ବରାହନାଥ ପ୍ରକଳ୍ପରେ ଅନିୟମିତତା

ଯାଜପୁର,୧୯ା୨(ହର୍ଷବର୍ଦ୍ଧନ ବେହେରା):ଅବହେଳିତ ହୋଇପଡ଼ି ରହିଥିବା ଯାଜପୁରର ପ୍ରାଚୀନ ବରାହନାଥ ମନ୍ଦିରର ନବକଳେବର କାର୍ଯ୍ୟ ଚାଲିଛି। ମନ୍ଦିର ସଂଲଗ୍ନ ଦ୍ୱୀପାଞ୍ଚଳରେ ନିର୍ମାଣାଧୀନ ୧୮୩ ଫୁଟ ଉଚ୍ଚତା ବିଶିଷ୍ଟ ଧ୍ୟାନମଗ୍ନ ଶିବ ମୂର୍ତ୍ତି ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଏହାବାଦ୍‌ ମ୍ୟୁଜିୟମ, ଟୁରିଷ୍ଟ ସ୍ପଟ୍‌, ଟୁରିଷ୍ଟ ଅଫିସ, ଶିବ ଗ୍ୟାଲେରି, କଲ୍‌ଚରାଲ ସେଣ୍ଟର ଇତ୍ୟାଦି କାର୍ଯ୍ୟ ପାଇଁ ୨୦୧୯-୨୦ରୁ ଆଜି ପର୍ଯ୍ୟନ୍ତ ୩୫.୫୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଯାଜପୁର ଜିଲା ଆର୍‌ଆଣ୍ଡ୍‌ବି(ପୂର୍ତ୍ତ ବିଭାଗ) ଡିଭିଜନର ତଦାରଖରେ ଏହିସବୁ କାର୍ଯ୍ୟ […] The post ବରାହନାଥ ପ୍ରକଳ୍ପରେ ଅନିୟମିତତା appeared first on Dharitri Odia News.

