ବାଉଁଶ ଭାଙ୍ଗିବ ଜଳବାୟୁ ପରିବର୍ତ୍ତନର କୁଚକ୍ର

ପରିସଂସ୍ଥା (ଇକୋସିଷ୍ଟମ), ଅର୍ଥନୀତି ଓ ଜୀବଜଗତକୁ ପ୍ରଭାବିତ କରୁଥିବା ଜଳବାୟୁର ଅସ୍ବାଭାବିକ ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ପ୍ରସଙ୍ଗ। ବିଶ୍ୱର ବିଭିନ୍ନ ଦେଶ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ସହିତ ଅଙ୍ଗାରକାମ୍ଳର ପୃଥକୀକରଣ ପାଇଁ ପ୍ରୟାସ ଚଳାଇଛନ୍ତି। ଏହିକ୍ରମରେ ବାଉଁଶ ଏକ ଆଶାଜନକ ସମାଧାନର ମାଧ୍ୟମ ଭାବରେ ଉଭା ହୋଇଛି। କ୍ଷୀପ୍ର ବୃଦ୍ଧି, ଅଧିକ ବାୟୋମାସ (ଜୈବିକ ଅଂଶ) ଓ ଅଙ୍ଗାରକାମ୍ଳ ପୃଥକୀକରଣ କ୍ଷମତା ହେତୁ ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ବାଉଁଶ ଏକ ଉତ୍ତମ ବିକଳ୍ପ ହୋଇପାରିବ। […]

ବାଉଁଶ ଭାଙ୍ଗିବ ଜଳବାୟୁ ପରିବର୍ତ୍ତନର କୁଚକ୍ର
sakala article

ପରିସଂସ୍ଥା (ଇକୋସିଷ୍ଟମ), ଅର୍ଥନୀତି ଓ ଜୀବଜଗତକୁ ପ୍ରଭାବିତ କରୁଥିବା ଜଳବାୟୁର ଅସ୍ବାଭାବିକ ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ପ୍ରସଙ୍ଗ। ବିଶ୍ୱର ବିଭିନ୍ନ ଦେଶ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ସହିତ ଅଙ୍ଗାରକାମ୍ଳର ପୃଥକୀକରଣ ପାଇଁ ପ୍ରୟାସ ଚଳାଇଛନ୍ତି। ଏହିକ୍ରମରେ ବାଉଁଶ ଏକ ଆଶାଜନକ ସମାଧାନର ମାଧ୍ୟମ ଭାବରେ ଉଭା ହୋଇଛି। କ୍ଷୀପ୍ର ବୃଦ୍ଧି, ଅଧିକ ବାୟୋମାସ (ଜୈବିକ ଅଂଶ) ଓ ଅଙ୍ଗାରକାମ୍ଳ ପୃଥକୀକରଣ କ୍ଷମତା ହେତୁ ଜଳବାୟୁ ପରିବର୍ତ୍ତନର ମୁକାବିଲାରେ ବାଉଁଶ ଏକ ଉତ୍ତମ ବିକଳ୍ପ ହୋଇପାରିବ। ବିଭିନ୍ନ ଅଧ୍ୟୟନର ତଥ୍ୟ ଅନୁସାରେ ପାରମ୍ପରିକ ଉଦ୍ଭିଦ ଅପେକ୍ଷା ବାଉଁଶ ବାୟୁମଣ୍ଡଳରୁ ଅଧିକ ଅଙ୍ଗାରକାମ୍ଳ ଗ୍ରହଣ କରିଥାଏ। ଏହି ଅଙ୍ଗାରକାମ୍ଳ ତାହାର ପତ୍ର ଓ ଚେର ସହିତ ବାୟୋମାସରେ ଗଚ୍ଛିତ ଥାଏ।

