ବଜାରରେ ନକଲି ପ୍ରମାଦ
ବ୍ୟବସ୍ଥାର ବିଫଳତା କୁହନ୍ତୁ କିମ୍ୱା ଦୁର୍ନୀତିର ଖେଳ, ସତ କଥା ହେଉଛି, ଯେଉଁମାନେ ମାନବ ଜୀବନ ପ୍ରତି ଯତ୍ନବାନ ନୁହନ୍ତି, ସେମାନେ ଟଙ୍କା ଲୋଭରେ ଶିକାରୀ ହୋଇ ମୃତ୍ୟୁର ବ୍ୟବସାୟୀ ପାଲଟନ୍ତି। ଅପମିଶ୍ରଣ ଓ ନକଲି କାରବାର ଘୃଣ୍ୟ ଓ ଅମାନବୀୟ କାର୍ଯ୍ୟ। ଏହା ମଣିଷ ଜୀବନକୁ ମୃତ୍ୟୁ ଆଡ଼କୁ ଟାଣିନିଏ। ବିଡ଼ମ୍ୱନାର ବିଷୟ ହେଉଛି, ବର୍ତ୍ତମାନ ବଜାରରେ ଉପଲବ୍ଧ ପ୍ରାୟ ସମସ୍ତ ଜିନିଷ ଅପମିଶ୍ରଣର ଶିକାର। କ୍ଷୀରରେ ପାଣି, ଶୁଦ୍ଧ ଘିଅରେ ଚର୍ବି, ପନିପରିବାରେ ରାସାୟନିକ […]

ବ୍ୟବସ୍ଥାର ବିଫଳତା କୁହନ୍ତୁ କିମ୍ୱା ଦୁର୍ନୀତିର ଖେଳ, ସତ କଥା ହେଉଛି, ଯେଉଁମାନେ ମାନବ ଜୀବନ ପ୍ରତି ଯତ୍ନବାନ ନୁହନ୍ତି, ସେମାନେ ଟଙ୍କା ଲୋଭରେ ଶିକାରୀ ହୋଇ ମୃତ୍ୟୁର ବ୍ୟବସାୟୀ ପାଲଟନ୍ତି। ଅପମିଶ୍ରଣ ଓ ନକଲି କାରବାର ଘୃଣ୍ୟ ଓ ଅମାନବୀୟ କାର୍ଯ୍ୟ। ଏହା ମଣିଷ ଜୀବନକୁ ମୃତ୍ୟୁ ଆଡ଼କୁ ଟାଣିନିଏ। ବିଡ଼ମ୍ୱନାର ବିଷୟ ହେଉଛି, ବର୍ତ୍ତମାନ ବଜାରରେ ଉପଲବ୍ଧ ପ୍ରାୟ ସମସ୍ତ ଜିନିଷ ଅପମିଶ୍ରଣର ଶିକାର। କ୍ଷୀରରେ ପାଣି, ଶୁଦ୍ଧ ଘିଅରେ ଚର୍ବି, ପନିପରିବାରେ ରାସାୟନିକ ପ୍ରଲେପ, ଦାମୀ ଓ ଉନ୍ନତ ଶସ୍ୟରେ ଶସ୍ତା ଓ ନିମ୍ନମାନର ଶସ୍ୟ ଇତ୍ୟାଦି ଇତ୍ୟାଦି। ମାନବ ଜୀବନଧାରଣ କରିବା ପାଇଁ ଆବଶ୍ୟକ ପ୍ରତ୍ୟେକ ଦ୍ରବ୍ୟ ଆଜି ବିଶୁଦ୍ଧ ନୁହେଁ। ଏହି ନକଲି ପ୍ରକ୍ରିୟା ଭାରତରେ ଦୀର୍ଘଦିନ ଧରି ଚାଲିଆସୁଛି। କେତେବେଳେ ଗୋଚରରେ ତ କେତେବେଳେ ଅଗୋଚରରେ। ବିପୁଳ ଖର୍ଚ୍ଚ ଓ କଠୋର ଆଇନ ସତ୍ତ୍ବେ ଏପରି କାରବାର ଉପରେ ନିୟନ୍ତ୍ରଣ ଜାରି କରାଯାଇପାରୁନାହିଁ।
ନକଲି ସାମଗ୍ରୀ ବଜାର ଓ କାରବାରରେ ସବୁଠାରୁ ଦୁଃଖଦାୟକ ହେଉଛି ଦୁରାରୋଗ୍ୟ ରୋଗର ଉପଶମ ପାଇଁ ବ୍ୟବହୃତ ଔଷଧର ନକଲି କାରବାର। ଭାରତ ଏକ ପ୍ରମୁଖ ଔଷଧ ରପ୍ତାନିକାରୀ ଦେଶ ଏବଂ ଏହାକୁ ବିଶ୍ୱର ଔଷଧ କାରଖାନା କୁହାଯାଏ। ତେଣୁ ଭାରତର ଔଷଧ ସମଗ୍ର ବିଶ୍ୱରେ ବହୁଳ ଆଦୃତ। ଏଭଳି ସ୍ଥିତିରେ ନକଲି ଔଷଧ ଭଳି ଘଟଣା ସାମ୍ନାକୁ ଆସିବା କିମ୍ୱା ନକଲି ଔଷଧ ବ୍ୟବସାୟ ଏକ ଜଘନ୍ୟ ଅପରାଧ। ଏହି କାରବାର ବିଶ୍ୱରେ ଭାରତର ପ୍ରତିଷ୍ଠା, ମାନ, ସମ୍ମାନକୁ କ୍ଷତିଗ୍ରସ୍ତ କରୁଛି। ଜୀବନ ରକ୍ଷାକାରୀ ଔଷଧରେ ଅପମିଶ୍ରଣ ରୋଗୀର ସିଧାସଳଖ ମୃତ୍ୟୁର କାରଣ ହୋଇଥାଏ। ଔଷଧ ବ୍ୟବସାୟରେ ଏହି ଅନୈତିକତା ଚିନ୍ତାଜନକ। ତେଣୁ ସରକାର ଔଷଧ କମ୍ପାନିଗୁଡ଼ିକ ପାଇଁ ଗୁଣାତ୍ମକ ନିୟନ୍ତ୍ରଣର ଏକ ନିର୍ଭରଯୋଗ୍ୟ ନିୟମ ପ୍ରଣୟନ କରିବା ସହ ନକଲି ଔଷଧ କାରବାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ।
ଦେଶର ନାଗରିକଙ୍କ ସ୍ୱାସ୍ଥ୍ୟ ସହିତ ଖେଳିବା ଅଧିକାର କାହାର ନାହିଁ। ମଣିଷ ବଞ୍ଚିବା ପାଇଁ ଖାଦ୍ୟ ଅପରିହାର୍ଯ୍ୟ। କିନ୍ତୁ ଆଜି ଆମେ ଖାଉଥିବା ଖାଦ୍ୟ କେତେ ବିଶୁଦ୍ଧ ତାହା ସମସ୍ତଙ୍କୁ ଜଣା। ଆଗରୁ ଡାଲି, ଚାଉଳ, ବିଭିନ୍ନ ମସଲା ଏବଂ ଖାଦ୍ୟ ସାମଗ୍ରୀରେ ଗୋଡ଼ି, କାଠଗୁଣ୍ଡ ଇତ୍ୟାଦି କିଛି ପରିମାଣରେ ମିଶାଇ ଆଂଶିକ ଭେଜାଲ୍ ସାମଗ୍ରୀ ବଜାରକୁ ଛଡ଼ାଯାଉଥିଲା। ଏବେ ବି ସେହି ଅସାଧୁ ପ୍ରକ୍ରିୟା ଅବ୍ୟାହତ ରହିଛି। କିନ୍ତୁ ତା’ ସାଥÒରେ ଏବେ ଆହୁରି ଭୟଙ୍କର ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହାକି ସମ୍ପୂର୍ଣ୍ଣ ବିଷାକ୍ତ। ଆମର ଘରୋଇ ବ୍ୟବହାରରେ ହେଉ ବା ପୂଜା ପାର୍ବଣରେ, ଆମେ ସମସ୍ତେ ଅଳ୍ପେବହୁତେ ମହୁ ବ୍ୟବହାର କରିଆସୁଛନ୍ତି। ସାଧାରଣତଃ ବଜାରରେ ଉପଲବ୍ଧ ପ୍ୟାକେଟ ମହୁ ହିଁ ସମସ୍ତେ କିଣି ବ୍ୟବହାର କରନ୍ତି। ଚିନ୍ତାର ବିଷୟ ଯେ, ୭୦% କମ୍ପାନୀ ମହୁ ପ୍ରତିବଦଳରେ ଚିନି ଶିରା ହିଁ ବିକ୍ରି କରୁଛନ୍ତି। ପରିତାପର ବିଷୟ ହେଉଛି, ଭାରତରେ ମହୁ ବ୍ୟବସାୟ କରୁଥିବା ଖ୍ୟାତନାମା କମ୍ପାନୀଗୁଡ଼ିକ ନିଜ ନିଜର ଦୋଷତ୍ରୁଟିକୁ ଲୁଚାଇବାକୁ ଯାଇ ପର ଉପରେ ଦୋଷାରୋପ କରନ୍ତି। ଅମୃତ ସମାନ ମହୁକୁ ଆଜି ଲୋଭୀ ବ୍ୟବସାୟୀମାନେ ବିଷରେ ପରିଣତ କରିଛନ୍ତି।