ବରାହନାଥ ପ୍ରକଳ୍ପରେ ଅନିୟମିତତା

ଯାଜପୁର,୧୯ା୨(ହର୍ଷବର୍ଦ୍ଧନ ବେହେରା):ଅବହେଳିତ ହୋଇପଡ଼ି ରହିଥିବା ଯାଜପୁରର ପ୍ରାଚୀନ ବରାହନାଥ ମନ୍ଦିରର ନବକଳେବର କାର୍ଯ୍ୟ ଚାଲିଛି। ମନ୍ଦିର ସଂଲଗ୍ନ ଦ୍ୱୀପାଞ୍ଚଳରେ ନିର୍ମାଣାଧୀନ ୧୮୩ ଫୁଟ ଉଚ୍ଚତା ବିଶିଷ୍ଟ ଧ୍ୟାନମଗ୍ନ ଶିବ ମୂର୍ତ୍ତି ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଏହାବାଦ୍‌ ମ୍ୟୁଜିୟମ, ଟୁରିଷ୍ଟ ସ୍ପଟ୍‌, ଟୁରିଷ୍ଟ ଅଫିସ, ଶିବ ଗ୍ୟାଲେରି, କଲ୍‌ଚରାଲ ସେଣ୍ଟର ଇତ୍ୟାଦି କାର୍ଯ୍ୟ ପାଇଁ ୨୦୧୯-୨୦ରୁ ଆଜି ପର୍ଯ୍ୟନ୍ତ ୩୫.୫୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଯାଜପୁର ଜିଲା ଆର୍‌ଆଣ୍ଡ୍‌ବି(ପୂର୍ତ୍ତ ବିଭାଗ) ଡିଭିଜନର ତଦାରଖରେ ଏହିସବୁ କାର୍ଯ୍ୟ ଚାଲିଛି। ହେଲେ ସମ୍ପୃକ୍ତ ଯନ୍ତ୍ରୀ ପ୍ରାୟତଃ କ୍ଷେତ୍ର ପରିଦର୍ଶନରେ ଯାଉ ନ ଥିବାରୁ ଠିକାସଂସ୍ଥା ଏବଂ କେତେଜଣ ପେଟି କଣ୍ଟ୍ରାକ୍ଟର ନିମ୍ନମାନର ବାଲି, ଗେଟି, ମୋରମ ଆଦି ବ୍ୟବହାର ସହ ସୁରକ୍ଷା ପାଚେରି ନିର୍ମାଣରେ ବ୍ୟାପକ ଦୁର୍ନୀତି କରୁଥିବା ଅଭିଯୋଗ ହେଉଛି। ଏଭଳି କାର୍ଯ୍ୟ ଜାରି ରହିଲେ ୨୦୧୫ ଡିସେମ୍ବରରେ ନିର୍ମାଣାଧୀନ କୁସୁମା ପୋଖରୀର ସୁରକ୍ଷା ପାଚେରୀ ଭୁଶୁଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଯାଜପୁର ଉପକଣ୍ଠ ବୈତରଣୀ କୂଳରେ ବରାହନାଥ ମନ୍ଦିର ରହିଛି। ମନ୍ଦିରକୁ ଲାଗି ବିସ୍ତୀର୍ଣ୍ଣ ଦ୍ୱୀପାଞ୍ଚଳରେ ବହୁ ଯାନିଯାତ୍ରା ହୋଇଆସୁଛି। ଏହାସହ ବରାହନାଥ ପୀଠ ସଂଲଗ୍ନ ବୈତରଣୀ ତୀର୍ଥକୂଳରେ ସ୍ବର୍ଗଦ୍ୱାର ଓ ମହାଶ୍ମଶାନ ରହିଛି। ତେଣୁ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ହେଲା ଦାବି ହୋଇ ଆସୁଥିଲା। ଏହି କ୍ରମରେ ସାଂସ୍କୃତିକ କେନ୍ଦ୍ର ଶିବଙ୍କ ମୂର୍ତ୍ତି ନିର୍ମାଣ ପାଇଁ ୨ କୋଟି, ମେଗା ଡେଷ୍ଟିନେଶନ ଟୁରିଷ୍ଟ ସ୍ପଷ୍ଟ ପାଇଁ ୨ କୋଟି, ମ୍ୟୁଜିୟମ ଓ ଟୁରିଷ୍ଟ ଅଫିସ ପାଇଁ ୨୫ ଲକ୍ଷ, ବରାହପୀଠରେ ଐତିହାସିକ ଉଦ୍ୟାନ ଲାଗି ୧ କୋଟି, ମ୍ୟୁଜିୟମ ଓ ଟୁରିଷ୍ଟ ଅଫିସ୍‌ର ଭିତର ପାର୍ଶ୍ୱ ସମସ୍ତ କାର୍ଯ୍ୟ ପାଇଁ ୭୨ ଲକ୍ଷ, ଶିବ ଗ୍ୟାଲେରି ନିର୍ମାଣ ପାଇଁ ୧ କୋଟି ୨୮ ଲକ୍ଷ ଟଙ୍କା, ଟୁରିଷ୍ଟ ଇଣ୍ଟରପ୍ରିଟେସନ ସେଣ୍ଟର, ମ୍ୟୁଜିୟମ ଓ ଅଫିସ ନିର୍ମାଣ ପାଇଁ ପୁଣି ୬ କୋଟି, ଶିବ ମୂର୍ତ୍ତି ସାଂସ୍କୃତିକ କେନ୍ଦ୍ର ପାଇଁ ପୁଣି ୫ କୋଟି, ମା ବିରଜା ଓ ବରାହ କ୍ଷେତ୍ରରେ ମେଗା ଡେଷ୍ଟିନେଶନ ଟୁରିଷ୍ଟ ସ୍ପଷ୍ଟ ପାଇଁ ୫.୮୧ କୋଟି, ବରାହପୀଠର ଭିତର ପାର୍ଶ୍ୱ କାର୍ଯ୍ୟ ଓ ମ୍ୟୁଜିୟମ ପାଇଁ ପୁଣି ୨ କୋଟି, ଶିବ ଗ୍ୟାଲେରି ପାଇଁ ପୁଣି ୬ କୋଟି ଏବଂ ବରାହପୀଠର ସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ ୩.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହିସବୁ କାର୍ଯ୍ୟ ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବାବେଳେ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ସେହିପରି ରିଂରୋଡ୍‌କୁ ଲାଗି ନିର୍ମାଣ ହେଉଥିବା ସୁରକ୍ଷା ପାଚେରି ପାଇଁ ମାତ୍ର ୧ ଫୁଟ ଗାତ ଖୋଳାଯାଇ ପିଲର ସହଯୋଗରେ ଇଟା ଯୋଡେଇ ଚାଲିଛି। ଅନୂ୍ୟନ ୫ ଫୁଟ ଗାତ ଖନନ କରି ସେଥିରେ କଂକ୍ରିଟ ଓ ଆବଶ୍ୟକ ମୋଟେଇ ଲୁହା ରଡ୍‌ ଦ୍ୱାରା ପାଚେରି ନିର୍ମାଣ ବ୍ୟବସ୍ଥା ଥିବାବେଳେ ତାହାର ବ୍ୟତିକ୍ରମ ହେଉଛି। ଏହାବାଦ୍‌ ଦ୍ୱୀପାଞ୍ଚଳ ନିର୍ମାଣସ୍ଥଳକୁ କେବଳ ବାଲିରେ ପୋତିବା ବ୍ୟବସ୍ଥା ଥିବାବେଳେ ନିମ୍ନମାନର ମାଟି ଓ ମୋରମ ବ୍ୟବହାର କରାଯାଉଛି। ଏନେଇ ଅଞ୍ଚଳବାସୀ ଅଭିଯୋଗ କଲେ କିଛି ସୁଫଳ ମିଳିପାରୁନାହିଁ। ଏ ସଂକ୍ରାନ୍ତରେ ଯାଜପୁର ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଭଗବାନ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ସେଭଳି କିଛି ଅଭିଯୋଗ ତାଙ୍କ ପାଖରେ ନାହିଁ। ତଥାପି ସୋମବାର ସେ କ୍ଷେତ୍ର ପରିଦର୍ଶନରେ ଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।

The post ବରାହନାଥ ପ୍ରକଳ୍ପରେ ଅନିୟମିତତା appeared first on Dharitri Odia News.