ମୃତ୍ତିକା କ୍ଷୟ ରୋକିବାରେ ମଧ୍ୟ ବାଉଁଶର ବିସ୍ତୃତ ମୂଳ ପ୍ରଣାଳୀ ବେଶ୍‌‌ ଉପଯୋଗୀ। ଅଙ୍ଗାରକାମ୍ଳର ପ୍ରାକୃତିକ ସଂରକ୍ଷଣ ପାଇଁ ଅନ୍ୟ ଉଦ୍ଭିଦ ତୁଳନାରେ ବାଉଁଶ ଅଧିକ ସହାୟକ ହୋଇଥାଏ। ଏହି ଉଦ୍ଭିଦ ସ୍ୱଳ୍ପ ସମୟରେ କେବଳ ନିଜ ବଂଶ ବୃଦ୍ଧି କରେ ନାହିଁ, ବରଂ ନିଜର କାୟା ବିସ୍ତାର କରିଚାଲେ। ବାୟୋମାସ୍‌‌ ଉତ୍ପାଦନ କ୍ଷମତା ଅଧିକ ହୋଇଥିବାରୁ ଜଳବାୟୁ ସନ୍ତୁଳନ ରକ୍ଷାରେ ବାଉଁଶ ପ୍ରକୃତିର ଏକ ଗୁରୁତ୍ୱପୂର୍ଣ୍ଣ କାରକ ରୂପେ ପରିଗଣିତ ହୋଇଥାଏ। ଏହା ବହୁ ପରିମାଣର ଜୈବ ପଦାର୍ଥ ଉତ୍ପାଦନ କରିଥାଏ। ଯାହାକୁ ବାୟୋଏନର୍ଜି (ଜୈବ ଶକ୍ତି) ସହିତ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ। ବାଉଁଶର ବାୟୋମାସକୁ କୋଇଲା (ଅଙ୍ଗାର) ଏବଂ ଜୈବିକ ଖତରେ ପରିଣତ କରାଯାଇପାରେ। ଶହ ଶହ ବର୍ଷ ଧରି ଏହି ଉଦ୍ଭିଦ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ପୃଥକ କରି ଚାଲିଛି। ବାଉଁଶ, କାଠର ଏକ ସ୍ଥାୟୀ ବିକଳ୍ପ। ବାଉଁଶକୁ କାଟିନେବା ପରେ ପୁନର୍ବାର ଏହାକୁ ରୋପଣ କରିବାକୁ ପଡ଼ିନଥାଏ। କାରଣ ଏହାର ଚେର ବା ମୂଳରୁ ନୂତନ ବାଉଁଶ ଗଛ ଜନ୍ମିଥାଏ। ଜଙ୍ଗଲ ଓ ଜଳ ସଂରକ୍ଷଣରେ ବାଉଁଶର ଯଥେଷ୍ଟ ଅବଦାନ ରହିଛି। ପାରମ୍ପରିକ ଜଙ୍ଗଲ ଉପରେ ବାଉଁଶ ଅପେକ୍ଷାକୃତ କମ୍‌‌ ଚାପ ପକାଉଛି।

ସମଗ୍ର ବିଶ୍ୱରେ ପ୍ରାୟ ୩.୧୫ କୋଟି ହେକ୍ଟର ବାଉଁଶ ଜଙ୍ଗଲ ରହିଛି। ଚୀନ୍‌‌, ଭାରତ ଓ ମିଅାଁମାର ବିଶ୍ୱର ପ୍ରମୁଖ ବାଉଁଶ ଉତ୍ପାଦନକାରୀ ଦେଶ। ଅନେକ ବିଶ୍ୱସ୍ତରୀୟ ସଂସ୍ଥା ଜଳବାୟୁ ପରିବର୍ତ୍ତନ ହ୍ରାସ ଦିଗରେ ବାଉଁଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ଦର୍ଶାଇଛନ୍ତି। ଇଥିଓପିଆ ଓ ଘାନା ପରି ଦେଶ ନିଜ ଭୂଖଣ୍ଡରେ ବନୀକରଣ ଓ ଜମି ପୁନରୁଦ୍ଧାର ଅଭିଯାନର ଏକ କାର୍ଯ୍ୟକ୍ରମ ଭାବରେ ବାଉଁଶ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି। କଲମ୍ୱିଆ ଓ ଇକ୍ୱେଡୋର୍‌‌ ଭଳି ଦେଶ ସ୍ଥାୟୀ ବିକାଶ ଓ ଜଳବାୟୁର ସ୍ଥିରତା ପାଇଁ ବାଉଁଶକୁ ନିଜ ରାଷ୍ଟ୍ରୀୟ ରଣନୀତିରେ ଅନ୍ତର୍ଭୁକ୍ତ କରିଛନ୍ତି। ଚୀନ୍‌‌ ମଧ୍ୟ ଜଳବାୟୁ ନିୟନ୍ତ୍ରଣ ପାଇଁ ନିଜ ଦେଶର ବୃହତ ଅଞ୍ଚଳରେ ବାଉଁଶ ଚାଷ ସକାଶେ ପ୍ରୋତ୍ସାହନ ଯୋଗାଉଛି।

