୁଡିଯାଇ ଅବସ୍ଥା ବେହାଲ ହୋଇଛି। ଘନ ଘନ ଲଘୁଚାପ ଯୋଗୁ ବିଲ, ବାଡ଼ି, କ୍ଷେତ ସବୁଠି ଜଳ ପରିପୂର୍ଣ୍ଣ ହୋଇ ଧାନ, ପନିପରିବା ଚାଷର ବ୍ୟାପକ କ୍ଷତି ହୋଇ ଜଳର ଲହଡି […] The post ଫୁଲୁଛି ସୁବର୍ଣ୍ଣରେଖା: ପୁଣି ବଡ଼ବନ୍ୟା ଆଶଙ୍କା  appeared first on Dharitri Odia News.

ଫୁଲୁଛି ସୁବର୍ଣ୍ଣରେଖା: ପୁଣି ବଡ଼ବନ୍ୟା ଆଶଙ୍କା 
ଭୋଗରାଇ,୨୬l୯(ପ୍ରଦୀପ ଦାସ): ଲଘୁଚାପ ଜନିତ ଲଗାଣ ବର୍ଷାରେ ୩ଦିନ ଧରି ଅବିଶ୍ରାନ୍ତ ବର୍ଷା ଲାଗି ରହିବାରୁ ବାଲେଶ୍ୱର ଜିଲାର ସବୁଠି ଜଳାର୍ଣ୍ଣବ ସହିତ ଜନଜୀବନ ଦୁର୍ବିଷହ ହୋଇପଡିଛି। ତୁହାକୁ ତୁହା ବର୍ଷା ଲାଗିରହିବାରୁ ସହର, ଗ୍ରାମ, ବଜାର, ହାଟ, ସ୍କୁଲ, କଲେଜ ବର୍ଷା ପାଣିରେ ବୁଡିଯାଇ ଅବସ୍ଥା ବେହାଲ ହୋଇଛି। ଘନ ଘନ ଲଘୁଚାପ ଯୋଗୁ ବିଲ, ବାଡ଼ି, କ୍ଷେତ ସବୁଠି ଜଳ ପରିପୂର୍ଣ୍ଣ ହୋଇ ଧାନ, ପନିପରିବା ଚାଷର ବ୍ୟାପକ କ୍ଷତି ହୋଇ ଜଳର ଲହଡି ଭାଙ୍ଗୁଛି l
ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟା ଆସି ଲୋକଙ୍କ ମଧ୍ୟରୁ ଦୁଃଖ ଦୁର୍ଦ୍ଦଶା ଲିଭି ନ ଥିବା ବେଳେ ପୁଣି ଏକ ଲଘୁଚାପ ଦ୍ୱିତୀୟ ବନ୍ୟାର ସଂକେତ ସୃଷ୍ଟି କରିଛି l ଝାଡ଼ଖଣ୍ଡ ମାଳ ଅଞ୍ଚଳରେ ଏହି ଲଘୁଚାପ ସକ୍ରିୟ ହୋଇ ବର୍ଷା ହେଉଥିବା ବେଳେ ଗାଲୁଡ଼ିହି ବ୍ୟାରେଜରୁ ୨୨୦୦ କ୍ୟୁସେକ  ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ଛଡ଼ାଯିବାର ସିଡବ୍ଲ୍ୟୁସି (କେନ୍ଦ୍ରୀୟ ଜଳ ଆୟୋଗ ) ସୂଚନା ଦେଇଛନ୍ତି l କେବଳ ଗାଲୁଡ଼ିହି ନୁହେଁ ଝାଡ଼ଖଣ୍ଡର ଅନ୍ୟ ଖଡ଼ଖାଇ ବ୍ୟାରେଜ ସହ ଚାନ୍ଦିଲି ଡ୍ୟାମରେ ଉଦବୃତ୍ତ ପାଣି ସୁବର୍ଣ୍ଣରେଖାକୁ ନିଷ୍କାସନ ହେଲେ ପୁଣି ଅନ୍ୟ ଏକ ବଡ ବନ୍ୟା ଆଶଙ୍କା ଏଡାଇ ଦିଆଯାଇ ନ ପାରେ ବୋଲି ସେଚ ବିଭାଗ ସୂଚନା ଦିଆଯାଇଛି। ସୁବର୍ଣ୍ଣରେଖା ରାଜଘାଟ ଗେଜଠାରେ ସତର୍କ ସୂଚନା ୯. ୪୫ମିଟର ଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୭.୯୩ ମିଟରରେ ପ୍ରବାହିତ ହେଉଛି।