ଦେଶରେ ଏମିତି କେଉଁ ଜିନିଷ ନାହିଁ, ଯାହାର ନକଲି ବ୍ୟବସାୟ ନାହିଁ। ଜଣେ ଉପଭୋକ୍ତା ପକେଟରୁ ଅସଲି ଟଙ୍କା ଦେଇ ନକଲି ଜିନିଷ ଘରକୁ ଆଣେ। ବର୍ତ୍ତମାନ ଅପମିଶ୍ରଣ ଖାଦ୍ୟର ଗନ୍ତାଘର ପାଲଟିଛି କଟକ। କେତେବେଳେ ଖାଇବା ତେଲ ତ କେତେବେଳେ ସସ୍ ଆଉ କେତେବେଳେ ନକଲି ଥଣ୍ଡାପାନୀୟଯୁକ୍ତ କାରଖାନା ଏଠାରେ ଧରାପଡ଼େ। ଅପମିଶ୍ରିତ ମସଲା କାରଖାନା ମଧ୍ୟ ଠାବ କରାଯାଇଛି। କାରଖାନାରେ ଅପମିଶ୍ରିତ ଲାଲ ଲଙ୍କାଗୁଣ୍ଡ, ହଳଦୀ ଓ ଅନ୍ୟାନ୍ୟ ମସଲା ପ୍ରସ୍ତୁତ କରାଯାଉଥିବାର ଅଭିଯୋଗ ଆସିଛି। ନକଲି ଯୋଗୁଁ ଶୁଦ୍ଧ ଖାଦ୍ୟ ବିକୃତ କିମ୍ୱା କ୍ଷତିଗ୍ରସ୍ତ ହୋଇପାରେ ଏବଂ ଏହାର ପୋଷକ ତତ୍ତ୍ୱ ହ୍ରାସ ପାଇପାରେ। କ୍ଷୀରରୁ କିଛି ଲହୁଣୀ ବାହାର କରି ଶୁଦ୍ଧ କ୍ଷୀର ଭାବରେ ବିକ୍ରି କରିବା କିମ୍ୱା ଥରେ ବ୍ୟବହାର ହେବା ପରେ ଚା’ର ପତ୍ରକୁ ଶୁଖାଇ ପୁନଃ ବିକ୍ରୟ କରିବା ମଧ୍ୟ ଅପମିଶ୍ରଣ ସଂପର୍କିତ ଖବର। କିଛିଦିନ ତଳେ ଏକ ପ୍ରମୁଖ ଖବରକାଗଜରେ ପ୍ରକାଶିତ ହୋଇଥିଲା କୋରାପୁଟ ଜିଲ୍ଲା ଜୟପୁରର ସିରିଡି ସାଇ ମନ୍ଦିର ସମ୍ମୁଖରେ ଥିବା ଏକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲରେ ଅପମିଶ୍ରଣ। ଏଥିରୁ ପାଣି ବାହାରୁଥିବା ଅଭିଯୋଗ କରି ଗ୍ରାହକମାନେ ପାଟିତୁଣ୍ଡ କରିଥିଲେ।
କେତେକ ଲୋଭୀ ବ୍ୟବସାୟୀ ନକଲି ମାଧ୍ୟମରେ ଅସହାୟ ଲୋକଙ୍କୁ ଠକୁଛନ୍ତି। ମିଥ୍ୟା ଦାବି ସହ ଆକର୍ଷଣୀୟ ନାମ ଦେଇ ଜନସାଧାରଣଙ୍କୁ ଠକିବା ଅପରାଧ। ଯଦି କୌଣସି କମ୍ପାନୀ କିମ୍ୱା ଦୋକାନର ଖାଦ୍ୟସାମଗ୍ରୀରେ ଅପମିଶ୍ରଣ ପ୍ରମାଣିତ ହୁଏ, ତେବେ ତାଙ୍କୁ ୧୦ଲକ୍ଷ ଟଙ୍କା ଅର୍ଥିକ ଦଣ୍ଡାଦେଶ ସହ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡ଼ିବ। ଏଭଳି ନିୟମକୁ କାର୍ଯ୍ୟକାରୀ କରିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫଏସ୍ଏସଏଆଇ) ଦ୍ୱାରା ପ୍ରସ୍ତାବ ଦିଆଯାଇଛି। ହେଲେ ଆଇନ୍ ଆଖିରେ ଧୂଳି ଦେଇ ଅପମିଶ୍ରଣ କାରବାର ଆହୁରି ବଢ଼଼ିଚାଲିଛି। ଯେଉଁଠି ରୋବୋଟ୍ ପରି ନକଲି ମଣିଷ ଗଢ଼ାହୋଇ ଅସଲିର ଭ୍ରମ ସୃଷ୍ଟି କରିବା ସହ ଅସଲି ମଣିଷର ବୃତ୍ତି ସବୁ ଛଡ଼ାଇ ନେବାକୁ ବସିଛି, ସେଠାରେ ଖାଦ୍ୟ ପଦାର୍ଥ ନକଲି କରିବା କେଉଁ ବଡ଼କଥା?
ପ୍ରଣତି ଆଚାର୍ଯ୍ୟ ମିଶ୍ର
ନୟାଗଡ଼, ମୋ: ୯୪୩୭୬୪୨୯୪୭