ବାନ୍ଧବୀ ପାଇଁ ୩୦୦ କି.ମି. ଗଲା ବାଘ
ହାଇଦ୍ରାବାଦ,୨୦ା୧୧:ଏକ ବାଘୁଣୀର ସନ୍ଧାନରେ ମହାରାଷ୍ଟ୍ରର ଟିପେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟରେ ରହୁଥିବା ବାଘ ‘ଜନି’ ୩୦୦ କିଲୋମିଟର ଅତିକ୍ରମ କରି ତେଲଙ୍ଗାନାର ନିର୍ମଳ ଜିଲାସ୍ଥିତ କଓ୍ବଲ ଟାଇଗର ରିଜର୍ଭ ନିକଟରେ ପହଞ୍ଚିଛି। ନିଜର ଏହି ଯାତ୍ରାରେ ଜନି ବିଭିନ୍ନ ଜଙ୍ଗଲ ଏବଂ କ୍ଷେତ ପାର୍ କରି ଏବେ କଓ୍ବଲ ଟାଇଗର ରିଜର୍ଭ ଆଡ଼କୁ ଯାଉଥିବା ଜଣାପଡ଼ିଛି। ରେଡିଓ କଲାର ସାହାଯ୍ୟରେ ଜନିର ପୂରା ଯାତ୍ରାକୁ ଟ୍ରାକ୍ କରିବାରେ ବନ ବିଭାଗର ଅଧିକାରୀମାନେ ସଫଳ ହୋଇଛନ୍ତି। ୬ରୁ ୮ ବର୍ଷ […] The post ବାନ୍ଧବୀ ପାଇଁ ୩୦୦ କି.ମି. ଗଲା ବାଘ appeared first on Dharitri Odia News.
ହାଇଦ୍ରାବାଦ,୨୦ା୧୧:ଏକ ବାଘୁଣୀର ସନ୍ଧାନରେ ମହାରାଷ୍ଟ୍ରର ଟିପେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟରେ ରହୁଥିବା ବାଘ ‘ଜନି’ ୩୦୦ କିଲୋମିଟର ଅତିକ୍ରମ କରି ତେଲଙ୍ଗାନାର ନିର୍ମଳ ଜିଲାସ୍ଥିତ କଓ୍ବଲ ଟାଇଗର ରିଜର୍ଭ ନିକଟରେ ପହଞ୍ଚିଛି। ନିଜର ଏହି ଯାତ୍ରାରେ ଜନି ବିଭିନ୍ନ ଜଙ୍ଗଲ ଏବଂ କ୍ଷେତ ପାର୍ କରି ଏବେ କଓ୍ବଲ ଟାଇଗର ରିଜର୍ଭ ଆଡ଼କୁ ଯାଉଥିବା ଜଣାପଡ଼ିଛି। ରେଡିଓ କଲାର ସାହାଯ୍ୟରେ ଜନିର ପୂରା ଯାତ୍ରାକୁ ଟ୍ରାକ୍ କରିବାରେ ବନ ବିଭାଗର ଅଧିକାରୀମାନେ ସଫଳ ହୋଇଛନ୍ତି। ୬ରୁ ୮ ବର୍ଷ ବୟସର ହୋଇଥିବା ଜନି ଅକ୍ଟୋବର ତୃତୀୟ ସପ୍ତାହରୁ ଟିପେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟରୁ ନିଜର ଏହି ଯାତ୍ରା ଆରମ୍ଭ କରିଥିଲା। ବନ ଅଧିକାରୀମାନେ ଜନିକୁ ପ୍ରଥମେ ତେଲଙ୍ଗାନାର ଆଦିଲାବାଦ ଜିଲା ବୋଥ୍ ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଟ୍ରାକ୍ କରିଥିଲେ। ଏହାପରେ ଜନି ତେଲଙ୍ଗାନାର ନିର୍ମଳ ଜିଲା ଅନ୍ତର୍ଗତ କୁନ୍ତଲା, ସାରଙ୍ଗପୁର, ମାମାଦା, ପେମ୍ବି ଅଞ୍ଚଳ ଦେଇ ଯିବା ପରେ ଏବେ ହାଇଦ୍ରାବାଦ-ନାଗପୁର ଜାତୀୟ ରାଜପଥ ୪୪କୁ ଅତିକ୍ରମ କରି ତିରୟାନି ଅଞ୍ଚଳ ଆଡ଼କୁ ମୁହାଁଉଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ମଙ୍ଗଳବାର ସୂଚନା ଦେଇ ଆଦିଲାବାଦ ଜିଲା ବନ ଅଧିକାରୀ ପ୍ରଶାନ୍ତ ବାଜିରାଓ ପାଟିଲ କହିଛନ୍ତି, ଶୀତ ଋତୁ ବେଳେ ନିଜ ପାଇଁ ଏକ ବାଘୁଣୀ ସାଥୀକୁ ସନ୍ଧାନ କରିବା ହେଉଛି ବାଘମାନଙ୍କର ସ୍ବାଭାବିକ ପ୍ରବୃତ୍ତି। ବାଘ ଜନିର ଯାତ୍ରା ମଧ୍ୟ ଏହାକୁ ସୂଚାଉଛି। ଶୀତଦିନେ ବାଘମାନେ ନିଜ କ୍ଷେତ୍ରରେ କୌଣସି ସାଥୀ ବାଘୁଣୀକୁ ନ ପାଇଲେ ସେମାନଙ୍କ ସନ୍ଧାନରେ ଲମ୍ବା ଯାତ୍ରାରେ ବାହାରି ପଡ଼ିଥାନ୍ତି। ପୁରୁଷବାଘମାନେ ୧୦୦ କି.ମି. ଦୂରରୁ ମଧ୍ୟ କୌଣସି ବାଘୁଣୀଙ୍କ ସୁଗନ୍ଧକୁ ଜାଣିପାରିଥାନ୍ତି ଏବଂ ସେମାନଙ୍କର ସନ୍ଧାନ କରିପାରନ୍ତି ବୋଲି ସେ କହିଛନ୍ତି। ଏହି ଯାତ୍ରାରେ ଜନି ୩ଟି ଅଲଗା ଉଦ୍ୟମରେ ୫ଟି ମଇଁଷିଙ୍କୁ ଶିକାର କରି ହତ୍ୟା କରିଥିବାବେଳେ ଅନେକ ଗାଈଙ୍କୁ ଆକ୍ରମଣ କରିଛି। ବାନ୍ଧବୀଙ୍କ ସନ୍ଧାନରେ ଯାତ୍ରା କରୁଥିବା ବାଘ ମଣିଷଙ୍କ ପାଇଁ ସିଧାସଳଖ ଭାବେ ବିପଦ ସୃଷ୍ଟି କରି ନ ଥାନ୍ତି ବୋଲି ବନ ଅଧିକାରୀମାନେ କହିଛନ୍ତି। ତେବେ ବାଘ ଜନିଠାରୁ ଦୂରେଇ ରହିବା ସହ ଅଞ୍ଚଳରେ କୌଣସି ଆତଙ୍କ ନ ମଚାଇବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କୁ ବନ ବିଭାଗ ପରାମର୍ଶ ଦେଇଛି। ଜନିର ସାମ୍ପ୍ରତିକ ପଥ ତାକୁ କଓ୍ବଲ ଟାଇଗର ରିଜର୍ଭ ଆଡ଼କୁ ନେଇପାରେ ବୋଲି ବନ ଅଧିକାରୀମାନେ ଆକଳନ କରୁଛନ୍ତି। ପ୍ରକାଶ ଯେ, ସମ୍ପ୍ରତି କଓ୍ବଲ ଟାଇଗର ରିଜର୍ଭରେ ବାଘଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି ଏବଂ ସେଠାରେ ବାଘମାନଙ୍କ ସ୍ଥାୟୀ ବାସସ୍ଥାନ ପାଇଁ ପ୍ରୟାସ କରାଯାଉଛି। ତେଲଙ୍ଗାନାର ଉତ୍ତର ପୂର୍ବ ପ୍ରାନ୍ତରେ ଅବସ୍ଥିତ ଏହି ଟାଇଗର ରିଜର୍ଭର ଗୋଟିଏ ପାଖରେ ଗୋଦାବରୀ ନଦୀ ଥିବାବେଳେ ଅନ୍ୟପକ୍ଷରେ ମହାରାଷ୍ଟ୍ର ସହ ସୀମା ରହିଛି।
The post ବାନ୍ଧବୀ ପାଇଁ ୩୦୦ କି.ମି. ଗଲା ବାଘ appeared first on Dharitri Odia News.