ବର୍ଷାଋତୁରେ ଶିଶୁରୋଗର ପ୍ରତିକାର

ବର୍ଷାଋତୁ ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ ହୋଇ ନ ଥାଏ। ଅନ୍ୟ ଋତୁ ଅପେକ୍ଷା ବର୍ଷାଋତୁରେ ରୋଗ ଓ ରୋଗୀ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଥାଏ। ଋତୁର ପରିବର୍ତ୍ତନ ହେତୁ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିଯାଏ, ଉତ୍ତାପ ଅଧିକ ଥାଏ। ଫଳରେ ଶରୀର ମଧ୍ୟରୁ ନିଷ୍କାସନ ହେଉଥିବା ଝାଳ ବାୟୁମଣ୍ଡଳକୁ ପ୍ରବେଶ କରିପାରେ ନାହିଁ। ଏହା ବାଷ୍ପୀଭୂତ ନ ହେବା ଫଳରେ ଶରୀର ଶୀତଳ ହୁଏ ନାହିଁ ଓ ଅଧିକ ଗରମ ଅନୁଭୂତ ହୁଏ, ଏହାକୁ ଗୁଳୁଗୁଳି କୁହାଯାଏ। ଫଳରେ […] The post ବର୍ଷାଋତୁରେ ଶିଶୁରୋଗର ପ୍ରତିକାର appeared first on Dharitri Odia News.

