ବାଣ ତିଆରି ପାଇଁ ନ ଥିଲା ଲାଇସେନ୍ସ

ଭଦ୍ରକ,୮।୫ (ସନାତନ ରାଉତ): ଭଦ୍ରକ ପୌରପାଳିକା ଅଧୀନ ୨୫ ନଂ. ୱାର୍ଡର ହଳଦୀଡିହ ବାଇପାସ୍‌ଠାରେ ମଙ୍ଗଳବାର ସକାଳେ ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟଣାର ତଦନ୍ତ ପରେ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଏହି ଗୋଦାମ ଦୀର୍ଘ ୩୦ବର୍ଷରୁ ଊର୍ଦ୍ଧ୍ୱ ଧରି ଏଠାରେ ଚାଲୁଥିବା ବେଳେ କେବଳ ବାଣ ରଖିବା ଓ ବିକ୍ରି କରିବା ପାଇଁ ଲାଇସେନ୍ସ ଥିଲା। କିନ୍ତୁ ବାଣ ତିଆରି ପାଇଁ କୌଣସି ଲାଇସେନ୍ସ ନ ଥିଲା ବୋଲି ତଦନ୍ତ ବେଳେ ଜଣାପଡ଼ିଥିବା ପୁରୁଣାବଜାର ଥାନାଧିକାରୀ […] The post ବାଣ ତିଆରି ପାଇଁ ନ ଥିଲା ଲାଇସେନ୍ସ appeared first on Dharitri Odia News.

ବାଣ ତିଆରି ପାଇଁ ନ ଥିଲା ଲାଇସେନ୍ସ

ଭଦ୍ରକ,୮।୫ (ସନାତନ ରାଉତ): ଭଦ୍ରକ ପୌରପାଳିକା ଅଧୀନ ୨୫ ନଂ. ୱାର୍ଡର ହଳଦୀଡିହ ବାଇପାସ୍‌ଠାରେ ମଙ୍ଗଳବାର ସକାଳେ ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟଣାର ତଦନ୍ତ ପରେ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଏହି ଗୋଦାମ ଦୀର୍ଘ ୩୦ବର୍ଷରୁ ଊର୍ଦ୍ଧ୍ୱ ଧରି ଏଠାରେ ଚାଲୁଥିବା ବେଳେ କେବଳ ବାଣ ରଖିବା ଓ ବିକ୍ରି କରିବା ପାଇଁ ଲାଇସେନ୍ସ ଥିଲା। କିନ୍ତୁ ବାଣ ତିଆରି ପାଇଁ କୌଣସି ଲାଇସେନ୍ସ ନ ଥିଲା ବୋଲି ତଦନ୍ତ ବେଳେ ଜଣାପଡ଼ିଥିବା ପୁରୁଣାବଜାର ଥାନାଧିକାରୀ ସୁଶାନ୍ତ ସାହୁ କହିଛନ୍ତି। ବିନା ଲାଇସେନ୍ସରେ ବାଣ ତିଆରି କରିବା, ନାବାଳକଙ୍କୁ ବାଣ ତିଆରି କାମରେ ଲଗାଇବା ଆଦି ଅପରାଧ ନେଇ ପୋଲିସ ନିଜ ଆଡୁ ପୁରୁଣାବଜାର ସବ୍‌ଇନ୍ସପେକ୍ଟର ସ୍ମୃତିରେଖା ସ୍ବାଇଁଙ୍କ ଅଭିଯୋଗକ୍ରମେ ମଙ୍ଗଳବାର ରାତିରେ ଏକ ମାମଲା (ନଂ ୧୦୭/୨୫) ରୁଜୁ କରିଛି। ଅପରପକ୍ଷେ ଗୋଦାମ ମାଲିକ ଫେରାର ଅଛନ୍ତି। ତେବେ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହାର ତଦନ୍ତ ଚାଲିଛି। ଜଳି ଯାଇଥିବା ଗୋଦାମ ସାମ୍ନାରେ ଥିବା ଅନ୍ୟ ୩ଟି ଘରୁ ବାଣ ଓ ବାଣ ତିଆରିରେ ବ୍ୟବହୃତ ସାମଗ୍ରୀ ଜବତ କରାଯିବା ସହ ଗୃହ ସିଲ୍‌ କରାଯାଇଥିବା ଅତିରିକ୍ତ ଏସ୍‌ପି ଅରୂପ ଅଭିଷେକ ବେହେରା କହିଛନ୍ତି।
ଯେ, ବାଣ ଗୋଦାମରେ ବିସ୍ଫୋରଣ ଯୋଗୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। କଟକରୁ ମୃତଦେହ ଭଦ୍ରକରେ ପହଞ୍ଚତ୍ବା ପରେ ମଙ୍ଗଳବାର ରାତି ୯ଟାରେ ହଳଦୀଡିହ ବାଇପାସ୍‌ଠାରେ ମୃତଦେହ ରଖି ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରାଯାଇଥିଲା। ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ଯୁବନେତା ଜାହିଦ୍‌ ହବିବ୍‌, କାଉନସିଲର ଶେଖ ସାହିଲ କାଦ୍ରୀଙ୍କ ସମେତ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାର ଲୋକଙ୍କୁ ଚାକିରି ଦିଆଯିବା ସହ ଗୋଦାମ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଜିଲାପାଳଙ୍କଠାରୁ ଜାଣିବା ପରେ ରାସ୍ତାରୋକୋ ହଟିଥିଲା। ଶ୍ରମିକ ରହିତୁନ୍‌ ବିବିଙ୍କ ମୃତ୍ୟୁ ପରେ ତାଙ୍କ ୩ ଝିଅ ଓ ଗୋଟିଏ ପୁଅ ବେସାହାରା ହୋଇଯାଇଛନ୍ତି। ୩ବର୍ଷ ତଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରିବା ସହ ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ତାଙ୍କ ମୃତ୍ୟୁ ପରେ ପିଲାମାନଙ୍କ ପ୍ରତିପୋଷଣ ମୁଖ୍ୟ ସମସ୍ୟା ବୋଲି ପୌରାଧ୍ୟକ୍ଷା ହବିବ୍‌ କହିଛନ୍ତି। ଅନ୍ୟ ୩ ଗୁରୁତର କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତେବେ ପୂର୍ବରୁ ଏହି ଗୋଦାମରେ ବିସ୍ଫୋରଣ ଘଟି ଏକାଧିକ ଶ୍ରମିକ ପ୍ରାଣ ହରାଇଥିବା ବେଳେ ସେତେବେଳେ ମଧ୍ୟ ଥାନାରେ ମାମଲା ରୁଜୁ ହୋଇଥିଲା। ତା’ପରେ ମଧ୍ୟ ବାଣ ତିଆରି ଲାଇସେନ୍ସ ନ ଥାଇ ସେଠାରେ ବାଣ ତିଆରି ହେଉଥିବା ପୋଲିସ ପ୍ରଶାସନ କିପରି ଜାଣିପାରିଲା ନାହିଁ ବୋଲି ଯୁବନେତା ଜାହିଦ୍‌ ହବିବ ପ୍ରଶ୍ନ କରିଛନ୍ତି।

The post ବାଣ ତିଆରି ପାଇଁ ନ ଥିଲା ଲାଇସେନ୍ସ appeared first on Dharitri Odia News.