ବଜାରରେ ସଜନା ଶାଗ ଓ ପୂଜାକିଟ୍ର ସଙ୍କେତ
ଦିନଥିଲା ଯେତେବେଳେ ଆମ ବାଡ଼ିର ସଜନା ଶାଗ, ଛୁଇଁ ଆମେ ନିଜେ ଖାଇ, ପାଖ ପଡ଼ିଶାଙ୍କ ଲାଗି ମଧ୍ୟ ଖୋଲା ରଖୁଥିଲୁ। ସଜନା ଶାଗର କିଣା-ବିକା ନଥିଲା, ବରଂ ଦିଆ-ନିଆ ଥିଲା। ଏହା ଏକ ସୁଦୃଢ଼ ସାମାଜିକ ବ୍ୟବସ୍ଥାର ସୂଚକାଙ୍କ ମଧ୍ୟ ଥିଲା। ଆଧୁନିକୀକରଣର ବେଗରେ ମଣିଷ ଆଜି ଏତେ କବଳିତ ଯେ ସଜନା ଶାଗ ଓ ଭୃସଙ୍ଗ ପତ୍ର ଭଳି ବାଡ଼ି ପଛପଟ ନିତିଦିନିଆ ସାମଗ୍ରୀ ଆଜି ହାଟରେ ବିକ୍ରି ହେଉଛି। ସେହିଭଳି ଆଜି ବଜାରରେ […]

ଦିନଥିଲା ଯେତେବେଳେ ଆମ ବାଡ଼ିର ସଜନା ଶାଗ, ଛୁଇଁ ଆମେ ନିଜେ ଖାଇ, ପାଖ ପଡ଼ିଶାଙ୍କ ଲାଗି ମଧ୍ୟ ଖୋଲା ରଖୁଥିଲୁ। ସଜନା ଶାଗର କିଣା-ବିକା ନଥିଲା, ବରଂ ଦିଆ-ନିଆ ଥିଲା। ଏହା ଏକ ସୁଦୃଢ଼ ସାମାଜିକ ବ୍ୟବସ୍ଥାର ସୂଚକାଙ୍କ ମଧ୍ୟ ଥିଲା। ଆଧୁନିକୀକରଣର ବେଗରେ ମଣିଷ ଆଜି ଏତେ କବଳିତ ଯେ ସଜନା ଶାଗ ଓ ଭୃସଙ୍ଗ ପତ୍ର ଭଳି ବାଡ଼ି ପଛପଟ ନିତିଦିନିଆ ସାମଗ୍ରୀ ଆଜି ହାଟରେ ବିକ୍ରି ହେଉଛି। ସେହିଭଳି ଆଜି ବଜାରରେ ଗୁରୁବାର ପୂଜା ଲାଗି ‘ପୂଜା କିଟ୍’ ଉପଲବ୍ଧ। ଆମ୍ୱଡାଳ ଠାରୁ ଆରମ୍ଭ କରି, ଗୋବର, ଅରୁଆ ଚାଉଳ, ଦୁବ, ବରକୋଳି ପତ୍ର, ଭୋଗରାଗ ସବୁ ସାମଗ୍ରୀ ସେଥିରେ ରହୁଛି।
ଆଜିକାଲି ଘରେ ଦୁଇଦୁଇଟା ଗ୍ୟାରେଜ ରହୁଛି। କିନ୍ତୁ ବାଡ଼ିବଗିଚାଟିଏ କରିବାକୁ ଲୋକେ ଜାଗା ନଷ୍ଟ କରୁ ନାହାନ୍ତି। ଯଦି ଲୋକେ ୨୪ ଘଣ୍ଟାରୁ କେବଳ ୪ ଘଣ୍ଟା ଘରେ ରହିବେ ତେବେ ସଜନା, ଭୃସଙ୍ଗ ଭଳି ଦୁବ ବରକୋଳି ଘର ବାଡ଼ିରୁ ବାହାରି ହାଟକୁ ଆସିବା ସ୍ୱାଭାବିକ। ଦିନଥିଲା ମଣିଷ ଘରଟିଏ ତୋଳିଲେ ବାଡ଼ିଟିଏ ଛାଡ଼ୁଥିଲା, ଗାଈଗୋରୁଙ୍କ ଲାଗି ଗୁହାଳଟିଏ କରୁଥିଲା, ବୁଢାବୁଢ଼ୀଙ୍କ ବସିବା ଲାଗି ଅଗଣାଟିଏ ରଖୁଥିଲା, ପାଖ ପଡ଼ୋଶୀଙ୍କ ସହ ବସି ଗପସପ କରିବାକୁ ବାହାରେ ପିଣ୍ଡାଟିଏ ତିଆରି କରୁଥିଲା ଏବଂ ରାତିରେ ଜହ୍ନ ତାରାଙ୍କ ସାଙ୍ଗରେ ଆଳାପ କରିବାକୁ ଖୋଲା ଛାତଟିଏ ରଖୁଥିଲା। ଆଜି ଘରର ମାନେ କେବଳ କେତେ ମହଲା, କେତେ ଯାନ୍ତ୍ରିକ ଉପକରଣର ସୁବିଧା, କେତେଟା ଗାଡ଼ି ରଖିବାକୁ ଜାଗା, କେତେଟା ଶୟନ କକ୍ଷ, କେତେ ବଡ଼ ବୈଠକ ଘର, ମୋଡ୍ୟୁଲାର୍ ରୋଷେଇଘର ଓ କୋଟି କୋଟି ଟଙ୍କାର ଭବିଷ୍ୟତ ସ୍ଥାବର ସମ୍ପତ୍ତିରେ ସୀମିତ। ଆଜି ଇଞ୍ଚେ ଇଞ୍ଚେ ଜାଗା ଯେତେବେଳେ କୋଟି କୋଟି ଟଙ୍କାରେ କିଣା ହେଉଛି, ସେତେବେଳେ ସାମାନ୍ୟ ସଜନା ଶାଗ ଓ ଭୃସଙ୍ଗ ପତ୍ର ବଜାରରେ ବିକ୍ରି ହେବା ସ୍ୱାଭାବିକ।
ଘରର ବାଡ଼ିବଗିଚାରୁ ଯେତେବେଳେ ସଜନା ଗଛ, ଅମୃତଭଣ୍ଡା, ଭୃସଙ୍ଗ ପତ୍ର, ପସାରୁଣୀ ପତ୍ର, କଦଳୀ ଗଛ ବା ଋତୁକାଳୀନ ପନିପରିବା ଓ ଫୁଲ ଗଛ ଉଭାନ ହୋଇଯା’ନ୍ତି, ସେତେବେଳେ ସ୍ଥାନୀୟ ଜୈବ ବିବିଧତା କ୍ଷତିଗ୍ରସ୍ତ ହୋଇଥାଏ। ଘରର ବାଡ଼ିବଗିଚା ସ୍ଥାନୀୟ ଉଦ୍ଭିଦ କିସମର ସଂରକ୍ଷଣ କରିବାରେ ସାହାଯ୍ୟ କରିବା ସହିତ ପରାଗସଂଗମକୁ ସୁବିଧା ପ୍ରଦାନ କରିଥାଏ। ମୃତ୍ତିକାର ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ଯୋଗଦାନ କରିଥାଏ। ବାଡ଼ିବଗିଚା ଓ ଘରୋଇ ଗଛମାନଙ୍କର ବିଲୋପ ପରିସଂସ୍ଥାର ବିବିଧତାକୁ ଆଘାତ କରି ଧୀରେ ଧୀରେ କୀଟନାଶକ ଏବଂ ରାସାୟନିକ ଯୁକ୍ତ ଚାଷ ଉପରେ ନିର୍ଭରଶୀଳତାକୁ ବୃଦ୍ଧି କରିଥାଏ। ଆଧୁନିକୀକରଣ ସହିତ ସହରାଞ୍ଚଳର ବଢ଼ୁଥିବା ଖାଦ୍ୟ ଚାହିଦାକୁ ପୂରଣ କରିବା ପାଇଁ ସଜନା ଶାଗ ବା ସଜନା ଛୁଇଁ ଭଳି ଔଷଧୀୟ ଗଛର ଅଭାବ, ବାଣିଜ୍ୟ ଉଦ୍ଦେଶ୍ୟରେ ଚାଷକୁ ପ୍ରୋତ୍ସାହିତ କରି ଅଯଥା ଜଳ, ମୃତ୍ତିକା, ରାସାୟନିକ ସାର ଏବଂ ଶକ୍ତି ସମେତ ପ୍ରାକୃତିକ ସମ୍ୱଳ ଉପରେ ଚାପ ପକାଇଥାଏ।
କୁପୋଷଣ ବିରୁଦ୍ଧରେ ଲଢ଼ିବାକୁ ଆମେ ଯେତେବେଳେ ଘରେ ଘରେ ଓ ସ୍କୁଲମାନଙ୍କରେ ପୁଷ୍ଟିକର ଉଦ୍ୟାନ ଗଢ଼ିବାର ପରାମର୍ଶ ଦେଉଛନ୍ତି, ସେତେବେଳେ ସଜନା ଶାଗ, ପୋଇ ଶାଗ, କଖାରୁ ଡଙ୍କ, କଦଳୀ, ଅମୃତଭଣ୍ଡା, ବାରମାସୀ ଶାଗ, ସୁନୁସୁନିଆ ଶାଗ, ପିଜୁଳି, ଆତ, ବରକୋଳି ଓ ଭୃସଙ୍ଗ ପତ୍ର ଭଳି ସାମାନ୍ୟ ଅଥଚ ସୁସ୍ଥ ଶରୀର ପାଇଁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ବଜାରରେ ଦର କଷାକଷି କାହାର ପ୍ରତିଫଳନ? ଆମେ ଘର କରିବା ବେଳେ ବାଡ଼ିଟିଏ ଲାଗି ଜାଗା ଛାଡୁ ନାହାନ୍ତି। କିନ୍ତୁ ଶରୀରରୁ ଅତିରିକ୍ତ ଚର୍ବି ହ୍ରାସ କରିବାକୁ ଘରେ ବ୍ୟାୟାମଶାଳା ଖୋଲି ଦେଉଛନ୍ତି। ଘରବାଡ଼ିର ଗଛଲତା ସବୁଜିମା ଲାଗି ସମୟ ନ ଦେଇ ନିଜର ଚାପ ଉପଶମ ଲାଗି ମନସ୍ତାତ୍ତ୍ୱିକ ପରାମର୍ଶଦାତା ପାଖକୁ ଧାଉଁଛନ୍ତି। ଘର ବାଡ଼ିବଗିଚାରେ ବୁଲିଆସିଲେ, ବଢ଼ୁଥିବା ଗଛଙ୍କୁ ଦେଖିଲେ, ଫୁଲ ଉପରେ ଗୁଣୁଗୁଣୁ ହେଉଥିବା ମହୁମାଛିକୁ ଶୁଣିଲେ, ରଙ୍ଗବିରଙ୍ଗ ଫୁଲ ଓ ସବୁଜିମାକୁ ଦେଖିଲେ ଅବସାଦ ହ୍ରାସ ହୋଇଥାଏ। ମାନସିକ ସୁସ୍ଥତା ବୃଦ୍ଧି ପାଇଥାଏ। ଗବେଷଣା ମଧ୍ୟ ଏହା କୁହେ ଯେ, ନିଜ ବାଡ଼ିବଗିଚାରେ କାମକଲେ ଶରୀର ଫୂର୍ତ୍ତି ଓ ସୁସ୍ଥ ରହିବା ସାଙ୍ଗରେ ମାନସିକ ସୁସ୍ଥତା ମଧ୍ୟ ବୃଦ୍ଧି ପାଇଥାଏ ଏବଂ ଉଦ୍ବେଗର ଲକ୍ଷଣ ହ୍ରାସ ହୋଇଥାଏ। ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ ବାଡ଼ିବଗିଚାର ସୁବିଧା ଥିବା ପରିବାର ଅଧିକ ପନିପରିବା ଏବଂ ଫଳ ଖାଆନ୍ତି, ଯାହା ଉନ୍ନତ ସ୍ୱାସ୍ଥ୍ୟ ବୃଦ୍ଧି କରି ସ୍ୱାସ୍ଥ୍ୟସେବା ଖର୍ଚ୍ଚକୁ ହ୍ରାସ କରିଥାଏ।
ବଦଳୁଥିବା ସମୟରେ ସଜନା ଶାଗ ଓ ଭୃସଙ୍ଗ ପତ୍ର ଭଳି ଘରୋଇ ଖାଦ୍ୟ ସାମଗ୍ରୀର ଦୁଃଖ ଲାଘବ କରିବାକୁ ମଣିଷକୁ ତତ୍ପରତା ଦେଖାଇବାର ଅଛି। ଏଇ ଘରୋଇ ସାମଗ୍ରୀର ଘର ବାଡ଼ି ଛାଡ଼ି ବଜାର ଦାଣ୍ଡରେ ଗଡ଼଼ିବା ଏକ ବ୍ୟାପକ ସାମାଜିକ-ଅର୍ଥନୈତିକ ବିସଙ୍ଗତିର ପ୍ରତିଫଳନ। ପରିବେଶ ଅବକ୍ଷୟ ଏବଂ ବୃଦ୍ଧି ପାଉଥିବା ଆର୍ଥିକ ଅସମାନତାର ଲକ୍ଷଣ। କାଲି ଯେମିତି ମଣିଷର ଏହା ଦୁଃଖ ନ ହୋଇଯାଉ ଯେ ଶାଗ ଟିକିଏ ବା ପତ୍ର ଟିକିଏ କିଣିବାକୁ ପଇସା ତ ଥିବ, ହେଲେ ସେସବୁ ଆଉ ମିଳୁ ନଥିବେ। କାରଣ ବଢ଼ୁଥିବା ମଣିଷର ଲୋଭ ହେତୁ ଚାଷ ଜମି କମି କମି ଚାଲିଲାଣି। ଏଇ ମାଟିର ମଣିଷ ମାଟିରେ ମିଶିବାକୁ ମାଟିଟିଏ ଯେମିତି ଛାଡ଼ୁ।
ଭୁବନେଶ୍ୱର, ମୋ: ୬୩୭୦୯୦୫୯୪୭
ଡ.ଅନ୍ତର୍ଜିତା ନାୟକ