ବର୍ଷାଋତୁରେ ଶିଶୁରୋଗର ପ୍ରତିକାର

ବର୍ଷାଋତୁ ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ ହୋଇ ନ ଥାଏ। ଅନ୍ୟ ଋତୁ ଅପେକ୍ଷା ବର୍ଷାଋତୁରେ ରୋଗ ଓ ରୋଗୀ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଥାଏ। ଋତୁର ପରିବର୍ତ୍ତନ ହେତୁ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିଯାଏ, ଉତ୍ତାପ ଅଧିକ ଥାଏ। ଫଳରେ ଶରୀର ମଧ୍ୟରୁ ନିଷ୍କାସନ ହେଉଥିବା ଝାଳ ବାୟୁମଣ୍ଡଳକୁ ପ୍ରବେଶ କରିପାରେ ନାହିଁ। ଏହା ବାଷ୍ପୀଭୂତ ନ ହେବା ଫଳରେ ଶରୀର ଶୀତଳ ହୁଏ ନାହିଁ ଓ ଅଧିକ ଗରମ ଅନୁଭୂତ ହୁଏ, ଏହାକୁ ଗୁଳୁଗୁଳି କୁହାଯାଏ। ଫଳରେ ଅନେକ ଚର୍ମରୋଗ ଦେଖାଯାଏ।
ଭୂତାଣୁ, ଜୀବାଣୁ, କୀଟାଣୁ, ପାରାସାଇଟ କୀଟପତଙ୍ଗ ସମସ୍ତଙ୍କର ବଂଶ ବୃଦ୍ଧି ଆଶାତୀତ ହୁଏ, ଏହା ପ୍ରଜନନ ଋତୁ। ତେଣୁ ରୋଗ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇଥାଏ। ବର୍ଷାଜଳ, ନଦୀ, ପୁଷ୍କରିଣୀ, ନାଳନର୍ଦ୍ଦମା ସବୁକୁ ଏକାକାର କରିଦିଏ। ଏପରିକି ପ୍ରଥମ ହେଉଥିବା ବର୍ଷାଜଳ ଅମ୍ଳଯୁକ୍ତ ହୋଇ ଦୂଷିତ ଜଳ ବର୍ଷା ହୋଇଥାଏ। ବିଲରେ ଜଳ ପ୍ରବେଶ ଫଳରେ ସାପ, ବିଛା, ବିଷାକ୍ତ କୀଟମାନେ ଗୃହ ମଧ୍ୟରେ ପ୍ରବେଶ କରନ୍ତି। ସର୍ପ ଦଂଶନ, କୀଟ ଦଂଶନ ଇତ୍ୟାଦିର ପ୍ରକୋପ ଦେଖାଦିଏ। ବର୍ଷା ହେତୁ ଭୂସ୍ଖଳନ, ବାଦଲଫଟା ବର୍ଷା ହେତୁ ଆକସ୍ମିକ ବନ୍ୟା। ଦୁର୍ବଳ ଗୃହ ଭୁଶୁଡ଼ି ପଡ଼ିବା, ଜଳରେ ସଲିଳ ସମାଧି ନେବା ଭଳି ଅନେକ ଦୁର୍ଦ୍ଦଶା ଦେଖାଯାଏ।
ବର୍ଷାଋତୁରେ ଶିଶୁମାନଙ୍କ ପ୍ରଧାନ ରୋଗ ହେଉଛି ଥଣ୍ଡା ବା ସର୍ଦ୍ଦି। ଏହା ପ୍ରାୟ ୨ଶହ ପ୍ରକାର ଭୂତାଣୁ ହେତୁ ହୋଇଥାଏ। ସେମାନଙ୍କ ମଧ୍ୟରୁ ରାଇନୋଭାଇରସ୍‌ ମୁଖ୍ୟ। ଇନ୍‌ଫ୍ଲୁଏଞ୍ଜା ଭାଇରସ୍‌ ମଧ୍ୟ ଏହି ସମୟରେ ଦେଖାଯାଇଥାଏ। ଏହି ଭୂତାଣୁ ନିଃଶ୍ୱାସ ପ୍ରଶ୍ୱାସ, ଛିଙ୍କ, କାଶ ଓ ସ୍ପର୍ଶ ଦ୍ୱାରା ବ୍ୟାପିଥାଏ। ଗେହ୍ଲା କରିବା, ଏକା ରୁମାଲରେ ମୁହଁ ପୋଛିବା, ଗୋଟିଏ କୋଠରିରେ ରହିବା ଫଳରେ ଏହା ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ଡେଇଁଥାଏ। ଶରୀରରେ ରୋଗ ପ୍ରତିରୋଧ ଶକ୍ତି ନ ଥିବାରୁ ଶିଶୁଙ୍କୁ ରୋଗ ଅଧିକ ଦିନ ରହିବା ସହ ଅନ୍ୟାନ୍ୟ ଉପସର୍ଗ ଦେଖାଦିଏ। ଥଣ୍ଡା ପରେ ଶ୍ୱାସ, କାନପଚା, ନିମୋନିଆ ଇତ୍ୟାଦି ବୃଦ୍ଧି ପାଇଥାଏ। ପ୍ରଥମେ ଥଣ୍ଡାରୋଗରେ ନାକରୁ ପାଣି ବାହାରେ, କାଶ, ତଣ୍ଟି ଘା, ଦେହ ହାତ ବ୍ୟଥା ଓ ଭୋକ ହୋଇ ନ ଥାଏ, ଜ୍ୱର ମଧ୍ୟ ଶିଶୁଙ୍କଠାରେ ଦେଖାଯାଇଥାଏ।
