ବର୍ଷାରେ ପୂର୍ତ୍ତ ବିଭାଗର ନିମ୍ନମାନର କଂକ୍ରିଟ କାମ
ଯାଜପୁର,୭।୮(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲା ପାଣିକୋଇଲି ପୂର୍ତ୍ତ ବିଭାଗ ଅଧୀନରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ ହେଉଥିବା ଅଭିଯୋଗ ହେଉଛି। ସରକାର ବଦଳିବା ପରେ ଏହି ନିର୍ମାଣ କାର୍ଯ୍ୟରେ ସୁଧାର ଆସିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଭୁଲ ସାବ୍ୟସ୍ତ ହୋଇଛି। ଏହାର ଉଦାହରଣ ପ୍ରୀତିପୁର ଡିହକୁଳାଠାରୁ ସିଂହପୁର(ନାଉବାଙ୍କ ଆରଡି ରାସ୍ତା)ର ପ୍ରଶସ୍ତିକରଣ କାର୍ଯ୍ୟରେ ଦେଖିବାକୁ ମିଳିଛି। ଏଠାରେ ବର୍ଷା ଚାଲିଥିବା ସମୟରେ ଠିକାଦାର ନିମ୍ନମାନର କଙ୍କ୍ରିଟ କାମ କରାଉଥିବାରୁ ତାହା […] The post ବର୍ଷାରେ ପୂର୍ତ୍ତ ବିଭାଗର ନିମ୍ନମାନର କଂକ୍ରିଟ କାମ appeared first on Dharitri Odia News.
ଯାଜପୁର,୭।୮(ହର୍ଷବର୍ଦ୍ଧନ ବେହେରା) :ଯାଜପୁର ଜିଲା ପାଣିକୋଇଲି ପୂର୍ତ୍ତ ବିଭାଗ ଅଧୀନରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ ହେଉଥିବା ଅଭିଯୋଗ ହେଉଛି। ସରକାର ବଦଳିବା ପରେ ଏହି ନିର୍ମାଣ କାର୍ଯ୍ୟରେ ସୁଧାର ଆସିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ଭୁଲ ସାବ୍ୟସ୍ତ ହୋଇଛି। ଏହାର ଉଦାହରଣ ପ୍ରୀତିପୁର ଡିହକୁଳାଠାରୁ ସିଂହପୁର(ନାଉବାଙ୍କ ଆରଡି ରାସ୍ତା)ର ପ୍ରଶସ୍ତିକରଣ କାର୍ଯ୍ୟରେ ଦେଖିବାକୁ ମିଳିଛି। ଏଠାରେ ବର୍ଷା ଚାଲିଥିବା ସମୟରେ ଠିକାଦାର ନିମ୍ନମାନର କଙ୍କ୍ରିଟ କାମ କରାଉଥିବାରୁ ତାହା ପାଣିରେ ଧୋଇ ହୋଇଯାଉଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଘନଶ୍ୟାମ ନାୟକ, ଅଭିରାମ ନାୟକ, ଯୁଧିଷ୍ଠିର ବେହେରା, ଲିଟୁ ଜେନା, ବୁଢା ବେହେରା ପ୍ରମୁଖ ବିଞ୍ଝାରପୁର ପୂର୍ତ୍ତ ବିଭାଗ ଏସ୍ଡିଓ ରାମଚନ୍ଦ୍ର ମଲିକଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ତେବେ ଠିକାଦାରଙ୍କ ଲୋକମାନେ ଅଭିଯୋଗକାରୀଙ୍କୁ ଧମକଚମକ ଦେଉଥିବା ଗ୍ରାମବାସୀ କହିଛନ୍ତି।
ପ୍ରୀତିପୁର ଡିହକୁଳାଠାରୁ ସିଂହପୁର ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ୩ କୋଟି ୨୭ ଲକ୍ଷ ୬୯ ହଜାର ୯୧ ଟଙ୍କା ଅଟକଳ କରାଯାଇଛି। ଠିକାଦାର ଅମିୟ କୁମାର ଜେନାଙ୍କୁ ଏହାର ନିର୍ମାଣ ଦାୟିତ୍ୱ ଦିଆଯାଇଛି। ବର୍ଷାଋତୁ ପୂର୍ବରୁ ଅର୍ଥାତ୍ ୨୯ା୨ା୨୦୨୪ରେ ଏହି କାର୍ଯ୍ୟ ଆରମ୍ଭ ହୋଇ ୨୭ା୭ା୨୦୨୪ରେ ଶେଷ ହେବାକୁ ଥିଲା। କିନ୍ତୁ ରାସ୍ତାର ଏବେ ଡ୍ରେନ କାର୍ଯ୍ୟ ଆରମ୍ଭ ହେଉଛି। ବର୍ଷା ଚାଲିଥିଲେ ବି କାମ ହେଉଥିବାରୁ ବିଭିନ୍ନ ସ୍ଥାନରୁ ସିମେଣ୍ଟ ଓ ମେଟାଲ ଝଡି ଯାଇଥିବା ଦେଖିବାକୁ ମିଳିଛି। ଏହାବାଦ୍ ଆବଶ୍ୟକ ନିର୍ମାଣ ସାମଗ୍ରୀ ବ୍ୟବହାର ହେଉ ନ ଥିବାରୁ ରାସ୍ତାର ସ୍ଥାୟିତ୍ୱ ନେଇ ଗ୍ରାମବାସୀ ଆଶଙ୍କା ପ୍ରକଟ କରିଛନ୍ତି। ଉକ୍ତ ରାସ୍ତାଟି ଏକ ଚାଷ ବହୁଳ ଅଞ୍ଚଳ । ବର୍ଷା ଓ ବନ୍ୟା ସମୟରେ ଏହି ରାସ୍ତା ଉପରେ ୨ରୁ ୩ ଫୁଟ ପାଣି ଜମି ରହିଥାଏ। ଉକ୍ତ ପାଣି ନିକଟସ୍ଥ ଚାଷ ଜମିରେ ପ୍ରବେଶ କରି ପ୍ରତିବର୍ଷ ଫସଲ ନଷ୍ଟ କରିଥାଏ । ତେଣୁ ଅଞ୍ଚଳବାସୀଙ୍କ ଦାବି ଅନୁସାରେ ଶୁଖିଲା ପାଗରେ ରାସ୍ତା ଓ ଡ୍ରେନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଠିକାଦାର ଅଧିକ ଲାଭ ପାଇବା ଆଶା ରଖି ବର୍ଷାରେ ଅତି ନିମ୍ନମାନର କାମ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ବିଞ୍ଝାରପୁର ପୂର୍ତ୍ତ ବିଭାଗ ଏସ୍ଡିଓ ରାମଚନ୍ଦ୍ର ମଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ରାସ୍ତାରେ ଜମି ବିବାଦ ସମସ୍ୟା ରହିଛି। ଏନେଇ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ ହୋଇଛି। ବର୍ଷା ସମୟରେ କାମ ହେଉନାହିଁ। ଶୁଖିଲା ପାଗରେ ଉନ୍ନତମାନର କାମ କରି ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଉଦ୍ୟମ ଜାରି ରହିଛି।
The post ବର୍ଷାରେ ପୂର୍ତ୍ତ ବିଭାଗର ନିମ୍ନମାନର କଂକ୍ରିଟ କାମ appeared first on Dharitri Odia News.