ବଲେ ବଲେ ପରେ କୁସୁମାର ୨ ବଙ୍ଗଳା: ସରକାର ବଦଳିବା ପରେ ଚର୍ଚ୍ଚାରେ ସରକାରୀ ସମ୍ପତ୍ତି
ଯାଜପୁର/ଯାଜପୁର ସଦର,୧ା୭(ହର୍ଷବର୍ଦ୍ଧନ ବେହେରା/ସମର ବିଜୟ ଶରଣ): ସରକାରୀ ଜମି ଓ ଅର୍ଥରେ ନିର୍ମାଣ ହୋଇଥିବା ବିଭିନ୍ନ କୋଠାଘର ବ୍ୟକ୍ତିଗତ ସମ୍ପତ୍ତି ଭାବେ ବ୍ୟବହାର ହେଉଥିବାର ଅଭିଯୋଗ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ସରକାରୀ ସମ୍ପତ୍ତିକୁ କେବଳ କବ୍ଜା କରିବା ନୁହେଁ, ତାହାକୁ ବ୍ୟବହାର କରି ଅନେକ ଅନୈତିକ କାର୍ଯ୍ୟ ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ପୂର୍ବତନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ନିର୍ମିତ ବିଳାସପୂର୍ଣ୍ଣ ବଙ୍ଗଳା ଏବଂ ଯାଜପୁର ଜିଲା […] The post ବଲେ ବଲେ ପରେ କୁସୁମାର ୨ ବଙ୍ଗଳା: ସରକାର ବଦଳିବା ପରେ ଚର୍ଚ୍ଚାରେ ସରକାରୀ ସମ୍ପତ୍ତି appeared first on Dharitri Odia News.
ଯାଜପୁର/ଯାଜପୁର ସଦର,୧ା୭(ହର୍ଷବର୍ଦ୍ଧନ ବେହେରା/ସମର ବିଜୟ ଶରଣ): ସରକାରୀ ଜମି ଓ ଅର୍ଥରେ ନିର୍ମାଣ ହୋଇଥିବା ବିଭିନ୍ନ କୋଠାଘର ବ୍ୟକ୍ତିଗତ ସମ୍ପତ୍ତି ଭାବେ ବ୍ୟବହାର ହେଉଥିବାର ଅଭିଯୋଗ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ସରକାରୀ ସମ୍ପତ୍ତିକୁ କେବଳ କବ୍ଜା କରିବା ନୁହେଁ, ତାହାକୁ ବ୍ୟବହାର କରି ଅନେକ ଅନୈତିକ କାର୍ଯ୍ୟ ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି।
ପୂର୍ବତନ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ନିର୍ମିତ ବିଳାସପୂର୍ଣ୍ଣ ବଙ୍ଗଳା ଏବଂ ଯାଜପୁର ଜିଲା ଧର୍ମଶାଳା ଭବନ ପରିସରର ବଲେ ବଲେ ଢାବା ପରେ ଯାଜପୁରର କୁସୁମା ପୋଖରୀ ଭିତରେ ତିଆରି ହୋଇଥିବା ୨ ଆକର୍ଷଣୀୟ ବଙ୍ଗଳାକୁ ନେଇ ଏବେ ଆଲୋଚନା ଜୋର ଧରିଛି। ଏହି ବଙ୍ଗଳା ସରକାରୀ ଅର୍ଥରେ ନିର୍ମାଣ ହୋଇଥିବାବେଳେ ତାହା ପ୍ରଭାବଶାଳୀଙ୍କ କବ୍ଜାରେ ରହିଛି। ତେଣୁ ସେଠାକୁ ସାଧାରଣ ଲୋକଙ୍କୁ ବାରଣ କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି।
ଧାର୍ମିକ ପର୍ଯ୍ୟଟନର ସହର ଯାଜପୁରରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ ସୃଷ୍ଟି ଲକ୍ଷ୍ୟରେ କୁସୁମା ପୋଖରୀର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨ା୬ା୨୦୧୧ରେ ଅନୁମତି ମିଳିଥିଲା। ଏଥିପାଇଁ ପ୍ରାୟ ୨୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାକୁ ୨୦୧୮ ମାର୍ଚ୍ଚ ୨୫ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ୨୦୧୯-୨୦ରେ ଏହି ପୋଖରୀରେ ଫ୍ଲୋଟିଂ ମ୍ୟୁଜିକାଲ ଫାଉଣ୍ଟେନ ପାଇଁ ୬ କୋଟି ୬୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହାପରେ କୁସୁମା ପୋଖରୀ ସୌନ୍ଦର୍ଯ୍ୟରାଣୀ ଭାବେ ବିକଶିତ ହୋଇଥିଲା।
