ବନ୍ଦ ଘରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ
ଭଦ୍ରକ,୫।୪(ସନାତନ ରାଉତ): ଭଦ୍ରକ ଟାଉନ ଥାନା ଅଧୀନ ଅପର୍ତିବିନ୍ଧା ନିଉକଲୋନୀରେ ଗତ ୩୦ ତାରିଖରେ ଏକ ଭଡ଼ାଘରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ମୃତ ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗକ୍ରମେ ଟାଉନ ଥାନା ପୋଲିସ ଏକ ହତ୍ୟା ମାମଲା (ନଂ.୧୭୩/୨୪) ରୁଜୁ କରି ତଦନ୍ତ ଜାରି ରଖିଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଗତସିଂହପୁର ଟାଉନ ଥାନା ଅଧୀନ ଅଗର ଗଁାର ଆଶିଷ ମହାନ୍ତି(୩୮)ଙ୍କୁ ଗୁରୁବାର ଗିରଫ କରାଯାଇଛି। ଟାଉନ ଥାନାରେ ଶୁକ୍ରବାର ଖବରଦାତା ସମ୍ମିଳନୀରେ ସିଟି ଡିଏସ୍ପି ଅଂଶୁମାନ […] The post ବନ୍ଦ ଘରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ appeared first on Dharitri Odia News.
ଭଦ୍ରକ,୫।୪(ସନାତନ ରାଉତ): ଭଦ୍ରକ ଟାଉନ ଥାନା ଅଧୀନ ଅପର୍ତିବିନ୍ଧା ନିଉକଲୋନୀରେ ଗତ ୩୦ ତାରିଖରେ ଏକ ଭଡ଼ାଘରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ମୃତ ମହିଳାଙ୍କ ସ୍ବାମୀଙ୍କ ଅଭିଯୋଗକ୍ରମେ ଟାଉନ ଥାନା ପୋଲିସ ଏକ ହତ୍ୟା ମାମଲା (ନଂ.୧୭୩/୨୪) ରୁଜୁ କରି ତଦନ୍ତ ଜାରି ରଖିଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଗତସିଂହପୁର ଟାଉନ ଥାନା ଅଧୀନ ଅଗର ଗଁାର ଆଶିଷ ମହାନ୍ତି(୩୮)ଙ୍କୁ ଗୁରୁବାର ଗିରଫ କରାଯାଇଛି।
ଟାଉନ ଥାନାରେ ଶୁକ୍ରବାର ଖବରଦାତା ସମ୍ମିଳନୀରେ ସିଟି ଡିଏସ୍ପି ଅଂଶୁମାନ ଦ୍ୱିବେଦୀ ସୂଚନା ଦେଇ କହିଛନ୍ତି, ତିହିଡ଼ି ଥାନା ଅଧୀନ ଗୋଳାପୋଖରୀ ଗ୍ରାମର ମହେଶ୍ୱର ନାୟକ ୪ ବର୍ଷ ତଳେ ତାଙ୍କ ସ୍ତ୍ରୀ ମଧୁମିତାଙ୍କ ସହ ଭୁବନେଶ୍ୱରରେ ରହୁଥିଲେ। ସେଠାରେ ଏକ ଘରୋଇ ସ୍କୁଲରେ ତାଙ୍କ ପୁଅ ପାଠ ପଢ଼ୁଥିବା ବେଳେ ସେହି ସ୍କୁଲରେ ଚାକିରି କରିଥିବା ଆଶିଷଙ୍କ ସହ ମଧୁମିତାଙ୍କ ସମ୍ପର୍କ ହୋଇଥିଲା। ଧୀରେ ଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୬ ମାସ ତଳେ ମହେଶ୍ୱର ମଧୁମିତାଙ୍କୁ ଭଦ୍ରକ ଅପର୍ତିବିନ୍ଧାସ୍ଥିତ ନିଉକଲୋନୀରେ ଭଡ଼ା ଘରେ ରଖିଥିଲେ। ମହେଶ୍ୱର ମୁମ୍ବାଇରେ ରହୁଥିବା ବେଳେ ତାଙ୍କର ଏକମାତ୍ର ପୁଅ ପୁନେରେ ରହି ପାଠ ପଢ଼ୁଛନ୍ତି।
