ଫ୍ଲୋର୍‌ ଟେଷ୍ଟ ପୂର୍ବରୁ ଅନେକ ବିଧାୟକ ଗାଏବ୍‌, ଫୋନ୍‌ ସୁଇଚ୍‌ ଅଫ୍‌

ନୀତୀଶ କୁମାରଙ୍କ ମୁଖ୍ୟମନ୍ତ୍ରୀ ପଦ ରହିବ ନା ଯିବ। ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ।

ଫ୍ଲୋର୍‌ ଟେଷ୍ଟ ପୂର୍ବରୁ ଅନେକ ବିଧାୟକ ଗାଏବ୍‌, ଫୋନ୍‌ ସୁଇଚ୍‌ ଅଫ୍‌

ନୀତୀଶ କୁମାରଙ୍କ ମୁଖ୍ୟମନ୍ତ୍ରୀ ପଦ ରହିବ ନା ଯିବ। ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ। ସେ ଆଜି ନିଜର ଶକ୍ତି ପରୀକ୍ଷା ଦେବେ। ବିହାର ବିଧାନସଭାରେ ହେବ ଫ୍ଲୋର୍‌ ଟେଷ୍ଟ। ତେବେ ଏହା ପୂର୍ବରୁ କିଛି ବିଧାୟକ ଗାଏବ୍‌ ହୋଇଯାଇଥିବା ସୂଚନା ମିଳିଛି। ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ତଥା ଆର୍‌ଜେଡିର ଦୁଇ ଜଣ ବିଧାୟକ ହରିଶଙ୍କର ଯାଦବ ଓ ନୀଲମ ଦେବୀଙ୍କ ସହ କୌଣସି ସମ୍ପର୍କ ହୋଇପାରୁ ନାହିଁ। ଏହାକୁ ନେଇ ଏବେ ଟେନ୍‌ସନ୍‌ ବଢ଼ିଛି।

ଅନ୍ୟପଟେ ଜେଡିୟୁରୁ କିଛି ବିଧାୟକଙ୍କ ସହ ସମ୍ପର୍କ ହୋଇପାରୁନଥିବା ସୂଚନା ମିଳିଛି। ସେମାନଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ରହିଛି। ନୀତୀଶ କୁମାର ରାଜ୍ୟପାଳଙ୍କୁ ସରକାର ଗଠନ ପାଇଁ ୧୨୮ ବିଧାୟକଙ୍କ ସମର୍ଥନ ପତ୍ର ଦେଇଥିଲେ। ଏବେ ଏନ୍‌ଡିଏ ଖୋଦ୍‌ କହିଛି ଯେ, ତାଙ୍କ ପାଖରେ ୧୨୭ ବିଧାୟକଙ୍କ ସମର୍ଥନ ଅଛି। ନୀତୀଶ କୁମାରଙ୍କ ଦଳ ଜେଡିୟୁର ଛଅ ବିଧାୟକ ଆଉଟ୍‌ ଅଫ୍‌ କଣ୍ଟାକ୍ଟ ଅଛି। ସେଥିମଧ୍ୟରୁ ତିନି ଜଣ ବିଧାୟକ ଫେରି ଆସିଥିବା ଜେଡିୟୁ ଦାବି କରୁଛି।

ସେହିପରି ଜଣେ ବିଧାୟକ ସଞ୍ଜୀବ କୁମାର ଝାଡଖଣ୍ଡରୁ ବିହାରରେ ପ୍ରବେଶ କରିବା ମାତ୍ରେ ପୁଲିସ ତାଙ୍କୁ ଗିରଫ କରିଛି। ବର୍ତ୍ତମାନ, ଜେଡିୟୁ ନେତାମାନେ ସେମାନଙ୍କର ଜଣେ ବିଧାୟକଙ୍କ ସହ ଯୋଗାଯୋଗ କରିପାରୁ ନାହାନ୍ତି। ସେହିପରି ବିଜେପିର ତିନି ଜଣ ବିଧାୟକ ଗାଏବ୍‌ ଥିବା ସୂଚନା ମିଳିଛି। ସେମାନଙ୍କ ସହ ମଧ୍ୟ ସମ୍ପର୍କ ହୋଇପାରୁ ନଥିବା ସୂଚନା ମିଳିଛି। ଏହି କାରଣ ଯୋଗୁ ଆସ୍ଥା ଭୋଟ୍‌ ପୂର୍ବରୁ ଏନ୍‌ଡିଏ ଓ ମହାମେଣ୍ଟ ଉଭୟ ଗୋଷ୍ଠୀରେ ହଳଚଳ ଜାରି ରହିଛି। ତେବେ ଆସ୍ଥା ଭୋଟ ପୂର୍ବରୁ ତେଜସ୍ୱୀ ଯାଦବ କହିଛନ୍ତି, ଖେଳ ହେବ। ଯାହା ବିହାର ରାଜନୀତିକୁ ଆହୁରି ରୋଚକ କରିଛି । ଆସ୍ଥା ଭୋଟ ଶେଷ ନହେବା ପର୍ଯ୍ୟନ୍ତ ବିହାର ରାଜନୀତିରେ କ'ଣ ହେବ ତାହାର ଆକଳନ କରିବା କଷ୍ଟକର ହୋଇପଡିଛି।

ସୂଚନାଯୋଗ୍ୟ, ବିହାର ବିଧାନସଭାରେ ମୋଟ ବିଧାୟକଙ୍କ ସଂଖ୍ୟା ୨୪୩ ଅଟେ। ଗୃହରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ୧୨୨ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏନଡିଏ ଦାବି କରିଛି ଯେ ଏହାର ୧୨୮ ବିଧାୟକଙ୍କ ଶକ୍ତି ରହିଛି, ଯେଉଁଥିରେ ବିଜେପିରୁ ୭୮, ଜେଡିୟୁରୁ ୪୫, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା-ଏସ୍ରୁ ୪ ଏବଂ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି।

ସେହିପରି ମହାମେଣ୍ଟର ୧୧୪ ବିଧାୟକ ଅଛନ୍ତି। ଏଥିରେ ଆରଜେଡିର ୭୯, କଂଗ୍ରେସର ୧୯ ଓ ବାମପନ୍ଥୀ ଦଳର ୧୬ ବିଧାୟକ ରହିଛନ୍ତି। ସିପିଆଇ(ଏମଏଲ୍)ର ୧୨ ଜଣ ବିଧାୟକ ମଧ୍ୟ ଅଛନ୍ତି। ଜେଡିୟୁ ଏବଂ ବିଜେପି ବିଧାୟକମାନେ ବିଧାନସଭାକୁ ଆସିବା ପୂର୍ବରୁ ପାଟନାରେ ଦୁଇଟି ଭିନ୍ନ ଭିନ୍ନ ହୋଟେଲରେ ରହିଥିଲେ। ସେହିପରି ଆରଜେଡି ଏବଂ କଂଗ୍ରେସ ବିଧାୟକ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଘରେ ଥିଲେ।