ବର୍ଷା ଆଶଙ୍କାରେ ଭାରତ-କାନାଡା

ଲୌଡରହିଲ, ୧୫।୬ (ପି.ଟି.): ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ସୁପର-୮ରେ ପ୍ରବେଶ କରିସାରିଥିବା ଭାରତ ଏହାର ଅନ୍ତିମ ଲିଗ୍‌ ମ୍ୟାଚରେ ଶନିବାର କାନାଡାକୁ ଭେଟିବ। ପୂର୍ବ ୩ ମ୍ୟାଚରେ ଯଥାକ୍ରମେ ଆୟର୍ଲାଣ୍ଡ, ପାକିସ୍ତାନ ଓ ଆମେରିକାକୁ ହରାଇ ସାରିଥିବା ଭାରତ ଆଗାମୀ ଗେମ୍‌ ଜିତି ଅପରାଜେୟ ଭାବେ ସୁପର-୮ ଖେଳିବା ଲକ୍ଷ୍ୟରେ ରହିଛି। ତାରକା ବ୍ୟାଟର ବିରାଟ କୋହଲିଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ ଥିବାବେଳେ ଆଗାମୀ ମୁକାବିଲା ବର୍ଷା ଦ୍ୱାରା ବାଧାପ୍ରାପ୍ତ ହେବାର ମଧ୍ୟ […] The post ବର୍ଷା ଆଶଙ୍କାରେ ଭାରତ-କାନାଡା appeared first on Dharitri Odia News.

ବର୍ଷା ଆଶଙ୍କାରେ ଭାରତ-କାନାଡା

ଲୌଡରହିଲ, ୧୫।୬ (ପି.ଟି.): ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ର ସୁପର-୮ରେ ପ୍ରବେଶ କରିସାରିଥିବା ଭାରତ ଏହାର ଅନ୍ତିମ ଲିଗ୍‌ ମ୍ୟାଚରେ ଶନିବାର କାନାଡାକୁ ଭେଟିବ। ପୂର୍ବ ୩ ମ୍ୟାଚରେ ଯଥାକ୍ରମେ ଆୟର୍ଲାଣ୍ଡ, ପାକିସ୍ତାନ ଓ ଆମେରିକାକୁ ହରାଇ ସାରିଥିବା ଭାରତ ଆଗାମୀ ଗେମ୍‌ ଜିତି ଅପରାଜେୟ ଭାବେ ସୁପର-୮ ଖେଳିବା ଲକ୍ଷ୍ୟରେ ରହିଛି। ତାରକା ବ୍ୟାଟର ବିରାଟ କୋହଲିଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ ଥିବାବେଳେ ଆଗାମୀ ମୁକାବିଲା ବର୍ଷା ଦ୍ୱାରା ବାଧାପ୍ରାପ୍ତ ହେବାର ମଧ୍ୟ ଆଶଙ୍କା ରହିଛି। ଫ୍ଲୋରିଡାର ବିଭିନ୍ନ ସ୍ଥାନ ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛି। ପ୍ରତିଯୋଗିତାର ସୁପର-୮ ପର୍ଯ୍ୟାୟ ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବାରୁ ଆଗକୁ ଭାରତ ପାଇଁ କଡ଼ା ଚ୍ୟାଲେଞ୍ଜ ଆସୁଛି।