ରୋଗ ସଂକ୍ରମଣର ୧୬ ଘଣ୍ଟା ପରେ ଦେହ ହାତ ବିନ୍ଧାହୋଇଥାଏ। ୨ଦିନ ପରେ ନାକରୁ ପାଣି ବାହାରି ଛିଙ୍କ କାଶ ହୋଇଥାଏ। ୭ରୁ ୧୦ ଦିନ ମଧ୍ୟରେ ମନକୁ ମନ ରୋଗ ଭଲ ହୋଇଯାଏ। ସମୟ ସମୟରେ କାଶ ୨୧ରୁ ୨୫ ଦିନ ପର୍ଯ୍ୟନ୍ତ ରହିଥାଏ। ଯେହେତୁ ଥଣ୍ଡା ରୋଗଟି ଭୂତାଣୁଜନିତ କୌଣସି ଔଷଧ ଆବିଷ୍କୃତ ହୋଇନାହିଁ। ଜ୍ୱର, ଦେହ ବ୍ୟଥା ପାଇଁ ଔଷଧ ଦେବା ଉଚିତ। ଭିଟାମିନ ସି’ ବିଶେଷ ଭାବରେ ଉପକାରୀ। ଆଣ୍ଟିବାୟୋଟିକ୍‌ର ବ୍ୟବହାର ଫଳରେ କୌଣସି ଉପକାର ମିଳି ନ ଥାଏ। ଇନ୍‌ଫ୍ଲୁଏଞ୍ଜା ରୋଗ ଫଳରେ ଅଧିକ ଜ୍ୱର ଓ ଶ୍ୱାସକଷ୍ଟ ଦୁର୍ବଳତା ଅନୁଭୂତ ହୋଇଥାଏ। ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ।
ଥଣ୍ଡା ଓ ଇନ୍‌ଫ୍ଲୁଏଞ୍ଜାରୁ ରକ୍ଷାପାଇବା ପାଇଁ ଶିଶୁକୁ ଥଣ୍ଡା ରୋଗୀଠାରୁ ଦୂରେଇରଖନ୍ତୁ। ତା’ର ମୁଖରେ ଚୁମାଦେବା ଓ ତା’ର ମୁଖ, ଗାଲ ଇତ୍ୟାଦି ଛୁଇଁବା ଅନୁଚିତ, ମା’ଙ୍କୁ ଥଣ୍ଡା ହୋଇଥିଲେ ମା’ ମାସ୍କ ବ୍ୟବହାର କରିବା ଉଚିତ। ଅବଶ୍ୟ ମା’ କ୍ଷୀର ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ବର୍ଷାଋତୁରେ ମ୍ୟାଲେରିଆ ଓ ଡେଙ୍ଗୁର ପ୍ରକୋପ ବୃଦ୍ଧି ହୋଇଥାଏ। ଔଷଧ ଛଡ଼ା ମଶାରିର ବ୍ୟବହାର, ରକ୍ତ ପରୀକ୍ଷା ଓ ଠିକ୍‌ ସମୟରେ ଔଷଧ ସେବନ ମ୍ୟାଲେରିଆରୁ ରକ୍ଷା କରିଥାଏ। ମଶାଧୂପ ଓ ଲିକ୍ୟୁଏଡଟର ମଶାକ୍ରିମ୍‌ ଓ ତେଲ ମଧ୍ୟ ବ୍ୟବହାର କରାଯାଇପାରେ। ଶିଶୁର ଅସୁସ୍ଥତା ପାଇଁ ଦୂଷିତ ଜଳ ଅନେକ ପରିମାଣରେ ଦାୟୀ। ଫଳରେ ତରଳ ଝାଡ଼ା, ଜଣ୍ଡିସ୍‌, କୃମି ରୋଗ, ଟାଇଫଏଡ୍‌, ଲେପ୍ଟେସ୍ପାଇରୋସିସ୍‌ ଇତ୍ୟାଦି ରୋଗ ଦେଖାଦେଇଥାଏ।
ବର୍ଷାଋତୁରେ ଶିଶୁମାନଙ୍କୁ ରୋଗରୁ ରକ୍ଷାକରିବା ପାଇଁ ପରିଷ୍କାର ପରିଚ୍ଛନ୍ନତା ଅତି ଦରକାର। ନିଜର ହାତ, ବାସନକୁସନ ସାବୁନ ଦ୍ୱାରା ସଫା କରିବା ଉଚିତ। ବର୍ଷାରେ ଓଦାହେବା ପରେ କିମ୍ବା ବାହାର ନର୍ଦ୍ଦମାପାଣି ମଧ୍ୟରେ ଓଦାହୋଇ ଆସିବା ପରେ, ସଫା ହୋଇ ଗାଧୋଇବା ସଫାସୁତୁରା ରହିବା ଦରକାର, ଖାଇବାକୁ ଦେବା ପୂର୍ବରୁ ଗରମ ପାଣିରେ ବାସନ ଧୋଇବା ଉଚିତ। ମାଛି ପ୍ରତି ସତର୍କତା ଗ୍ରହଣ କରିବା ଉଚିତ। ମଶାରି ବ୍ୟବହାର, ଫୁଟାପାଣି ବ୍ୟବହାର କରିବା ଜରୁରୀ। ସବୁଜ ପନିପରିବା ଖାଇବା ଉଚିତ।

ପ୍ର. ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ
ବିଭାଗୀୟ ମୁଖ୍ୟ, ଶିଶୁରୋଗ ବିଭାଗ,
ଫକୀରମୋହନ ମେଡିକାଲ କଲେଜ, ବାଲେଶ୍ୱର ମୋ: ୯୪୩୭୧୨୪୦୭୪

The post ବର୍ଷାଋତୁରେ ଶିଶୁରୋଗର ପ୍ରତିକାର appeared first on Dharitri Odia News.