ବାଣ ବ୍ୟାନ ନିର୍ଦ୍ଦେଶ କ୍ୱଚିତ କାର୍ଯ୍ୟକାରୀ ହୋଇଛି: ପୁଲିସ୍‌ ମୁଖିଆଙ୍କୁ ସୁପ୍ରିମ ନୋଟିସ

ବାଣ ଫୁଟିବା ଯୋଗୁ ଦିଲ୍ଲୀରେ ବାୟୁର ଗୁଣବତ୍ତା ଭୟଙ୍କର ସ୍ତରକୁ ଚାଲି ଯାଇଥିବା ସୁପ୍ରିମକୋର୍ଟ କହିଛନ୍ତି।

ବାଣ ବ୍ୟାନ ନିର୍ଦ୍ଦେଶ କ୍ୱଚିତ କାର୍ଯ୍ୟକାରୀ ହୋଇଛି: ପୁଲିସ୍‌ ମୁଖିଆଙ୍କୁ ସୁପ୍ରିମ ନୋଟିସ

ଦେଶର ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ଭୟଙ୍କର ପ୍ରଦୂଷଣକୁ ନେଇ କ୍ଷମତାସୀନ ଆପ୍‌ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀରେ ବାଣ ଫୁଟାଇବା ବ୍ୟାନ ହୋଇଥିଲେ ହେଁ ଏହାକୁ କ୍ୱଚିତ କାର୍ଯ୍ୟକାରୀ କରାଯାଇଛି। ବାଣ ଫୁଟିବା ଯୋଗୁ ଦିଲ୍ଲୀରେ ବାୟୁର ଗୁଣବତ୍ତା ଭୟଙ୍କର ସ୍ତରକୁ ଚାଲି ଯାଇଥିବା ସୁପ୍ରିମକୋର୍ଟ କହିଛନ୍ତି।

ଏଥିସହ ବ୍ୟାନକୁ କାର୍ଯ୍ୟକାରୀ କରିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଥିଲା ଓ ଆସନ୍ତା ବର୍ଷ ବ୍ୟାନ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ କ’ଣ ସବୁ ବ୍ୟବସ୍ଥା କରାଯାଉଛି, ତା’ର ତଥ୍ୟ ସତ୍ୟପାଠ ମାଧ୍ୟମରେ ଦେବାକୁ ସର୍ବୋଚ୍ଚ ଅଦଲାତ ସରକାର ଓ ଦିଲ୍ଲୀ ପୁଲିସ୍‌ ମୁଖିଆଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ସରକାର ଓ ପୁଲିସ୍‌ ମୁଖିଆ ସତ୍ୟପାଠ ଦାଖଲ କରିବେ।

ଦୀପାବଳି ପରଦିନ ସକାଳେ ଅର୍ଥାତ ନଭେମ୍ବର ୧ରେ ରାଜଧାନୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହରର ମାନ୍ୟତା ପାଇଥିଲା। ଦିଲ୍ଲୀର ଏକାଧିକ ଅଞ୍ଚଳରେ ବାୟୁର ଗୁଣବତ୍ତା ଭୟଙ୍କର ପିଏ ୨.୫ ସ୍ତରରେ ପହଞ୍ଚି ଯାଇଥିଲା। ଏହା ଦ୍ୱାରା ଲୋକମାନେ ଶ୍ୱାସକ୍ରିୟାରେ ଅସହଜ ଅନୁଭବ କରିଥିଲେ। ସେବେଠାରୁ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। 

ଏହାକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିବା ସହ ଅସନ୍ତୋଷ ଜାହିର କରିଛନ୍ତି। ଆଜି ଗୋଟିଏ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ କହିଛନ୍ତି, ଚଳିତ ବର୍ଷ ଦିଲ୍ଲୀର ପ୍ରଦୂଷଣ ସ୍ତରର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହା ବିଗତ ଦୁଇ ବର୍ଷ ତୁଳନାରେ ଯଥେଷ୍ଟ ଅଧିକ।

ଦିଲ୍ଲୀରେ ବାଣ ଫୁଟାଇବା ସଂପୂର୍ଣ୍ଣ ବାରଣ କରାଯାଇଥିଲା। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀ ପୁଲିସ୍‌ କିମଶନର କ’ଣ ସବୁ ପଦକ୍ଷେପ ନେଇଥିଲେ? ଏ ସମ୍ପର୍କରେ କମିଶନର ସପ୍ତାହକ ମଧ୍ୟରେ ସତ୍ୟପାଠ ଦାଖଲ କରନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ସମାନ ରିପୋର୍ଟକୁ ପୁଣି ଥରେ ଉଠାଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଦୀପାବଳି ବେଳେ ନଡ଼ା ଜାଳିବା ଘଟଣା ମଧ୍ୟ ବଢ଼ିଛି। ଏଥିପାଇଁ ସର୍ବୋଚ୍ଚ ଅଦାଲତ ଅକ୍ଟୋବର ମାସର ଶେଷ ୧୦ ଦିନରେ କେତେ ସଂଖ୍ୟକ ନଡ଼ା ଜାଳିବା ଘଟଣା ଘଟିଛି, ତା’ର ରିପୋର୍ଟ ଦେବାକୁ ପଞ୍ଜାବ ଓ ହରିୟାଣା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ସମାନ ସମୟରେ କୌଣସି ଫାର୍ମରେ ଅଗ୍ନିକାଣ୍ଡ ଘଟଣା ଘଟିଛି କି ନାହିଁ ବୋଲି ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। 

ଜଷ୍ଟିସ ଅଭୟ ଓକା ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିଙ୍କ ଖଣ୍ଡପୀଠ କହିଛନ୍ତି ଯେ ସେମାନେ ପ୍ରଦୂଷଣ ସୃଷ୍ଟି କରୁଥିବା ଉପଦାଦନକୁ ମଧ୍ୟ ବିଚାରକୁ ନେଇଛନ୍ତି। ଏହା ମଧ୍ୟରେ ପରିବହନ ଜନିତ ପ୍ରଦୂଷଣ, ବଡ଼ ବଡ଼ ଟ୍ରକ ପ୍ରବେଶ ଯୋଗୁ ସୃଷ୍ଟି ହେଉଥିବା ପ୍ରଦୂଷଣ ଓ ଶିଳ୍ପାଞ୍ଚଳ ପ୍ରଦୂଷଣ ରହିଛି।

ଏବେ ଏ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୪ ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।