ଟି୨୦ ବିଶ୍ୱକପ୍‌ ପୂର୍ବରୁ କୋହଲି ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ୧୫୦ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ୍‌ ହାରରେ ସେ ୭୦୦ରୁ ଅଧିକ ରନ ସ୍କୋର କରିଥିଲେ। ମାତ୍ର ବିଶ୍ୱକପ୍‌ରେ ତାଙ୍କ ବ୍ୟାଟ୍‌ ନୀରବ ରହିଛି। ୩ ମ୍ୟାଚରେ ସେ ୧.୬୬ ହାରରେ ମାତ୍ର ୫ ରନ କରିଛନ୍ତି। ଏହା ମଧ୍ୟରେ ଥରେ ଗୋଲ୍‌ଡେନ ଡକ୍‌ ସାମିଲ। ଦୀର୍ଘ ୧୩ ବର୍ଷ ବ୍ୟବଧାନରେ ଭାରତର ଆଇସିସି ଟ୍ରଫି ଜିତିବା ଆଶା ପୂରଣ ହେବାକୁ ହେଲେ କୋହଲିଙ୍କୁ ଫର୍ମକୁ ଫେରିବା ଜରୁରୀ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ତେବେ ନ୍ୟୁୟର୍କରୁ ୧୮୫୦ କିଲୋମିଟର ଦୂର ଫ୍ଲୋରିଡାରେ କୋହଲି ଫର୍ମକୁ ଫେରିବେ ବୋଲି ତାଙ୍କ ପ୍ରଶଂସକ ଆଶା ରଖିଛନ୍ତି।
ଫ୍ଲୋରିଡାର ବ୍ରୋଓ୍ବାର୍ଡ କାଉଣ୍ଟି ଷ୍ଟାଡିୟମ ପିଚ୍‌ ନ୍ୟୁୟର୍କ ପରି ନ ଥିବ ବୋଲି ଆଶା ରହିଛି। କ୍ରିକେଟ ଖେଳ ଅପେକ୍ଷା ନ୍ୟୁୟର୍କର ଅନ୍‌ଇଭେନ୍‌ ବାଉନ୍ସ୍‌ ଟ୍ରାକ୍‌ ଏବଂ ସ୍ଲୋ ଆଉଟ୍‌ଫିଲ୍ଡ ଅଧିକ ଚର୍ଚ୍ଚାରେ ରହିଛି। ଭାରତ ବିଜୟ ଧାରାରେ ରହିଥିବାରୁ କୋହଲି ସମ୍ଭବତଃ ବିଶେଷ ଚାପରେ ରହିବେ ନାହିଁ। ଓପନରମାନେ ବଡ଼ ସ୍କୋର କରିପାରୁ ନ ଥିବାରୁ ପରବର୍ତ୍ତୀ ବ୍ୟାଟରଙ୍କ ଉପରେ ଚାପ ପଡ଼ୁଛି। ତେବେ ରିଷଭ ପନ୍ତ ଓ ସୂର୍ଯ୍ୟକୁମାର ଯାଦବ ସ୍ଥିତିକୁ ସମ୍ଭାଳି ନେଇଛନ୍ତି। ଆମେରିକା ବିପକ୍ଷ ମ୍ୟାଚରେ ଭାରତ ଖରାପ ସ୍ଥିତିରେ ରହିଥିବାବେଳେ ସୂର୍ଯ୍ୟକୁମାର ଅର୍ଦ୍ଧଶତକ ହାସଲ କରି ନିଜ ଫର୍ମର ପରିଚୟ ଦେଇଛନ୍ତି। ସେହିପରି ପୂର୍ବ ୨ ମ୍ୟାଚରେ ଖରାପ ପ୍ରଦର୍ଶନ ପରେ ଆମେରିକା ବିପକ୍ଷରେ ୩୫ ବଲ୍‌ରୁ ଉପଯୋଗୀ ୩୧ ରନକରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିବାରୁ ଶିବମ୍‌ ଦୁବେଙ୍କୁ ଆଗାମୀ ମ୍ୟାଚରେ ମଧ୍ୟ ସୁଯୋଗ ମିଳିବା ନିଶ୍ଚିତ ହୋଇଛି। ଯଦି ଭାରତ ଯଶସ୍ବୀ ଜୟସ୍ବାଲଙ୍କୁ ଖେଳାଇବାକୁ ଚାହିଁବ ତେବେ କୋହଲି ନିଜ ପୂର୍ବସ୍ଥାନ ୩ ନମ୍ବରକୁ ଫେରିବେ।
