ବଚସା ନେଲା ଉଗ୍ରରୂପ; ଛାତ୍ରଙ୍କୁ ଛୁରୀ ଭୁସିଲେ ଛାତ୍ର
ପୁଲିସ ଅନ୍ୟ ଜଣେ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି।
ସାମାନ୍ୟ ବଚସା ନେଲା ଉଗ୍ର ରୂପ। ଜଣେ ଛାତ୍ରଙ୍କୁ ଛୁରୀ ଭୁସିଲେ ଅନ୍ୟ ଜଣେ ଛାତ୍ର। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ରଘୁନାଥ ହାଇସ୍କୁଲରେ ଏହି ଘଟଣା ଘଟିଛି। ଆହତ ଛାତ୍ରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଉଭୟ ଛାତ୍ର ନବମ ଶ୍ରେଣୀର।
ଆଜି ସକାଳେ କୌଣସି କଥାକୁ ନେଇ ଦୁଇ ଛାତ୍ରଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା। ପରେ ଜଣେ ଛାତ୍ର ଉତ୍କ୍ଷିପ୍ତ ହୋଇ ଅନ୍ୟ ଜଣେ ଛାତ୍ରଙ୍କୁ ଛୁରୀ ଭୁସି ଦେଇଥିବା ଅଭିଯୋଗ ହୋଇଛି।
ଆହତ ଛାତ୍ରଙ୍କୁ ପ୍ରଥମେ ଶେରଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଅବସ୍ଥା ସଂକଟାପନ ହେବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଛାତ୍ରଙ୍କ ଛାତିରେ ଆଘାତ ଲାଗିଛି। ପୁଲିସ ଅନ୍ୟ ଜଣେ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୂର୍ବରୁ ମଧ୍ୟ ଟ୍ୟୁସନରେ ଦୁଇ ଛାତ୍ରଙ୍କ ମଧ୍ୟରେ କଥାକଟି ହୋଇଥିବା ଜଣାଯାଇଛି।