ବଜ୍ରପାତରେ କଲେଜ ଛାତ୍ରୀଙ୍କ ସମେତ ୪ ମୃତ

ପ୍ରାୟ ସମସ୍ତେ ବିଲକୁ ଯାଇଥିବା ବେଳେ ବଜ୍ରପାତରେ ଜୀବନ ହରାଇଛନ୍ତି।

ବଜ୍ରପାତରେ କଲେଜ ଛାତ୍ରୀଙ୍କ ସମେତ ୪ ମୃତ

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରାଘାତରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସମ୍ବଲପୁର, ଯାଜପୁର, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

ବଜ୍ରାଘାତରେ ସମ୍ବଲପୁର ଜିଲ୍ଲାରେ ଯାହାଙ୍କ ମୃତ୍ୟୁ ଘଟିଛି, ତାଙ୍କ ନାଁ କୈଳାସ ଶେଉଳ। ତାଙ୍କୁ ୩୫ ବର୍ଷ ହୋଇଥିଲା। ତାଙ୍କ ଘର କୁଚିଣ୍ଡା ଥାନା ସୁବର୍ଣ୍ଣପାଲିରେ। ସେ ବିଲରେ କାମ କରୁଥିବା ବେଳେ ବର୍ଷା ହୋଇଥିଲା। ତେଣୁ ପାଖରେ ଥିବା ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ସେହି ସମୟରେ ବିଜୁଳି ମାରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ତାଙ୍କ ସହିତ ଥିବା ୨୪ ବର୍ଷୀୟ ଦୀନେଶ ଜାମଡାଳିଆ ଗୁରୁତର ଆହତ ହୋଇଛନ୍ତି।

ଯାଜପୁର ଜିଲ୍ଲା ଧର୍ମଶାଳାର ବଳଭଦ୍ରପୁର ଗାଁରେ ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଭାଗିରଥି ନାୟକ (୬୩)। ସେ ବିଲରେ କାମ କରୁଥିବା ବେଳେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ସେ ବଜ୍ରପାତର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଭଦ୍ରକର କୋଡ଼ବରୁଆଁ ଗାଁରେ ବଜ୍ରପାତରେ ଗାଁର ପ୍ରଶାନ୍ତ ଦାସଙ୍କ ଝିଅ ମିଲିରାଣୀ ଦାସଙ୍କର ମୃତ୍ୟୁ ଘଟିଛି। ଆଜି ମଧ୍ୟାହ୍ନରେ ବଗିଚାକୁ ଯାଇଥିବା ବେଳେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଥିଲା। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସେ ଚରମ୍ପା ମହାବିଦ୍ୟାଳୟର ଯୁକ୍ତ ତିନିର ପ୍ରଥମ ବର୍ଷର ଛାତ୍ରୀ ଥିଲେ।

ସେହିପରି ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଜଳଧରପୁରରେ ବିଲରୁ ଫେରିବା ବେଳେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।