ନ୍ୟୁୟର୍କ ପିଚ୍‌ରୁ ଭାରତୀୟ ବୋଲରମାନେ କିନ୍ତୁ ଭରପୂର ଫାଇଦା ଉଠାଇଛନ୍ତି। ୩ ବୋଲର ଯଶପ୍ରୀତ୍‌ ବୁମ୍‌ରା (୫ ଉଇକେଟ), ହାର୍ଦ୍ଦିକ ପାଣ୍ଡ୍ୟା (୭ ଉଇକେଟ) ଓ ଅର୍ଶଦୀପ ସିଂ (୭ ଉଇକେଟ) ପ୍ରତିପକ୍ଷ ବ୍ୟାଟରଙ୍କ ପାଇଁ କଷ୍ଟସାଧ୍ୟ ସାବ୍ୟସ୍ତ ହୋଇଛନ୍ତି। ନିର୍ଭରଯୋଗ୍ୟ ବୁମ୍‌ରାଙ୍କ ବ୍ୟତୀତ ପାଣ୍ଡ୍ୟା ଓ ଅର୍ଶଦୀପଙ୍କ ପ୍ରଦର୍ଶନରେ ଟିମ୍‌ ମ୍ୟାନେଜମେଣ୍ଟ ଅତ୍ୟନ୍ତ ଆନନ୍ଦିତ। ମାତ୍ର ଗୋଟିଏ ଉଇକେଟ ନେଇଥିବା ମହମ୍ମଦ ସିରାଜ ଏବଂ ଆଦୌ ଉଇକେଟ ପାଇ ନ ଥିବା ରବୀନ୍ଦ୍ର ଜାଡେଜା ମଧ୍ୟ ଫର୍ମକୁ ଫେରନ୍ତୁ ବୋଲି ମ୍ୟାନେଜମେଣ୍ଟ ଆଶା ରଖିଛି। ଭାରତ ସୁପର-୮ରେ ପ୍ରବେଶ କରିସାରିଥିବାରୁ କାନାଡ଼ା ବିପକ୍ଷ ମ୍ୟାଚରେ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣକୁ କିମ୍ବା ଦୁଇଜଣଙ୍କୁ ଚୂଡ଼ାନ୍ତ ଦଳରେ ସ୍ଥାନ ମିଳିପାରେ। ଏ କ୍ଷେତ୍ରରେ ଜାଡେଜା ଓ ଅକ୍ଷର ପଟେଲଙ୍କୁ ବାହାରେ ବସିବାକୁ ପଡ଼ିପାରେ। ଓ୍ବେଷ୍ଟଇଣ୍ଡିଜ ପିଚ୍‌ରେ ସୁପର-୮ ହେବାକୁ ଯାଉଛି। ସେଠାକାର ପିଚ୍‌ ସ୍ପିନର ଫ୍ରେଣ୍ଡଲୀ ରହିବ। ତେଣୁ ଏହା ପୂର୍ବରୁ କୁଲଦୀପ ଓ ଚହଲଙ୍କୁ ମ୍ୟାଚ ପ୍ରାକ୍ଟିସ ଦେବାକଥା ମଧ୍ୟ ଚିନ୍ତା କରାଯାଇପାରେ।
ଅନ୍ୟପକ୍ଷରେ ଆୟର୍ଲାଣ୍ଡ ବିପକ୍ଷରେ ୧୨ ରନରେ ବିଜୟ ହାସଲ କରିଥିବା କାନାଡା ମଧ୍ୟ ଆଗାମୀ ମ୍ୟାଚରେ ଭଲ ପ୍ରଦର୍ଶନର ଲକ୍ଷ୍ୟ ରଖିଛି। ଓପନର ଆରୋନ ଜନସନ ବଡ଼ ଇନିଂସ ଖେଳିବାର ଦକ୍ଷତା ରଖିଛନ୍ତି। ମାତ୍ର ଭାରତକୁ ବିସ୍ମିତ କଲାଭଳି ପ୍ରଦର୍ଶନ କାନାଡା ପାଇଁ ନିଶ୍ଚିତ କଷ୍ଟସାଧ୍ୟ ହେବ। ବର୍ଷା ସମ୍ଭାବନା ଥିବାରୁ ଏହା ମ୍ୟାଚକୁ ପ୍ରଭାବିତ କରିବା ଆଶଙ୍କା ମଧ୍ୟ ରହିଛି।

The post ବର୍ଷା ଆଶଙ୍କାରେ ଭାରତ-କାନାଡା appeared first on Dharitri Odia News.