ବିଶ୍ୱର ଶ୍ରେଷ୍ଠ ବାଉଁଶ ଉତ୍ପାଦନକାରୀ ଦେଶଗୁଡ଼ିକ ମଧ୍ୟରେ ଭାରତ ରହିଛି। ଏଠାରେ ୧.୪ କୋଟି ହେକ୍ଟର ବାଉଁଶ ଜଙ୍ଗଲ ରହିଛି। ଆସାମ, ଅରୁଣାଚଳ ପ୍ରଦେଶ, ମିଜୋରାମ ସମେତ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଦେଶର ୫୦ ପ୍ରତିଶତରୁ ଊର୍ଦ୍ଧ୍ବ ବାଉଁଶ ଜଙ୍ଗଲ ରହିଛି। ବାଉଁଶ ଚାଷ ସହିତ ବାଉଁଶର ଉପଯୋଗିତା ବୃଦ୍ଧି ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ବାଉଁଶ ମିଶନ ଗଢ଼ିଛନ୍ତି। ଭାରତୀୟ ବନ୍ୟ ଅନୁସନ୍ଧାନ ଏବଂ ଶିକ୍ଷା ପରିଷଦର ଏକ ଅଧ୍ୟୟନରେ ଆକଳନ କରାଯାଇଛି ଯେ ଭାରତର ବାଉଁଶ ବଣ ବାୟୁମଣ୍ଡଳରୁ ବାର୍ଷିକ ପ୍ରାୟ ୧୨କୋଟି ଟନ୍‌‌ ଅଙ୍ଗାରକାମ୍ଳ ଶୋଷଣ କରିନିଏ। ଏହି ପରିସଂଖ୍ୟାନ ଭାରତର ଜଳବାୟୁ ପରିବର୍ତ୍ତନ ହ୍ରାସ ପ୍ରୟାସରେ ବାଉଁଶର ସମ୍ଭାବ୍ୟ ଅବଦାନକୁ ନିର୍ଦ୍ଦେଶିତ କରୁଛି। ରାଷ୍ଟ୍ରୀୟ ବାଉଁଶ ମିଶନ ଗ୍ରାମୀଣ ସମ୍ପ୍ରଦାୟର ଜୀବନଜୀବିକା ବୃଦ୍ଧି ପାଇଁ ତଥା ପରିବେଶ ସୁରକ୍ଷାରେ ଉତ୍ତମ ଯୋଗଦାନ ସକାଶେ ଜଙ୍ଗଲ ନଥିବା ଅବା କମ୍‌‌ ଜଙ୍ଗଲ ଥିବା ଅଞ୍ଚଳରେ ବାଉଁଶ ଚାଷକୁ ପ୍ରୋତ୍ସାହିତ କରୁଛି। ଦେଶର କେତେକ ରାଜ୍ୟ ସରକାର ବାଉଁଶ ଚାଷ ଏବଂ ବ୍ୟବହାରକୁ ଉତ୍ସାହିତ ସକାଶେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ବାଉଁଶ ଚାଷ ଓ ଏହାର ପରିଚାଳନା ଉପରେ ଲୋକଙ୍କ ଜ୍ଞାନ ସୀମିତ। ଏଦିଗରେ ସଚେତନତା ଆବଶ୍ୟକ। ବାଉଁଶର ଅଙ୍ଗାରକାମ୍ଳ ପୃଥକୀକରଣ କ୍ଷମତା ମାପନ ପାଇଁ ମାନକୀକୃତ ପଦ୍ଧତିର ଅଭାବ ରହିଛି, ଯାହା ଜଳବାୟୁ ପରିବର୍ତ୍ତନ ସନ୍ଦର୍ଭରେ ବାଉଁଶର ଉପକାରଜନିତ ମୂଲ୍ୟାଙ୍କନକୁ ଜଟିଳ କରୁଛି। ବାଉଁଶର ପରିବେଶୀୟ ଓ ଅର୍ଥନୈତିକ ଲାଭକୁ ବୁଝିବା ପାଇଁ ଅନୁସନ୍ଧାନ କ୍ଷେତ୍ରରେ ବ୍ୟାପକ ବିନିଯୋଗ କରିବା, ବାଉଁଶ ଚାଷ ସହ ଏହାର ବ୍ୟବହାର ଓ ବ୍ୟବସାୟକୁ ପ୍ରୋତ୍ସାହିତ ସକାଶେ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ କରିବା, ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ କୃଷକ ଓ ଭାଗଚାଷୀଙ୍କ ଦକ୍ଷତା ବୃଦ୍ଧି କରିବା ଏବଂ ବାଉଁଶ ଉତ୍ପାଦ ପାଇଁ ବଜାର ସୃଷ୍ଟି ସହ ଏଥିସମ୍ୱନ୍ଧୀୟ ବ୍ୟବସାୟ ପାଇଁ ବ୍ୟାପକ ପ୍ରଚାର ପ୍ରସାର ଆବଶ୍ୟକ।

ସମ୍ପ୍ରତି ଜଳବାୟୁ ସମସ୍ୟା ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ବାଉଁଶ ଏକ ମୂଲ୍ୟବାନ୍‌‌ ସମ୍ୱଳ ରୂପେ ପରିଗଣିତ ହେବ। ସରକାର, ଗବେଷଣା ସଂସ୍ଥା ଓ ଜନସମାଜର ପ୍ରଚେଷ୍ଟାରେ ସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେବା ସହ ବୈଶ୍ୱିକ ଜଳବାୟୁ ଲକ୍ଷ୍ୟ ହାସଲରେ ବାଉଁଶ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବାଉଁଶର କ୍ଷମତାକୁ ଉପଯୋଗ କରି ଆମେ ଏକ ସବୁଜିମା ଭରା ଜଳବାୟୁ ଅନୁକୂଳିତ ଭବିଷ୍ୟତ ଦିଗକୁ ଗତି କରିପାରିବା।

ବୀରେନ୍‌‌ କୁମାର ଧଳ
ବୈପାରୀଗୁଡ଼ା(କୋରାପୁଟ)
ମୋ: ୯୪୩୮୧୦୪୮୫୭