ବାନ୍ଧବୀଙ୍କୁ ବିବାହ କଲେ ରାଜ୍ୟ ଶ୍ରମ କମିଶନର

୨୦୧୫ ବ୍ୟାଚ୍ ଆଇଏଏସ୍ ରାଜ୍ୟ ଶ୍ରମ କମିଶନର ଅମ୍ରିତ ଋତୁରାଜ ଆଜି ନିଜର ଦୀର୍ଘଦିନର ବାନ୍ଧବୀଙ୍କୁ ଜୀବନସାଥୀ କରିଛନ୍ତି

ବାନ୍ଧବୀଙ୍କୁ ବିବାହ କଲେ ରାଜ୍ୟ ଶ୍ରମ କମିଶନର

ଓଡ଼ିଶା କ୍ୟାଡ଼ରର ୨୦୧୫ ବ୍ୟାଚ୍ ଆଇଏଏସ୍ ରାଜ୍ୟ ଶ୍ରମ କମିଶନର ଅମ୍ରିତ ଋତୁରାଜ ଆଜି ନିଜର ଦୀର୍ଘଦିନର ବାନ୍ଧବୀଙ୍କୁ ଜୀବନସାଥୀ କରିଛନ୍ତି । କଟକର ଏକ ତାରକା ହୋଟେଲରେ ଉଭୟ ପରିବାରର ସଦସ୍ୟ ଓ ଶୁଭେଚ୍ଛୁଙ୍କ ଗହଣରେ ଏହି ବିବାହ ଉତ୍ସବ ସମ୍ପନ୍ନ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଯୁବ ଜିଲ୍ଲାପାଳ ଅମ୍ରିତ ନିଜର ଦୀର୍ଘଦିନର ବାନ୍ଧବୀ ଅମୃତା ପ୍ରିୟମ୍ବଦାଙ୍କୁ ଜୀବନସାଥୀ କରିଛନ୍ତି । ଆଜି ହିନ୍ଦୁ ରୀତିନୀତିରେ ଉଭୟ ବିବାହ ବଦ୍ଧନରେ ଆବଦ୍ଧ ହୋଇଛନ୍ତି । ଓଏଏସ୍ ଅଫିସର ଅମୃତା ଏବେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଉପସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ଆଜି ପୂର୍ବାହ୍ନରେ ଅମ୍ରିତ ନିଜ ଶୁଭେଚ୍ଛୁ ଓ ପରିବାର ସଦସ୍ୟଙ୍କୁ ବରଯାତ୍ରୀ ଭାବେ ଧରି କଟକର ଦୋଳମୁଣ୍ଡାଇ ଛକ ନିକଟରେ ଥିବା ହୋଟେଲରେ ପହଂଚିଥିଲେ।

ସେଠାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଉଭୟ ରେଭେନ୍ସା କଲେଜରେ ପାଠ ପଢ଼ୁଥିଲେ ଓ ପରେ ଦିଲ୍ଲୀରେ ପଢ଼ିବାବେଳେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟ ପରିବାରର ସହମତିରେ ଶେଷରେ ବିବାହ ସମ୍ପନ୍ନ ହୋଇଛି । ଉଭୟଙ୍କ ଘର କଟକ ଜିଲ୍ଲାରେ । ଅମୃତାଙ୍କ ପିତା ହେଉଛନ୍ତି ରାଜ୍ୟ ହକି ଓଡ଼ିଶାର ସାଧାରଣ ସମ୍ପାଦକ ପ୍ରତାପ କୁମାର ଶତପଥୀ । ପ୍ରତାପ ଦୀର୍ଘଦିନ ଧରି ଜନତା ଦଳ ସହ ଜଡ଼ିତ ଥିଲେ । ସେହିପରି ଅମ୍ରିତଙ୍କ ପିତା ଓଡ଼ିଶା ସରକାରଙ୍କ ପ୍ରଶାସନିକ ସେବାରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ଗତବର୍ଷ ଡିସେମ୍ବର ଶେଷ ସପ୍ତାହରେ ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ କଟକର ଖାନନଗରସ୍ଥିତ ଏକ ମନ୍ଦିରରେ ଉଭୟଙ୍କ ନିର୍ବଦ୍ଧ ସମ୍ପନ୍ନ ହୋଇଥିଲା ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ,ଅମ୍ରିତଙ୍କୁ ଗତ ସପ୍ତାହରେ ରାଜ୍ୟ ଶ୍ରମ କମିଶନର ଭାବେ ବଦଳି ହୋଇଛି ଓ ସେ ଏପର୍ଯ୍ୟନ୍ତ ଏହି ନୂଆ ଦାୟିତ୍ୱ ସମ୍ଭାଳି ନାହାନ୍ତି । ଗତ ଦୁଇଦିନ ତଳେ ସେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ପଦରୁ ରିଲିଭ୍ ହୋଇଛନ୍ତି।