ବସ୍‌ଷ୍ଟାଣ୍ଡରେ ବସ୍‌ ମାଲିକ ସଂଘ ସଭାପତିଙ୍କୁ ଛୁରାମାଡ଼

ଘଟଣା ନେଇ କୋରାପୁଟ ଟାଉନ ଥାନାରେ ଅଭିଯୋଗ ହୋଇଛି।

ବସ୍‌ଷ୍ଟାଣ୍ଡରେ ବସ୍‌ ମାଲିକ ସଂଘ ସଭାପତିଙ୍କୁ ଛୁରାମାଡ଼

କୋରାପୁଟ ଘରୋଇ ବସ୍‌ ମାଲିକ ସଂଘ ସଭାପତି ଶେଖ କାସିମଙ୍କୁ ଛୁରୀରେ ଆକ୍ରମଣ କରାଯାଇଛି। ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ କୋରାପୁଟ ବସ୍‌ଷ୍ଟାଣ୍ଡରେ ତାଙ୍କ ଉପରେ ହୋଇଛି ଆକ୍ରମଣ। ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଥିବା ବେଳେ କୋରାପୁଟ ମେଡିକାଲ କଲେଜ ଓ ହସ୍‌ପିଟାଲରେ ତାଙ୍କର ଚିକିତ୍ସା କରାଯାଇଛି। 

ବସ୍‌ ସମୟକୁ ନେଇ କୋରାପୁଟ ଘରୋଇ ବସ୍‌ ମାଲିକ ସଂଘରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଯାଇଥିଲା। ଗତକାଲିଠାରୁ ବିବାଦ ଆରମ୍ଭ ହୋଇଥିବା ବେଳେ ଘଟଣାର ସମାଧାନ ପାଇଁ ଆଜି ସଂଘର ସଭାପତି ଶେଖ କାସିମ ନିଜେ ବସ୍‌ଷ୍ଟାଣ୍ଡକୁ ଆସିଥିଲେ। ଗୋଟିଏ ଗୋଷ୍ଠୀର ବସ୍‌ ମାଲିକଙ୍କ ସହିତ ସେ ଆଲୋଚନା କରୁଥିବା ବେଳେ ହଠାତ୍ ୫ରୁ ୮ ଜଣ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲେ। ସେମାନେ ତାଙ୍କ କାନ୍ଧରେ ଛୁରୀ ଭୁଷି ଦେଇଥିଲେ।  ଏହା ପରେ ସେମାନେ ବାଇକ୍‌ରେ ସେଠାରୁ ଫେରାର ହୋଇଯାଇଥିଲେ। 

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶେଖ କାସିମଙ୍କୁ ଉଦ୍ଧାର କରି କୋରାପୁଟ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି କରିଥିଲା। ଶେଖ କାସିମଙ୍କ ପକ୍ଷରୁ ଏହି ଘଟଣା ନେଇ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ଏହି ଘଟଣା ନେଇ କୋରାପୁଟ ବସ୍ ମାଲିକ ସଂଘ ସଭାପତି ଶେଖ କାସିମ କହିଛନ୍ତି, ସଂଘର ପୂର୍ବତନ ସଂପାଦକ ଶରତ ଗୌଡ଼ ଓ ନରେଶଚନ୍ଦ୍ର ପାଢ଼ୀଙ୍କ ସହିତ ୮ରୁ ୧୦ ଜଣ ଯୁବକ ଆସିଥିଲେ। ସେମାନେ ବସ୍‌ ଟାଇମିଂ ନେଇ ଗତକାଲି ଗୋଟିଏ ବସ୍‌ର କଣ୍ଡକ୍ଟରଙ୍କୁ ଫୋନ୍ କରି ପିଟିବାକୁ ଧମକ ଦେଇଥିଲେ। ଯଦିଓ ସେ ବସ୍‌ ତା’ ସମୟରେ ଯାଉଥିଲା, ତଥାପି ସେମାନେ ଧମକ ଦେଇଥିଲେ। ଆଜି ମୁଁ ଓ ଅନ୍ୟମାନେ ବସ୍‌ଷ୍ଟାଣ୍ଡରେ ପହଞ୍ଚି ଘଟଣା ସଂପର୍କରେ ଅନୁଧ୍ୟାନ କରୁଥିବା ବେଳେ ସେମାନେ (ଶରତ ଗୌଡ଼ ଓ ନରେଶଚନ୍ଦ୍ର ପାଢ଼ୀ) ଆମକୁ ପିଟିବାକୁ ସେମାନଙ୍କ ସହିତ ଆସିଥିବା ଲୋକଙ୍କୁ କହିଥିଲେ।