ତେବେ ଏହା ଉଦ୍ଘାଟନ ହେବାର ପ୍ରାୟ ୧୦ ମାସ ପରେ ସାଧାରଣ ଲୋକଙ୍କ ନିମନ୍ତେ ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ପ୍ରବେଶ ଅନୁମତି ମିଳିଥିଲା। ପର୍ଯ୍ୟଟକଙ୍କ ପାଇଁ କୁସୁମା ଅବସର ବିନୋଦନର ଏକ ମାଧ୍ୟମ ହୋଇଛି। ଏଠାରେ ବୋଟିଂ ବ୍ୟବସ୍ଥା ମଧ୍ୟ କରାଯାଇଛି। କୁସୁମା ଭିତରେ ପ୍ରାୟ ୭୦ ପ୍ରଜାତିର ଫୁଲ ଶୋଭା ପାଉଛି। ହେଲେ ପୋଖରୀ ପାଣିକୁ ଲାଗି ରହିଥିବା ବଙ୍ଗଳାକୁ ବ୍ୟବହାର ପାଇଁ ସାଧାରଣ ଲୋକ ତଥା ପର୍ଯ୍ୟଟକଙ୍କୁ ଅନୁମତି ମିଳୁନାହିଁ। ଏଥିପାଇଁ ପୌରସଂସ୍ଥା ପକ୍ଷରୁ ବିଭିନ୍ନ ଆଳ ଦେଖାଯାଉଥିବା ଅଭିଯୋଗ ହେଉଛି। ତେବେ ଏହା ନିର୍ଦ୍ଦିଷ୍ଟ ଲୋକମାନଙ୍କ ମଉଜ ମଜଲିସର ସ୍ଥାନ ପାଲଟିଥିବାରୁ ତାହାକୁ ସାଧାରଣ ଲୋକଙ୍କଠାରୁ ଦୂରେଇ ରଖାଯାଇଥିବା ଚର୍ଚ୍ଚା ହେଉଛି।
ଏହି ବଙ୍ଗଳାରେ ଛୋଟବଡ଼ ଶୀତତାପ ନିୟନ୍ତ୍ରିତ ୩ଟି କୋଠରି ଥିବାବେଳେ ସେଥିରେ ବହୁ ମୂଲ୍ୟବାନ ଆସବାବପତ୍ର ରହିଛି। ଏହାବାଦ ସେଠାରେ ଥିବା ଶିଶୁ ଉଦ୍ୟାନକୁ ଭାଙ୍ଗି ଅନ୍ୟ ଏକ ବିଳାସପୂର୍ଣ୍ଣ ବଙ୍ଗଳା ନିର୍ମାଣ କରାଯାଇଛି। ଏହି ଦୁଇ ବଙ୍ଗଳା ନିର୍ମାଣ ପାଇଁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି। ତେବେ କେଉଁ ଅନୁଦାନ ଓ ଉଦ୍ଦେଶ୍ୟରେ ଏହି ବଙ୍ଗଳା ନିର୍ମାଣ ହୋଇଥିଲା ସେନେଇ ଯାଜପୁର ପୌର ପରିଷଦ କର୍ତ୍ତୃପକ୍ଷ କହି ପାରୁନାହାନ୍ତି। ଏହି ଦୁଇ ବଙ୍ଗଳା କେବେ ସାଧାରଣ ଲୋକଙ୍କ କାମରେ ଆସିଛି ସେନେଇ ମଧ୍ୟ ସମସ୍ତଙ୍କ ପାଟି ଚୁପ୍। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ୨ ବଙ୍ଗଳାକୁ ରଙ୍ଗଶାଳା ଭାବେ ଅଭିହିତ କରାଯାଉଛି।
ଏହାବାଦ ଏଠାରେ ବହୁ ଉଚ୍ଚସ୍ତରର ବିଜେଡି ବୈଠକ ଅନୁଷ୍ଠିତ ହେଉଥିଲା ଏବଂ ରାତିରେ ମଧ୍ୟ ଯାତାୟାତ ଚାଲିଥିଲା ବୋଲି ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ସରକାର ବଦଳିବା ପରେ ବିପୁଳ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ବଙ୍ଗଳାରେ କ’ଣ ସବୁ ହେଉଥିଲା ତାହା ଏବେ ସାଧାରଣରେ ଆଲୋଚନା ହେଉଛି। ଏ ସଂକ୍ରାନ୍ତରେ ଯାଜପୁର ପୌର ପରିଷଦ ନିର୍ବାହୀ ଅଧିକାରୀ ଅନିଲ କୁମାର ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, କୁସୁମା ପୋଖରୀ ପରିସରରେ ବଙ୍ଗଳା ନିର୍ମାଣ କେଉଁ ଉଦ୍ଦେଶ୍ୟରେ ହୋଇଥିଲା ତାହା ତାଙ୍କୁ ଜଣାନାହିଁ। କାଗଜପତ୍ର ଦେଖି ସେ ତଥ୍ୟ ପ୍ରଦାନ କରିପାରିବେ।
The post ବଲେ ବଲେ ପରେ କୁସୁମାର ୨ ବଙ୍ଗଳା: ସରକାର ବଦଳିବା ପରେ ଚର୍ଚ୍ଚାରେ ସରକାରୀ ସମ୍ପତ୍ତି appeared first on Dharitri Odia News.