ମଧୁମିତା ଭଡ଼ାଘରେ ଏକା ରହୁଥିବା ବେଳେ ତାଙ୍କ ପ୍ରେମିକ ଆଶିଷ ଏଠାକୁ ମଝିରେ ମଝିରେ ଆସୁଥିଲେ। ମଧୁମିତାଙ୍କର ଅନ୍ୟ ଜଣେ ପୁରୁଷଙ୍କ ସହ ପ୍ରେମସମ୍ପର୍କ ଥିବା ଆଶିଷଙ୍କ ସନ୍ଦେହ ହୋଇଥିଲା। ଗତ ମାର୍ଚ୍ଚ ୧୩ରେ ଆଶିଷ ମଧୁମିତାଙ୍କ ପାଖକୁ ଆସିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମଜନିତ ସନ୍ଦେହ ଓ ଟଙ୍କା କାରବାରକୁ ନେଇ ଝଗଡ଼ା ହୋଇଥିଲା। ୧୫ ତାରିଖ ରାତିରେ ମଧୁମିତାଙ୍କୁ ଏକ ଧାରୁଆ ଛୁରୀ ଓ ଟ୍ୟୁବ୍ୱେଲ୍ର ପ୍ଲାଞ୍ଜର ରଡ୍ ସାହାଯ୍ୟରେ ହତ୍ୟା କରି ଆଶିଷ ୧୬ ତାରିଖ ଭୋର ସମୟରେ ଉକ୍ତ ଘରେ ବାହାର ପଟୁ ତାଲା ଦେଇ ଫେରାର ହୋଇଯାଇଥିଲେ।
ଗଲା ବେଳେ ମଧୁମିତାଙ୍କ ମୋବାଇଲ ସାଙ୍ଗରେ ନେଇ ଯାଇଥିଲେ ବୋଲି ପୋଲିସ ଆଗରେ ଆଶିଷ ସ୍ବୀକାର କରିଛନ୍ତି। ସେହି ମୋବାଇଲର କଲ୍ ରେକର୍ଡକୁ ଯାଞ୍ଚ କରି ଟାଉନ ଥାନା ଓ ପୁରୁଣାବଜାର ପୋଲିସ ମିଳିତ ଭାବେ ଭଦ୍ରକ ଚରମ୍ପା ବଜାରର ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରୁ ଆଶିଷଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଶୁକ୍ରବାର ଅପରାହ୍ନରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି।
ସୂଚନାଯୋଗ୍ୟ, ଭଡ଼ାଘର ଭିତରୁ ଦୁର୍ଗନ୍ଧ ହେବାରୁ ମାଲିକ ଜଣାଇବା ପରେ ଗତ ଶନିବାର ମହେଶ୍ୱର ଭଦ୍ରକରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ଟାଉନ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗିବା ପରେ ମଧୁମିତାଙ୍କ ମୃତଦେହ ଘର ଭିତରେ ପଡ଼ିଥିଲା। ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ ପରେ ଏହା ହତ୍ୟାକାଣ୍ଡ ବୋଲି ପୋଲିସର ସନ୍ଦେହ ହୋଇଥିଲା। ଖବରଦାତା ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି, ପୁରୁଣାବଜାର ଥାନା ଅଧିକାରୀ ନୀରୋଜ କୁମାର ସାମଲ ଓ ତଦନ୍ତକାରୀ ଅଫିସର ଏସ୍ଆଇ ଶ୍ରୀକାନ୍ତ କୁମାର ପତି ଉପସ୍ଥିତ ଥିଲେ।
The post ବନ୍ଦ ଘରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ appeared first on Dharitri Odia News.