ଅପରପକ୍ଷରେ ଭୋଗରାଇର କମର୍ଦ୍ଦା-ବାଲିଆପାଳ ମୁଖ୍ୟ କଂକ୍ରିଟ ରାସ୍ତା ଝାଡ଼ପିମ୍ପଳଠାରେ ୧ ଶହ ମିଟର ଲମ୍ବ ଓ ୧୨ ଫୁଟ ଉଚ୍ଚର ଘାଇ ସୃଷ୍ଟି ହେବାରୁ  ଭୋଗରାଇ, ଜଳେଶ୍ୱର ବ୍ଲକର ପ୍ରତିବେଶୀ ଗାଁ ପ୍ରତି ବିପଦ ଦେଖାଦେଇଛି। ଉଲୁଡ଼ା ଗଁାର କୁମୁଦ ସାହୁ, କ୍ଷିତୀଶ ରଣା, ଅଜୟ କୁମାର ସେଠୀ, ଝାଡପିମ୍ପଳ ଗାଁର ରବୀନ୍ଦ୍ର ପ୍ରଧାନ ଓ ଦେବକୁମାର ଗାଁର ବିଜୟ ଅଣ୍ଡିଆ ପ୍ରମୁଖ ଗ୍ରାମବାସୀ ପୁଣି ବନ୍ୟା ଆସିଲେ ଏଠାରେ ଭୟଙ୍କର ସ୍ଥିତି ଉପୁଜିବ ବୋଲି କହିଛନ୍ତି। ସେଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ଦବି ଯାଇଥିବା ରାସ୍ତାକଡ଼ରେ  ଯୁଦ୍ଧକାଳୀନ ଭିତ୍ତିରେ ଅସ୍ଥାୟୀ ଭାବେ ଶହ ଶହ ବାଲି ବସ୍ତା ପକାଯାଇ ଜନଜୀବନ ସୁରକ୍ଷିତ ନିମନ୍ତେ ଉଦ୍ୟମ ଜାରି ରହିଛି। ଲଗାଣ ବର୍ଷା ଯୋଗୁ ଗୁରୁବାର ସକାଳ ୮ଟା ସୁଦ୍ଧା ଜଳେଶ୍ୱରରେ ସର୍ବାଧିକ ୫୬ମି.ମି., ଭୋଗରାଇରେ ୫୧ ମି.ମି., ବାଲିଆପାଳରେ ୩୬ମି.ମି., ସଦରରେ ୨୩ମି.ମି., ରେମୁଣାରେ ୪୦ମି.ମି., ନୀଳଗିରିରେ ୪୩ମି.ମି.,  ବାହାନଗାରେ ୨ ୫ମି.ମି.,  ସୋରରେ ୨ ୦ ମି.ମି., ଖଇରାରେ ୩୧ମି.ମି., ସିମୁଳିଆରେ ୨୪ମି.ମି., ଔପଦାରେ ୩୬ମି.ମି. ଓ ବସ୍ତା ବ୍ଲକରେ ସର୍ବନିମ୍ନ ୧୮ମି.ମି. ବର୍ଷା ହୋଇଥିବା ଜିଲା ଜରୁରୀକାଳୀନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

The post ଫୁଲୁଛି ସୁବର୍ଣ୍ଣରେଖା: ପୁଣି ବଡ଼ବନ୍ୟା ଆଶଙ୍କା  appeared first on Dharitri Odia News.