ବର୍ଷା ପାଣିରେ ଖେଳୁଥିଲେ ୪ ସାଙ୍ଗ, ପୋଖରୀରେ ପଡ଼ିଗଲେ ଦୁଇ ଜଣ

ମୃତକ ଦୁଇ ନାବାଳକଙ୍କ ବୟସ ୯ ଓ ୧୫ ବର୍ଷ ବୋଲି ଜଣାଯାଇଛି।

ବର୍ଷା ପାଣିରେ ଖେଳୁଥିଲେ ୪ ସାଙ୍ଗ, ପୋଖରୀରେ ପଡ଼ିଗଲେ ଦୁଇ ଜଣ

ବର୍ଷା ପାଣିରେ ଖେଳିବାର ମଜା ହେଲା କାଳ। ଖେଳୁ ଖେଳୁ ପୋଖରୀ ନିକଟକୁ ଚାଲି ଯାଇଥିବା ୪ ସାଙ୍ଗଙ୍କ ମଧ୍ୟରୁ ପାଣିରେ ବୁଡ଼ିଗଲେ ଦୁଇ ଶିଶୁ। ଏପରି ଏକ ଦୁଃଖଦ ଘଟଣା ରାଜଧାନୀ ଦିଲ୍ଲୀ ନିକଟ ପ୍ରେମ ନଗର ଅଞ୍ଚଳରେ ଘଟିଛି। ମୃତକ ଦୁଇ ନାବାଳକଙ୍କ ବୟସ ୯ ଓ ୧୫ ବର୍ଷ ବୋଲି ଜଣାଯାଇଛି।

ଗତକାଲି ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ପାଣି ବିଭିନ୍ନ ସ୍ଥାନରେ ଜମି ରହିଥିବା ବେଳେ ପ୍ରେମ ନଗର ଅଞ୍ଚଳରେ ଥିବା ପୋଖରୀରେ ପାଣି ଫୁଲ୍‌ ହୋଇ ଯାଇଥିଲା।

ବର୍ଷା ପାଣିରେ ଖେଳିବାକୁ ସନ୍ଧ୍ୟାରେ ୪ ସାଙ୍ଗ ଘରୁ ବାହାରିଥିଲେ। ଏହାପରେ ସେମାନେ ନିକଟସ୍ଥ ପୋଖରୀକୁ ଚାଲି ଯାଇଥିଲେ। ସେଠାରେ ଅସାବଧାନତାଃବଶତଃ ଦୁଇ ଶିଶୁ ପାଣିରେ ଖସି ପଡ଼ିଥିଲେ।

ଖବର ପାଇ ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ଚେଷ୍ଟା ପରେ ପାଣିରୁ ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ନିକଟସ୍ଥ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଘରୁ ଖେଳି ବାହାରିଥିବା ଛୁଆଙ୍କ ମୃତ୍ୟୁ ଘଟଣାକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଏହା ସେମାନଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।